www.samajalive.in
Saturday, December 6, 2025
15.1 C
Bhubaneswar

ଅନ୍‌ଲାଇନ ଆପ୍‌ରେ ସୁଭଦ୍ରା ଟଙ୍କା ଲଗାଇ ୩ ହଜାର ମହିଳା ସର୍ବସ୍ବାନ୍ତ

ବାଲିକୁଦା: ଜଗତସିଂହପୁର ଜିଲା ବାଲିକୁଦା ବ୍ଲକରେ ଏକ ଅନଲାଇନ ଠକେଇ ହୋଇଛି। ବ୍ଲକ ଅଧୀନ ଅନନ୍ତପୁର ଫାଣ୍ଡି ଓ ବନ୍ଦର ସାମୁଦ୍ରିକ ଥାନା ଅଞ୍ଚଳରେ ହିଉଜ ଇଣ୍ଡିଆ ନାମକ ଏକ ଅନଲାଇନ ଆପ ମାଧ୍ୟମରେ ୨୦ କୋଟିରୁ ଊର୍ଦ୍ଧ୍ବ ଅର୍ଥ ଠକେଇ ହୋଇଥିବା ନେଇ ଅନନ୍ତପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଅଞ୍ଚଳର ଅନେକ ମହିଳା ନିଜର ସୁଭଦ୍ରା ଟଙ୍କା ଏହି ଆପ୍‌ରେ ଲଗାଇ ସର୍ବସ୍ବାନ୍ତ ହୋଇଥିବା ଜଣାପଡ଼ିଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ଗତ ୫ ମାସ ତଳେ କଟକରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି କଟକରୁ ଜନୈକ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମାଧ୍ୟମରେ ଏହି ଆପ୍‌କୁ ବାଲିକୁଦା ଅଞ୍ଚଳରେ ଲୋକାଭିମୁଖୀ କରିବା ସହ ଗ୍ରାମର କେତେକ ମହିଳା ଓ ଯୁବପିଢ଼ିଙ୍କୁ ଏଥିରେ ସାମିଲ କରିଥିଲେ। ଏହି ଆପ୍‌ରେ ୫,୫୦୦ ଓ ୧୬,୫୦୦ ଟଙ୍କା ବିନିଯୋଗ କରି ଦିନକୁ ୨୦୦ ଓ ୬୧୫ ଟଙ୍କା ଆୟ କରି ଲାଭବାନ ହୋଇଥିବା ଖବର ପ୍ରଚାରିତ ହେବା ପରେ ଅନେକ ଲୋକ ଆପ୍‌ ପ୍ରତି ଆକର୍ଷିତ ହୋଇ ଅଧିକରୁ ଅଧିକ ଟଙ୍କା ନିବେଶ କରିଥିଲେ। ସମୟ କ୍ରମେ ଉକ୍ତ ଅଞ୍ଚଳରୁ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ମହିଳା ଓ ଯୁବପିଢ଼ି ଏହି ଆପ୍‌କୁ ଆପଣାଇ ନେଇଥିଲେ।

ଅପରପକ୍ଷରେ ଜଣେ ଅନ୍ୟଜଣଙ୍କୁ ନିଜ ଆଇଡିରେ ଯୋଡ଼ିଲେ ୧୦,୫୦୦ ଟଙ୍କା ୱାଲେଟକୁ ଆସୁଥିଲା। ଅନେକ ମହିଳା ନିଜର ସୁଭଦ୍ରା ଟଙ୍କାକୁ ଏହି ଆପ୍‌ରେ ଲଗାଇଥିଲେ। ଏକ ସପ୍ତାହ ତଳେ ଏହି ଆପ୍‌ ଟଙ୍କା ଉଠାଣ ବ୍ୟବସ୍ଥା ବନ୍ଦ କରି ଦେଇଥିଲା। ଏପରିକି ଆପ୍‌କୁ ଉନ୍ନତମାନର କରାଯାଇ ଉଠାଣ ପ୍ରକ୍ରିୟାକୁ ଦୈନିକ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ପରେ ଆପ୍‌ରେ ୫,୫୦୦, ୧୬,୫୦୦, ୪୯,୦୦୦ ନିବେଶ କରିଥିବା ଲୋକମାନେ ୧,୬୫୦, ୪,୯୫୦, ଓ ୧୪,୫୦୦ ନିବେଶ କଲେ ଦୈନିକ ୱାଲେଟରେ ଥିବା ଟଙ୍କା ଉଠାଣ କରିପାରିବେ ବୋଲି ସୂଚନା ଦିଆଯାଇଥିଲା। ଫଳରେ ଅନେକ ଲୋକ ଏଥିରେ ଅର୍ଥ ବିନିଯୋଗ କରିବା ପରେ ଉକ୍ତ ଆପ୍‌କୁ ସମ୍ପୃକ୍ତ ସଂସ୍ଥା ପ୍ରତ୍ୟାହାର କରି ନେଇଥିଲା। ଯାହାକି ଅନନ୍ତପୁର ଏବଂ ବନ୍ଦର ଥାନା ଅଧୀନ ବିଭିନ୍ନ ଅଞ୍ଚଳରୁ ନିବେଶକାରୀଙ୍କ ପ୍ରାୟ ୨୦ କୋଟିର ଅର୍ଥ ଠକେଇ ହୋଇଥିବା ଜଣାପଡ଼ିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଓ ମହିଳା ଫାଣ୍ଡିରେ ଅଭିଯୋଗ କରିବା ସହ ସମ୍ପୃକ୍ତ ଠକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫାଣ୍ଡି ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏନେଇ ଫାଣ୍ଡି ଅଧିକାରୀ ଭାସତ ରଞ୍ଜନ ରାୟଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories