ଲଣ୍ଡନ: ଆସନ୍ତା ଅକ୍ଟୋବରରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜିତ ହେବାକୁ ଥିବା ବେଳେ ଏଥିନିମନ୍ତେ ଭାରତୀୟ ଦଳର ପ୍ରସ୍ତୁତିକୁ ନେଇ ଅଧିନାୟକ ବିରାଟ କୋହଲି ଓ ବିସିସିଆଇ ପଦାଧିକାରୀଙ୍କ ମଧ୍ୟେର ଆଲୋଚନା ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ଘରୋଇ ଦଳ ସହ ଟେଷ୍ଟ ସିରିଜ୍ ଖେଳୁଛି। ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା, ଉପସଭାପତି ରାଜୀବ ଶୁକ୍ଲା ପ୍ରମୁଖ ଟ୍ବେଣ୍ଟି୨୦ ବିଶ୍ବକପ୍ ନେଇ ଆଲୋଚନା କରିଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ବରିଷ୍ଠ ପଦାଧିକାରୀ କହିଛନ୍ତି ଟ୍ବେଣ୍ଟି୨୦ ବିଶ୍ବକପ୍ ନିମନ୍ତେ ଅଳ୍ପସମୟ ବାକି ରହିଛି। ଏହି ବିଶ୍ବକପ୍ ନିମନ୍ତେ ଭାରତୀୟ ଦଳର ପ୍ରସ୍ତୁତି ଓ ଦଳ ଗଠନ ନେଇ ବୈଠକରେ ଆଲୋଚନା ହୋଇଥିଲା।
ସୂଚନାଥାଉକି ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପରେ ଏହି ଦଳର ଖେଳାଳିମାନେ ନିଜ ନିଜର ଫ୍ରାଞ୍ଚାଇଜ୍ଙ୍କ ତରଫରୁ ଆଇପିଏଲ୍ରେ ଖେଳିବେ। କେଉଁ ଆଧାରରେ କ୍ରିକେଟର୍ଙ୍କୁ ଟ୍ବେଣ୍ଟି୨୦ ବିଶ୍ବକପ୍ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ମିଳିବ ସେ ସଂପର୍କରେ ବୈଠକରେ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ହୋଇଥିବା କୁହାଯାଉଛି। ବିଶେଷ କରି କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଶେଷ ସଫଳତା ପାଇନଥିବାରୁ ଆସନ୍ତା ଟ୍ବେଣ୍ଟି୨୦ ବିଶ୍ବକପ୍ରେ କିପରି ଚମ୍ପିଆନ୍ ହେବ ସେଥିନେଇ ବର୍ତ୍ତମାନ ଠାରୁ ଯୋଜନା ପ୍ରସ୍ତୁତି ଚାଲିଛି। ଆସନ୍ତା ମାସରେ ଭାରତୀୟ ଦଳର ଘୋଷଣା ହେବାର ସମ୍ଭାବନା ରହିଛି। ମୁଖ୍ୟ ମନୋନୟନକାରୀ ଚେତନ ଶର୍ମା, ଅଧିନାୟକ ବିରାଟ କୋହଲି, ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ପ୍ରଶିକ୍ଷକ ଭରତ ଅରୁଣ ଓ ବିସିସିଆଇ ପଦାଧିକାରୀମାନେ ଭାରତୀୟ ଦଳ ମନୋନୟନକୁ ନେଇ ଏକମତ ହୋଇପାରିବେ କି ନାହିଁ ତାହା ବଡ଼ ପ୍ରଶ୍ନ।



