www.samajalive.in
Saturday, December 6, 2025
14.1 C
Bhubaneswar

ଅନ୍ତରୀକ୍ଷରେ ମହିଳା

ଭୁବନେଶ୍ଵର: ମାତ୍ର ଆଠ ଦିନର ମିଶନ। ୨୦୨୪ ମସିହା ଜୁନ୍ ମାସରେ ବୋଇଂ ବିମାନର ଷ୍ଟାରଲାଇନର୍ ମହାକାଶଯାନରେ ନାସା ମହାକାଶଚାରୀ ସୁନିତା ୱିଲିଅମ୍ସ ଏବଂ ବୁଚ୍ ୱିଲ୍‌ମୋର୍ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌‌ରେ ପହଞ୍ଚିଥିଲେ। ମହାକାଶରୁ ଗବେଷଣାଲବ୍ଧ ତଥ୍ୟ ଧରି ଆଠଦିନରେ ଫେରି ଆସିବା କଥା। ହେଲେ ଭବିତବ୍ୟ କିଛି ଭିନ୍ନ ଥିଲା। ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁଁ ମହାକାଶଚାରୀଦ୍ୱୟ ପୃଥିବୀକୁ ଫେରି ନ ପାରି ଅଟକି ରହିଥିଲେ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ସମ୍ବେଦନହୀନତା କାରଣରୁ ବାରମ୍ବାର ସେମାନଙ୍କର ପ୍ରତ୍ୟାବର୍ତ୍ତନ ସ୍ଥଗିତ ରହିଥିଲା। ଅର୍ଥାଭାବର ଦ୍ୱାହି ଦେଇ ଆମେରିକାର ବାଇଡେନ୍ ସରକାର ତାଙ୍କ ପ୍ରତ୍ୟାବର୍ତ୍ତନକୁ ଗମ୍ଭୀରତାର ସହ ନେଇ ନ ଥିଲେ। ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି ହେବା ପରେ ଏଲନ୍ ମସ୍କ୍‌ଙ୍କ ସହିତ ଆଲୋଚନା କରି ମହାକାଶଚାରୀଙ୍କୁ ଫେରେଇବାର ବ୍ୟବସ୍ଥା କଲେ। ଏଲନ୍‌ଙ୍କ ସ୍ପେସ୍- ଏକ୍ସ୍ ସଂସ୍ଥାର ଡ୍ରାଗନ୍ ମହାକାଶଯାନରେ ୨୬୮ ଦିନ ପରେ ମାର୍ଚ୍ଚ ୧୮ ରାତି ତିନିଟା ସତେଇଶ ସମୟରେ ମହାକାଶଚାରୀଦ୍ୱୟ ସେମାନଙ୍କୁ ଆଣିବାକୁ ଯାଇଥିବା ଅନ୍ୟ ଚାରିଜଣ ମହାକାଶଚାରୀଙ୍କ ସହିତ ପୃଥିବୀକୁ ଫେରିଲେ। ଅନେକ ଆଶଙ୍କା ଭିତରେ ମହାକାଶଚାରୀ ଫେରିଥିବାରୁ ବିଶ୍ବ ଆନନ୍ଦିତ। ଯେଉଁଠି ପ୍ରତି ମୁହୂର୍ତ୍ତରେ ଜୀବନ ବିପଦାପନ୍ନ, ୨୬୮ ଦିନର ରହଣି ପରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଧୈର୍ଯ୍ୟ ଓ ସହନଶୀଳତାର ବିଜୟ।‌
