www.samajalive.in
Friday, December 12, 2025
14.1 C
Bhubaneswar

ମୋଦୀଙ୍କ ପାଦ ଛୁଇଁଲେ ପାପୁଆ ନିୟୁ ଗିନିର ପ୍ରଧାନମନ୍ତ୍ରୀ

ପୋର୍ଟ ମୋର୍ସବାଏ : ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପାପୁଆ ନିୟୁ ଗିନିରେ ପହଞ୍ଚିଛନ୍ତି। ପପୁଆ ନିୟୁ ଗିନିରେ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପପୁଆ ନିୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍‌ସ ମାରାପେ ବିମାନବନ୍ଦରରେ ଉପସ୍ଥିତ ରହି ମୋଦୀଙ୍କୁ ସ୍ବାଗତ କରିଥିଲେ। ଏପରିକି ମୋଦୀଙ୍କୁ ସ୍ବାଗତ କରିବା ସମୟରେ ମାରାପେ ତାଙ୍କ ପାଦ ଛୁଇଁଥିଲେ। ମାତ୍ର ମୋଦୀ ମାରାପେଙ୍କୁ ଉଠାଇ ଆଲିଙ୍ଗନ କରିଥିଲେ। ପରେ ମାରାପେ ତାଙ୍କ ଦେଶର ପ୍ରମୁଖ ଅଧିକାରୀଙ୍କୁ ମୋଦୀଙ୍କ ସହିତ ପରିଚିତ କରାଇଥିଲେ। ଭାରତର ଜଣେ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ପାପୁଆ ନିୟୁ ଗିନି ଗସ୍ତ ପ୍ରଥମ ଘଟଣା। ପୂର୍ବରୁ ଭାରତର କୌଣସି ପ୍ରଧାନମନ୍ତ୍ରୀ ପାପୁଆ ନିୟୁ ଗିନି ଗସ୍ତ କରି ନାହାନ୍ତି। ପାପୁଆ ନିୟୁ ଗିନିରେ ମୋଦୀ ଭାରତ-ପ୍ରଶାନ୍ତ ମହସାଗରୀୟ ଦ୍ବୀପ ରାଷ୍ଟ୍ର ସମନ୍ବୟ ଫୋରମ୍ (ଏଫ୍‌ଆଇପିଆଇସି)ର ତୃତୀୟ ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ୧୪ଟି ଦ୍ବୀପ ରାଷ୍ଟ୍ର ଯୋଗ ଦେବେ।

- Advertisement -

ପାପୁଆ ନିୟୁ ଗିନି ଗସ୍ତ ପୂର୍ବରୁ ମୋଦୀ ଜାପାନ ହିରୋସୀମାରେ ଆୟୋଜିତ ଜି-୭ ରାଷ୍ଟ୍ର ସମ୍ମିଳନୀରେ ଯୋଗ ଦେ‌ଇଥିଲେ। ସମ୍ମିଳନୀକୁ ସମ୍ବୋଧନ ଅବସରରେ ସେ ଚୀନର ବିସ୍ତାରବାଦ ନୀତିକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ୟୁକ୍ରେନରେ ଯେଉଁ ସଂକଟ ଦେଖାଯାଇଛି ତାହା ହେଉଛି ଏକ ମାନବିକ ସଂକଟ । ମାନବିକ ମୂଲ୍ୟବୋଧକୁ ନେଇ କୌଣସି ପ୍ରକାର ରାଜନୀତି ହେବା ଉଚିତ ନୁହେଁ। କ୍ଷମତା ଓ ଅର୍ଥନୀତିକୁ ନେଇ ରାଜନୀତି ହେବା ଦରକାର। ୟୁକ୍ରେନରେ ଯେଉଁ ସଂକଟ ଦେଖାଯାଇଛି ତାକୁ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ହିଁ ସମାଧାନ କରାଯାଇପାରିବ। ସେ କହିଛନ୍ତି ଯେ ଜାତିସଂଘ ଚାର୍ଟର, ଆନ୍ତର୍ଜାତିକ ଆଇନ ଏବଂ ସାର୍ବଭୌମତ୍ବ ଓ ଆଞ୍ଚଳିକ ସଂହତିକୁ ସବୁ ରାଷ୍ଟ୍ର ସମ୍ମାନ ଜଣାଇବା ଦରକାର। କୌଣସି ପ୍ରସଙ୍ଗରେ ଏକପାକ୍ଷିଆ ନିଷ୍ପତ୍ତି ପରିବର୍ତ୍ତେ ସମ୍ମିଳୀତ ନିଷ୍ପତ୍ତି ନିଆଯିବା ଦରକାର । ଭାରତର ପୂର୍ବ ଲଦାଖରେ ଚୀନ ସହିତ ଲାଗି ରହିଥିବା ସୀମା ବିବାଦ ଓ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ନେଇ ମୋଦୀ ଏପରି କହିଥିଲେ । ଶନିବାର ମୋଦୀ ଜି-୭ ସମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ମୋଦୀଙ୍କୁ ବାଇଡେନ ତାଙ୍କର ଅଟୋଗ୍ରାଫ୍‌ ମାଗିଥିଲେ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories