ଜୀବନ ଆଦର୍ଶରେ ‘ଧାଡ଼ି’

ଗଣେଶ୍ବର ନାୟକ

ପୃଥିବୀରେ ଶୃଙ୍ଖଳିତ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ଜୀବ ହିସାବରେ ପିମ୍ପୁଡ଼ିକୁ ଗ୍ରହଣ କରାଯାଇପାରେ। ଟିକି ଜୀବ ହେଲେ ମଧ୍ୟ, ସେମାନେ ସର୍ବଦା ଧାଡ଼ି ବାନ୍ଧି ସବୁ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଧାଡ଼ିରେ ଅନେକ କାର୍ଯ୍ୟ ଶୃଙ୍ଖଳାର ସହିତ ସମାହିତ ହେଉଥିବା ଆମ ନଜରକୁ ଆସେ ନିଶ୍ଚିତ। ଧାଡ଼ି ମଧ୍ୟ ଶୃଙ୍ଖଳିତ ବ୍ୟକ୍ତିତ୍ୱର ଏକ ଅଂଶ।
କୃଷିବିଭାଗ ବା ସରକାର ଯେତେବେଳେ ଚାଷୀକୁଳକୁ ଧାଡ଼ିରେ ଧାନଚାଷ କରିବାକୁ କହିଲେ, ଚାଷୀକୁଳ ଅମଙ୍ଗ ହେଲେ। ଚାଷୀଙ୍କ ବିଚାର ଯେତେ ଅଧିକ ବିହନ ବିଲରେ ପଡ଼ିବ, ସେତେ ଅଧିକ ଧାନ ଫଳିବ। କମ୍‌‌ ‘ବିହନ ଧାନ’ ପଡ଼ିଲେ, ବିଲ କୋଉଠି ଅଧିକ ଅମଳ ଦେବ ? ସରକାର ଏକର ପିଛା କିଛି ଆର୍ଥିକ ସହାୟତା ମଧ୍ୟ ଦେଲେ। ଧାଡ଼ିରୁଆରେ ଚାଷୀ, କମ୍‌‌ ବିହନ ଖର୍ଚ୍ଚରେ ଅଧିକ ଅମଳ ପାଇଲା। ଆଗରୁ ଧାନ ବୁଣି ଦେଉଥିଲା, କେଉଁଠି ମେଞ୍ଚାଏ ପଡ଼ୁଥିଲା ତ କେଉଁଠି ଅଳପ ପଡ଼ୁଥିଲା, କେଉଁଠି ବି ବିହନ ନ ପଡ଼ି କିଛି କିଛି ସ୍ଥାନ ଫାଙ୍କା ରହୁଥିଲା। ଏବେ ଚାଷୀ ଧାଡ଼ି ରୁଆ କରୁଛି କିନ୍ତୁ ସରକାର ଆଉ ଆର୍ଥିକ ପ୍ରୋତ୍ସାହନ ଦେଉନାହାନ୍ତି। ଭଲ କଥାଟିଏ ଶିଖାଇବାକୁ ହେଲେ, ଆମକୁ କିଛି ବିନିଯୋଗ କରିବାକୁ ହୁଏ। କାରଣ ସାମଗ୍ରିକ ଭାବେ ସମାଜ ଶିଶୁସୁଲଭ। ମହତ କାର୍ଯ୍ୟ ହେଲେ ମଧ୍ୟ ତାହାକୁ ନାଲି ଆଖି ଦେଖାଇ ଶିଖା ଯାଇନପାରେ।
ନୂତନ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରର ଚାରିଦୁଆର ଖୋଲିଯାଇଛି। ଆଗରୁ ସିଂହ ଦ୍ୱାର ଦେଇ ସବୁ ଭକ୍ତ ଯାଉଥିଲେ। ସେଥିପାଇଁ ସିଂହଦ୍ୱାର ପାଖରେ ଭିଡ଼ ଲାଗି ରହୁଥିଲା। ଆଉ ତିନି ଦ୍ୱାର ଖୋଲିଦେବା ଦ୍ୱାରା ଆଉ ମନ୍ଦିର ବେଢ଼଼଼ା ବାହାରେ ଭିଡ଼ କମ୍‌‌ ହେଲା; କିନ୍ତୁ ମନ୍ଦିର ଭିତରେ ଭିଡ଼ ରହିଲା। ଗହଳିରେ ଲୋକ ଅଣନିଶ୍ୱାସୀ ହେବାର ଖବର ବି ଆସିଲା। ଯଦିଓ ସମସ୍ତେ ଚେଷ୍ଟିତ ଭକ୍ତଙ୍କ ଶୃଙ୍ଖଳିତ ଦିଅଁ ଦର୍ଶନ ପାଇଁ।

