www.samajalive.in
Sunday, December 14, 2025
19.1 C
Bhubaneswar

ସ୍ୱାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲାର ଅବଦାନ ଅନନ୍ୟ: ମନ୍ତ୍ରୀ ଜଗନ୍ନାଥ ସାରକା

ଫୁଲବାଣୀ:ଭାରତ ବର୍ଷର ସ୍ୱାଧୀନତା ଲୁହ ଓ ଲହୁର ଇତିହାସ, ତ୍ୟାଗ ଓ ବଳିଦାନର ଇତିହାସ । ଦେଶର ଅନେକ ସଂଗ୍ରାମୀଙ୍କୁ ଆତ୍ମବିସର୍ଜନ କରିବାକୁ ପଡ଼ିଛି । ଯେଉଁ ମହାନ ଦେଶଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ତିଳ ତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଛନ୍ତି, ସେହି ମନିଷୀମାନଙ୍କୁ ମୁଁ ପ୍ରଣାମ ଜଣାଉଛି ବୋଲି ଓଡ଼ିଶାର ମାନ୍ୟବର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଜିଲ୍ଲାସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରକାଶ କରିଛନ୍ତି।

ଫୁଲବାଣୀ ରିଜର୍ଭ ପୁଲିସ୍ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ମନ୍ତ୍ରୀ ସାରକା ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ୱାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲାର ଅବଦାନ ଅନନ୍ୟ ବୋଲି କହଛନ୍ତି। ଏହି ଜିଲାର କୃତି ସନ୍ତାନ ସ୍ୱାଧୀନତା ସଂଗ୍ରାମୀ ଶତୃଘ୍ନ ପ୍ରଧାନ ଏବଂ କୋରାପୁଟରେ ଜନ୍ମ ହୋଇ କନ୍ଧମାଳକୁ କର୍ମଭୂମୀ ଭାବେ ବାଛିନେଇଥିବା ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ ପ୍ରମୁଖ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରି ଏମାଟିକୁ ଗୌରାବନ୍ୱିତ କରିଛନ୍ତି । କନ୍ଧମାଳରେ ଇଂରେଜମାନଙ୍କ ବିରୁଦ୍ଧରେ କନ୍ଧ ବିଦ୍ରୋହ ହୋଇଥିଲା । ଶାନ୍ତିପ୍ରିୟ କନ୍ଧମାନେ ମାତୃଭୂମିକୁ ଇଂରେଜ କବଳରୁ ମୁକ୍ତି କରିବା ପାଇଁ କନ୍ଧମେଳି କରିଥିଲେ । ଯେଉଁ ଆଦିବାସୀମାନେ କନ୍ଧମେଳିର ନେତୃତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରେ ଭଞ୍ଜ ମଳିକ, ବଉରା ମଳିକ, ବର୍ଦ୍ଦିଆ ନାୟକ, ବାର୍ଲା ମଳିକ, ନବଘନ କହଁର, ଚକରା ବିଶୋଇ, ନନ୍ଦ ବିଶୋଇ, ଗୁନିଆ ନାୟକ, ଟିଙ୍କ ମଳିକ ଏବଂ ନାଗସେନ କହଁର ପ୍ରମୁଖ ଥିଲେ। ଏମାନେ ଆମର ଚିରସ୍ମରଣୀୟ ଏବଂ ନମସ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।

- Advertisement -

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମହିଳା ସଶକ୍ତି ପାଇଁ ମିଶନ ଶକ୍ତି, ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ, ବିଜୁ ପକ୍କାଘର ଯୋଜନା, ବସ୍ତି ଉନ୍ନତିକରଣ କାର୍ଯ୍ୟକ୍ରମ, ମୋ ସ୍କୁଲ ଅଭିଯାନ, କୃଷକ ଓଡ଼ିଶା ଓ ଜାଗା ମିଶନ, ସଘନ ବନୀକରଣ, ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ, ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା, ଖାଦ୍ୟ ପ୍ରକ୍ରୀୟାକରଣ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଆମ ରାଜ୍ୟର ସାମଗ୍ରିକ ବିକାଶର ଚିତ୍ର ସର୍ବଭାରତୀୟ ସ୍ତରରେ ଗର୍ବ ଓ ଗୌରବ ଆଣିଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗର ଶୈକ୍ଷିକ, ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ଆମ ସରକାର ସର୍ବଦା ଯତ୍ନଶୀଳ। ସେହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଲାଭ ନିମନ୍ତେ ଅନ୍ୱେଷା ଯୋଜନା କାର୍ଯକାରୀ ହେଉଛି । ଓଡ଼ିଶା ମାଟିର ଝିଅ, ଜଣେ ଜନଜାତି ଝିଅ, ଭାରତ ବର୍ଷର ସର୍ବାଙ୍ଗ ସାମ୍ବଧାନିକ ପଦବୀରେ ଆଜି ଅଧିଷ୍ଠିତ। ଏହା ଆମପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି।

ଅଭିବାଦନ ମଞ୍ଝରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲାପାଳ ପାଟିଲ୍ ଆଶିଷ ଇଶ୍ୱର ଏବଂ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ୍ ଉପସ୍ଥିତ ଥିଲେ । ମଞ୍ଚ ନିକଟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଜିଲା ପରିଷଦ ଉପଧ୍ୟକ୍ଷା ସାଧବାଣୀ ନାୟକ, ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସଶ୍ମିତା କହଁର, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପ-ଜିଲାପାଳ ଶେଷଦେବ ମିଶ୍ର, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ, ବିଡିଓ ଶାନ୍ତନୁ କୁମାର ନାୟକ, ତହସିଲଦାର୍ ଦୀନମଣି ନାୟକଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ସର୍ବୋପରି କୋଭିଡ୍ ଯୋଦ୍ଧାମାନେ ଯୋଗଦେଇଥିଲେ।
ଉତ୍ସବରେ ପୁଲିସ୍ ବାହିନୀର ଦୁଇଟି ଦଳ ଏବଂ ପୁଲିସ୍ ବ୍ୟାଣ୍ଡ ବାହିନୀର ଗୋଟିଏ ଦଳ ଅଂଶ ଗ୍ରହଣ କରିଥିଲେ। ରିଜର୍ଭ ପୁଲିସ ଇନ୍ସପେକ୍ଟର୍ ଧର୍ମେନ୍ଦ୍ର ପ୍ରଧାନ ଏବଂ ସର୍ଜେଣ୍ଟ ସରୋଜ କୁମାର ବେହେରା ଯଥାକ୍ରମେ ପରେଡ୍ କମାଣ୍ଡର ଓ ସହକାରୀ ପରେଡ୍ କମାଣ୍ଡରଭାବେ ପ୍ୟାରେଡ୍ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ପରେ ମନ୍ତୀ ସହରର ସର୍ବପୂରାତନ ବିଦ୍ୟାଳୟ ଏଜେଓ ଉଚ୍ଚ ବିଦ୍ୟାଳୟକୁ ଗସ୍ତକରି ୫-ଟି ଜରିଆରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଦେଖିବା ସହିତ ବିଦ୍ୟାଳୟର ଉନ୍ନତିକରଣ ଉପରେ ପ୍ରଧାନ ଶିକ୍ଷକ ଓ ଅନ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ନାରାୟଣୀ ମନ୍ଦିର ରାସ୍ତାରେ ଥିବା ଅନ୍ୱେଷା ହଷ୍ଟେଲ୍ ଯାଇ ସେଠାରେ ଅନ୍ତେବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ବାଳିକା ହାଇସ୍କୁଲ, ବାଲିଗୁଡ଼ା ସ୍ଥିତ ବଡଗାଁ ହାଇସ୍କୁଲ ଓ ବାଟାଗୁଡ଼ା ବିଦ୍ୟାଳୟ ଗସ୍ତକରି ସେଠାରେ ଥିବା ଅନ୍ତେବାସୀ ମାନଙ୍କ ସହିତ ବିିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଜିଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଓ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସାମିଲ୍ ହୋଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories