ସୁଆଣ୍ଡୋ: ଶ୍ରାବଣ ମାସରେ ବର୍ଷା ଅଭାବରୁ ଧାନବିଲରେ ଗୋରୁଗାଈ ଚରିଲେଣି । ଗହ୍ମା ପୂର୍ଣ୍ଣିମାକୁ ଚାଷୀର ଧାନ ବେଉଷଣ କାମ ସରି ଯାଇଥାଏ । ଏ ବର୍ଷ ବିଲକୁ ହଳ ଲଙ୍ଗଳ ବାହାରି ପାରିନାହିଁ । ଆଷାଢ ମାସରେ ନିଅଣ୍ଟିଆ ବର୍ଷା ହେଲା । ଶ୍ରାବଣ ମାସର ଆରମ୍ଭରୁ ଭଲ ବର୍ଷା ହେବାରୁ ଚାଷୀମାନେ ଧାନ ବୁଣାବୁଣି କରିବା ସହିତ ତଳି ପକାଇଥିଲେ । ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ଏବେ ପନ୍ଦର ଦିନ ହେଲାଣି ବର୍ଷା ଅଭାବରୁ ଧାନ ବେଉଷଣ କାମ ବନ୍ଦ ହୋଇଯାଇଛି । ଧାନ ତଳି ପାକଳ ହୋଇ ହଳଦିଆ ପଡି ଗଲେଣି । ସାକ୍ଷୀଗୋପାଳ ଶାଖା ଓ ଚନ୍ଦନ ପୁର ଶାଖା କେନାଲରେ ଠିକ୍ ସମୟରେ ଜଳଯୋଗାଣ କରାଗଲା ନାହିଁ ।
ସତ୍ୟବାଦୀର କୃଷି ବିଭାଗ ଓ ଜଳସମ୍ପଦ ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବା ଦ୍ରୁଷ୍ଟି ରୁ ଚାଷୀମାନେ ଜଳଯୋଗାଣ ନେଇ ହଇରାଣ ହରକତ ହେଉଛନ୍ତି ବୋଲି ଚାଷୀମାନେ ସଙ୍ଗଠନ ପକ୍ଷରୁ କ୍ରୁଷକନେତା ଗୋପୀନାଥ ମିଶ୍ର ପ୍ରମୁଖ କର୍ମକର୍ତ୍ତା ଅଭିଯୋଗ କରନ୍ତି। ଚାଷୀମାନେ ଦାବି କରିବାରୁ କେନାଲରେ ଯେତିକି ପାଣି ଛଡା ଯାଇଛି ତାହା ସମୁଦ୍ କୁ ଶଙ୍ଖେ ପରି ହେବ । ଉପରମୁଣ୍ଡରେ ନଳା ଖୋଲି ଲୋକମାନେ ପାଣି ନେଇଯାଉଥିବା ବେଳେ ତଳମୁଣ୍ଡରେ ଟୋପାଏ ପାଣି ମିଳୁନଥିବା ବିଷୟ ବିଜୟକୁମାର ଦାସ, ବିଶ୍ୱନାଥ ପରିଡା, ପୂର୍ଣ୍ଣଚନ୍ଦ୍ର ବେହେରା ଓ ସୁଦାମ ଚରଣ ଦାଶ ଓ ଦିବାକର ମହାପାତ୍ର ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ଅଣ ଜଳସେଚିତ ଜମି ଗୁଡିକ ପାଇଁ ମରୁଡିର ସମ୍ଭାବନା ସୃଷ୍ଟି ହୋଇଛି । ଯେତିକି ଜମିରେ ପାଣି ମାଡି ପାରିବାର ସୁବିଧା ରହିଛି ସେଥିପ୍ରତି ବଳଙ୍ଗା ଜଳସମ୍ପଦ ବିଭାଗ ଅଧିକାରୀ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।



