ବିଦ୍ୟାଳୟ ଛାତରୁ ଗଳୁଥିଲା ପାଣି ; ଶ୍ରେଣୀରେ ଗୋଡ଼ ଖସି ଛାତ୍ରୀ ମୃତ
ସୁନାବେଡା : କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ସାଡାମ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଶ୍ରେଣୀ କକ୍ଷରେ ଗୋଡ଼ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଲେ ସାଡାମ ନିକଟ କେନାଲଗୁଡା ଗ୍ରାମର ନିଲମ୍ବର ଖରାଙ୍କ ୯ ବର୍ଷର ଝିଅ ଏଲିମା ଖରା। ସେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ ଥିଲେ। ସବୁଦିନ ପରି ସାଙ୍ଗସାଥୀଙ୍କ ସହ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିଲେ। ଏଲିମା ଜାଣି ନ ଥିଲେ ଯେ ବୁଧବାର ହେଉଛି ତାଙ୍କର ଶେଷଦିନ। ଦିନ ୧ଟା ସମୟରେ ମଧ୍ୟାହ୍ନଭୋଜନ ସାରି ବିଦ୍ୟାଳୟ କକ୍ଷକୁ ପ୍ରବେଶ କରୁଥିଲେ। ସେହି ସମୟରେ ଗୋଡ଼ ଖସି ସେ ତଳେ କଚାଡି ହୋଇ ପଡ଼ିଯାଇଥିଲେ। ମୁଣ୍ଡର ପଛପଟ ଜୋରରେ ଆଘାତ ଲାଗି ରକ୍ତ ବୋହିଥିଲା। ସେଠାରେ ତାଙ୍କର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ଘଟଣା ଦିନ ପ୍ରଧାନଶିକ୍ଷକ ବିଦ୍ୟାଳୟ କାର୍ଯ୍ୟରେ ସେମିଳିଗୁଡା ଚାଲି ଯାଇଥିଲେ ବୋଲି କୁହାଯାଉଛି। ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ରହିଛନ୍ତି। ପ୍ରଧାନଶିକ୍ଷକ ବିଦ୍ୟାଳୟ କାର୍ଯ୍ୟରେ ସେମିଳିଗୁଡା ଯାଇଥିଲା ବେଳେ ଦୁଇ ଶିକ୍ଷକ କଣ କରୁଥିଲେ ବୋଲି ପ୍ରଶ୍ନ ଉଠିଛି। ବିଦ୍ୟାଳୟରେ ବର୍ଷା ଦିନେ ପାଣି ଗଳୁଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସେହି ପାଣିରେ ଗୋଡ ଖସି ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା
ଅଭିଯୋଗ ହେଉଛି। ଖବର ପାଇ ଡବ୍ଲ୍ୟୁଇଓ ସୁନିଲ କୁମାର ତାଣ୍ଡି ଗୁରୁବାର ସକାଳେ ବିଦ୍ୟାଳୟରେ ପହଞ୍ଚି ସ୍ଥାନୀୟ ଜନସାଧାରଣ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଥିବା ଶିକ୍ଷକଙ୍କୁ ଘଟଣା କିପରି ଘଟିଲା ସେ ଉପରେ ପଚାରି ବୁଝିଥିଲେ। ଏନେଇ ଉପସ୍ଥିତ ଶିକ୍ଷକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡବ୍ଲ୍ୟୁଇଓ ଶ୍ରୀ ତାଣ୍ଡିଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ହସ୍ତାନ୍ତର କରାଯିବ। ଜିଲାପାଳ ଏନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ଉକ୍ତ ବିଦ୍ୟାଳୟର ଛାତକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଉକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Comments are closed.