ପାରିବାରିକ କଳି : ସନ୍ତାନଙ୍କ ସହ ମହିଳାଙ୍କ ରେଳଧାରଣାରେ ଆତ୍ମହତ୍ୟା

ମାଆ ଓ ୮ ମାସର ଝିଅ ମୃତ, ପୁଅ ଆହତ

ପାତ୍ରପୁର :  ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଚିଡିପୁଡ଼ି ଗ୍ରାମର ଜଣେ ମହିଳା ବୁଧବାର ଅପରାହ୍ଣରେ ତାଙ୍କ ସନ୍ତାନଙ୍କୁ ଧରି ଟ୍ରେନ ତଳେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାରେ ମହିଳା ଓ ତାଙ୍କ ୮ ମାସର ଝିଅର ମୃତ୍ୟୁ ହୋଇଥିବା ବେଳେ ୪ ବର୍ଷର ପୁଅ ଆହତ ହୋଇଛନ୍ତି। ପାରିବାରିକ ବିବାଦରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।
ଚିଡିପୁଡ଼ି ଗ୍ରାମର ଉପାଡ଼ା ଶ୍ୟାମ ରେଡ୍ଡୀଙ୍କ ପତ୍ନୀ ଉପାଡା ଶ୍ରାବଣୀ(୩୦)ବୁଧବାର ଅପରାହ୍ଣ ୧ଟା ବେଳେ ନିଜ ଛୁଆଙ୍କୁ ଧରି ଆନ୍ଧ୍ରପ୍ରଦେଶର ଲୋଧପୁଟି ନିକଟ ରେଳ ଧାରଣାରେ ଟ୍ରେନ୍‌ ସମ୍ମୁଖକୁ ଡେଇଁଥିଲେ। ଗାଁଠାରୁ ପ୍ରାୟ ୩ କିମି ଦୂର ରେଳଧାରଣା ନିକଟକୁ ଯାଇ ଶ୍ରାବଣୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏଥିରେ ଶ୍ରାବଣୀ ଏବଂ ତାଙ୍କର ନଅ ମାସର ଝିଅ ଶ୍ରୀର ମୃତ୍ୟୁ ଘଟିଥିବା ବେଳେ ୪ ବର୍ଷର ପୁଅ ଅସିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି। ଆହତ ଅସିତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର
ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଶ୍ରାବଣୀଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବାପା କେଉଁଆଡେ ଚାଲିଯାଇଛନ୍ତି। ଶ୍ରାବଣୀ ପ୍ରାୟ ୧୦ମାସ ତଳେ ପ୍ରସବ ପାଇଁ ଜେଜେ ମା ରହୁଥିବା ଖମ୍ବାରି ଗାଁକୁ ଆସିଥିଲେ। ସନ୍ତାନ ଜନ୍ମ ପରେ ୨ ମାସ ତଳେ ସେ ନିଜ ଶାଶୁ ଘରକୁ ଯାଇଥିବା ବେଳେ ଆଜି ଏହି ଘଟଣା ଘଟିଛି। ସନ୍ତାନଙ୍କ ସହ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ ବିବାଦରୁ ଶ୍ରାବଣୀ ଏଭଳି ଚରମ ନିଷ୍ପତ୍ତି ନେଇ ଥିବା ଅନୁମାନ କରାଯାଇଛି। ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.