www.samajalive.in
Sunday, December 14, 2025
19.1 C
Bhubaneswar

ତୃତୀୟ ଟେଷ୍ଟ ; ଭାରତ ୩୦୭/୬

ଟ୍ରେଣ୍ଟବ୍ରିଜ୍‍ : ଶନିବାରଠାରୁ ଏଠାରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍‍ ଆରମ୍ଭ ହୋଇଛି। ଭୋଜନ ବିରତି ପୂର୍ବରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ବେଳେ ବିରତି ପରେ ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ସ୍ଥିତି ସୁଧାରିଥିଲେ। ଉଭୟେ ଅର୍ଦ୍ଧଶତକ ହାସଲକରି ସ୍କୋର୍‍କୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ତେବେ ଉଭୟ କୋହଲି ଓ ରାହାଣେଙ୍କୁ ଆଉଟ୍‍କରି ଇଂଲଣ୍ଡ ମ୍ୟାଚ୍‍କୁ ଫେରିପାରିଛି। ପ୍ରଥମଦିନ ଷ୍ଟମ୍ପ୍‍ ଅପସାରଣ ବେଳକୁ ଭାରତ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୦୭ ରନ୍‍ କରିପାରିଛି।
ମେଘୁଆ ଆକାଶକୁ ଦେଖି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‍ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଇଂଲଣ୍ଡର ଦୁଇ ନୂଆ ବଲ୍‍ ବୋଲର ଜେମ୍‍ସ ଆଣ୍ଡରସନ୍‍ ଓ ଷ୍ଟୁଆର୍ଟ ବ୍ରଡ୍‍ ଯଥାର୍ଥ ପ୍ରମାଣିତ କରିବା ସହ ଚମତ୍କାର ବୋଲିଂ କରିଥିଲେ। ବଲ୍‍ ସ୍ୱିଙ୍ଗ୍‍ କରିଥଲା; ଫଳରେ ଦୁଇ ଭାରତୀୟ ଓପ୍‍ନର ଶିଖର ଧାୱନ ଓ କେ.ଏଲ୍‍. ରାହୁଲ ବାରମ୍ବାର ବିଟ୍‍ ହୋଇଥିଲେ। ପରେ ଦୁହେଁ ସେଟ୍‍ ହୋଇ ଯାଇଥିଲେ। ଭାରତୀୟ ଓପ୍‍ନିଂ ଯୋଡ଼ି ୬୦ ରନ୍‍ର ଭାଗିଦାରୀ କରିଥିଲେ; ଯାହା ଚଳିତ ସିରିଜ୍‍ର ସର୍ବାଧିକ। କ୍ରିସ୍‍ ୱକ୍‍ସ ବୋଲିଂ କରିବାକୁ ଆସି ଜଲ୍‍ଦି ୩ଟି ୱିକେଟ ନେଇଥିଲେ। ୱକ୍‍ସଙ୍କ ବଲ୍‍କୁ ସ୍ଲିପ୍‍ ହାତକୁ ମାରିଥିଲେ ଧାୱନ। ବାମହାତି ଧାୱନ ୭ଟି ଚୌକା ସହ ୩୫ ରନ୍‍ କରିଥିଲେ। ୱକ୍‍ସଙ୍କ ପରବର୍ତ୍ତୀ ଓଭରରେ ଏକ ଚମତ୍କାର ଇନ୍‍ସ୍ୱିଙ୍ଗରରେ ରାହୁଲ ଏଲ୍‍ବିଡବ୍ଲ୍ୟୁ ହୋଇଥିଲେ। ଭୋଜନ ବିରତିର ଠିକ୍‍ ପୂର୍ବରୁ ଭାରତ ୩ୟ ୱିକେଟ ହରାଇଥିଲା। ୱକ୍‍ସଙ୍କ ସର୍ଟ ବଲ୍‍କୁ ହୁକ୍‍ କରିବାକୁ ଯାଇ ଫାଇନ୍‍ଲେଗ୍‍ ହାତକୁ କ୍ୟାଚ୍‍ ଦେଇଥିଲେ ଚେତେଶ୍ୱର ପୂଜାରା। ପୂଜାରା ୨ଟି ଚୌକା ସହ ୧୪ ରନ୍‍ କରିଥିଲେ। ୮୨ ରନ୍‍ରେ ୩ଟି ୱିକେଟ ହରାଇ କଷ୍ଟସାଧ୍ୟ ସ୍ଥିତିରେ ଥିବା ବେଳେ କୋହଲି ଓ ଅଜିଙ୍କ୍ୟ ରାହାଣେ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ଶତକ ହାସଲ କରିବେ ବୋଲି ଲାଗୁଥିଲେ ହେଁ ଏଥିରେ ବିଫଳ ହୋଇଥିଲେ। ୪ର୍ଥ ୱିକେଟ ପାଇଁ କୋହଲି-ରାହାଣେ ୧୫୯ ରନ୍‍ ଯୋଡ଼ିଥିଲେ। ଆଲଷ୍ଟାୟାର କୁକ୍‍ଙ୍କ ଦର୍ଶନୀୟ କ୍ୟାଚ୍‍ରେ ରାହାଣେଙ୍କ ଇନିଂସର ଅନ୍ତଃ ଘଟିଥିଲା। ରାହାଣେ ୧୨ଟି ଚୌକା ସହ ୮୧ ରନ୍‍ କରିଥିଲେ। କୋହଲି ମାତ୍ର ୩ ରନ୍‍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଆଦିଲ ରସିଦ୍‍ଙ୍କ ବଲ୍‍ରେ ବଡ଼ ଡ୍ରାଇଭ୍‍ ମାରିବାକୁ ଯାଇ କୋହଲି ଧରା ପଡ଼ିଥିଲେ। କୋହଲି ୧୧ଟି ଚୌକା ସହ ୯୭ ରନ୍‍ କରିଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ୍‍ ୬ଷ୍ଠ ୱିକେଟ ପାଇଁ ୩୨ ରନ୍‍ ଯୋଡ଼ିଥିଲେ। ଦିନର ଶେଷ ଓଭରରେ ପାଣ୍ଡ୍ୟା ୧୮ ରନ୍‍କରି ଆଉଟ ହୋଇଥିଲେ। ପନ୍ତ୍‍ ୨୨ ରନ୍‍କରି କ୍ରିଜ୍‍ରେ ଅଛନ୍ତି।
ଏହି ମ୍ୟାଚ୍‍ରେ ଭାରତ ତା’ର ଏକାଦଶରେ ୨ଟି ପରିବର୍ତ୍ତନ କରିଛି। ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତ୍‍ ଟେଷ୍ଟ ଜୀବନର ଆରମ୍ଭ କରିଥିବା ବେଳେ କୁଲଦୀପ ଯାଦବଙ୍କ ସ୍ଥାନରେ ଯଶପ୍ରୀତ୍‍ ବୁମ୍‍ରା ଖେଳୁଛନ୍ତି। ଇଂଲଣ୍ଡର ବାମହାତି ଅଲ୍‍ରାଉଣ୍ଡର ସାମ୍‍ କରନ୍‍ଙ୍କ ସ୍ଥାନରେ ବେନ୍‍ ଷ୍ଟୋକ୍‍ସ ଖେଳୁଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories