ବଦଳିବ ବାହନର ବ୍ୟବହାର
ଡ. ପୀୟୂଷ ରଞ୍ଜନ ରାଉତ
ଭବିଷ୍ୟତ ଭୁବନେଶ୍ବର ଏମିତି ହୋଇଥିବ ଯେଉଁଠାରେ ଲୋକେ ଖୁସିରେ ଥିବେ, କୋଉ ମା ବ୍ୟସ୍ତ ନଥିବେ ପିଲାଟି ସ୍କୁଲରୁ ସୁରକ୍ଷିତ ଭାବେ ଫେରିବା ନେଇ ଏବଂ ଏହା ଏକ ସହର ହୋଇଥିବ ଯେଉଁଠାରେ ଲୋକମାନେ ବସ ବାସ କରୁଥିବେ, ଲୋକଙ୍କ ବିଷୟରେ ଲୋକେ କଥା ହେଉଥିବେ, ଆଉ କାର ଗୋଟେ ପ୍ରଗତିର ମାନଦଣ୍ଡ ନଥିବ। ହଁ ଭବିଷ୍ୟତର ଭୁବନେଶ୍ୱର ସହରର ମୂଳଦୁଆ ବର୍ତ୍ତମାନ ନିର୍ଭରଶୀଳ ଆମ ଯୋଜନା ଉପରେ।
ଭୁବନେଶ୍ୱର ସାଇକଲ ଚାଳନାର ସ୍ବର୍ଗ ହୋଇନପାରେ, କିନ୍ତୁ ଏହାକୁ ବିଶ୍ୱର ଅନ୍ୟ ସାଇକଲର ସହର ଭଳି ଠିଆକରିବା ପାଇଁ ଚେଷ୍ଟା ବହୁ ଆଗରୁ ଆରମ୍ଭ ହୋଇସାରିଛି। ଭୁବନେଶ୍ୱର ସାଇକଲ ଚାଳନାରେ ଇୟୁରୋପିଅନ ସହର ଭଳି ହୋଇନଥାଇପାରେ, କିନ୍ତୁ ସାଇକେଲ ଚାଳନାକୁ ସର୍ବସାଧାରଣଙ୍କ ପାଇଁ କିଭଳି ସହଜ ଏବଂ ସୁରକ୍ଷିତ କରାଯାଇପାରିବ, ସେଥିପ୍ରତି ସଦାସର୍ବଦା ଚେଷ୍ଟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରକୁ ଆକଳନ କରାଯାଇପାରେ ଯେ ଏଠାରେ ପରିବହନ କହିଲେ କେଵଳ କାର ନୁହେଁ ବରଂ ସାଇକଲର ସ୍ଥାନ ମଧ୍ୟ ଅଛି।
ଯଥା ବିଶ୍ୱର ବହୁ ସହର ବର୍ତ୍ତମାନ ସାଇକଲକୁ ଆଧାର କରି ଭବିଷ୍ୟତର ସହର ଯୋଜନା କରୁଛନ୍ତି। ଯାହାଫଳରେ ସହର ମଧ୍ୟରେ ସାଇକେଲ ଚଲେଇବା କାର୍ଯ୍ୟ ପାଇଁ ହଉ ଅବା ଆମୋଦ ପ୍ରମୋଦ ପାଇଁ ଅବା ଗୋଟେ ସ୍ଥାନରୁ ଅନ୍ୟ ଏକ ସ୍ଥାନ ଗମନାଗମନ ପାଇଁ ହେଉ, ନିର୍ଭର କରୁଛି ଏହା କେତେ ସହଜ, ସୁନ୍ଦର, ସୁରକ୍ଷିତ। ସାଇକଲ ଚାଳନା ପାଇଁ ସ୍ୱତନ୍ତ୍ର ସୁରକ୍ଷିତ ମାର୍ଗର ଆବଶ୍ୟକତା ରହିଛି, ଯାହା ମାଧ୍ୟମରେ ଭବିଷ୍ୟତରେ ଯାନ୍ତ୍ରିକ ବାହନ ସମସ୍ୟାରୁ ସହରକୁ ମୁକୁଳେଇବାର ଏକ ସମ୍ଭାବନା ସୃଷ୍ଟି ହେବାର ମଧ୍ୟ ସହରାଞ୍ଚଳ ଯୋଜନା ବିଶେଷଜ୍ଞ ଆଶା ରଖିଛନ୍ତି।
