ଓଡ଼ିଶାରେ ବ୍ୟାଘ୍ର ସନ୍ଧାନ

ଅକ୍ଷୟ କୁମାର ପାତ୍ର

୨୦୦୪ ମସିହାରୁ କ୍ରମାଗତ ବ୍ୟାଘ୍ର ସଂରକ୍ଷଣରେ ବିଫଳ ହେବାଦ୍ବାରା ଓଡ଼ିଶାରେ କେବଳ ୨୮ଟି ମହାବଳ ବାଘ ଥିବା ଗଣନାରୁ ଜଣାଯାଏ। ୨୦୦୪ ପୂର୍ବରୁ ୧୦୦ରୁ ଅଧିକ ବାଘ ଥିବା ସରକାରୀ ଦସ୍ତାବିଜରୁ ପ୍ରମାଣ ମିଳେ। ଏପରି ବିଫଳତାର କୌଣସି ସମାଧାନ ବିଗତ କୋଡ଼ିଏ ବର୍ଷ ଅବଧିରେ ହୋଇପାରିଲା ନାହିଁ; ଯାହାଦ୍ବାରା ଶିମିଳିପାଳ ଜଙ୍ଗଲ ବ୍ୟତୀତ ଅନ୍ୟ ଜଙ୍ଗଲ ଇଲାକା ବାଘଶୂନ୍ୟ ହୋଇଗଲା। ମାସକ ତଳେ ବାଲିଗୁଡ଼ା, ଫୁଲବାଣୀ, ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ମହାବଳ ବାଘ ବୁଲୁଥିବାର ଖବର ପ୍ରକାଶ ପାଇଥିଲା। ବନ ବିଭାଗ ମାଧ୍ୟମରେ ପ୍ରକାଶ  କରାଗଲା ଯେ, ବାଘଟି ମହାରାଷ୍ଟ୍ର ଜଙ୍ଗଲରୁ ଚାଲି ଆସିଛି। ଏହା ନିଶ୍ଚିତଭାବରେ ବିବାଦୀୟ ଜଣାପଡ଼େ; କାରଣ ମା​‌େ​‌ସ କାଳ ଏହାର କୌଣସି ଖବର ବନ ବିଭାଗ ପାଖରେ ନଥିଲା। ହଠାତ୍‌ ୨୦୨୪ ଅକ୍ଟୋବର ମାସ ଶେଷ ଭାଗରେ ବାଘଟି ପୁଣି ବ୍ରହ୍ମପୁର ବନଖଣ୍ଡରେ ଥିବା ଜଣାପଡ଼ିଲା। ବାଘଟି ପ୍ରାୟ ୧୦ ମାସରୁ ଊର୍ଦ୍ଧ୍ବ ବିଭିନ୍ନ  ଜଙ୍ଗଲ ଇଲାକାରେ ବୁଲୁଥିଲେ ସୁଦ୍ଧା ଏହାର ଠିକ୍‌ ବାସସ୍ଥାନ ଏବେ ସୁଦ୍ଧା ଜଣା ପଡ଼ିନାହିଁ। ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ବାଘର ନିର୍ଦିଷ୍ଟ ଇଲାକା ରହିଛି; କିନ୍ତୁ କଥିତ ବାଘର ସେଭଳି ଇଲାକା ଥିଲା ଭଳି ଜଣାପଡ଼ୁନାହିଁ।

କୌଣସି ବାଘକୁ ଜଙ୍ଗଲରେ ଟ୍ରାକିଂ କରିବାର ଅନେକ ପଦ୍ଧତି ରହିଛି। ଏଥିପାଇଁ ଉପଯୁକ୍ତ ଜ୍ଞାନକୌଶଳ ଓ ଅଭିଜ୍ଞତା ଦରକାର। କେବଳ ବାଘଟିର ଖବର ପାଇ ବନକର୍ମଚାରୀ କିଛି ଦିନ ତା’ର ଖବର ସଂଗ୍ରହ କରନ୍ତି ଓ ନିକଟ ଗ୍ରାମ ଲୋକଙ୍କୁ ସଚେତନ କରିଥାନ୍ତି। ପୁଣି ବାଘ ଅଦୃଶ୍ୟ ହୋଇଗଲେ ନିଜକୁ ଆଶ୍ବସ୍ତ ମନେ କରନ୍ତି। ଯଦି ବାଘଟି ନିଶ୍ଚିତ ଭାବରେ ଅନ୍ୟ ବନଖଣ୍ଡ ଜଙ୍ଗଲକୁ ଚାଲିଯାଇଥାଏ, ଏପରି ପରିସ୍ଥିତିରେ ବାଘଟିକୁ ଅନୁସରଣ କରିବା ଓ ତା’ର ସୁରକ୍ଷା ଦାୟିତ୍ବ କିଏ ବହନ କରନ୍ତି? ଆମର ସେପରି ଅଭିଜ୍ଞ ଓ ଜ୍ଞାନକୌଶଳ ଥିବା ବନ କର୍ମଚାରୀ ପ୍ରାୟ ନାହାନ୍ତି କହିଲେ ଭୁଲ ହେବନାହିଁ। ଏହି ପରିପ୍ରେକ୍ଷୀରେ ବାଘକୁ ସନ୍ଧାନ ବା ଟ୍ରାକିଂ କିପରି କରାଯାଏ ତାହା ଆଲୋଚ୍ୟ ସାପେକ୍ଷ।

ପ୍ରଥମତଃ ଜଙ୍ଗଲରେ ବାଘଟିଏ ଦେଖିବା ଏତେ ସହଜ ନୁହେଁ; କିନ୍ତୁ ବାଘର ପାଦଚିହ୍ନ ପ୍ରାୟ ଦେଖିବାକୁ ମିଳେ। ତେଣୁ ବାଘର ପାଦଚିହ୍ନରୁ ଏହା ଅଣ୍ଡିରା କି ମାଈ ବାଘ ଜଣାଯାଏ। ଅଣ୍ଡିରା ବାଘର ପଞ୍ଝା ଓସାରିଆ ଓ କିଛିଟା ତ୍ରିଭୁଜାକାର ଥାଏ। ବାଘୁଣୀର ପଞ୍ଝା କିନ୍ତୁ ଅଣ୍ଡାକୃତି ଓ ଛୋଟ ଆକାରର ଥାଏ। ପାଦଚିହ୍ନରୁ ଏହା ମଧ୍ୟ ଜାଣିହୁଏ ଯେ ଏହା କେତେ ପୁରୁଣା। ଏହାକୁ ଆଧାର କରି ବାଘଟି କେତେ ଦିନ ହେଲା ସେଠାରେ ଯିବା ଆସିବା କରୁଛି ଜଣାଯାଏ। ଏହା ବ୍ୟତୀତ କୌଣସି ମଢ଼ ଥିଲେ ବାଘ ସେଠାକୁ ଯିବାଆସିବା କରେ। ବାଘଟି ନିଜର ଶିକାର ଅନ୍ବେଷଣରେ ରାତିରେ ଅନେକ ଦୂରକୁ ଚାଲିଯାଏ। ତେଣୁ ବାଘ ନିର୍ଦିଷ୍ଟ ଜାଗାରେ ସବୁବେଳେ ଦେଖାଯାଏ ନାହିଁ; କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହା ଏକ ନିର୍ଦିଷ୍ଟ ପରିସୀମାରେ ରହେ। ସ୍ବଭାବ ବଶତଃ ବାଘ ହେଣ୍ଟାଳ କରେ। ଏହା ପ୍ରାୟ ୪-୫ କିମି ଦୂରକୁ ଶୁଣାଯାଏ। ଏଥିରୁ ବାଘଟିର ଉପସ୍ଥିିତି ସହଜରେ ଜଣାଯାଏ। ବାଘକୁ ଟ୍ରାକିଂ କରିବାର ଉପଯୁକ୍ତ ସମୟ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ। ପାଣିର ସୁବିଧା ଥିବା ନଈ, ଝରଣା ଇତ୍ୟାଦି ସ୍ଥାନକୁ ବାରମ୍ବାର ଆସିବାର ଦେଖାଯାଏ। ଏହି ସଂକେତ ଓ ପରିସ୍ଥିତିକୁ କେବଳ ଅଭିଜ୍ଞତା ଦ୍ବାରା  ଜାଣିହେବ। ଏହା ବାଘ ବିଶେଷଜ୍ଞ ଉଲ୍ଲାସ କରାନାଥଙ୍କ ନିଜ ଅନୁଭୂତି। ଅଧୁନା ବନ କର୍ମଚାରୀମାନେ ଏକ ସହଜ ଉପାୟ ଅବଲମ୍ବନ କରିଛନ୍ତି। ଏହାକୁ କୁହାଯାଏ କ୍ୟାମେରା ଟ୍ରାପ ପଦ୍ଧତି। ଏହି ପ୍ରଣାଳୀରେ ବାଘ ଯିବା ଆସିବା କରୁଥିବା ସମ୍ଭାବ୍ୟ ବାଟରେ କ୍ୟାମେରାଗୁଡ଼ିକ ଗଛରେ ଖଞ୍ଜା ଯାଇଥାଏ। ଏହି ବନକର୍ମଚାରୀ ଘରେ ଥାଇ ମଧ୍ୟ ବାଘର ଛବିରୁ ଜାଣିପାରନ୍ତି ଯେ ବାଘ କେଉଁ ଇଲାକାରେ ରହିଛି। ଏତେ ସୁବିଧା ଥାଇ ମଧ୍ୟ ବାଘ ଶିକାର ରୋକାଯାଇ ନପାରିବା ଏକ ବିଡ଼ମ୍ବନା।

