www.samajalive.in
Saturday, December 6, 2025
17.1 C
Bhubaneswar

ରାଜଘାଟରେ ପୁଣି ବଢୁଛି ସୁବର୍ଣ୍ଣରେଖା

ଭୁବନେଶ୍ବର: ଲଘୁଚାପ ବର୍ଷା ପ୍ରଭାବରେ ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲାର ତଳିଆ ଅଞ୍ଚଳ ଗାଁଗୁଡ଼ିକରେ ବନ୍ୟାପାଣି ପଶିଛି। ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ଉପରେ ରହିଥିବାବେଳେ ଆନନ୍ଦପୁରରେ ବିପଦ ସଙ୍କେତ ତଳକୁ ଖସିଛି। ଭଦ୍ରକ ଜିଲାର ଧାମନଗର ଏବଂ ଯାଜପୁର ଜିଲାର ଦଶରଥପୁର ଅଞ୍ଚଳରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ରହିଛି। ସୁବର୍ଣ୍ଣରେଖାରେ ବିପଦ ଟଳିନାହିଁ। ଜାମଶୋଳାଘାଟ ଓ ରାଜଘାଟରେ ବିପଦ ସଙ୍କେତ ଉପରେ ରହିଛି ସୁବର୍ଣ୍ଣରେଖା। ବ୍ରାହ୍ମଣୀ ଏବଂ ବଂଶଧାରା ବଢ଼ୁଛି। ସୁବର୍ଣ୍ଣରେଖା ଓ ବୈତରଣୀ ଜଳସ୍ତର ଆଜି ବିପଦ ସଙ୍କେତ ତଳକୁ ଖସିବାର ସମ୍ଭାବନା ଥିବାବେଳେ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା ବଢ଼ିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଣୀରେ ୩୦ମିଟର ଘାଇ ହୋଇଛି। ପାଣି କମିଲେ ମରାମତି ଆରମ୍ଭ ହେବ। ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀରେ ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ୧୮.୩୪ ମିଟରରେ ଜଳ ପ୍ରବାହିତ ହେଉଥିଲା। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ମିଟର ଥିବାବେଳେ ୩୬.୩୫ମିଟରରେ ପ୍ରବାହିତ ହେଉଛି।
ଉଭୟ ସ୍ଥାନରେ ବୈତରଣୀ ଖସୁଛି। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ୪୯.୧୬ମିଟର ଥିବାସ୍ଥଳେ ୫୦.୬୮ମିଟରରେ ଜଳ ନିଷ୍କାସିତ ହେଉଛି। ରାଜଘାଟରେ ବିପଦ ସଙ୍କେତ ୧୦.୩୩ମିଟର ଥିବାବେଳେ ୧୦.୫୫ ମିଟରରେ ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ ଏବଂ ବଂଶଧାରା ଜଳସ୍ତର ବଢ଼ୁଛି। ବ୍ରାହ୍ମଣୀ ଜେନାପୁରରେ ବିପଦ ସଙ୍କେତ ୨୩ମିଟର ଥିବାବେଳେ ୨୧.୪୫ମିଟରରେ ଜଳ ପ୍ରବାହିତ ହେଉଛି। ଇନ୍ଦୁପୁରରେ ବିପଦ ସଙ୍କେତ ୮.୨୩ମିଟର ରହିଛି ଏବଂ ୪.୯୮ମିଟରେ ବନ୍ୟାଜଳ ନିଷ୍କାସିତ ହେଉଛି। ବଂଶଧାରା କାଶିପୁରରେ ବିପଦ ସଙ୍କେତ ୫୪.୬୯ମିଟର ଥିବାବେଳେ ୫୨.୯୩ ମିଟରରେ ପ୍ରବାହିତ ହେଉଛି।
ହୀରାକୁଦରେ ୧୨ଟି ଫାଟକ ଖୋଲିଛି। ରାତି ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୧.୬୦ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଉପରମୁଣ୍ଡରୁ ୨ଲକ୍ଷ ୧୧ ହଜାର ୦୭୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୨୨ ହଜାର ୧୨୧ କ୍ୟୁସେକ୍ ୧୨ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲଗୁଡ଼ିକ ଦ୍ବାରା ନିଷ୍କାସିତ ହେଉଛି। ଏହି ସମୟରେ ମହାନଦୀର ମୁଣ୍ଡଳିରେ ୨ଲକ୍ଷ ୦୫ ହଜାର ୭୨୮ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳ ୨ଲକ୍ଷ ୬୨ ହଜାର କ୍ୟୁସେକ୍ ଏବଂ ଖଇରମାଳରେ ୩ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ତେବେ ମହାନଦୀରେ ବନ୍ୟା ଆସିବ ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ରଙ୍ଗୋଲିରେ ୯୩% ପାଣି ଭରିବାରୁ ଏହା ଉପରେ ନଜର ରଖାଯାଇଛି। ୩ଟି ଫାଟକ ଖୋଲା ଅଛି। ଜଳ ଭଣ୍ଡାରକୁ ୪,୯୦୭.୪୬କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୫,୩୮୦.୮୮କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଗତକାଲି ସୁବର୍ଣ୍ଣରେଖା ଅବବାହିକାରେ ୧୭.୬୩ମି.ମି. ବର୍ଷା ହୋଇଛି। ଅନ୍ୟ କେଉଁଠି ୧୦ମି.ମି.ରୁ ଅଧିକ ବର୍ଷା ହୋଇ ନଥିବାରୁ ବନ୍ୟା ସ୍ଥିତି ନାହିଁ। ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱର ଜିଲାର ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି। ବୈତରଣୀ ଯୋଗୁଁ ଯାଜପୁର, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲାର ଧାମନଗର ପ୍ରଭାବିତ ହୋଇଛି। ବୈତରଣୀ ନଦୀ ବନ୍ଧ ଉତେଇପୁର ନିକଟରେ ଘଳିଆ ପଡ଼ିଥିବାବେଳେ ମରାମତି ଚାଲିଛି। ଭଦ୍ରକରେ ବୈତରଣୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବାବେଳେ ଶାଖା ନଦୀ ଗେଙ୍ଗୁଟିରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଭଣ୍ଡାରିପୋଖରୀ ଷୋଳମପୁର ପଞ୍ଚାୟତର ଟିକିଲିଆ ପୋଲ ପାର୍ଶ୍ୱରେ ମାଟି ଧସିଛି। ସେପଟେ ଉପରମୁଣ୍ଡରେ ଲଗାଣ ବର୍ଷା ପରେ ମୟୂରଭଞ୍ଜ ଉଦଳାରେ ଥିବା କାଳ ଡ୍ୟାମ୍‌ର ଗୋଟିଏ ଫାଟକ ଖୋଲାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories