ଜରାନିବାସକୁ ଦୁଇ କୋଟିର ଜମି ଦାନ

0

କେନ୍ଦ୍ରାପଡା : ଆଜିର ଦିନରେ ସାମାନ୍ୟ ଟଙ୍କା ପାଇଁ ଭାଇ-ଭାଇ, ବାପ-ପୁଅ ତଥା ଘର-ପରିବାର ଭିତରେ ଜଘନ୍ୟକାଣ୍ଡ ଘଟୁଛି; କିନ୍ତୁ ଏପରି ସମୟରେ ସମାଜରେ ଏଭଳି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କ ତ୍ୟାଗ ଅନ୍ୟମାନଙ୍କ ଲାଗି ପାଲଟିଛି ଉତ୍କୃଷ୍ଟ ଉଦାହରଣ। ଏଭଳି ଉଦାହରଣ ସୃଷ୍ଟିକାରୀ ଜଣେ ମହୀୟସୀ ମହିଳା ହେଉଛନ୍ତି କେନ୍ଦ୍ରାପଡ଼ା ସହର ଚାଟରାପାଟଣା ଗ୍ରାମର ରାଧାରାଣୀ ସାହୁ। ସେ ଦାନ ଦେଇଛନ୍ତି ୨ କୋଟି ଟଙ୍କାର ଭୂ-ସମ୍ପତ୍ତି। ଏହା ପୁଣି ଜରାନିବାସ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କ ଉଦ୍ୟାନ ନିର୍ମାଣ ଲାଗି। ଜୀବନର ସାୟାହ୍ନରେ ନିଜ
ରକ୍ତଗତ ଆତ୍ମୀୟଙ୍କ ଅଣଦେଖା ଓ ଅଲୋଡ଼ା ହୋଇପଡି ଜରାନିବାସରେ ରହୁଥିବା ଅଭାଗା/ଅଭାଗିନୀ ବୃଦ୍ଧବୃଦ୍ଧାଙ୍କ ଲାଗି ରାଧାରାଣୀଙ୍କ ଏଭଳି ନିଃସ୍ୱାର୍ଥପର ଦାନ ଜିଲା ପ୍ରଶାସନ ଓ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଚାଟରାପାଟଣା ଗ୍ରାମର ସ୍ୱର୍ଗତଃ ଭିକାରୀ ସାହୁଙ୍କ ପତ୍ନୀ ରାଧାରାଣୀ ସାହୁ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପରିଚାଳିତ ଜରାନିବାସ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କ ପାର୍କ ପାଇଁ ସେ ଏହି ଭୂମିଦାନ କରିଛନ୍ତି। ସହରର ସବୁଠାରୁ ମୂଲ୍ୟବାନ ଅଞ୍ଚଳର ଏହି ଜମି ବଡହାଟ ମୌଜାରେ ରହିଛି। ରାଧାରାଣୀଙ୍କ ନାମରେ ଥିବା ଏହି ଏକ ଏକର ୫୫ ଡିସମିଲ ଭୂସମ୍ପତ୍ତିକୁ ଦାନପତ୍ର ଦଲିଲ ମାଧ୍ୟମରେ ଶନିବାର ସଂପୃକ୍ତ ବିଭାଗକୁ ସେ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ରାଧାରାଣୀ ଶନିବାର ଜମିଜମା ପଞ୍ଜିକରଣ କାର୍ଯ୍ୟାଳୟକୁ ଯାଇ କବଲା ଆଇ.ଡି ନଂ ୯୩୧୮୦୧୨୧୬ ମାଧ୍ୟମରେ ଏହି ଦଲିଲପତ୍ର କେନ୍ଦ୍ରାପଡା ଜିଲାପାଳଙ୍କ ନାମରେ କରାଇଛନ୍ତି। କେନ୍ଦ୍ରାପଡ଼ା ଜିଲାପାଳ ଜିଲାପାଳ ରେଘୁ ଜୀ ଏହାକୁ ଗ୍ରହଣ କରିଥିବା ଜଣାପଡିଛି। ସହରର ସବୁଠାରୁ ମୂଲ୍ୟବାନ ବଡହାଟ ମୌଜାର ଏହି ସମ୍ପତ୍ତିର ଆନୁମାନିନ ମୂଲ୍ୟ ୨କୋଟିରୁ ଅଧିକ ହେବ ବୋଲି ଜିଲା ରେଜିଷ୍ଟ୍ରାର ଶିବପ୍ରସାଦ ମଲିକ ସୂଚନା ଦେଇଛନ୍ତି। ଏହି ଦଲିଲପତ୍ର ସମୟରେ ଜିଲାପାଳଙ୍କ ସମେତ ରାଜସ୍ୱ ଅଧିକାରୀ ସୋନମ ଦାସ ଉପସ୍ଥିତ ଥିଲେ। ରାଧାରାଣୀ ସାହୁଙ୍କ ଏହି ମହତ କାର୍ଯର୍ର୍୍ୟ ପାଇଁ ଜିଲାପାଳ ଶ୍ରୀ ରେଘୁ ଜୀ ଧନ୍ୟବାଦ ଜଣାଇବା ସହ ସର୍ବସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave A Reply