ଶିମିଳିପାଳ ଜଙ୍ଗଲର ବାଘଙ୍କ ଏକ ବିଶେଷତ୍ବ ରହିଛି। ଏଠାକାର ଅର୍ଦ୍ଧାଧିକ ବାଘଙ୍କ ରଙ୍ଗ ପ୍ରାୟ ମଳିନ, ଧୂଆଁଳିଆ ହୋଇଯାଉଛି। ଏହାକୁ ବୈଜ୍ଞାନିକ ଭାଷାରେ ମେଲାନିଜିମ୍‌ କହନ୍ତି। ଏହା ଏକ ବିପଦ ସଂକେତ; କାରଣ ଭବିଷ୍ୟତରେ ପ୍ରକୃତ ବାଘର ରଙ୍ଗ ଥିବା ବାଘ ହୁଏତ ଆଉ ଦେଖିବାକୁ ମିଳିବେ ନାହିଁ। ଏହା ଉପରେ ଗବେଷଣା ଜରୁରୀ। ଉପରୋକ୍ତ ବିଷୟ ପ୍ରତି ଅଧିକ ଧ୍ୟାନ ନ ଦେଇ ବର୍ତ୍ତମାନ ବନ ବିଭାଗ ବାଘ ଚାଷ କରିବାକୁ ପୁନଃ ପଦକ୍ଷେପ ନେଇଛନ୍ତି। ଶିମିଳିପାଳରେ ମହାରାଷ୍ଟ୍ରର ଦୋଡ଼ବା ଅନ୍ଧେରି ବ୍ୟାଘ୍ର ପ୍ରକଳ୍ପରୁ ଯମୁନା ବାଘୁଣୀକୁ ଅଣାଯାଇଛି। ବାଘୁଣୀଟି ଏକ ନୂତନ ପରିବେଶରେ ରହିବ। ତା’ର ଶିମିଳିପାଳ ଜଙ୍ଗଲରେ ଥିବା ବାଘଙ୍କ ସଙ୍ଗେ ମିଳନ ହେବା ସହଜ ହେବନାହିଁ। ତେଣୁ ମାନସିକ ଯନ୍ତ୍ରଣାରେ କ୍ଷୁବ୍ଧହେବା ସ୍ବାଭାବିକ, ତେଣୁ ଦ୍ବିତୀୟ ବାଘୁଣୀକୁ ଆଣିବା ସଙ୍ଗେସଙ୍ଗେ ଗୋଟିଏ ବାଘ ମଧ୍ୟ ଦଡ଼ୋବା ଅନ୍ଧେରିରୁ ଆଣିବା ନିହାତି ଦରକାର ଏବଂ ତିନିଟିଯାକ ବାଘ ଏକାସାଂଗେ ଗୋଟିଏ ଇଲାକାରେ ଛାଡ଼ିଲେ ନିଶ୍ଚିତ ଭାବେ ସୁଫଳ ମିଳିବ। ୬ବର୍ଷ ପୂର୍ବେ ସାତକୋଶିଆରେ ଯେଉଁ ଭୁଲ ହୋଇଥିଲା ତାହା ପୁଣି ଶିମିଳିପାଳରେ ଦୋହରାଇବା ଉଚିତ ହେବନାହିଁ। ସାତକୋଶିଆ ଜଙ୍ଗଲରେ ସବୁ ପ୍ରକାର ବୈଜ୍ଞାନିକ କୌଶଳ ବ୍ୟବହାର କରି ମଧ୍ୟ ମହାବୀର ବାଘର ଅପମୃତ୍ୟୁ କିମ୍ବା ଶିକାର ହୋଇଥିବା ଏବେ ମଧ୍ୟ ମନରୁ ପାସୋର ଯାଇନାହିଁ।