ଆମେରିକା ନୌବାହିନୀର ଅଧିକାରୀ ଜଣେ ପୋଖତ ନୌଚାଳକ, ନୌସୈନିକ, ହେଲିକପ୍ଟର୍ ପାଇଲଟ୍, ସମୁଦ୍ରବୁଡ଼ାଳି ଏବଂ ପଶୁପ୍ରେମୀ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିଅମ୍ ଏସ୍.ଟି.ଏସ୍. ୧୧୬, ଆଇ.ଏସ୍.ଏସ୍. ଅଭିଯାନ ୧୪ ଏବଂ ୧୫, ଏସ୍.ଟି.ଏସ୍.-୧୧୭, ସୋୟୁଜ୍ ଟିଏମ୍.ଏ -୦୫ ଏମ୍, ଅଭିଯାନ-୩୨ ଏବଂ ଅଭିଯାନ-୩୩ର ଅଂଶ ରହିସାରିଛନ୍ତି। ଅନ୍ୟ ଜଣେ ଭାରତୀୟ କଳ୍ପନା ଚାୱଲା ମହାକାଶ ଗବେଷଣାରେ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ। ସେ କିନ୍ତୁ ସୁନିତାଙ୍କ ପରି ଭାଗ୍ୟଶାଳୀ ନ ଥିଲେ। ମହାକାଶରୁ ଫେରିଥିଲା କଳ୍ପନାଙ୍କର ଦଗ୍ଧଶରୀର।
ପକ୍ଷୀ ପରି ଆକାଶରେ ଉଡ଼ିବା ଏବଂ ଅନନ୍ତ ମହାକାଶରେ କ’ଣ ଅଛି ଜାଣିବାର ଆଗ୍ରହ ଅନୁସନ୍ଧିତ୍ସୁ ମଣିଷକୁ ପୃଥିବୀର ଖଗୋଳୀୟ ପିଣ୍ଡରେ ପହଞ୍ଚାଇଛି। ଆଜି ମଣିଷ ମହାକାଶରେ ଅବସ୍ଥାନ କରି ଗବେଷଣାଲବ୍ଧ ସୁଫଳ ପୃଥିବୀବାସୀଙ୍କ ନିକଟରେ ପହଞ୍ଚାଇବାରେ ସଫଳ। ଏହି ପ୍ରକ୍ରିୟାରେ ମହିଳାମାନେ ପଛରେ ପଡ଼ିନାହାନ୍ତି। ୧୯୮୨ ମସିହା ପର୍ଯ୍ୟନ୍ତ ମହିଳାଙ୍କର ମହାକାଶ ଯାତ୍ରା ପାଇଁ ଆବଶ୍ୟକ ଶିକ୍ଷା ଓ ପ୍ରଶିକ୍ଷଣ ନ ଥିଲା। ତେଣୁ ଏହି କ୍ଷେତ୍ରଟି ପୁରୁଷ ପ୍ରଧାନ ହୋଇ ରହିଥିଲା। ଗତ ଶତାବ୍ଦୀର ପଚାଶ ଓ ଷାଠିଏ ଦଶକରେ ଆମେରିକା ଓ ସୋଭିଏତ୍ ରୁଷ୍ ଯେତେବେଳେ ଅନ୍ତରୀକ୍ଷଯୁଦ୍ଧରେ ଅବତୀର୍ଣ୍ଣ ହେଲେ ସେତେବେଳେ କେହି ମହାକାଶଚାରୀ ନ ଥିଲେ। ସେମାନେ ସେନାରେ କାମ କରୁଥିବା ଅତିବେଗଗାମୀ ଲଢ଼ୁଆ ଜେଟ୍ ବିମାନର ପାଇଲଟ୍‌ଙ୍କୁ ମହାକାଶକୁ ପଠେଇଲେ। ଏହି ପାଇଲଟ୍ ପଦଟି ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ମହିଳା ମହାକାଶଚାରୀ ଭାବରେ ବାହାରି ପାରି ନ ଥିଲେ।
