ତାଜ୍ମହଲର ମାଲିକାନା ଦାବି କଲା ସୁନ୍ନି ୱାକଫ ବୋର୍ଡ; ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ମୋଗଲ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ନିର୍ମିତ ବିଶ୍ୱ ଐତିହ ତାଜ୍ମହଲ ଉପରେ ନିଜର ମାଲିକାନା ଦାବି କରିଛି ଉତ୍ତରପ୍ରଦେଶର ସୁନ୍ନି ୱାକଫ ବୋର୍ଡ। ୱାକଫ ବୋର୍ଡ କହିଛି ଯେ ଶାହାଜାହାନ ତାଜମହଲର ମାଲିକାନାସ୍ୱତ୍ୱ ବୋର୍ଡକୁ ଦେଇଥିଲେ। ଏ ନେଇ ଶାହା ଜାହାନ ଓ ୱାକଫ ବୋର୍ଡ ମଧ୍ୟରେ ଏକ ଘୋଷଣାପତ୍ର ସ୍ୱାକ୍ଷର ହୋଇଥିଲା। ୱାକଫ ବୋର୍ଡର ଏପରି ଦାବି ଉପରେ ସୁପ୍ରିମକୋର୍ଟ ପ୍ରମାଣ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ୱାକଫ ବୋର୍ଡ ଯେଉଁ ଦାବି କରୁଛି ତାର ପ୍ରମାଣ ଉପସ୍ଥାପନ କରୁ। ଏପରି କି ଶାହାଜାହାନଙ୍କ ଦସ୍ତଖତ ଥିବା ମୂଳ ଘୋଷଣାପତ୍ରକୁ ଅଦାଲତରେ ଉପସ୍ଥାପନ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ୱାକଫ ବୋର୍ଡକୁ ଏକ ସପ୍ତାହ ସମୟ ଦିଆଯାଇଛି। ତାଜ ମହଲର ମାଲିକାନାସ୍ୱତ୍ୱକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସ୍ଆଇ) ପକ୍ଷରୁ ୨୦୧୦ରେ ଦାୟର ଏକ ମାମଲାର ବିଚାର କାଳରେ ମଙ୍ଗଳବାର ସୁପ୍ରିମକୋର୍ଟ ଏପରି ନିର୍ଦେଶ ଦେଇଛନ୍ତି। ୨୦୦୫ରେ ୱାକଫ ବୋର୍ଡ ତାଜ ମହଲକୁ ନିଜର ସମ୍ପତ୍ତି ବୋଲି ଘୋଷଣା କରିବା ପରେ ଏଏସଆଇ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ ସହିତ ଜଷ୍ଟିସ ଏଏମ୍ ଖାନୱିଲକର ଓ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଦେଶର କେଉଁ ଲୋକ ବିଶ୍ୱାସ କରିବ ଯେ ତାଜ ମହଲ ସୁନ୍ନି ୱାକଫ ବୋର୍ଡର ସମ୍ପତ୍ତି। ତାଜମହଲର ମାଲିକାନାକୁ ନେଇ ଯେଉଁ ମାମଲା ରୁଜୁ ହୋଇଛି ତାହା କେବଳ ଅଦାଲତର ସମୟ ନଷ୍ଟ କରିବା ବ୍ୟତୀତ ଅନ୍ୟ କିଛି ଲାଭ ହେବ ନାହିଁ।
ୱାକଫ ବୋର୍ଡ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଭି ଗିରି କହିଥିଲେ ଯେ ଶାହାଜାହାନ ଘୋଷଣା କରିଥିଲେ ଯେ ତାଜ ମହଲ ୱାକଫ ବୋର୍ଡର ସମ୍ପତ୍ତି। ଏ ନେଇ ଶାହାଜାହାନ ଓ ୱାକଫ ବୋର୍ଡ ମଧ୍ୟରେ ଘୋଷଣା ପତ୍ର ସ୍ୱାକ୍ଷର ହୋଇଥିଲା। ୧୬୩୧ରେ ଶାହାଜାହାନ ତାଙ୍କ ପତ୍ନୀ ମମତାଜ ବେଗମଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଜ ମହଲ ନିର୍ମାଣ କରିଥିଲେ। ୧୬୬୬ରେ ଶାହାଜାହାନଙ୍କର ମୃତ୍ୟୁ ହୋଇଥିଲା।