ଅପରାଧ ଓ ପରିବହନ ନିୟମ ଉଲ୍ଲଂଘନ ନିୟନ୍ତ୍ରଣ ପାଇଁ ଲାଗିବ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି -ସର୍ଭେ କାର୍ଯ୍ୟ ଆରମ୍ଭ

ସମ୍ବଲପୁର – ସମ୍ବଲପୁରରେ ଦିନକୁ ଦିନ ଅପରାଧିକ ଗତିବିଧି ତଥା ପରିବହନ ନିୟମ ଉଲ୍ଲଂଘନକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ନିୟନ୍ତ୍ରଣ ପାଇଁ ସମ୍ବଲପୁର ପୁଲିସ ଅଧିକ ହାଇଟେକ ହେଉଛି । ଦୈନିକ ଖବର କାଗଜ ‘ସମାଜ’ ରେ ସମ୍ବଲପୁରରେ ବଢ଼ିଚାଲିଥିବା ଅପରାଧ ଗତିବିଧି କୁ ରୋକିବା ପାଇଁ ହାଇଟେକ ଟେକନୋଲୋଜିର ସହାୟତା ନିଆଯାଇ ଅପରାଧକୁ ସୁନିୟନ୍ତ୍ରିତ କରାଯାଇ ପାରିବ ବୋଲି ଏକ ଖବର ୨୦୧୯ ମସିହା ଜାନୁଆରୀ ମାସରେ ପ୍ରକାଶିତ ପରେ ୪ ଜୁନ ୨୦୧୯ ମସିହାରେ ସମ୍ବଲପୁର ପୁଲିସ ପ୍ରଥମ ଥର ପାଇଁ ସିସିଟିଭି ସହରର ସୁରକ୍ଷା ନିମନ୍ତେ ଲଗାଇଥିଲା । ସେ ସମୟରେ ସହରର ୧୮ଟି ସ୍ଥାନରେ ୬୫ଟି କ୍ୟାମେରା ଲଗାଯାଇଥିବା ବେଳେ କାଳକ୍ରମେ ବିଫଳ ସରକାରୀ କାର୍ଯ୍ୟଶୈଳୀ ଯୋଗୁଁ ସେ ଗୁଡିକ ଏବେ ପ୍ରାୟତଃ ଅଚଳ ଅବସ୍ଥାରେ ରହିଛି । ଅପରପକ୍ଷରେ ଦିନକୁ ଦିନ ଅପରାଧିକ ଗତିବିଧି ବୃଦ୍ଧି ପାଉଥିବା ବେଳେ ପୁଲିସ ପାଇଁ ସିସିଟିଭି ଫୁଟେଜ ଏକ ଗୁରୁତ୍ୱପୁର୍ଣ୍ଣ ସାଧନ ହୋଇଥିବାରୁ ଏବେ ପୁର୍ନବାର ସମ୍ବଲପୁର ପୁଲିସ ଏହି ବ୍ୟବସ୍ଥାକୁ ସଜାଡିବା ପାଇଁ ଅଣ୍ଟା ଭିଡିଛି ।

