mission shakti banner

ମେ ୧ରୁ ସୁପ୍ରିମକୋର୍ଟରେ କ୍ରେଚ୍‌ ବ୍ୟବସ୍ଥା

nua o banner
0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ କାର୍ଯ୍ୟରତ ଆଇନଜୀବୀ, କର୍ମଚାରୀଙ୍କ ସୁବିଧା ପାଇଁ ମେ ପହିଲାରୁ ସୁପ୍ରିମକୋର୍ଟ ପରିସରରେ କ୍ରେଚ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। କ୍ରେଚ୍‌ ଦାୟିତ୍ୱ ସମ୍ଭାଳିବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଜରିଆରେ କର୍ମଚାରୀ ନିଯୁକ୍ତ କରାଯିବ। ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଆର.ଭାନୁମତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି କ୍ରେଚ ପ୍ରତିଷ୍ଠା ସଂକ୍ରାନ୍ତ ଚିଠାପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମେ ପହିଲାରୁ ଏହି କ୍ରେଚ୍‌ ଯେଭଳି କାର୍ଯ୍ୟକ୍ଷମ ହେବ, ସେଥିପାଇଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରୀକୁ ଦାୟିିତ୍ୱ ଦିଆଯାଇଛି। ବର୍ତ୍ତମାନ ନିଉ ଲୟର୍ସ ଚ୍ୟାମ୍ବର ବିଲ୍ଡିଂର ୮ ଓ ୯ ନମ୍ବର ପ୍ରକୋଷ୍ଠରେ ଏଭଳି ଏକ କ୍ରେଚ୍‌ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛି। ତେବେ ମେ ପହିଲାରୁ ଏହି କ୍ରେଚକୁ ସୁପ୍ରିମକୋର୍ଟ ଆନେକ୍ସ ବିଲ୍ଡିଂକୁ ସ୍ଥାନାନ୍ତର କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କ୍ରେଚରେ ୬ ମାସରୁ ୬ ବର୍ଷ ବୟସର ୩୦ ଜଣ ଶିଶୁଙ୍କୁ ରଖାଯିବ। କ୍ରେଚ୍‌ରେ ରହୁଥିବା ପ୍ରତ୍ୟେକ ଶିଶୁଙ୍କ ପ୍ରବେଶ ଶୁଳ୍କ ବାବଦରେ ପିତାମାତାଙ୍କୁ ୧୦୦୦ ଟଙ୍କା ଓ ଖର୍ଚ୍ଚ ବାବଦକୁ ଦୈନିକ ୧୦୦ ଟଙ୍କା ପୈଠ କରିବାକୁ ପଡିବ। ସୁପ୍ରିମକୋର୍ଟର ସବୁ କାର୍ଯ୍ୟକାରୀ ଦିବସରେ ସକାଳ ୮.୩୦ରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଏହି କ୍ରେଚ୍‌ ଖୋଲାରହିବ। ଦୈନନ୍ଦିନ ଦେଖାଶୁଣା ନିମନ୍ତେ କାର୍ଯ୍ୟରତ ଦମ୍ପତିମାନେ ସାଧାରଣତଃ ସେମାନଙ୍କର ଛୋଟ ପିଲାଙ୍କୁ କ୍ରେଚ୍‌ରେ ଛାଡିଥାନ୍ତି। ପିତାମାତା କାର୍ଯ୍ୟରୁ ଫେରିବା ପର୍ଯ୍ୟନ୍ତ କ୍ରେଚ୍‌ରେ ଏହି ପିଲାମାନଙ୍କର ଦାୟିତ୍ୱ ନିଆଯାଇଥାଏ। ଏଥିପାଇଁ ସ୍ୱତନ୍ତ୍ର କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଥାନ୍ତି।

Leave A Reply