ନୂଆଦିଲ୍ଲୀ: ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ(ବିଏଚୟୁ) ପରିସରରେ ଜଣେ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ନାମ ଗୌରବ ସିଂହ। ସେ ବିଏଚୟୁରେ ଏମସିଏରେ ଅଧ୍ୟୟନ କରିବା ସହ ବିଶ୍ଵବିଦ୍ୟାଳୟର ଲାଲ ବାହାଦୁର ଶାସ୍ତ୍ରୀ ହଷ୍ଟେଲରେ ରହୁଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀସ୍ଥିତ ବିଏଚୟୁ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଗୌରବ ବିର୍ଲା ହଷ୍ଟେଲ ସମ୍ମୁଖରେ ଛିଡ଼ା ହୋଇ ନିଜ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ କେତେଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ତୁରନ୍ତ ଗୌରବଙ୍କୁ ବିଏଚୟୁର ଟ୍ରମା ସେଣ୍ଟରକୁ ନିଆଯାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ଶରୀରରୁ ବହୁ ପରିମାଣରେ ରକ୍ତସ୍ରାବ ହୋଇଯାଇଥିବାରୁ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଗୌରବଙ୍କ ମୃତ୍ୟୁ ପରେ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହେବା ସହ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବ ଶତ୍ରୁତା ଯୋଗୁ ଏହି ଘଟଣା ଘଟିଥିବା ପୁଲିସ କହିଛି।



