ଗୁରୁଡିଝାଟିଆ: ଉତ୍କଳମଣି ପୂଣ୍ୟାତ୍ମା ଗୋପବନ୍ଧୁ ଦାସ ପ୍ରତି ଓଡିଆ ହୃଦୟର ସ୍ପନ୍ଦନ। ଦେଶ ,ଜାତି ଓ ସମାଜକୁ ଗଢିବା ପାଇଁ ସେବା ଓ ଚେତନା ମାଧ୍ୟମକୁ ଗ୍ରହଣ କରି ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ଓ ସମାଜ ନିଜ ହାତରେ ଗଢିଥିଲେ ଦାସ ଆପଣେ। ପୂଣ୍ୟାତ୍ମାଙ୍କ ନାମରେ ନାମିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଜିମସାର) ଆଗାମୀ ଦିନରେ ମେଡିକାଲ କଲେଜ ଭାବରେ ଉଭା ହୋଇ ସ୍ଥାନୀୟ ଜନସାଧାରଣଙ୍କୁ ସର୍ବୋକୃଷ୍ଟ ସେବା ଯୋଗାଇଦେବ। ଏଥିରେ ଗୁଣ୍ଡିଚିମୁଷା ଭଳି ସହଯୋଗ କରିବା ପାଇଁ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତପ୍ରକାଶ କରିଥିଲେ। ଲୋକସେବକ ମଣ୍ଡଳ ଓ ସମାଜ ଦ୍ୱାରା ଆଠଗଡର ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଜିମସାର)ରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପ୍ରଦତ୍ତ ଏମଆରଆଇ ଓ ସିଟିସ୍କାନ ଯନ୍ତ୍ରକୁ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦଘାଟନ କରି ଏହା ସଂସ୍କୃତି ଓ ଗାରିମାମୟ ଆଠଗଡ ଅଞ୍ଚଳର ଜନସାଧାରଣଙ୍କ ଅଶେଷ କଲ୍ୟାଣରେ ଲାଗିବ ବୋଲି କହିଥିଲେ।

କରୋନା କାଳରେ ସିଟିସ୍କାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ କର୍ତ୍ତୃପକ୍ଷ ଏହାକୁ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଥିଲେ। ବିକାଶ ପାଇଁ ଶିଳ୍ପ ପ୍ରତିଷ୍ଠାନ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜିମସାର ଭଳି ଏକ ମଣିଷଗଢା କାରଖାନା ପ୍ରତିଷ୍ଠା କରିବା ବାସ୍ତବିକ ଅନନ୍ୟ। ଏଥିରେ ଜିମସାର ର ଅଧ୍ୟକ୍ଷ ନିରଞ୍ଜନ ରଥ ଙ୍କ ଭୂମିକା ବେଶ ପ୍ରଂଶସନୀୟ। ଭାଷାଭିତ୍ତିକ ପ୍ରଦେଶ ଗଠନ ଶତବାର୍ଷିକ ପୂର୍ତ୍ତି ପାଇଁ ୧୫ବର୍ଷ ଥିବା ବେଳେ ସ୍ୱାଧୀନତା ଶତବାର୍ଷିକ ପାଳନ ପାଇଁ ୨୫ ବର୍ଷ ରହିଛି। ପ୍ରତ୍ୟେକ ନାଗରିକ ଦାୟିତ୍ୱବାନ ହୋଇ ଗାଁ,ପଞ୍ଚାୟତ,ସହର,ରାଜ୍ୟ ଓ ଦେଶର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେକାର୍ଯ୍ୟକରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ।
ଆଜି ଯେଉଁ ଶିକ୍ଷାନୀତି ସମଗ୍ର ଦେଶରେ ପ୍ରଣୟନ ହେଉଛି ତାହା ୧ଶହବର୍ଷ ପୂର୍ବରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା ବ୍ୟବସ୍ଥାରେ ଗ୍ରହଣ କରିସାରିଥିଲେ। ସବକା ସାଥ,ସବକା ବିକାଶ ସହିତ ସବକା ପ୍ରୟାସ ହେଲେ ଦେଶ ବିକାଶ ପଥରେ ଆଗେଇଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିବା ସହିତ ପ୍ରଧାନମନ୍ତ୍ରୀଙ୍କ ଏହି ନାରାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମ୍ଭେମାନେ ଉତ୍କଳମଣୀ ଙ୍କ ନୀତି ଆଦର୍ଶକୁ ଗ୍ରହଣ କରି ଚାଲିଲେ ସମ୍ଭବ ହୋଇପାରିବ। ସମଗ୍ର ଦେଶରେ ୯କୋଟି ପରିବାରଙ୍କୁ ଉଜ୍ଜଳା ଯୋଜନାରେ ସଂପୃକ୍ତ କରାଇବା ଓ ଆବାସ ଯୋଜନା ଜରିଆରେ ଘର ପ୍ରଦାନ କରିବା କ୍ଷେତ୍ରରେ ସରକାର ବହୁ ଆଗରେ ବୋଲି କହିଥିଲେ। ବକୁଳବନ ଓ ଜିମସାରକୁ ଆସି ଅତ୍ୟନ୍ତ ଆନନ୍ଦିତ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ। ସାଂସଦ ଭର୍ତ୍ତୃହରି ମହତାବ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସିଟିସ୍କାନ ଓ ଏମଆରଆଇ ଯନ୍ତ୍ରକୁ ଉଦଘାଟନ କରିଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଭାସ ଆଚାର୍ଯ୍ୟ ସମ୍ମାନୀତ ଅତିଥି ଭାବରେ ଉତ୍ସବକୁ ସଂଯୋଜନା କରି କହିଥିଲେ ୧୯୨୧ ମସିହାରେ ଲୋକସେବକ ମଣ୍ଡଳ ସ୍ଥାପିତ ହୋଇଥିଲା। ସେବା ଥିଲା ଏହାର ଲକ୍ଷ୍ୟ। ଲାଲ ବାହାଦୁର ଶାସ୍ତ୍ରୀ, ପୁରୁଷୋତ୍ତମ ଦାସ ଟଣ୍ଡନ ଓ କ୍ରିଷ୍ଣକାନ୍ତ ଙ୍କ ଭଳି ସୁମଣିଷ ଦେଶସେବକ ଓ ରାଜନୈତିକ ସନ୍ୟାସୀ ଲୋକସେବକ ମଣ୍ଡଳର ସଭାପତି ଭାବରେ ଆଦର୍ଶର ଭାବଧାରା ସୃଷ୍ଟି କରିଛନ୍ତି ତାହାକୁ ପାଥେୟ କରି ଲୋକସେବକ ମଣ୍ଡଳ ଓ ସମାଜ ଆଜିବି କାର୍ଯ୍ୟ କରୁଛି। ଯେତେବେଳେ ସମାଜ ପଥଭ୍ରଷ୍ଟ ହୁଏ ,ସେତେବେଳେ ସମାଜ ସମ୍ବାଦପତ୍ର ତାର ଶାଣିତ ସ୍ୱର ଦ୍ୱାରା ଠିକଣା ରାସ୍ତା ଦେଖାଇବାକୁ ଆଗେଇ ଆସିଥାଏ ବୋଲି ଡଃ ଆଚାର୍ଯ୍ୟ ମତପ୍ରକାଶ କରିଥିଲେ।
ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀ ରାଜକୁମାର ଉତ୍ସବରେ ଅଧ୍ୟକ୍ଷତା କରି ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟ ଦେଶ ପାଇଁ ନିଜର ଧନ ଓ ଜୀବନକୁ ଉତ୍ସର୍ଗ କରିଥିଲେ। ପରାଧିନ କବଳରୁ ଦେଶକୁ ସ୍ୱାଧୀନ କରିବା ପାଇଁ ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତକୁ ଘୁରିବୁଲି ନିଜର ବଳିଷ୍ଠ ନେତୃତ୍ୱ ଓ ସମ୍ବାଦପତ୍ର ଜରିଆରେ ଜାତୀୟତାଭାବ ସୃଷ୍ଟିକରି ବ୍ରିଶିଶ ଜାତିକୁ ଥରାଇଦେଇଥିଲେ। ଭୃକ୍ଷେପ କରିନଥିଲେ ସାଇମନ କମିଶନର ଲାଠି ପ୍ରହାରଣକୁ। ଅର୍ଥନୈତିକ କ୍ଷେତ୍ରରେ ଦେଶକୁ ସମୃଦ୍ଧ କରିବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପ୍ରତିଷ୍ଠା କରିବା ଅନେକ ବୈପ୍ଲବିକ ଚିନ୍ତାଧାରା ଦ୍ୱାରା ଦେଶକୁ ସଶକ୍ତ କରିବା ପାଇଁଆଗେଇ ଆସିଥିଲେ। ବାସ୍ତବରେ ଲୋକସେବକ ମଣ୍ଡଳ ରାଜନୈତିକ ସନ୍ୟାସୀ ଭାବରେ ସେବାକୁ ବ୍ରତ ଭାବରେ ଗ୍ରହଣ କରିଛି ବୋଲି ଶ୍ରୀ ରାଜକୁମାର ପ୍ରକାଶ କରିଥିଲେ।
ଲୋକସେବକ ମଣ୍ଡଳର ବରିଷ୍ଠ ଆଜୀବନ ସଦସ୍ୟ ଭୀମସେନ ଯାଦବ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଗାଁ ଗହଳରେ ଗରୀବ ଜନସାଧାରଣଙ୍କୁ ସଠିକ୍ ଭାବରେ ଚିକିତ୍ସାସେବା ଯୋଗାଇଦେବା କ୍ଷେତ୍ରରେ ଜିମସାରର ଭୂମିକା ବେଶ ଉଲ୍ଲେଖନୀୟ ବୋଲି କହିବା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦାରତା ଓ ମହାନଭବତା ପାଇଁ ଗୋପବନ୍ଧୁ ଚିକିତ୍ସାଳୟ ଆଜି ଏମଆରଆଇ ଓ ସିଟିସ୍କାନ ସ୍ଥାପିତ ହୋଇପାରିଛି ବୋଲି କହିଥିଲେ। ଭାରତୀୟ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ମହାପ୍ରବନ୍ଧକ ବରିନ୍ଦର ଚଢା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସୁପାରିଶ ଯୋଗୁଁ ଜିମସାର ରେ ଆଜିଏମଆରଆଇ ଓ ସିଟିସ୍କାନ ଯନ୍ତ୍ର ସ୍ଥାପିତ ହୋଇଛି। ଏହା ସ୍ଥାନୀୟ ଅଞ୍ଚଳର ଅନେକ ଉପକାର ରେ ଆସିବ। ସିଏସଆର ପାଣ୍ଠି ଜରିଆରେ ଏହା ପ୍ରଦାନ କରାଯାଇଥିବା କଥା କହିଥିଲେ।

