ସେବାୟତମାନେ ଶୃଙ୍ଖଳିତ ହୁଅନ୍ତୁ: ମୁଖ୍ୟ ପ୍ରଶାସକ
ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତି ସମ୍ପାଦନରେ ସେବାୟତମାନେ ଶୃଙ୍ଖଳିତ ହୁଅନ୍ତୁ । ବିଶ୍ୱରେ ଶ୍ରୀମନ୍ଦିରର ଗରିମା ରଖିବାକୁ ସେମାନେ ଉଦ୍ୟମ କରିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୈକୁଣ୍ଠ ସେବା ସମ୍ମାନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେନା ଗତବର୍ଷ ରଥଯାତ୍ରା ପରି ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସମସ୍ତ ସେବାୟତଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟ ପ୍ରଶାସକ ଭାବେ ତାଙ୍କର ୧ବର୍ଷ କାର୍ଯ୍ୟକାଳ ମଧ୍ୟରେ ଶ୍ରୀମନ୍ଦିରରେ କାଭାଁ ଛୋଟିଆ ଘଟଣାକୁ ଛାଡ଼ି ଦେଲେ ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ଭାବେ ଚାଲିଛି । ଭକ୍ତମାନେ କିପରି ଶୃଙ୍ଖଳିତ ଦର୍ଶନ କରିପାରିବେ, ଠାକୁରଙ୍କ ନୀତିକାନ୍ତି ସମୟାନୁବର୍ତ୍ତୀ ହୋଇପାରିବ ଓ ଭକ୍ତମାନେ କିପରି ସଠିକ୍ ସମୟରେ ମହାପ୍ରସାଦ ପାଇପାରିବେ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ସେ କହିଥିଲେ।
ବିଶ୍ୱରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ସେବାୟତଙ୍କ ସହ ପ୍ରଶାସନର ମତାନ୍ତର ବଡ଼କଥା ନୁହେଁ, ଆଲୋଚନା ମାଧ୍ୟମରେ ତାହାକୁ ସମାଧାନ କରାଯାଇ ପାରିବ। ସେବାୟତମାନେ ମତାନ୍ତରକୁ ନେଇ ବିଭ୍ରାଟ ସୃଷ୍ଟି କରିବା ଉଚିତ ନୁହେଁ । ସେମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକତା ଅନୁଯାୟୀ ଅର୍ଥ ନାହିଁ । ଭାରତର ବିଭିନ୍ନ ରାଜ୍ୟରେ ମହାପ୍ରଭୁଙ୍କ ୬୦ହଜାର ଏକରରୁ ଊଦ୍ଧ୍ୱର୍ ଜମି ପଡ଼ି ରହିଛି । ତାହାକୁ ଉପଯୋଗ କରି ଆଗାମୀ ୫ବର୍ଷ ମଧ୍ୟରେ କର୍ପସ୍ ଫଣ୍ଡକୁ ୩ହଜାର କୋଟିରେ ପହଞ୍ଚାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଛି । ଭକ୍ତମାନେ କିଭଳି ଶ୍ରୀମନ୍ଦିରରୁ ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ସେବାୟତମାନେ ଉଦ୍ୟମ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।
ନିଯୋଗ ସଭାପତି ଦାମୋଦର ମହାସୁଆର ସେଥିରେ ଅଧ୍ୟକ୍ଷତା କରି ଗରିବ ସେବାୟତଙ୍କ ପାଇଁ ପ୍ରଶାସନ ବାସଗୃହ ଯୋଗାଇ ଦେବାକୁ ଦାବି କରିଥିଲେ । ସେବାୟତଙ୍କ ବୀମାରାଶି ୨ଲକ୍ଷ ପରିବର୍ତ୍ତେ ୫ଲକ୍ଷକୁ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ବିବରଣୀ ପାଠ କରିଥିଲେ । ଓଡ଼ିଶା ବାର୍ କାଉନସିଲର ଅଧ୍ୟକ୍ଷ ଚିନ୍ମୟ ମହାନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ପ୍ରାକ୍ତନ କମିଟି ସଦସ୍ୟ ଭଗବାନ ସୁଆର ସମ୍ମାନିତ ଅତିଥିଭାବେ ଯୋଗଦେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ହୋଇପାରିବ ବୋଲି କହିଥିଲେ। ସୁଦର୍ଶନ ପୂଜାପଣ୍ଡା ସାମନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଛତିଶା ନିଯୋଗ, ସୁଆର ମହାସୁଆର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସୁପକାର, କୌଳିକ ଯାତ୍ରୀପଣ୍ଡା, ନିଯୋଗ କର୍ମଚାରୀ ଓ ପୂର୍ବତନ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା । କେତେକ ସେବାୟତଙ୍କୁ ମରଣୋତ୍ତର ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା ।