ପୁରୁଣା କୋଠାରୁ ଗଳୁଛି ପାଣି, ତିନି କୋଠରୀରେ ଆଠଟି ଶ୍ରେଣୀ
ପାତ୍ରପୁର : ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପାଠପଢା ପାଇଁ ବହୁ ପଦକ୍ଷେପ ନେଇ ଅଧାରୁ ପାଠ ଛାଡୁ ଥିବା ପିଲାମାନଙ୍କୁ ପାଠ ପଢ଼ିବା ଉଦ୍ୟମ ଜାରି ରଖିଛନ୍ତି। ସର୍ବ ଶିକ୍ଷା ଅଭିଯାନ ପରେ ଶିକ୍ଷା ଆଇନ ପ୍ରଣୟନ କରି ସବୁ ପିଲାଙ୍କ ପାଠ ପଢା ବାଧ୍ୟତାମୂଳକ କରାଯାଇଛି । ସରକାର ମଧ୍ୟାହ୍ନ ଭୋଜନ ପୋଷାକ ବହି ଯୋତା ପ୍ରଭୁତି ଯୋଗାଇବା ସହିତ ଦଳିତ ଆଦିବାସୀ ପିଲାଙ୍କୁ ହଷ୍ଟେଲ ବ୍ୟବସ୍ଥା ପ୍ରୋତ୍ସାହନ ଯୋଗାଉଛନ୍ତି । ଏସବୁ ସତ୍ତ୍ବେ ବହୁ ପିଲା ସ୍କୁଲ ବାରଣ୍ଡା ମାଡ଼ିପରୁ ନାହାନ୍ତି । ସ୍କୁଲ ଠାରୁ ଗ୍ରାମର ଦୂର ଯୋଗୁଁ ଜଙ୍ଗଲ ପଥରେ ପିଲାଙ୍କୁ ନେବା ଆଣିବା ପାଇଁ ଅର୍ଥ ବିନିଯୋଗ କରୁଥିବା ବେଳେ କେତେକ ପିଲା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ ନ କରି ଘରେ ରହୁଛନ୍ତି । ତେବେ ପାତ୍ରପୁର ବ୍ଳକ ଅନ୍ତର୍ଗତ ଆଙ୍କୁଲି ପଞ୍ଚାୟତର ପିଲାଙ୍କ ପଠା ପଢା ପାଇଁ ପାହାଡ଼ ତଳେ ଥିବା ତାଡକା ସାହି ବିଦ୍ୟାଳୟକୁ ଉନ୍ନତି କରି ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିଛନ୍ତି । ଏପରିକି ଅଧିକ ଛାତ୍ରୀ ପଡିବା ପାଇଁ ୧୦୦ଛାତ୍ରୀଙ୍କ ହଷ୍ଟେଲ ବ୍ୟବସ୍ଥା ରହିଛି। ହଷ୍ଟେଲ ପିଲା ସହିତ ବିଭିନ୍ନ ଗ୍ରାମର ପିଲା ତାଡ଼କା ସାହି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି । ତେବେ ଏହି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ପିଲାଙ୍କ ପାଠ ପଢିବା ପାଇଁ ତିନୋଟି କୋଠରୀ ରହିଛି । ଯାହା ଫଳରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ପୁରୁଣା କୋଠାରୁ ବର୍ଷା ହେଲେ ପାଣି ଗଳୁଛି । ଫଳରେ ପିଲାମାନେ ଅସୁବିଧା ଭୋଗୁଛନ୍ତି ।
ତାଡ଼କା ସାହି ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୪୬ଜଣ ପିଲା ପାଠପଢୁଛନ୍ତି। ସେଥି ମଧ୍ୟରୁ ୧୦୩ଜଣ ଛାତ୍ରୀ ଥିବା ବେଳେ ୪୩ଜଣ ଛାତ୍ର ଅଛନ୍ତି। ଛାତ୍ରୀଙ୍କ ମଧ୍ୟରୁ ୯୯ଜଣ ହଷ୍ଟେଲରେ ରହି ପଢ଼ଥିବାବେଳେ ଅନ୍ୟ ପିଲାମାନେ ବିଭିନ୍ନ ଗ୍ରାମରୁ ଆସୁଛନ୍ତି। ବିଦ୍ୟାଳୟରେ ଚରିଆବାଡ଼, ରଘୁବଲ୍ଲଭ ,ମଶାଣିବାଡ଼, ତାଡ଼କାସାହି, କମ୍ପୁଟ, ମଇଁଶି ଖତ, ଯିବାସାହି, ତପରଡା, ତରମଣ୍ଡା, ଆଦି ଗ୍ରାମର ପିଲା ପଠା ପଡୁଛନ୍ତି। ପ୍ରଥମ ଶ୍ରେଣୀରେ ୧୨ଜଣ ଦ୍ୱିତୀୟ ଶ୍ରେଣୀରେ ୨୩ଜଣ ତୃତୀୟ ଶ୍ରେଣୀରେ ୮ଜଣ ଚତୁର୍ଥ ଶ୍ରେଣରେ ୩୭ଜଣ ପଞ୍ଚମ ଶ୍ରେଣୀରେ ୨୮ଜଣ ଷଷ୍ଠ ଶ୍ରେଣୀରେ ୧୯ଜଣ ସପ୍ତମ ଶ୍ରଣୀରେ ୪ଜଣ ଏବଂ ଅଷ୍ଟମ ଶ୍ରେଣୀରେ ୧୫ଜଣ ପିଲା ଅଛନ୍ତି। ବିଦ୍ୟାଳୟରେ ଏହି ପିଲାଙ୍କ ପାଠ ପଢା ପାଇଁ ମାତ୍ର ତିନୋଟି କୋଠରୀ ରହିଛି । ପନ୍ଦର ବର୍ଷ ପୂର୍ବେ କଳାପଟା ଅଭିଯାନରେ ଦିମହଲା କୋଠାରେ ଦୁଇଟି ଶ୍ରେଣୀ ଗୃହ ଥିବା ବେଳେ ଏହାର ପାର୍ଶ୍ଵରେ ଅନ୍ୟ ଗୋଟିଏ ଶ୍ରେଣୀ ଗୃହ ରହିଛି । ଦି ମହଲା କୋଠାର ଉପର ଶ୍ରେଣୀ ଗୃହକୁ ସିଡ଼ିରେ ଯିବା ବେଳେ କମ୍ପନ ସୃଷ୍ଟି ହେଇଛି। ବହୁ ପୁରୁଣା କୋଠାରୁ ବର୍ଷା ହେଲେ ପାଣି ଗଲୁଛି।ପିଲାଙ୍କ ପାଇଁ ପଢ଼ାରେ ତିନୋଟି କୋଠରୀରେ ସ୍ଥାନ ଅଭାବ ଯୋଗୁଁ ବାରଣ୍ଡାରେ ପାଠପଢା ହେଉଛି। ଆଠଟି ଶ୍ରେଣୀକୁ ଛଅ ଜଣ ଶିକ୍ଷକ ନିଯୁକ୍ତି ପାଇ ଥିବା ବେଳେ ଜଣେ ଶିକ୍ଷକଙ୍କ ଅବସର ପରେ ଏବେ ପାଞ୍ଚଜଣ ଅଛନ୍ତି। ବିଦ୍ୟାଳୟର ସାମନା ଭାଗ ସହିତ ଦୁଇ ପାର୍ଶ୍ବରେ ଟିକିଏ ପାଚେରୀ ହୋଇ ଥିବା ବେଳେ ଦୁଇ ତୃୀୟାଂଶ ପାଚେରୀ ନାହିଁ । ଯାହା ଫଳରେ ବୁଲା କୁକୁର ଗାଈ ଗୋରୁ ଛେଳି ମେଣ୍ଢା କୁକୁଡା ଅବାଧରେ ବିଦ୍ୟାଳୟ ମଧ୍ୟକୁ ଆସିଥାନ୍ତି । ତେଣୁ ଶତାଧିକ ଆଦିବାସୀ ପିଲା ପଢୁଥିବା ଏହି ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ସହିତ ନୂତନ କୋଠା ର ଓ ପାଚେରୀ ନିର୍ମାଣ କଲେ ପାଠପଢ଼ା ସୁବିଧା ହୋଇ ପାରିବ।
Comments are closed.