୧୯୫୯ ମସିହାରେ ଆମେରିକାର ଡନ୍ ଫ୍ଲିକିଞ୍ଜର୍ ଏବଂ ୱିଲିଅମ୍ ରାନ୍ଦଲ୍‌ଫ୍ ଲଭ୍‌ଲେସ୍-୨ ମର୍‌କ୍ୟୁରି – ୧୩ ନାମରେ ପାଇଲଟ୍‌ମାନଙ୍କର ଗୋଟିଏ ୧୩ ଜଣିଆ ମହିଳା ଦଳ ଗଠନ କରି ମହାକାଶକୁ ଯିବା ପାଇଁ ଚେଷ୍ଟା କରିଥିଲେ। ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ଏହି ପ୍ରକ୍ରିୟାକୁ ସେନା ଏବଂ ଆମେରିକାର ମହାକାଶ ସଂସ୍ଥା ବିରୋଧ କରିଥିଲେ। ତଥାପି ନିଜର ଜ୍ଞାନ, ବୁଦ୍ଧି, କୌଶଳ ଏବଂ ପ୍ରତିବଦ୍ଧତା ବଳରେ ୨୦୨୪ ନଭେମ୍ବର ମାସ ପର୍ଯ୍ୟନ୍ତ ୧୦୦ ଜଣ ମହିଳା ମହାକାଶରେ ପାଦ ଥାପିବା ସହିତ ମହାକାଶ ଯାତ୍ରା ଓ ଗବେଷଣାରେ ବହୁ ମହିଳାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଆମେରିକାର ଏମିଲି କାଲାନ୍ଦ୍ରେଲି ବିଶ୍ବର ୧୦୦ତମ ମହିଳା ମହାକାଶଚାରୀ। ଆଜି ପର୍ଯ୍ୟନ୍ତ ମହାକାଶକୁ ଯାଇଥିବା ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ଆମେରିକୀୟ। ରୁଷିଆ, ଚୀନ୍, ଜାପାନ, କାନାଡା, ଫ୍ରାନ୍ସ, ଇଂଲଣ୍ଡ, ଇଟାଲୀ ଏବଂ ଦକ୍ଷିଣ କୋରିଆ ପରି ଦେଶମାନଙ୍କର ମହିଳା ମହାକାଶଚାରୀ ତାଲିକାରେ ସ୍ଥାନ ପାଇଛନ୍ତି। ଇରାନ ଓ ଆମେରିକାର ଦ୍ବୈତ ନାଗରିକତା ଥିବା ଜଣେ ମହିଳା ମଧ୍ୟ ଏହି ସୂଚୀରେ ଅନ୍ତର୍ଭୁକ୍ତ।
ପୃଥିବୀର ପ୍ରଥମ ମହିଳା ମହାକାଶଚାରୀ ତତ୍କାଳୀନ ସୋଭିଏତ୍ ରାଷ୍ଟ୍ରସଙ୍ଘର ଭାଲେନ୍ତିନା ତେରେସ୍କୋଭା ହୋଇଥିଲେ ହେଁ ମହିଳାଙ୍କ ମହାକାଶ ଯାତ୍ରାର ପ୍ରସ୍ତାବ ପ୍ରଥମେ ଆମେରିକାରେ ଉଠିଥିଲା। ସୋଭିଏତ୍ ସଂଘର ମହାକାଶ ଯାତ୍ରା ପ୍ରଶିକ୍ଷଣର ନି​‌େ​‌ର୍ଦଶକ ନିକୋଲାଇ କାମାନିନ୍ ତାଙ୍କର ୧୯୬୨ ମସିହାର ଆମେରିକା ଗସ୍ତ ସମୟରେ ଆମେରିକାର କିଛି ମହିଳା ମହାକାଶକୁ ଯିବାର