୩୩ ମାସର ଇପିଏଫ ଟଙ୍କା ଜମା ହୋଇ ନଥିବା ନେଇ ସଫେଇ କର୍ମଚାରୀଙ୍କ ଧାରଣା

ଗୋପାଳପୁର: ଗୋପାଳପୁର ଏନ୍ଏସିରେ ନିୟୋଜିତ ରହିଥିବା ଠିକା ସଫେଇ କର୍ମଚାରୀମାନେ ବକେୟା ରହିଥିବା ଇପିଏଫ ଟଙ୍କା ଜମା କରାଯାଉନଥିବା ପ୍ରତିବାଦରେ ଗତ ୩ ଦିନ ହେଲା କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଆଜି ଏନ୍ଏସି କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଗୋପାଳପୁର ଏନ୍ଏସିରେ ଦୀର୍ଘ ବର୍ଷ ଧରି ୪୧ ଜଣ ଠିକା ସଫେଇ କର୍ମଚାରୀ ଭାବେ କାର୍ୟ୍ୟ କରି ଆସୁଥିବା ବେଳେ ଗତ ୨୦୧୭ ଠାରୁ ୨୦୨୦ ପର୍ୟ୍ୟନ୍ତ ଉକ୍ତ ସଫେଇ କର୍ମଚାରୀମାନଙ୍କ ୩୪ ମାସର ଇପିଏଫ୍ ଟଙ୍କା ବନ୍ଧା ଯାଇ ନ ଥିବା ଅଭିଯୋଗ କରି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପ ଜିଲ୍ଲାପାଳ ତଥା ପ୍ରଶାସକ ଭି. କୀର୍ତ୍ତି ଭାସନଙ୍କୁ ଗତ କିଛି ମାସ ତଳେ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗତ ତିନି ଦିନ ହେଲା କର୍ମଚାରୀମାନେ କାର୍ୟ୍ୟବନ୍ଦ କରି ଆନ୍ଦୋଳନ ଚାଲୁ ରଖିଥିଲେ। ସଫେଇ କର୍ମଚାରୀମାନେ ଧାରଣାରେ ବସିବା ଜାଣିବା ପରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ତଥା ଏନ୍ଏସି ପ୍ରଶାସକ ଭି. କୀର୍ତ୍ତି ଭାସନ୍ ଏନ୍ଏସିରେ ପହଞ୍ଚି ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରି ଥିଲେ। ଏହା ସହ ଆସନ୍ତା ତିନି ଦିନ ମଧ୍ୟରେ ସଫେଇ କର୍ମଚାରୀଙ୍କ ସମସ୍ତଙ୍କ ବକେୟା ରହିଥିବା ଇପିଏଫ ଟଙ୍କା ଜମା କରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ ସେମାନଙ୍କ ଆନ୍ଦୋଳନରୁ ଓହରିଥିଲେ। ସାଧାରଣରେ ଚର୍ଚ୍ଚା ହେଉଛି ଯେ ଗୋଟିଏ ପଟେ ସରକାର ମସସ୍ତ ସଫେଇ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଘୋଷଣା ସହ ସମ୍ବର୍ଦ୍ଧନା କରୁଥିବା ବେଳେ ଅନ୍ୟ ପଟେ ଉକ୍ତ ଯୋଦ୍ଧାମାନଙ୍କ ସଞ୍ଚିତ ଇପିଏଫ୍ ଟଙ୍କା ପାଣ୍ଠିରେ ଜମା ହେଉନଥିବା ହାସ୍ୟାସ୍ପଦ ପାଲଟିଛି।

ସୂଚନାଯୋଗ୍ୟ ଯେ ଗତ ୨୦୧୭ରୁ ୨୦୨୦ ପର୍ୟ୍ୟନ୍ତ ସଫେଇ କାର୍ୟ୍ୟ ଠିକା ନେଇଥିବା ଭୁବନେଶ୍ୱର ସ୍ଥିତ ଉତ୍କଳ ଫେଶିଲିଟିସ ପ୍ରାଇଭେଟ୍ କମ୍ପାନୀ ତରଫରୁ ୨୬ ମାସର ଓ କରୋନା ସମୟରେ ଏନ୍ଏସି ପକ୍ଷରୁ ୮ ମାସର ଟଙ୍କା ଇପିଏଫ୍ ପାଣ୍ଠିରେ ଜମା ହୋଇନଥିବା କହିଛନ୍ତି ସଫେଇ କର୍ମଚାରୀ। ଏ ନେଇ ଉପଜିଲ୍ଲାପାଳ ତଥା ପ୍ରଶାସକ ଭି. କୀର୍ତ୍ତି ଭାସନଙ୍କ ଯୋଗାଯୋଗ ବେଳେ ସେ କହିଥିଲେ ଯେ ବୁଧବାର ଲିଖିତ ଅଭିଯୋଗ କରିଥିଲେ। ୩ ଦିନ ମଧ୍ୟରେ ସମାଧାନ କରିବା ସହ ଉତ୍କଳ ଫେଶିଲିଟିସର ନିର୍ଦ୍ଦେଶକକୁ ତୁରନ୍ତ ସମାଧାନ କରିବା ପାଇଁ ଚିଠି କରି ଥିବା କହିଛନ୍ତି। ଆଗାମୀ ୩ ଦିନ ପରେ କର୍ମଚାରୀଙ୍କ ବକେୟା ଇପିଏଫ ଟଙ୍କା ଆକାଉଣ୍ଟରେ ଡିପୋଜିଟ କରାନଗଲେ କର୍ମଚାରୀମାନେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ସଫେଇ କାମ ବନ୍ଦ ରଖିବେ ବୋଲି ସଫେଇ କର୍ମଚାରୀମାନେ ପ୍ରକାଶ କରିଛନ୍ତି।

Comments are closed.