ଆଜିଠୁ ଜେଇଇ ମେନ୍‍ ଅନ୍‍ଲାଇନ୍‍ ; ୮ଟି ସହରରେ ୪୦ଟି କେନ୍ଦ୍ର

0

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜେଇଇ ମେନ୍‍ ଅନ୍‍ଲାଇନ୍‍ ପରୀକ୍ଷା ଏପ୍ରିଲ୍‍ ୧୫ ଓ ୧୬ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବ। ଜେଇଇ ମେନ୍‍ ଅନ୍‍ଲାଇନ୍‍ କେବଳ ପେପର୍‍ ୧(ବି.ଇ./ବି.ଟେକ୍‍.) ପାଇଁ କରାଯିବ। ସମଗ୍ର ଦେଶରେ ୨୫୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଓଡ଼ିଶାର ୮ଟି ସହରରେ ୪୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ହୋଇଛି। ଚଳିତ ବର୍ଷ ଓଡ଼ିଶାରୁ ପ୍ରାୟ ୭,୫୦୦ ଛାତ୍ରଛାତ୍ରୀ ଜେଇଇ ମେନ୍‍ ଅନ୍‍ଲାଇନ୍‍ ପରୀକ୍ଷା ଦେବେ। ଏହି ପରୀକ୍ଷା ପରିଚାଳନା ପାଇଁ ସିବିଏସ୍‍ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଜେଇଇ ମେନ୍‍ ଅନ୍‍ଲାଇନ୍‍ ପରୀକ୍ଷା ଆସନ୍ତାକାଲି ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨.୩୦ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୨ରୁ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ସକାଳ ୭ଟା ସୁଦ୍ଧା ରିପୋର୍ଟିଂ କରିବାକୁ ହେବ। ସକାଳ ୯ଟା ସୁଦ୍ଧା ସେମାନଙ୍କୁ ପରୀକ୍ଷା ହଲ୍‍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏହାପରେ ସିଫ୍ଟ ଅନୁଯାୟୀ ପେପର୍‍ ୧(ବି.ଇ/ବି.ଟେକ୍‍) ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ଶାସ୍ତ୍ରରୁ ଅବ୍‍ଜେକ୍‍ଟିଭ୍‍ ଟାଇପ୍‍ ପ୍ରଶ୍ନ ପଚରାଯିବ।
ଜେଇଇ ମେନ୍‍ ଅନ୍‍ଲାଇନ ପାଇଁ ସିବିଏସ୍‍ଇ ପକ୍ଷରୁ ପ୍ରସ୍ତୁତ ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯିବ। ପରୀକ୍ଷା ହଲ୍‍କୁ ଛାତ୍ରଛାତ୍ରୀ କଲମ କିମ୍ବା ପେନ୍‍ସିଲ୍‍ ନେଇପାରିବେ ନାହିଁ । ସିବିଏସ୍‍ଇ କର୍ତ୍ତୃପକ୍ଷ ସେମାନଙ୍କୁ ଏସବୁ ଯୋଗାଇ ଦେବେ। ସେହିପରି ଛାତ୍ରଛାତ୍ରୀ ଘଣ୍ଟା ମଧ୍ୟ ପିନ୍ଧି ପାରିବେ ନାହିଁ କି ସାଙ୍ଗରେ ମୋବାଇଲ୍‍ ଫୋନ୍‍ ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ ଉପକରଣ ନେଇପାରିବେ ନାହିଁ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ ସିବିଏସ୍‍ଇ ପକ୍ଷରୁ ଜାରି ନୂଆ ନିୟମାବଳୀରେ ଏହା ଉଲ୍ଲେଖ କରାଯାଇଛି। ପରୀକ୍ଷା ହଲ୍‍ରେ ୩୦ମିନିଟ୍‍ ପୂର୍ବରୁ ପହଞ୍ଚିବାକୁ ହେବ ଏବଂ ଏହାପରେ ପରୀକ୍ଷା କେନ୍ଦ୍ରର ଫାଟକ ବନ୍ଦ କରିଦିଆଯିବ। ହଲ୍‍କୁ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ। ପରୀକ୍ଷା କେନ୍ଦ୍ରରେ ତ୍ରି-ସ୍ତରୀୟ ସ୍କ୍ୱାଡ୍‍ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ ବୋଲି ସୂଚନା ଦିଆଯାଇଛି।

Leave A Reply