ଚେଷ୍ଟାରେ ଅଛନ୍ତି ବୋଲି ଜାଣିଲେ। ଆମେରିକା ଏ କ୍ଷେତ୍ରରେ ପ୍ରଥମ ଦେଶ ହେଉ ବୋଲି ସେ ଚାହୁଁ ନଥିଲେ। ଅନ୍ତରୀକ୍ଷ କାର୍ଯ୍ୟକ୍ରମର ମୁଖ୍ୟ ସର୍ଜି କରୋଲେବ୍‌ଙ୍କ ସମର୍ଥନରେ ମହିଳାଙ୍କର ମହାକାଶ ଯାତ୍ରାକୁ ସେ ସମର୍ଥନ କଲେ। ୧୯୬୨ ମସିହାରେ କିଛି ମହିଳାଙ୍କୁ କସ୍ମୋନଟ୍ (ରୁଷ୍ ମହାକାଶଚାରୀ) ତାଲିମ୍ ପ୍ରଦାନ କରାଗଲା। ୧୯୬୩ ମସିହା ଜୁନ୍ ୧୬ରେ ରୁଷ୍‌ର ମହାକାଶଯାନ ଭୋସ୍ତକ୍- ୬ ଯୋଗେ ଭାଲେନ୍ତିନା ତେରେସ୍କୋଭା ମହାକାଶକୁ ଯାତ୍ରା କରିଥିଲେ। ୪୮ ଥର ପରିକ୍ରମାରେ ସେ ମହାକାଶରେ ୭୦.୮ ଘଣ୍ଟାର ଉଡ଼ାଣ କରିଥିଲେ।
୧୯୭୮ ମସିହାରେ ଗଠିତ ଆମେରିକାର ଆଠଜଣିଆ ମହାକାଶଯାତ୍ରୀ ଦଳରେ ପ୍ରଥମ ଥର ପାଇଁ ଆନ୍ନା ଫିସର୍, ସନ୍ନନ୍ ଲୁସିଦ୍, ଜୁଡିଥ୍ ରେସ୍‌ନିକ୍‌, ସାଲି ରାଇଡ୍, ମାର୍ଗରେଟ୍ ରିଆ ସେଡାନ୍ ଏବଂ କାଥରିନ୍ ସୁଲିଭାନ୍‌ଙ୍କ ପରି ଛ’ ଜଣ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଗଲା। ଏମାନେ ସମସ୍ତେ ମହାକାଶକୁ ଯାଇଥିଲେ। ୧୯୮୩ ମସିହାରେ ପ୍ରଥମ ଆମେରିକୀୟ ମହିଳା ହିସାବରେ ସାଲୀ ରାଇଡ୍ ମହାକାଶକୁ ଯାଇଥିଲେ। ସେହିପରି ୧୯୮୦ ମସିହାରେ ସୋଭିଏତ୍ ସଂଘ ନିଜ ମହାକାଶଯାତ୍ରୀ ଦଳରେ ନଅ ଜଣ ମହିଳାଙ୍କୁ ସ୍ଥାନ ଦେଇଥିଲା। ସେ ନ’ ଜଣଙ୍କ ଭିତରୁ କେବଳ ଶ୍ବେତଲାନା ସାଭିସ୍କାୟା ଅନ୍ତରୀକ୍ଷକୁ ଯାଇଥିଲେ। ସେ ପ୍ରଥମ ଥର ୧୯୮୨ ମସିହା ଅଗଷ୍ଟ ୭ରେ ଶୋୟୁଜ୍ ଟି -୭ ଏବଂ ୧୯୮୪ ମସିହା ଜୁଲାଇ ୨୫ରେ ଶୋୟୁଜ୍ ଟି -୧୨ ଯୋଗେ ଦ୍ବିତୀୟ ଥର ମହାକାଶ ଷ୍ଟେସନକୁ ଯାଇଥିଲେ। ମହାକାଶକୁ ଦୁଇ ଥର ଯିବା ଏବଂ ମହାକାଶରେ ଚାଲିବାରେ ସେ ପ୍ରଥମ ମହିଳା। ମେ ଜେମିସନ୍, ସୁସାନ୍ ହେମ୍ସ, ପେଗି ହୁଇଟ୍‌ସନ୍, ଜେସିକ୍ ମେଇର୍ ଏବଂ କ୍ରିଷ୍ଟିନା କୋଚ୍‌ ମହାକାଶକୁ ଯାଇ ବିଭିନ୍ନ ରେକର୍ଡ ସୃଷ୍ଟି କରିଛନ୍ତି। ମହିଳାଙ୍କର ଶାରୀରିକ ଗଠନ, ମାସିକ ଧର୍ମ ଏବଂ ଜୈବିକ ଅବଶେଷ ତ୍ୟାଗ ପାଇଁ ସ୍ବତନ୍ତ୍ର ପୋଷାକ ଏବଂ ଟଏଲେଟ୍‌ର ବ୍ୟବସ୍ଥା କରାଗଲାଣି। ମହାକାଶଯାତ୍ରୀଙ୍କ ଛଡ଼ା ବହୁତ ମହିଳା ସେ କ୍ଷେତ୍ରରେ ଗବେଷଣା, ଡିଜାଇନ୍, ଅପରେସନ୍ ଏବଂ ଅନ୍ୟାନ୍ୟ କାମରେ ନିୟୋଜିତ।
ମହାକାଶକୁ ଅନେକ ମହିଳା ବେସରକାରୀ ଆର୍ଥିକ ସହାୟତାରେ ଯାଇଛନ୍ତି। ୧୯୯୧ ମସିହାରେ ଇଂଲଣ୍ଡର ପ୍ରଥମ ମହାକାଶଚାରୀ ଭବରେ ହେଲେନ୍ ସାର୍ମନ୍ ମୀର ଅନ୍ତରୀକ୍ଷ ଷ୍ଟେସନ୍‌ରେ ପହଞ୍ଚିଥିଲେ। ଏହାକୁ ଇଂଲଣ୍ଡ ଓ ରୁଷ୍‌ର ମିଳିତ ଜୁନୋ ପ୍ରୋଜେକ୍ଟ ପ୍ରାୟୋଜିତ କରିଥିଲେ। ୨୦୦୬ ମସିହାରେ ଆମେରିକା ଓ ଇରାନର ଦ୍ୱୈତ ନାଗରିକତା ରଖିଥିବା ଅନୁଶେହ ଅନସାରୀ ନିଜ ଖର୍ଚ୍ଚରେ ମହାକାଶ ଯାଇଥିଲେ। ବେସରକାରୀ ଖର୍ଚ୍ଚରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ପହଞ୍ଚିବାରେ ସେ ପ୍ରଥମ ମହିଳା। ୟୁରୋପୀୟ ମହାକାଶ ସଂସ୍ଥା ପାଇଁ ସେ ଅନେକ ଅନୁସନ୍ଧାନମୂଳକ କାର୍ଯ୍ୟ କରିଥିଲେ। ମହିଳାମାନେ ମହାକାଶକୁ ଯିବା ପରଠାରୁ ଚାରି ଜଣ ମହାକାଶଚାରୀଙ୍କ ମୃତ୍ୟୁ ହୋଇଛି। ସ୍ପେସ୍ ସଟଲ୍ ଚାଲେଞ୍ଜର୍ ବିସ୍ଫୋରଣରେ ୧୯୮୬ ଜାନୁଆରୀ ୨୮ରେ କ୍ରିଷ୍ଟା ମାକ୍ ଅଲିଫ୍ ଏବଂ ଜୁଡିଥ୍ ରେସ୍ନିକ୍‌ଙ୍କର ମୃତ୍ୟୁ ହୋଇଥିଲା। ସ୍ପେସ୍ ସଟଲ୍ କଲମ୍ବିଆ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲା ବେଳେ ଜଳି ଯିବାରୁ କଳ୍ପନା ଚାୱଲା ଏବଂ ଲରେଲ୍ କ୍ଲାର୍କ୍ ମୃତ୍ୟୁବରଣ କରିଥିଲେ।
