ଭୁବନେଶ୍ବର: ପୁଲିସ ଅବହେଳାରୁ ରାଜ୍ୟରେ ଆତ୍ମାହୁତି ଘଟଣା ବଢ଼ିଚାଲିଛି। ସମ୍ବେଦନଶୀଳ ଅଭିଯୋଗଗୁଡ଼ିକୁ ପୁଲିସ ଗୁରୁତର ସହ ନେଉନି କି ଅଭିଯୋଗକାରୀଙ୍କୁ ନ୍ୟାୟ ଦେଇପାରୁନି। ପୁଲିସର ତ୍ରୁଟି ଲାଗି ସରକାର ଅଡ଼ୁଆରେ ପଡ଼ୁଛନ୍ତି। ଦେଶରେ ଓଡ଼ିଶା ଗରିମା ମଧ୍ୟ ନଷ୍ଟ ହେଉଥିବା ଅଭିଯୋଗ ଆଣି ବିରୋଧୀ ସରକାରଙ୍କୁ ନିଶାଣ କରୁଛନ୍ତି। ନିକଟରେ ବାଲେଶ୍ବର, କଟକ, ନୟାଗଡ଼ ସହ ଏବେ କେନ୍ଦ୍ରାପଡ଼ାରେ ସମାନ ସ୍ଥିତି ଦେଖିବାକୁ ମିଳିଛି।
ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଅଞ୍ଚଳରେ ଯୁବତୀ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବା ଘଟଣା ସାରା ରାଜ୍ୟରେ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ଓ ବଳଙ୍ଗା ପୀଡ଼ିତାଙ୍କ ଆତ୍ମାହୁତି ଘଟଣାର ତାତି ଥମିନଥିବା ବେଳେ କେନ୍ଦ୍ରାପଡ଼ାର ଘଟଣା ପୁଲିସ ବିଭାଗର ଅବହେଳାକୁ ସାମ୍ନାକୁ ଆଣିଛି। ପୀଡ଼ିତାଙ୍କୁ ଜଣେ ଯୁବକ ହଇରାଣ କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା। ଉକ୍ତ ଯୁବକର ଅତ୍ୟାଚାର ଅସହ୍ୟ ହେବାରୁ ଯୁବତୀ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ନିକଟେର ବାଲେଶ୍ବର ଏଫ୍ଏମ୍ ଛାତ୍ରୀଙ୍କୁ ଅଧ୍ୟାପକ ସମୀର ସାହୁ ନିର୍ଯାତନା ଦେଇ ଆସୁଥିଲେ। ସେ ଏହି ପ୍ରସଙ୍ଗରେ କଲେଜର ଆଭ୍ୟନ୍ତରୀଣ କମିଟି ସହ ସ୍ଥାନୀୟ ସଦଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସଠାରୁ ନ୍ୟାୟ ନ ମିଳିବାରୁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାରୁ ମୃତ୍ୟୁ ହୋଇଥିଲା। ଏ ସଂକ୍ରାନ୍ତରେ ଥାନାରେ ୨ରୁ ୩ଟି ଜେନେରାଲ ଡାଏରୀ ସହ ଜିଲାର ଅତିରିକ୍ତ ଏସ୍ପି ବି ଜାଣିଥିଲେ। ମାତ୍ର ଥାନାରେ ଲିଖିତ ଭାବେ ପୀଡ଼ିତା ଜଣାଇନଥିବା ଦର୍ଶାଇ ପୁଲିସ ନିଜ ଉପରୁ ଦୋଷ ଖସାଇ ଦେଇଥିଲା ଓ କ୍ରାଇମବ୍ରାଞ୍ଚ ବି କ୍ଲିନଚିଟ୍ ଦେଇଥିଲା।
ଦୁଇ ସପ୍ତାହ ତଳେ ନୟାଗଡ଼ ଜିଲା ଇଟାମାଟି ଥାନା ଅଧୀନ ଶରଧାପୁରରେ ଜଣେ ଯୁବତୀ ପ୍ରତାରିତ ହୋଇ ଥାନା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ସ୍ଥାନୀୟ ଇଟାମାଟି ଥାନା ପୁଲିସ ନ୍ୟାୟ ଦେଉନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସଙ୍ଗିନ ଅଭିଯୋଗ ଆସିଥିଲା। ସେହି ଗଁାର ସିଆର୍ପିଏଫ୍ ଯବାନ ଭାେବ କାର୍ଯ୍ୟ କରୁଥିବା ଆଲୋକ ସ୍ବାଇଁ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲା। ଏନେଇ ଥନାରେ ଅଭିଯୋଗ ହେବା ପରେ ପୁଲିସ ଆଲୋକକୁ ଗିରଫ କରିଥିଲା। ମାତ୍ର ସେ କାରାଗାରରୁ ଜାମିନରେ ମୁକୁଳି ପ୍ରତାରିତ ଯୁବତୀ ଓ ତାଙ୍କ ପରିବାରକୁ ଭୟ ଦେଖାଇବା ସହ ମାମଲା ଉଠାଇବାକୁ ଚାପ ପକାଉଥିଲା। ଯୁବତୀ ଓ ତାଙ୍କ ପରିବାର ଉପରେ ଅତ୍ୟାଚାର ବଢ଼ିବାରୁ ସେ ଇଟାମାଟି ଥାନାର ଦ୍ବାରସ୍ଥ ହୋଇଥିଲେ। ନ୍ୟାୟ ନ ମିଳିବା ସହ ତଦନ୍ତରେ ଅବହେଳା କରିବାରୁ ଯୁବତୀ ଇଟାମାଟି ଥାନା ସମ୍ମୁଖରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଗତବର୍ଷ ନ୍ୟାୟ ନ ମିଳିବାରୁ କଟକ ଜିଲା ମାହାଙ୍ଗା ଥାନା ପରିସରରେ ଆନନ୍ଦପୁର ପଞ୍ଚାୟତ କରତାଙ୍ଗ ଗଁାର ରଶ୍କିତା ଦାଶ ଆତ୍ମାହୁତି ଉଦ୍ୟମ କରିଥିଲେ। ଚୋରି ମାମଲାରେ ତାଙ୍କ ସ୍ବାମୀ ଶଙ୍କରକୁ ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ସେ ନିର୍ଦୋଷ ଥିବା ସତ୍ତ୍ବେ ପୁଲିସ ତାଙ୍କୁ ଛାଡ଼ିନଥିଲା କି ତାଙ୍କ ସହ ଭେଟ କରାଇ ନଥିଲା। ଏହାର ପ୍ରତିବାଦରେ ଥାନା ପରିସରରେ ରଶ୍ମିତା ଦେହରେ ପେଟ୍ରୋଲ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଶରୀରର ୫୪ ପ୍ରତିଶତ ପୋଡ଼ି ଯାଇଥିବାବେଳେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଅନ୍ୟପକ୍ଷରେ ପୁରୀ ବଳଙ୍ଗା ଘଟଣାେର ବି ରହସ୍ୟ ପଦାକୁ ଆସିପାରିନି। ପୀଡ଼ିତାଙ୍କୁ କେହି ନିଆଁ ଲଗାଇ ନାହାନ୍ତି ଓ ସେ ନିଜେ ଆତ୍ମାହୁତି ଦେଇଛନ୍ତି ବୋଲି ହେଉଥିବା ଚର୍ଚ୍ଚା ସମ୍ପର୍କରେ ବି ପୁଲିସ ସ୍ପଷ୍ଟ କରୁନି। ଯଦି ତାଙ୍କୁ ହତ୍ୟା କରାଯାଇଛି ହତ୍ୟାକାରୀ କିଏ ଓ ଯଦି ସେ ଆତ୍ମହତ୍ୟା କରିଛନ୍ତି ତା’ର କାରଣ କ’ଣ -ସେ ସମ୍ପର୍କରେ ବି ପୁଲିସ ନିରବ। ରାଜ୍ୟରେ ନାରୀ ନିର୍ଯାତନା ଓ ମହିଳା ବିରୋଧୀ ହିଂସା ବଢ଼ୁଥିବା ବେଳେ ଘଟଣା ସମ୍ପର୍କରେ ମହିଳାମାେନ ଥାନାରେ ଅଭିଯୋଗ କଲେ ବି ପୁଲିସ ଶୁଣୁନଥିବା ଅଭିଯୋଗ ହେଉଛି।
ଥାନାକୁ ଗଲେ ଅଭିଯୋଗ ଗ୍ରହଣ କରି ତ୍ବରିତ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ପରାମର୍ଶ ଦେଇଥିଲେ। ଏଥିରେ କୌଣସି ଅବହେଳା ଯେମିତି ନ ହୁଏ, ସେଥିପାଇଁ ତାଗିଦ୍ କରିଥିଲେ। ମାତ୍ର ପୁଲିସର ଅବହେଳା ଯୋଗୁଁ ବାରମ୍ବାର ଅଘଟଣ ଘଟୁଥିଲେ ହେଁ ଗୃହ ବିଭାଗ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ପୁଲିସ ଅବହେଳାରୁ ବଢ଼ୁଛି ଆତ୍ମାହୁତି
Popular Categories