ଶିମିଳିପାଳ ଜଙ୍ଗଲରେ ବିଗତ ଦିନରେ ରେଞ୍ଜ୍‌ ଅଫିସ୍ ଓ ଓ ସେକ୍ସନ ଅଫିସର ଅନତିଦୂରରେ ମହାବଳ ବାଘ ଶିକାର ହୋଇଥିବାର ନଜିର ଅଛି। ଏଥିରୁ ସ୍ପଷ୍ଟ ଜଣାଯାଏ ଯେ କ୍ଷେତ୍ର କର୍ମଚାରୀ କେତେ ଆତଙ୍କିତ ମାନସିକ ସ୍ଥିତିରେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କର ସୁରକ୍ଷା ଦେଉଛନ୍ତି। ଯେଉଁମାନେ ଜଙ୍ଗଲ ସୁରକ୍ଷାରେ ନିୟୋଜିତ ସେମାନଙ୍କର ମନୋବଳ ଦୃଢ଼ କରିବା ଆବଶ୍ୟକ। କେତେକ ଉତ୍ସର୍ଗୀକୃତ ଉଚ୍ଚ ପଦସ୍ଥ ଅଧିକାରୀ ଯେଉଁମାନେ ବନ୍ୟପ୍ରାଣୀ ତାଲିମ୍‌ ନେଇଥିବେ ସେମାନଙ୍କୁ କେବଳ ବିଭିନ୍ନ ବନ୍ୟପ୍ରାଣୀ ପ୍ରକଳ୍ପରେ ଅବସ୍ଥାନ କରିବା ଉଚିତ ହେବ। ଅନ୍ଧାରରେ ବାଡ଼ି ବୁଲାଇ ବାଘ ବଂଶ ବିସ୍ତାର କରିବା ଆଗରୁ ଉପରୋକ୍ତ ବିଷୟଗୁଡ଼ିକର ସୁବିଚାର କରିବାଦ୍ବାରା ଯୋଜନାଗୁଡ଼ିକ ସଫଳ ହୋଇପାରିବ। ସାରିସ୍କା (ରାଜସ୍ଥାନ) ଓ ପାନ୍ନା(ମଧ୍ୟ ପ୍ରଦେଶ)ରେ କିଭଳି ବାଘ ବଂଶ ବିସ୍ତାର ହେଲା ତାହା ଅନୁକରଣ କରିବା ନିହାତି ଦରକାର।

Comments are closed.