ସୁପ୍ରିମକୋର୍ଟଙ୍କ ଅସ୍ତିତ୍ୱ ଏବେ ବିପନ୍ନ : ଜଷ୍ଟିସ କୁରିଏନ୍ ଜୋଶେଫ
ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଜୀବନ ଓ ଅସ୍ତିତ୍ୱ ଏବେ ବିପନ୍ନ ହୋଇପଡିଛି। ସର୍ବୋଚ୍ଚ ନ୍ୟାୟାଳୟର ଅସ୍ତିତ୍ୱକୁ ଯଦି ଏହାର ବିଚାରପତିମାନେ ସୁରକ୍ଷା ନ କରନ୍ତି ତେବେ ଆଗାମୀ ଦିନରେ ଇତିହାସ ସେମାନଙ୍କୁ କେବେହେଲେ କ୍ଷମା ଦେବ ନାହିଁ ବୋଲି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି କୁରିଏନ୍ ଜୋଶେଫ କହିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍ଙ୍କ ସୁପାରିସକୁ କେନ୍ଦ୍ର ସରକାର ଉପେକ୍ଷା କରିବାକୁ ନେଇ ଜଷ୍ଟିସ ଜୋଶେଫ ଉଦ୍ବେଗ ପ୍ରକାଶ କରିବା ପୂର୍ବକ ଏପରି କହିଛନ୍ତି। ନିଜର ଏହି ଉଦ୍ବେଗ ସମ୍ପର୍କରେ ଜଷ୍ଟିସ ଜୋଶେଫ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ପତ୍ର ଲେଖିଛନ୍ତି। ଏପ୍ରିଲ ୯ରେ ଜଷ୍ଟିସ ଜୋଶେଫ ପ୍ରଧାନ ବିଚାରପତିଙ୍କ ନିକଟକୁ ପତ୍ର ଲେଖି ନିଜର ଉଦ୍ବେଗ ଜଣାଇବା ସହ ଏହା ଉପରେ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ଏପରି କି ଜଷ୍ଟିସ ଜୋଶେଫ ସୁପ୍ରିମକୋର୍ଟର ଅନ୍ୟ ୨୨ଜଣ ବିଚାରପତିଙ୍କ ନିକଟକୁ ଏହି ଚିଠି ପଠାଇଛନ୍ତି।
ଗତ ଜାନୁଆରୀ ୧୦ରେ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ବରିଷ୍ଠ ଓକିଲ ଇନ୍ଦୁ ମାଲହୋତ୍ରା ଓ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେଏମ୍ ଜୋଶେଫଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସରକାରଙ୍କୁ ସୁପାରିସ କରିଥିଲେ। ଇତି ମଧ୍ୟରେ ତିନି ମାସ ବିତି ଯାଇଥିବାବେଳେ କଲେଜିୟମର ଏହି ସୁପାରିସକୁ ସରକାର କାର୍ଯ୍ୟକାରୀ କରି ନାହାନ୍ତି। କଲେଜିୟମର ସୁପାରିସକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଅହେତୁକ ଅବହେଳାକୁ ନେଇ ଜଷ୍ଟିସ କୁରିଏନ୍ ଜୋଶେଫ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଏପରି ଅବହେଳା ଉପରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ୭ଜଣିଆ ବିଚାରପତି ପୀଠ ଡକାଇ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ନିର୍ଦେଶନାମା ଜାରି କରିବା ଦରକାର। ସୁପ୍ରିମକୋର୍ଟ ଯଦି ଏବେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅସ୍ତିତ୍ୱ ଆହୁରି ବିପନ୍ନ ହୋଇପଡିବ। ଆଗାମୀ ପିଢି କେବେହେଲେ ଆମକୁ (ସୁପ୍ରିମକୋର୍ଟର ବର୍ତ୍ତମାନ ବିଚାରପତିମାନଙ୍କୁ) କ୍ଷମା ଦେବ ନାହିଁ। ଜଷ୍ଟିସ ଜୋଶେଫଙ୍କ ଏପରି ଚିଠି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସୁପ୍ରିମକୋର୍ଟର ଅନ୍ୟ ଜଣେ ବରିଷ୍ଠ ବିଚାରପତି କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦାୟକ। ସୁପ୍ରିମକୋର୍ଟରେ ଯାହା କିଛି ଘଟୁଛି ସେଥିପାଇଁ କେହି ଚିନ୍ତିତ ନୁହନ୍ତି। ଏହା ପୂର୍ବରୁ ଜଷ୍ଟିସ ଜେ ଚେଲାମେଶ୍ୱର ନ୍ୟାୟପାଳିକା ଉପରେ ସରକାରଙ୍କ ହସ୍ତକ୍ଷେପକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଜଷ୍ଟିସ ଚେଲାମେଶ୍ୱର ମଧ୍ୟ ନିଜର ଉଦ୍ବେଗ ବାବଦରେ ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିମାନଙ୍କୁ ପତ୍ର ଲେଖିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇବା ପୂର୍ବକ ସାମ୍ବାଦିକ ସମ୍ମିଳନୀ କରିଥିବା ୪ ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ଜୋଶେଫ ଓ ଜଷ୍ଟିସ ଚେଲାମେଶ୍ୱର ସାମିଲ ଥିଲେ।