ସାକ୍ଷୀଗୋପାଳ : ରାଜ୍ୟ ସରକାରଙ୍କ ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମର ଉନ୍ନୟନ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନ ସୁଆଣ୍ଡୋ ପରିଦର୍ଶନ କରିବା ସମୟରେ ଏହି କାର୍ଯ୍ୟ ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଶେଷ କରିବା ନିମନ୍ତେ ଉପସ୍ଥିତ ଓଡିଶା ସେତୁ ନିର୍ମାଣ ନିଗମ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଧାର୍ଯ୍ୟ ଅବଧି ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ସୁଆଣ୍ଡୋର ଉନ୍ନୟନ ନିମନ୍ତେ ପ୍ରଥମେ ୧୨.୨୭କୋଟି ଟଙ୍କା ଅନୁଦାନ ମିଳିଥିଲା। ବର୍ତ୍ତମାନ ଅନୁଦାନର ପରିମାଣ ୨୪କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ଖଣ୍ଡେଲାଇଟ ପଥରରେ ନିର୍ମାଣ ହେଉଛି । ପାରମ୍ପରିକ ପଦ୍ଧତିରେ ବାଲି, ଚୂନ, ବେଲ, ଗୁଡ଼, କେନ୍ଦୁ, ହରିଡ଼ା, କରଡ଼ ଛାଲି, ମହୁ, ପାଚିଲା କଦଳୀ, ଦହି, ଚୁଡ଼ା ଓ ବିରି ମିଶ୍ରଣରୁ ପ୍ରସ୍ତୁତ ଅଠାରେ ପଥର ଯୋଡ଼େଇ ଚାଲିଛି। ମନ୍ଦିର ଚତୁର୍ପାର୍ଶ୍ୱରେ ପାର୍ଶ୍ୱ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ନବଗ୍ରହ ପ୍ରତିମୂର୍ତ୍ତି ଓ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ ଚାଲିଛି। ଏବେ ସୁଦ୍ଧା ମନ୍ଦିରର ପ୍ରାୟ ଅଧାଅଧି ନିର୍ମାଣ ଶେଷ ହୋଇଛି।
ଉତ୍କଳମଣିଙ୍କ ଷଠୀଘରର ମାଟିକାନ୍ଥ ତିଆରି ଚାଲିଅଛି। ମାଟି, କୁଟା, ଝୋଟ, କୁଣ୍ଡା ଓ ଗୋବର ଏକାଠି କରାଯାଇ ୧୦ ଦିନ ପର୍ଯ୍ୟନ୍ତ ପାଣିରେ ବତୁରାଇ ରଖା ଯାଉଅଛି। ମାଟିକାନ୍ଥରେ ଚିକେନ ମେସ ଜାଲି ଦିଆଯାଇଛି । ଏହି ମାଟିକୁ କାନ୍ଥ ଓ ଚିକେନ ମେସ ଜାଲି ଉପରେ ୬ ଥାକିଆ ଲିପା ଯାଉଅଛି । ଦକ୍ଷିଣ ଆଟୁ ଓ ଭାଡ଼ିଆ ଆଟୁ ତିଆରି ଚାଲିଅଛି।
ଘରର ବାଉଁଶ ଓ କାମେଡା ବେତେରା ଉପରେ ବାଇସନ ବୋର୍ଡ ଦିଆଯାଇଛି । ଏହି ବାଇସନ ବୋର୍ଡ ଉପରେ ଚାଳ ଛପର ହୋଇଛି। କୋଠି, ଧାନ ଅମାର, ଢ଼ିଙ୍କିଶାଳ ମଧ୍ୟ ତିଆରି ଚାଲିଛି। ବାରିପଟେ ଆମ୍ବ, ପଣସ, ଗୁଆ ଓ ନଡ଼ିଆ ଗଛ ଲଗାଯିବ।
ମାର୍କେଟ କମ୍ପ୍ଲେକ୍ସ, ଟିକେଟ ଘର, ପ୍ରମୋଦ ଉଦ୍ୟାନ, ଶିଶୁ ପ୍ରମୋଦ ଉଦ୍ୟାନ, ସଂଗ୍ରହାଳୟ, ପାର୍କିଂ, ଶୌଚାଳୟ ଓ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ନିର୍ମାଣ ଚାଲିଛି। ଏହି ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳରେ ରାଜ୍ୟର ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଭୁବନେଶ୍ୱରସ୍ଥିତ ପାତ୍ରପଡା ଠାରେ ଏହି ପ୍ରତିମୂର୍ତ୍ତି ନିର୍ମିତ ହେଉଛି। ଗ୍ରାମରେ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରାଯିବ।
ଅନ୍ୟପକ୍ଷରେ ସୁଆଣ୍ଡୋ ଠାରେ କେବଳ ପୁଷ୍କରିଣୀ ନିର୍ମାଣ ଶେଷ ହୋଇଛି। ସେହିପରି ପଟ୍ଟନାଇକିଆ ନିକଟରେ ସୂଚନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି।
ଗତ ଅକ୍ଟୋବର ମାସ ୯ ତାରିଖ ଦିନ ଗୋପବନ୍ଧୁ ଜୟନ୍ତୀ ଅବସରରେ ଫାଇଭ- ଟି ସଚିବ ଭି. କେ ପାଣ୍ଡିଆନ ସୁଆଣ୍ଡୋ ଗସ୍ତରେ ଆସିଥିଲେ। ସେହିଦିନ ସମାଜରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ସୁଆଣ୍ଡୋର ଉନ୍ନୟନ କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ ବୋଲି ଏକ ଖବର ପ୍ରକାଶ ପାଇଥିଲା। ଉପସ୍ଥିତ ଓଡିଶା ସେତୁ ନିର୍ମାଣ ନିଗମ ଅଧିକାରୀ ମାନଙ୍କୁ ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ କାର୍ଯ୍ୟ ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
(ଫଟୋ ଓ ତଥ୍ୟ : ଅଭିଷେକ ବେହେରା, ସାକ୍ଷୀଗୋପାଳ ପ୍ରତିନିଧି)
Comments are closed.