ସୁଷମାଙ୍କୁ କ୍ରୀଡ଼ାବିତ୍‌ଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ଦେହାନ୍ତ ହୋଇଥିବା ବେଳେ ଅନେକ କ୍ରୀଡ଼ାବିତ୍‌ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ୬୭ ବର୍ଷ ବୟସରେ ସୁଷମାଙ୍କ ହୃଦଘାତରେ ପରଲୋକ ହୋଇଯାଇଥିଲା।
କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସୁଷମାଙ୍କୁ ବିଜେପି ଦଳର ଅନ୍ୟତମ ସ୍ତମ୍ଭ ବୋଲି ଦର୍ଶାଇବା ସହ ତାଙ୍କୁ ସମ​‌େ​ସ୍ତ ଭଲ ପାଇବା ସହ ବେଶ୍‌ ସମ୍ମାନ ପ୍ରଦାନ କରୁଥିବା ମତ ଦେଇଛନ୍ତି। ଜଣେ ସହନଶୀଳ ଓ ସକରାତ୍ମକ ରାଜନେତା ଭାବେ ସୁଷମା ସର୍ବଦା ବନ୍ଦନୀୟ ହୋଇ ରହିବେ ବୋଲି ଗମ୍ଭୀର କହିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଟ୍ବିଟ୍‌ କରି ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସେହିପରି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ ମଧ୍ୟ ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦେଶଭକ୍ତି ପାଇଁ ସୁଷମା ବେଶ୍ ପରିଚିତ ଥିଲେ। ତାଙ୍କ ପରଲୋକରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଦର୍ଶାଇଛନ୍ତି। ପୂର୍ବତନ ଭାରତୀୟ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ଟ୍ବିଟ୍‌ କରି ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ପୂବର୍ତନ କେନ୍ଦ୍ର ମନ୍ତ୍ରୀ ତଥା ଅଲିମ୍ପିକ୍‌ସ ପଦକ ବିଜେତା ରାଜ୍ୟବର୍ଦ୍ଧନ ସିଂହ ରାଠୋର୍‌ ସୁଷମାଙ୍କ ପରଲୋକ ତାଙ୍କୁ ଆଘାତ ଦେଇଛି ବୋଲି ଦର୍ଶାଇବା ସହ ସେ ଜନସାଧାରଣଙ୍କ ପ୍ରକୃତ ନେତ୍ରୀ ଥିଲେ ବୋଲି ମତ ଦେଇଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଭାବେ ସୁଷମାଙ୍କ ଦକ୍ଷତାକୁ ରାଠୋର ଅସାଧାରଣ ବୋଲି ଦର୍ଶାଇଛନ୍ତି।
ସେହିପରି ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ନିଜ ପ୍ରତିକ୍ରିୟାରେ ସୁଷମାଙ୍କୁ ଜଣେ ମହାନ୍‌ ନେତ୍ରୀ ବୋଲି ଦର୍ଶାଇବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଭାରତୀୟ କ୍ରିକେଟର୍‌ ସୁରେଶ ରୈନା, କ୍ରିକେଟର୍‌ରୁ ଭାଷ୍ୟକାର ପାଲଟିଥିବା ଆକାଶ ଚୋପ୍ରା ପ୍ରମୁଖ ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସୁଟର ହୀନା ସିଧୁ ମଧ୍ୟ ସୁଷମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ମହାନ୍‌ ନେତ୍ରୀ, କର୍ତ୍ତବ୍ୟନିଷ୍ଠ ରାଜନେତା ବୋଲି ଦର୍ଶାଇଛନ୍ତି।

Comments are closed.