ମନୋନୟନ ପ୍ରକ୍ରିୟାରେ ସାମିଲ ହେବେ ସୁଶୀଲ

0

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୨୦ରୁ ୨୮ ପର୍ଯ୍ୟନ୍ତ ବୁଦାପେଷ୍ଟରେ ଆୟୋଜିତ ହେବାକୁ ଥିବା ବିଶ୍ୱ କୁସ୍ତି ଚମ୍ପିଆନସିପ୍‍ ନିମନ୍ତେ ଭାରତୀୟ ଦଳରେ ସାମିଲ ହେବାକୁ ତାରକା ମଲ୍ଲଯୋଦ୍ଧା ସୁଶୀଲ କୁମାରଙ୍କୁ ମନୋନୟନ ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ ବୋଲି ଭାରତୀୟ କୁସ୍ତି ମହାସଂଘ ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ବିଶ୍ୱ ଚମ୍ପିଆନସିପ୍‍ ନିମନ୍ତେ ସୁଶୀଲଙ୍କୁ ସିଧାସଳଖ ଭାରତୀୟ ଦଳରେ ସାମିଲ କରାଯିବ ନାହିଁ ବୋଲି କୁସ୍ତି ମହାସଂଘ ତରଫରୁ କୁହାଯାଇଛି।
ସୂଚନାଥାଉକି ସଦ୍ୟ ସମାପ୍ତ ଏସୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ସୁଶୀଲଙ୍କୁ ମନୋନୟନ ପ୍ରକ୍ରିୟାରୁ ବାଦ୍‍ ଦିଆଯାଇ ସିଧାସଳଖ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ୭୪ କେଜି ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିବା ବେଳେ ସୁଶୀଲ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ଏସୀୟ କ୍ରୀଡ଼ାରୁ ବାଦ୍‍ ପଡ଼ିଥିଲେ।
ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବିଶ୍ୱ କୁସ୍ତି ଚମ୍ପିଆନସିପ୍‍ରେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ସୁଶୀଲଙ୍କୁ ମନୋୟନ ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି କୁସ୍ତି ମହାସଂଘ ସଭାପତି ବ୍ରଜଭୂଷଣ ସରନ ସିଂହ। ବିଗତ କିଛି ଟୁର୍ଣ୍ଣାମେଣ୍ଟରେ ସୁଶୀଲ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବିଶ୍ୱ ଚମ୍ପିଆନସିପ୍‍ ନିମନ୍ତେ ସିଧାସଳଖ ଭାରତୀୟ ଦଳରେ ସାମିଲ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ବ୍ରଜଭୂଷଣ କହିଛନ୍ତି। ବିଶ୍ୱ ଚମ୍ପିଆନସିପ୍‍ ନିମନ୍ତେ ବିନେଶ ଫୋଗତ୍‍ ଓ ବଜରଙ୍ଗ ପୁନିଆଙ୍କୁ ସିଧାସଳଖ ଭାରତୀୟ ଦଳରେ ସାମିଲ କରାଯିବା ସଂପର୍କରେ ବିଚାର କରାଯାଉଥିବା ବ୍ରଜଭୂଷଣ ସୂଚନା ଦେଇଛନ୍ତି।

Leave A Reply