ପୌରାଣିକ ମତରେ ଶ୍ରୀମନ୍ଦିରର ଗୋଟିଏ ଦ୍ୱାର ଭକ୍ତଙ୍କ ପାଇଁ, ଗୋଟିଏ ଦ୍ୱାର ଗଜପତି ମହାରାଜ ପ୍ରବେଶ ପାଇଁ, ଗୋଟିଏ ଦ୍ୱାର ଅଶରୀରୀଙ୍କ ପାଇଁ, ଆଉ ଏକ ଦ୍ୱାର ସାଧୁସନ୍ଥଙ୍କ ପାଇଁ। ଆଗରୁ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଧାଡ଼ିରେ ଛଡ଼ା ଯାଉଥିଲା। ଭକ୍ତ ଗୋଡ଼ମୁହଁ ଧୋଇ ମନ୍ଦିରକୁ ପ୍ରବେଶ କରୁଥିଲେ। କିଛି ଭକ୍ତ ଠାକୁର ଦର୍ଶନ କଲା ପରେ, ଆଉ କିଛି ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରାଯାଉଥିଲା, ଦିଅଁ ଦର୍ଶନ ପାଇଁ ଏହାଦ୍ୱାରା ବାହାରେ ଭକ୍ତଙ୍କୁ ଅଧିକ ସମୟ ଟିକେ ଅପେକ୍ଷା କରିବାକୁ ପଡ଼ୁଥିଲା। ବିଶ୍ରାମ ପାଇଁ ମଧ୍ୟ ମନ୍ଦିର ପ୍ରଶାସନ କିଛି ବ୍ୟବସ୍ଥା କରିଥିଲା। ବେଢ଼଼଼ା ମଧ୍ୟରେ ଅନେକ ଭକ୍ତ ଜାଗା ଧରିବେ ନିଶ୍ଚିତ। ଚାରିଦ୍ୱାର ଖୋଲି ପ୍ରବେଶ କଲେ ମଧ୍ୟ ସେମାନେ ଦିଅଁ ଦର୍ଶନ କରି ପାରିବେ ନାହିଁ। କାରଣ ମନ୍ଦିର ଭିତରେ ପ୍ରଶସ୍ତ ଜାଗା ନାହିଁ, ସବୁ ଭକ୍ତଙ୍କୁ ଏକାଥରକେ ଧରି ରଖିବାକୁ। ସେଥିପାଇଁ ବୋଧେ ପୂର୍ବ ପ୍ରସ୍ତୁତି ଥିଲା, କିଛି ଭକ୍ତ ଦିଅଁ ଦର୍ଶନ ସାରି ମନ୍ଦିର ଭିତର ଫାଙ୍କା ହେଲା ପରେ ଆଉ କିଛି ଭକ୍ତଙ୍କୁ ଛଡ଼ା ଯାଉଥିଲା। ମନ୍ଦିର ବେଢ଼଼଼ାରେ ପ୍ରଶସ୍ତ ଜାଗା ଥିଲେ ମଧ୍ୟ, ଭକ୍ତ ବେଢ଼଼଼ା ଭିତରକୁ ଗଲେ, ମନସ୍ଥ କରେ ଆଗେ ଦିଅଁ ଦର୍ଶନ, ପଛେ ବେଢ଼଼଼ା ବୁଲା।

ସେ ଛୁଟିବାର ହେଉ ବା ନହେଉ, ଦିନକୁ ଦିନ ଭକ୍ତ ତଥା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼଼଼ୁଛି। ଆଗେ ଧାରଣା ରହୁଥିଲା ମହାପ୍ରଭୁଙ୍କ କେବେ ଡୋରି ଲାଗିବ, ଦର୍ଶନ ହେବ। ଏବେ ରାସ୍ତାଘାଟର ଉନ୍ନତି ହୋଇଛି। ଗାଡ଼ିଘୋଡ଼ାର ସହଜ ବ୍ୟବସ୍ଥା ସବୁଆଡ଼େ ହୋଇଗଲାଣି। ଲୋକଙ୍କ ଆର୍ଥିକ ମାନଦଣ୍ଡ ମଧ୍ୟ କିଛି ମାତ୍ରାରେ ବଢ଼଼଼ିଛି। ସାମାଜିକ ଗଣମାଧ୍ୟମ ଯୁଗରେ ମଣିଷ ଆଉ ପୁରୁଣାକାଳିଆ ହୋଇ ବଞ୍ଚିବାକୁ ଚାହୁଁନାହିଁ। ଜଗନ୍ନାଥ ସଡ଼କରେ ଚୁଡ଼ାଗୁଡ଼ ଧରି କେହି ଆସୁନାହିଁ।

ତେଣୁ ଧାଡ଼ି ହିଁ ଶୃଙ୍ଖଳିତ ଦର୍ଶନର ବଳିଷ୍ଠ ମାଧ୍ୟମ। ଭକ୍ତ ଧାଡ଼ିରେ ଯିବେ। ପ୍ରତ୍ୟେକ ଦଶ,କୋଡ଼ିଏ ଭକ୍ତଙ୍କ ମଧ୍ୟରେ ଜଣେ ଆରକ୍ଷୀ ରହିବେ, ଧାଡ଼ିକୁ ଚଳେଇ ନେବେ। ଏକା ବେଳକେ ତିନି, ଚାରି ଧାଡ଼ି ଚାଲିପାରେ। ଧାଡ଼ି ଚାଲିବ, ମନ୍ଦିର ଭିତରେ କେହି ଅଟକିବେ ନାହିଁ। ଦର୍ଶନ ଶୃଙ୍ଖଳିତ ହେବ। ଠାକୁର ବର୍ଷକରେ ଥରେ ବାହାରକୁ ଆସି ଦେଖା ଦିଅନ୍ତି। ସବୁ ଦିନ ପଦାକୁ ଆସି ସମସ୍ତଙ୍କୁ ଦେଖା ଦେବାର ବିଧି ବି ନାହିଁ। ଧାଡ଼ି ହିଁ ବଳିଷ୍ଠ ମାଧ୍ୟମ। ଶୃଙ୍ଖଳା ହିଁ ଜୀବନ, ଧାଡ଼ି ହିଁ ଶୃଙ୍ଖଳା, ଧାଡ଼ି ଜୀବନ ଆଦର୍ଶର ଏକ ଅଂଶ….।

Comments are closed.