www.samajalive.in
Monday, December 15, 2025
14.1 C
Bhubaneswar

୩ୟ ଟେଷ୍ଟରେ ପନ୍ତ୍‍ ଓ ବୁମ୍‍ରା ଖେଳିବା ସମ୍ଭାବନା

ଲଣ୍ଡନ : ଆସନ୍ତା ୧୮ରୁ ନଟିଂହାମ୍‍ରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୩ୟ ଟେଷ୍ଟମ୍ୟାଚ୍‍ ଖେଳିବ। ଚଳିତ ଟେଷ୍ଟ ସିରିଜ୍‍ର ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‍ ହାରି ସିରିଜ୍‍ରେ ଭାରତ ୦-୨ରେ ପଛୁଆ ରହିଛି। ପ୍ରଥମ ୨ଟି ଟେଷ୍ଟ୍‍ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଏବେ ଦଳ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ତେଣୁ ୩ୟ ଟେଷ୍ଟରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହେବା ନିଶ୍ଚିତ।
ଯେଉଁ ୨ ଭାରତୀୟ ଖେଳାଳି ଏହି ଟେଷ୍ଟରେ ଖେଳିବାର ସମ୍ଭାବନା ରହିଛି; ସେମାନେ ହେଲେ ଫାଷ୍ଟବୋଲର ଯଶପ୍ରୀତ ବୁମ୍‍ରା ଓ ୱିକେଟ ରକ୍ଷକ ବ୍ୟାଟ୍‍ସମ୍ୟାନ୍‍ ଋଷଭ ପନ୍ତ୍‍। ଋଦ୍ଧିମାନ ଶାହା ଆହତ ଥିବାରୁ ୨ୟ ୱିକେଟ ରକ୍ଷକ ଭାବେ ଦିଲ୍ଲୀର ୨୦ ବର୍ଷ ବୟସ୍କ ଋଷଭ ପନ୍ତ୍‍ ଦଳରେ ଅଛନ୍ତି। ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ବାମହାତି ଋଷଭଙ୍କ ଖେଳିବାର ବହୁତ ସମ୍ଭାବନା ରହିଛି। କାରଣ କାର୍ତ୍ତିକ ଖେଳିଥିବା ୨ଟି ଟେଷ୍ଟର ୪ଟି ଇନିଂସରେ ୦, ୧, ୨୦ ଓ ୦ ରନ୍‍ କରିଛନ୍ତି। ଘରୋଇ କ୍ରିକେଟ ଓ ଭାରତୀୟ ସୀମିତ ଓଭର ଦଳରେ ଜଣେ ବିଶେଷଜ୍ଞ ବ୍ୟାଟ୍‍ସମ୍ୟାନ ଭାବେ ଖେଳୁଥିଲେ ହେଁ ଉଭୟ ଟେଷ୍ଟରେ କାର୍ତ୍ତିକ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରିଛନ୍ତି। ଭାରତ ପାଇଁ ଋଷଭ ପନ୍ତ୍‍ ୪ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳି ୭୩ ରନ୍‍ କରିଛନ୍ତି। ଘରୋଇ କ୍ରିକେଟ୍‍ରେ ତାଙ୍କ ଆଭ୍‍ରେଜ୍‍ ହେଉଛି ୫୪.୫୦। ପୁଣି ଗତ ଆଇପିଏଲ୍‍ରେ ଋଷଭ ଭଲ ବ୍ୟାଟିଂ କରିଥିଲେ। ସେ ଭାରତ ‘ଏ’ ଦଳ ପାଇଁ ଇଂଲଣ୍ଡ ଗସ୍ତରେ ଖେଳିଥିଲେ। ଏସେକ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍‍ରେ ଋଷଭ ପନ୍ତ୍‍ ୩୪ ରନ୍‍ କରିଥିଲେ। ନିକଟରେ ସୁନୀଲ ଗାଭାସ୍କର ମଧ୍ୟ ଋଷଭଙ୍କୁ ଟେଷ୍ଟଦଳର ମଧ୍ୟକ୍ରମରେ ଖେଳାଇବାର ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷରେ ଭାରତ ପାଇଁ ଏହା ଏକ ଖୁସିର ଖବର ଯେ ଫାଷ୍ଟବୋଲର ଯଶପ୍ରୀତ ବୁମ୍‍ରା ସମ୍ପୂର୍ଣ୍ଣ ଫିଟ୍‍ ଘୋଷିତ ହୋଇଛନ୍ତି। ଲର୍ଡସ ଟେଷ୍ଟ ପୂର୍ବରୁ ମଧ୍ୟ ବୁମ୍‍ରା ଫିଟ୍‍ ହୋଇଥିଲେ ହେଁ ତାଙ୍କୁ ଅଧିକ କିଛି ସମୟ ଦିଆ ଯାଇଥିଲା। ଆଶା କରାଯାଉଛି ଯେ ବାମହାତି ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ବୁମ୍‍ରାଙ୍କୁ ନଟିଂହାମ୍‍ ଟେଷ୍ଟ ଖେଳିବାର ସୁଯୋଗ ମିଳିପାରେ।
ଡବ୍‍ଲିନ୍‍ରେ ଆୟରଲାଣ୍ଡ ବିପକ୍ଷ ସିରିଜ୍‍ ଖେଳୁଥିବା ବେଳେ ବୁମ୍‍ରାଙ୍କ ହାତରେ ଆଘାତ ଲାଗିଥିଲା। ଜୁଲାଇ ୪ରେ ଲିଡ୍‍ସରେ ତାଙ୍କ ହାତରେ ଆଘାତ ଲାଗିଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ହେଁ ବୁମ୍‍ରାଙ୍କୁ ଇଂଲଣ୍ଡ ବିପକ୍ଷ ଟ୍ୱେଣ୍ଟି୨୦ ଓ ଦିନିକିଆ ସିରିଜ୍‍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିନଥିଲା। ତେବେ ଟେଷ୍ଟଦଳରେ ତାଙ୍କୁ ସାମିଲ କରା ଯାଇଥିଲା। ଏଣେ ୩ୟ ଟେଷ୍ଟ ପାଇଁ ଭାରତୀୟ ଦଳର ଦୁଇ ଅଲ୍‍ରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଦିକ ପାଣ୍ଡ୍ୟା ଫିଟ୍‍ ଘୋଷିତ ହୋଇଛନ୍ତି। ଲର୍ଡସ ଟେଷ୍ଟରେ ବ୍ୟାଟିଂ କରୁଥିବା ବେଳେ ଉଭୟଙ୍କ ହାତରେ ବଲ୍‍ ବାଜିଥିଲା। ତେବେ ଭାରତ ପାଇଁ ଚିନ୍ତାର ବିଷୟ ଯେ ବିରାଟ କୋହଲି ଫିଟ୍‍ ଘୋଷିତ ହୋଇନାହାନ୍ତି। ତାଙ୍କ ପିଠିରେ ଯନ୍ତ୍ରଣା ରହିଛି। ଦଳର ଫିଜିଓ ତାଙ୍କ ଚିକିତ୍ସା ଚଳାଇଛନ୍ତି। କେ.ଏଲ୍‍. ରାହୁଲଙ୍କ ସ୍ଥାନରେ ଓପ୍‍ନର ଭାବେ ଶିଖର ଧାୱନ ଫେରିପାରନ୍ତି। ପୁଣି ବ୍ୟାଟ୍‍ସମ୍ୟାନ ଭାବେ କରୁଣ ନାୟାରଙ୍କୁ ମଧ୍ୟକ୍ରମରେ ଖେଳାଇବା କଥା ଭାରତ ଚିନ୍ତାକରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories