ପଦ୍ମଶ୍ରୀ, ଅର୍ଜୁନ ପୁରସ୍କାର ଫେରାଇବାକୁ ସାହିଦ୍‍ଙ୍କ ପତ୍ନୀଙ୍କ ଧମକ

0

ବାରାଣସୀ : ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ମହମ୍ମଦ ସାହିଦ୍‍ଙ୍କ ଗତ ୨୦୧୬ ଜୁଲାଇ ୨୦ରେ ପରଲୋକ ହୋଇଯାଇଥିଲା। ସାହିଦ୍‍ଙ୍କ ସ୍ମୃତିରକ୍ଷା ନିମନ୍ତେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଯେଉଁ ପଦକ୍ଷେପ ନେବାକୁ ଘୋଷଣା କରାଯାଇଥିଲା, ସେଗୁଡ଼ିକ ଏପର୍ଯ୍ୟନ୍ତ ପୂରଣ ହୋଇନଥିବାରୁ ସାହିଦ୍‍ଙ୍କୁ ମିଳିଥିବା ପଦ୍ମଶ୍ରୀ, ଅର୍ଜୁନ ପୁରସ୍କାର ଫେରାଇ ଦେବାକୁ ଧମକ ଦେଇଛନ୍ତି ତାଙ୍କ ପତ୍ନୀ ପରବିନ୍‍।
ସୂଚନାଥାଉକି ସାହିଦ୍‍ଙ୍କ ପରଲୋକ ହେବାର କିଛିଦିନ ପରେ ତତ୍‍କାଳୀନ କ୍ରୀଡ଼ା ମନ୍ତ୍ରୀ ବିଜୟ ଗୋଏଲ୍‍ ତାଙ୍କ (ସାହିଦ୍‍) ନାମରେ ଏକ ଜାତୀୟ ଚମ୍ପିଆନ୍‍ସିପ ଆୟୋଜନ କରିବାକୁ ଘୋଷଣା କରିଥିଲେ। ତେବେ ୨ବର୍ଷ ପୂରିବାକୁ ବସିଥିବା ବେଳେ କ୍ରୀଡ଼ା ମନ୍ତ୍ରଣାଳୟ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ପରବିନ୍‍ ବେଶ୍‍ କ୍ଷୁବ୍ଧ ଥିବା ଦର୍ଶାଇ ସମସ୍ତ ପୁରସ୍କାର ଫେରାଇ ଦେବାକୁ ଧମକ ଦେଇଛନ୍ତି। ପରବିନ୍‍ଙ୍କଠାରୁ ଧମକ ମିଳିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶ କ୍ରମେ ବାରାଣସୀ ଜିଲାପାଳ ପରବିନ୍‍ଙ୍କୁ ଭେଟିଥିଲେ। ଦୁଇ ଦିନ ମଧ୍ୟରେ ସବୁ ବିଷୟର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ପ୍ରଦାନ କରିଥିବା ଜଣାପଡ଼ିଛି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପରବିନ୍‍ କହିଛନ୍ତି ଏକ ଜାତୀୟ ଚମ୍ପିଆନ୍‍ସିପ ସାହିଦ୍‍ଙ୍କ ନାମରେ ଆରମ୍ଭ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ଘୋଷଣା କରିଥିଲା। ତେବେ ଏଥିନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସେହିପରି ବାରାଣସୀର ଏକ ଷ୍ଟାଡ଼ିୟମକୁ ସାହିଦ୍‍ଙ୍କ ନାମରେ ନାମିତ କରିବାକୁ ସେ ଦାବି କରୁଥିବା ବେଳେ ଏହାକୁ ଅଣଦେଖା କରାଯାଇ ଲକ୍ଷ୍ମୌର ଏକ ଷ୍ଟାଡ଼ିୟମ ସାହିଦ୍‍ଙ୍କ ନାମରେ ନାମିତ କରାଯାଇଛି। ସେହିପରି ସାହିଦ୍‍ଙ୍କ ନାମରେ ଏକ ପୁରସ୍କାର ପ୍ରଦାନ କରିବାକୁ ପରବିନ୍‍ ଦାବି କରିଛନ୍ତି।
ସାହିଦ୍‍ଙ୍କ ପରଲୋକ ପରେ ତାଙ୍କ ପରିବାର ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପରବିନ୍‍ କହିଛନ୍ତି। ସାହିଦ୍‍ଙ୍କ ନାମରେ ଏକ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପରବିନ୍‍ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଅର୍ଥ ତାଙ୍କୁ ଫେରାଇ ଦିଆଯିବ ବୋଲି ସରକାର କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଗୋଟିଏ ଟଙ୍କା ମିଳିନଥିବା ପରବିନ୍‍ ମତ ଦେଇଛନ୍ତି। ପରିବାର ପ୍ରତିପୋଷଣ ପାଇଁ ସାହିଦ୍‍ଙ୍କ ପୁଅ ମହମ୍ମଦ ସୈଫ୍‍ ବନ୍ଧୁକଚାଳନାରେ କ୍ୟାରିୟର ଗଢ଼ିବା ଲକ୍ଷ୍ୟ ଛାଡ଼ି ଚାକିରି କରିବାକୁ ବାଧ୍ୟ ହୋଇଛି। ଏ ସଂପର୍କରେ ବାରାଣସୀ ଜିଲାପାଳ କହିଛନ୍ତି ସୈଫ୍‍ଙ୍କ ବନ୍ଧୁକଚାଳନା ପ୍ରଶିକ୍ଷଣ ପ୍ରଦାନ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅନ୍ୟାନ୍ୟ ଦାବି ସଂପର୍କରେ କେନ୍ଦ୍ର କ୍ରୀଡ଼ା ବିଭାଗକୁ ଜଣାଇ ଦିଆଯାଇଛି। ଦୁଇଦିନ ମଧ୍ୟରେ ସବୁ ବିଷୟର ସମାଧାନ ହୋଇଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଦୁଇଦିନ ମଧ୍ୟରେ ସବୁ ବିଷୟର ସମାଧାନ ନ ହେଲେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ସାହିଦ୍‍ ପାଇଥିବା ସମସ୍ତ ପୁରସ୍କାର ଫେରାଇ ଦେବେ ବୋଲି ପରବିନ୍‍ ମତ ଦେଇଛନ୍ତି।

Leave A Reply