ପାକିସ୍ତାନକୁ ଉଚିତ ଶିକ୍ଷା ଦେଲା ତାଲିବାନ

ନୂଆଦିଲ୍ଲୀ: ପାକିସ୍ତାନକୁ ୨୪ଘଣ୍ଟା ମଧ୍ୟରେ ଉଚିତ ଶିକ୍ଷା ଦେଇଛି ତାଲିବାନ । ଆଫଗାନିସ୍ତାନରେ ପାକିସ୍ତାନ ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକ ପରେ ତାଲିବାନ ପାକିସ୍ତାନକୁ କଡା ଜବାବ ଦେଇଛି । ତାଲିବାନ ପାକିସ୍ତାନ ଆର୍ମିର ଅନେକ ସାମରିକ ଘାଟି ଗୁଡିକୁ ଗୁଳି କରିବା ସହ ବୋମା ଫିଙ୍ଗି ଧ୍ୱଂସ କରିଦେଇଛି । ଏହି ଆକ୍ରମଣରେ ଅନେକ ସୈନିକ ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ସମୟରେ ପାକିସ୍ତାନର ସାମରିକ ଘାଟିକୁ ଟାର୍ଗେଟ କରିଥିଲା ତାଲିବାନ । ଏହାସହିତ ଦୁଇ ଦେଶର ସୈନ୍ୟବାହିନୀଙ୍କ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ନିକଟରେ ପାକିସ୍ତାନର ଅଶାନ୍ତ ସହରରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ପଡୋଶୀ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି । ଏହି ସମୟରେ ସୋମବାର ଦିନ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବେଶ କରି ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ତିନି ଜଣ ଶିଶୁ ରହିଥିଲେ । ଏହାପରେ ତାଲିବାନ ମଧ୍ୟ ପାକିସ୍ତାନକୁ କଡା ଜବାବ ଦେବାକୁ ନିଷ୍ପତି ନେଇଥିଲା । ୨୪ଘଣ୍ଟା ମଧ୍ୟରେ ଏହି ଆକ୍ରମଣର ପ୍ରତିଶୋଧ ନେଇଥିବା ତାଲିବାନ କହିଛି । ତାଲିବାନ କହିଛି ଯେ ଆଫଗାନିସ୍ତାନର ସୁରକ୍ଷା ବାହିନୀ ସବୁ ପ୍ରତିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛନ୍ତି ।

 

Comments are closed.