ଯଦିଓ ଶିକ୍ଷା, ପ୍ରଶିକ୍ଷଣ, ଜ୍ଞାନକୌଶଳରେ ମହିଳା ମହାକାଶବିଜ୍ଞାନୀ ପୁରୁଷ ମହାକାଶବିଜ୍ଞାନୀଙ୍କ ଠାରୁ କମ୍ ନୁହନ୍ତି ଏବଂ ମହାକାଶରେ ଅବସ୍ଥାନ ସମୟରେ ଉଭୟ ଏକ ପ୍ରକାରର ଶାରୀରିକ, ମାନସିକ ଏବଂ ମନସ୍ତାତ୍ତ୍ୱିକ ଅସୁବିଧା ଅନୁଭବ କରନ୍ତି ତଥାପି ଅନ୍ୟ ସବୁକ୍ଷେତ୍ର ପରି ମହାକାଶଯାତ୍ରା ମଧ୍ୟ ଲିଙ୍ଗଗତ ବୈଷମ୍ୟର ଶିକାର। ତେଣୁ ମହିଳା ମହାକାଶଯାତ୍ରୀଙ୍କ ସଂଖ୍ୟା କମ୍ ହେବାର କାରଣ ହେଉଛି ପୁରୁଷ-ନାରୀ ବିଭେଦ। ୨୦୨୦ ମସିହା ସୁଦ୍ଧା ମହାକାଶକୁ ଯାତ୍ରା କରିଥିବା ଲୋକଙ୍କ ଭିତରେ ମହିଳାଙ୍କ ସଂଖ୍ୟା ମାତ୍ର ୧୨ ପ୍ରତିଶତ। ପ୍ରଥମେ ଯେତେବେଳେ ମହିଳା ମହାକାଶକୁ ଯିବାକୁ ଆଗ୍ରହ ପ୍ରକାଶ କଲେ ସେତେବେଳେ ସେମାନଙ୍କୁ ତାଙ୍କର ପ୍ରଜନନ ଓ ସନ୍ତାନ ଲାଳନପାଳନର ଭବିଷ୍ୟତ ବିଷୟରେ ପ୍ରଶ୍ନ କରାଯାଇଥିଲା, ପୁରୁଷ ପ୍ରଧାନ ଏହି କ୍ଷେତ୍ରରେ ମହାକାଶକୁ ଯିବାରେ ମହିଳାଙ୍କୁ ବିଚାରକୁ ନିଆ ଯାଉ ନ ଥିଲା।
୨୦୨୩ ମସିହାରେ ମିଳିତ ଜାତିସଂଘର ଅଫିସ ଫର ଆଉଟର୍ ସ୍ପେସ୍ ଏଫାୟାର୍‌ସ୍ ଦେଇଥିବା ସଂଖ୍ୟା ହିସାବରେ ମହାକାଶଯାତ୍ରୀଙ୍କର ମାତ୍ର ୧୧ ପ୍ରତିଶତ ମହିଳା, ୬.୬% ଅନ୍ତରୀକ୍ଷରେ ଓହ୍ଲାଇଛନ୍ତି ଏବଂ ମାତ୍ର ୨୦% ଏହି କ୍ଷେତ୍ରରେ କାମ କରୁଛନ୍ତିି। ଆଜି ପର୍ଯ୍ୟନ୍ତ ଚନ୍ଦ୍ରରେ ଓହ୍ଲାଇଥିବା ସମସ୍ତ ବାରଜଣ ହେଉଛନ୍ତି ପୁରୁଷ। ଭବିଷ୍ୟତରେ ମହିଳାଙ୍କୁ ଚନ୍ଦ୍ର ପୃଷ୍ଠକୁ ପଠେଇବା ପାଇଁ ଆମେରିକାର ଅଠରଜଣିଆ ଚନ୍ଦ୍ର ଅଭିଯାନ ଆର୍ଟେମିସରେ ନ’ ଜଣ ମହିଳାଙ୍କୁ ନିଆ ଯାଇଛି। ସେହିପରି ୟୁରୋପ ଓ କାନାଡ଼ା ମଧ୍ୟ ଏହି ଅଭିଯାନରେ ମହିଳାଙ୍କୁ ସାମିଲ୍ କରିଛି। ମିଳିତ ଜାତିସଂଘର ସତତ ବିକାଶ ଲକ୍ଷ୍ୟ ନେଇ ଓ ଲିଙ୍ଗଗତ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ପୂରଣ ପାଇଁ ଅଧିକ ସଂଖ୍ୟାରେ ମହିଳା ମହାକାଶଯାତ୍ରୀଙ୍କୁ ସୁଯୋଗ ଦିଆଯିବାର ଆବଶ୍ୟକତା ଅଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories