‘ଆଇଏନ୍‍ଆର୍‍ଏସ୍‍ଏସ୍‍-୧ଆଇ’ କକ୍ଷପଥରେ ସ୍ଥାପିତ

0

ଶ୍ରୀହରିକୋଟା : ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଗୁରୁବାର ଆଉ ଏକ ଗୁରୁତ୍ୱପୁର୍ଣ୍ଣ ସଫଳତା ହାସଲ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହାର ନୂତନ ଦିଗନିର୍ଣ୍ଣୟକାରୀ ଉପଗ୍ରହ ‘ଆଇଆର୍‍ଏନ୍‍ଏସ୍‍ଏସ୍‍-୧ଆଇ’କୁ ସଫଳତାର ସହିତ ପୃଥିବୀର କକ୍ଷ ପଥରେ ସ୍ଥାପନ କରିଛି। ପିଏସ୍‍ଏଲ୍‍ଭି-ସି୪୧ ମହାକାଶ ଯାନ ଏହି ଉପଗ୍ରହଟିକୁ ନେଇ ପ୍ରାତଃ ୪ଟା୦୪ ମିନିଟ୍‍ରେ ଶ୍ରୀହରିକୋଟାସ୍ଥିତ ସତିଶ ଧାବନ୍‍ ମହାକାଶ କେନ୍ଦ୍ରଠାରୁ ମହାକାଶ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା। ମାତ୍ର ୧୯ ମିନିଟ୍‍ ମଧ୍ୟରେ ଏହା ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହିତ ସ୍ଥାପନ କରିଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାଦ୍ୱାରା ଦେଶର ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।
ଇସ୍ରୋ ପକ୍ଷରୁ ପ୍ରେରିତ ୭ଟି ଦିଗନିର୍ଣ୍ଣୟକାରୀ ଉପଗ୍ରହ ମଧ୍ୟରୁ ସର୍ବପ୍ରଥମ ଉପଗ୍ରହ ‘ଆଇଆର୍‍ଏନ୍‍ଏସ୍‍ଏସ୍‍-୧ଏ’ ସ୍ଥାନରେ ‘ଆଇଆର୍‍ଏନ୍‍ଏସ୍‍ଏସ୍‍-୧ଆଇ’କୁ ପ୍ରତିସ୍ଥାପନ କରାଯାଇଥିବା ଶିବନ୍‍ ସୂଚନା ଦେଇଛନ୍ତି। ‘ଆଇଆର୍‍ଏନ୍‍ଏସ୍‍ଏସ୍‍-୧ଆଇ’ର କାର୍ଯ୍ୟକାଳ ୧୦ ବର୍ଷ ହୋଇଥିବା ବେଳେ ଏହା ଆଗାମୀ ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। କୌଣସି ଉପଗ୍ରହକୁ ପ୍ରତିସ୍ଥାପନ କରିବାରେ ଏହା ଇସ୍ରୋର ଦ୍ୱିତୀୟ ସଫଳତା। ୨୦୧୭ ଅଗଷ୍ଟରେ ପିଏସ୍‍ଏଲ୍‍ଭି ଦ୍ୱାରା ‘ଆଇଆର୍‍ଏନ୍‍ଏସ୍‍ଏସ୍‍-୧ଏଚ୍‍’କୁ କକ୍ଷପଥରେ ସ୍ଥାପନ ଉଦ୍ୟମ ବିଫଳ ହୋଇଥିଲା। ଉପଗ୍ରହଟିର ଉତ୍ତରରୋଧୀ ଆବରଣ ମହାକାଶଯାନଠାରୁ ପୃଥକ୍‍ ହୋଇ ନ ପାରିବା କାରଣରୁ ଏହି ଅଭିଯାନ ବିଫଳ ହୋଇଥିଲା। ଜିଏସ୍‍ଏଲ୍‍ଭି ଏମ୍‍କେ-୨ ମହାକାଶଯାନ ଦ୍ୱାରା ଜିସାଟ୍‍-୬ଏକୁ କକ୍ଷପଥରେ ପହଞ୍ଚାଇବାର ଠିକ୍‍ ଦୁଇ ସପ୍ତାହ ପରେ ଇସ୍ରୋକୁ ଏହି ସଫଳତା ମିଳିଛି। ଅବଶ୍ୟ ଜିସାଟ୍‍-୬ଏ କକ୍ଷପଥରେ ସ୍ଥାପିତ ହେବାର ଦୁଇ ଦିନ ପରେ ଏହାଠାରୁ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହି ଉପଗ୍ରହଗୁଡିକ ୧,୪୨୦ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ଭାରତୀୟ ଉପଗ୍ରହ ଦିଗନିର୍ଣ୍ଣୟକାରୀ ବ୍ୟବସ୍ଥା ‘ନାଭ୍‍ଆଇସି’ର ଅଂଶବିଶେଷ। ‘ନାଭ୍‍ଆଇସି’ର ମୋଟ ୯ଟି ଉପଗ୍ରହ ମଧ୍ୟରୁ ୭ଟି କକ୍ଷ ପଥରେ ସ୍ଥାପିତ ହୋଇସାରିଛି। ଅନ୍ୟ ଦୁଇଟି ଉପଗ୍ରହକୁ ପ୍ରତିସ୍ଥାପନ କରାଯାଇଛି। ଦିଗନିର୍ଣ୍ଣୟକାରୀ ଉପଗ୍ରହଗୁଡିକ ଭାରତର ନିଜସ୍ୱ ଜିଏସ୍‍ପି। ବସ୍ତୁ ତଥା ଲୋକଙ୍କ ସ୍ଥିତି, ଗତି ଏବଂ ସମୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ଏହି ଉପଗ୍ରହର କାର୍ଯ୍ୟ। ବେଙ୍ଗାଲୁରୁସ୍ଥିତ ଆଲ୍‍ଫା ଡିଜାଇନ୍‍ ଟେକ୍ନୋଲୋଜି ଲିମିଟେଡ୍‍ର ନେତୃତ୍ୱରେ ୬ଟି ଭାରତୀୟ କମ୍ପାନୀ ଦ୍ୱାରା ଏହି ଉପଗ୍ରହଗୁଡିକ ନିର୍ମିତ। ଏହି ଉପଗ୍ରହକୁ ବିଶେଷକରି ବେସାମରିକ ଏବଂ ସାମରିକ ତଥା ନିରାପତ୍ତା ଉଦ୍ଦେଶ୍ୟରେ ସୀମିତ ଉପଯୋଗ କରାଯାଇପାରିବ।

Leave A Reply