ଆଇଓସିଏଲ ର ନିର୍ଦ୍ଦେଶକ ରଞ୍ଜନ କୁମାର ମହାପାତ୍ର ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଗୋପବନ୍ଧୁଙ୍କ ନାମରେ ନାମିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନକୁ ଆସି ପରିବେଶ ଅତ୍ୟନ୍ତ ଆନନ୍ଦିତ କରିଛି। ଅନୁଷ୍ଠାନର ଉତ୍ତୋର ଉନ୍ନତି କାମନା କରିଥିଲେ। ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ର ପୂର୍ବାଞ୍ଚ ମୁଖ୍ୟ ଶ୍ରୀ ନାୟକ ଦେବାଶିଷ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କହିଥିଲେ ରୋଗୀସେବା କ୍ଷେତ୍ରରେ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଅନ୍ୟତମ ଅଟେ। ୧୨ବର୍ଷ ଭିତରେ ଏହି ଅନୁଷ୍ଠାନ ଅସହାୟରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରିବା ସହିତ ଅନ୍ୟମାନଙ୍କୁ ସ୍ୱଳ୍ପମୂଲ୍ୟରେ ସେବା ଯୋଗାଯାଉଛି। ୬.୬କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ଏମଆରଆଇ ସିଟିସ୍କାନ ଯନ୍ତ୍ରାଂଶ କେବଳ ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ଯୋଗୁଁ ସମ୍ଭବ ବୋଲି କହିଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର ଜେନା ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସେବା କ୍ଷେତ୍ରରେ ଜିମସାର ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମହନୀୟ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।
ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ଉପାଧ୍ୟକ୍ଷ ତଥା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ରଥ ଉତ୍ସବରେ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରି ଉପସ୍ଥିତ ଅତିଥି ଙ୍କ ଆଗମନ ଅନୁଷ୍ଠାନରେ ପୁଲକ ଓ ସ୍ପନ୍ଦନ ଭରିଦେଇଛି। ଅନୁଷ୍ଠାନରେ ସିଟିସ୍କାନ ଓ ଏମଆରଆଇ ପ୍ରତିଷ୍ଠା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଶ୍ରଦ୍ଧା ,ଉଦାରତା ଓ ମହାନୁଭତାର ଏକ ପ୍ରତିଫଳନ ଓ ଏହା ଅନୁଷ୍ଠାନର ଶ୍ରୀବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଶ୍ରୀ ରଥ କହିବା ସହିତ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ସଭାପତି ଶ୍ରୀ ରାଜକୁମାର, ଆଜୀବନ ସଦସ୍ୟ ଭୀମସେନ ଯାଦବ,ଆଜୀବନ କର୍ମୀ ଶ୍ରୀ ଜେନା, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ଶ୍ରୀ ଚଢା, ଶ୍ରୀ ନାୟକ, ଆଇଓସିଏଲର ଶ୍ରୀ ମହାପାତ୍ର ଓ ମଞ୍ଚାସୀନ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଓ ଉତ୍କଳମଣୀ ଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରି ଶ୍ରୀ ରଥ ସମ୍ବର୍ଦ୍ଧିତ କରିଥିଲେ।

ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାସ ବିବରଣୀ ପାଠ କରିଥିବା ବେଳେ ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଗୋପବନ୍ଧୁ ନର୍ସିଂ କଲେଜର ଛାତ୍ରୀମାନେ ଆଗନ୍ତୁକ ଅତିଥିଙ୍କୁ କୋଭିଡ ନିୟମ ଅନୁଯାୟୀ ଧୂପଦୀପ ଚନ୍ଦନ ଦେଇ ବନ୍ଦାପନା କରିବା ସହିତ ଆବାହନ ସଂଗୀତ ଓ ଶେଷ ସଂଗୀତ ଗାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟଙ୍ଗଶିଳ୍ପୀ ଜ୍ଞାନରଥ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଏବ ବ୍ୟଙ୍ଗ ଚିତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବରେ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦାନ କରିଥିଲେ।