prayash

ଏହି କ୍ରମରେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ଙ୍କ ଅଧ୍ୟକ୍ଷତାରେ ଆଞ୍ଚଳିକ ପରିବହନ ଅଧିକାରୀ, ବିଭିନ୍ନ ଥାନାଧିକାରୀ ଓ ରାଷ୍ଟ୍ରାୟ କମ୍ପାନୀ ଭାରତ ହେଭି ଇଲେକଟ୍ରିକାଲ୍ସ ଲିମିଟେଡ (ଭେଲ) ର ଏକ ଉଚ୍ଚସ୍ତରୀୟ ବୈଠକ ଜିଲା ପୁଲିସ ମୁଖ୍ୟାଳୟ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଇନ୍ଟିଗ୍ରିଟେଡ ଟ୍ରାଫିକ ସିଷ୍ଟମ ଅନୁଯାୟୀ, ଅତି ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ଲଗାଇବା ଉପରେ ବିସ୍ତୃତ ଆଲୋଚନା ସହିତ କେଉଁ କେଉଁ ଅଞ୍ଚଳରେ ଏହା ଲାଗିବ, ସେଥିପାଇଁ ବୈଠକ ପରେ ତୁରନ୍ତ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ସିସିଟିଭି କ୍ୟାମେରା ଦ୍ୱାରା ମହାନଗର ନିଗମ ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ସମସ୍ତ ଯାନବାହନ ଗୁଡିକର ରେକର୍ଡ ରହିବ । ଏଥି ସହ ସିସିିଟିଭି ମାଧ୍ୟମରେ ପରିବହନ ନିୟମ ଉଲ୍ଲଂଘନକାରୀଙ୍କ ଫଟୋ ଚିତ୍ର, ଗାଡିର ନମ୍ବର ପ୍ଲେଟର ସ୍ପଷ୍ଟ ଚିତ୍ର ଆଦି ଉତ୍ତୋଳନ କରିବା ସହିତ ଗାଡି ଚାଳକ ମାନଙ୍କର ମୁଖ ମଣ୍ଡଳର ସ୍ପଷ୍ଟ ଚିତ୍ର ଉଠାଯିବାର ଅତ୍ୟାଧୁନିକ ଟେକନୋଲୋଜି ରହିବ । ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ସଦର ଏସଡିପିଓ ପ୍ରଦୀପ ସାହୁ, ଟାଉନ ଥାନାଧିକାରୀ ପ୍ରକାଶ କର୍ଣ୍ଣ, ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡା ଓ କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ ଙ୍କ ସମେତ ସିସିଟିଭି ଲଗାଇବା କାର୍ଯ୍ୟରେ ନିୟୋଜିତ ଭେଲ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଦଳ ବୁଧବାର ଟାଉନ, କ୍ଷେତରାଜପୁର ଓ ଅଇଁଠାପାଲି ଥାନାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସର୍ଭେ କାର୍ଯ୍ୟ କରିଥିବା ବେଳେ ଗୁରୁବାର ଧନୁପାଲି, ସଦର, ବୁର୍ଲା, ହୀରାକୁଦ ଥାନାଞ୍ଚଳ ସମେତ ଶିଳ୍ପ କରିଡର ଯଥା ରେଙ୍ଗାଲି, ଶାସନ ଆଦି ଥାନାଞ୍ଚଳ ମଧ୍ୟ ସର୍ଭେ କରିବେ । ଅପରାଧିକ ଗତିବିଧି ନିୟନ୍ତ୍ରଣ ସହିତ ଟ୍ରାଫିକ ନିୟମ କଡାକଡି ଲାଗୁ କରିବାରେ ଏହି ଅତ୍ୟାଧୁନିକ ସିଷ୍ଟମ ବେଶ କାରଗର ରହିବ ବୋଲି ବିଶ୍ୱସ୍ତସୂତ୍ରରୁ ପ୍ରକାଶ କରାଯାଇଛି । ସୁନ୍ଦରଗଡ ଜିଲାରେ ପୂର୍ବରୁ ଭେଲ କମ୍ପାନୀ ପକ୍ଷରୁ ଏହି ବ୍ୟବସ୍ଥା ଚାଲୁ କରାଯାଇଥିବା ବେଳେ ଏହାର ସଫଳତା ସନ୍ତୋଷଜନକ ରହିଥିବାର ପ୍ରକାଶ । ତେବେ ୨୦୧୯ ମସିହାରେ ମଧ୍ୟ ସିସିଟିଭି ବ୍ୟବସ୍ଥା ଚାଲୁ କରାଯାଇଥିବା ବେଳେ ଆବଶ୍ୟକ ସମୟରେ ପୁଲିସକୁ ବେସରକାରୀ ସିସିଟିଭି ଉପରେ ନିର୍ଭର କରିବାକୁ ପଡୁଥିବାର ବିଗତ ଦିନରେ ଅନେକବାର ଦେଖାଯାଇଛି । ଏଣୁ ଏହି ନୂତନ ବ୍ୟବସ୍ଥା ପ୍ରକୃତରେ ପ୍ରଭାବୀ ହେବ ନା ଦୁର୍ବଳ ସରକାରୀ କାର୍ଯ୍ୟଶୈଳୀ ଯୋଗୁଁ ପୁର୍ନବାର ଇତିହାସ ଗର୍ଭକୁ ଠେଲି ହୋଇଯିବ, ତାହା ସମୟ ହିଁ କହିବ ।

 

 

 

Comments are closed.