ଯଦିଓ ବହୁ ଜନସାଧାରଣ ବିନା ଯାନ୍ତ୍ରିକ ସାଇକଲକୁ ବେଶି ଦୂରତ୍ୱ ଗମନାଗମନ ପାଇଁ ବ୍ୟବହାର କରିନପାରନ୍ତି ଅବା ବଡ଼ ବଡ଼ ମଲକୁ, ହୋଟେଲକୁ, ସାମାଜିକ ଉତ୍ସବକୁ ଇତ୍ୟାଦି ଇତ୍ୟାଦିକୁ ନେଇ ନପାରନ୍ତି। ସେହିଭଳି କିଛି ନିଜର ମତ ମଧ୍ୟ ଦିଅନ୍ତି ଆମ ଭୌେଗାଳିକ ଓ ଜଳବାୟୁ ସ୍ଥିତିକୁ ନେଇ ଏବଂ କେହି କେହି ନିଜର ମତ ମଧ୍ୟ ରଖନ୍ତି ଆମେ ସାଇକଲ ବ୍ୟବହାର ଅତ୍ୟଧିକ କଲେ, ହୁଏତ ସମାଜରେ ନିଜର ସାମାଜିକ ଭାରସାମ୍ୟ ହରାଇବୁ। ଯାହାଫଳରେ ସାଇକଲ ସ୍ୱାସ୍ଥ୍ୟ, ପରିବେଶ, ଅର୍ଥନୈତିକ ଦୃଷ୍ଟିକୋଣରୁ ଭଲ ହେଲେ ମଧ୍ୟ, ପିଲାଦିନେ ଆପଣାର ହୋଇ ପାରିଥିଲା ତାହା ବୟସ ବଢ଼ିବା ସହିତ ଦୂରେଇ ଦୂରେଇ ଯାଉଛି। ସାଇକଲ ମାର୍ଗ ସହର ମଧ୍ୟରେ ଅଯଥା ଭିଡ଼ କରୁଥିବା କାର ପରିବହନରୁ ମୁକୁଳିବାର ଏକ ସମ୍ଭାବନା ନିଶ୍ଚିତ ସୃଷ୍ଟି କରିପାରେ, ହେଲେ ଆମର ସାମାଜିକ ଚଳଣି ଏବଂ ଜୀବନ ଯାପନକୁ ଦେଖିଲେ ସାଇକେଲ ଆମ ସମସ୍ତଙ୍କ ପାଇଁ ପରିବହନର ମାଧ୍ୟମ ହୋଇପାରିବ ବୋଲି କହିବା ମଧ୍ୟ ଠିକ ହେବନି। କାରଣ ଅଧିକ ଦୂରତ୍ୱ ପାଇଁ ଲୋକେ ସାଇକଲ ଚଲେଇ ଯିବା ପାଇଁ ପସନ୍ଦ କରିନପାରନ୍ତି, ସେମିତି ବଡ଼ ବଡ଼ ମଲକୁ କିଣା କିଣି କରିବା ପାଇଁ ସାଇକଲ ନେଇ ନପାରନ୍ତି, ଏବଂ ଆମର ପାଣିପାଗ ଓ ଭୌେଗାଳିକ ସ୍ଥିତି ସଦା ସର୍ବଦା ସାଇକଲ ବ୍ୟବହାରକୁ ଉତ୍ସାହିତ କରିନପାରେ।
ଆମ ସହରମାନଙ୍କରେ ସାଇକଲ ଚାଳନା ପାଇଁ ବହୁତ କିଛି କରାଯାଇପାରିବ। ଯେପରି କିଛି ବର୍ଷ ପୂର୍ବେ ଭୁବନେଶ୍ୱର ମହାନଗର ନିଗମ ଏକ ପ୍ରଶାସନିକ ନିଷ୍ପତ୍ତି ନେଇଥିଲେ ପ୍ରତ୍ୟେକ ଶୁକ୍ରବାର ନିଗମର ସମସ୍ତ କର୍ମଚାରୀ ସାଇକଲ ମାଧ୍ୟମରେ ଗମନାଗମନ କରିବେ, କିନ୍ତୁ ଏହା ମଧ୍ୟ ସ୍ୱଳ୍ପ ସମୟ ମଧ୍ୟରେ ଦିଗହରା ହୋଇଯାଇଥିଲା। ସେହିଭଳି ୨୦୧୮ ମସିହାରେ ସର୍ବସାଧାରଣଙ୍କ ପାଇଁ ଭଡ଼ା ଭାବରେ ସାଇକଲ ଯୋଗାଇ ଦିଆଯିବା ସହିତ , ଭୁବନେଶ୍ୱରର କିଛି ମାର୍ଗକୁ ଡଚ ସହର ଭଳି ନାଲି ରଙ୍ଗ ବୋଳି ରଙ୍ଗିନ କରାଗଲା ସାଇକଲ ଚଳେଇବା ପାଇଁ। ହେଲେ ଏହା ମଧ୍ୟ ପରିଚାଳନା ଅଭାବରୁ ଦିଗହରା ହୋଇଗଲା। ଅନ୍ୟ ଏକ ଉଦ୍ୟମ ଭୁବନେଶ୍ୱରରେ ହେଉଛି ଦୁଇ ଦଶନ୍ଧି ପୂର୍ବେ ଭାରତର ପ୍ରଥମ ଦୀର୍ଘ ୪୧ କିଲୋମିଟର ସ୍ୱତନ୍ତ୍ର ସାଇକଲ ମାର୍ଗ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ମଧ୍ୟ ସାଇକଲ ଅପେକ୍ଷା ଗାଡ଼ି ରଖିବା ସ୍ଥାନ ଅବା ପଥ ଦୋକାନୀମାନଙ୍କ କାର୍ଯ୍ୟରେ ଆସିଲା।
ଏହା ମଧ୍ୟ ଗବେଷଣାରୁ ସମ୍ଭାବନା ଜାଗ୍ରତ ହୋଇଅଛି, ଯଦି ଉଚିତ ମାର୍ଗ, ସୁରକ୍ଷିତ, ସାମାଜିକ ଏବଂ ଅର୍ଥନୈତିକ ସୁବିଧା ସୁଯୋଗ ସହିତ ଆପଣେଇବାର ପରିବେଶ ସୃଷ୍ଟି କରାଯାଇପାରେ ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ, ବରଂ ଅଧିକ ଜନସାଧାରଣ ସାଇକଲକୁ ଭବିଷ୍ୟତର ଗମନାଗମନର ମାଧ୍ୟମ ଭାବେ ଗ୍ରହଣ କରିପାରିବେ। ଅନ୍ୟ ବିଷୟ ହେଉଛି ରାଜନୈତିକ ଇଚ୍ଛାଶକ୍ତି, କାରଣ କାର ପାଇଁ ରାଜମାର୍ଗ ଚଉଡା ହେଲା କେହି ବିରୋଧ କରିବେନି, କିନ୍ତୁ ସାଇକଲ ପାଇଁ ସ୍ବତନ୍ତ୍ର ରାସ୍ତା ହେଲେ ବହୁ କାର ଚାଳକ ଏବଂ ଏହାର ମାଲିକମାନେ ବିରୋଧ କରନ୍ତି। ନିକଟରେ ସମ୍ପୂର୍ଣ୍ଣ ହୋଇଥିବା ସାଧାରଣ ନିର୍ବାଚନରେ ସୁରକ୍ଷିତ ସାଇକଲ ଚାଳନା କୌଣସି ରାଜନୈତିକ ଦଳର ଇସ୍ତାହାରରେ ସ୍ଥାନ ପାଇନଥିଲା, ଏହା ସୂଚାଉଛି ଆମ ନେତାମାନଙ୍କ ପ୍ରାଧାନ୍ୟ କଣ।
ସାଇକଲ ପାଇଁ ଉଦ୍ଦିଷ୍ଟ ମାର୍ଗ, ସହରର ସମସ୍ତ ରାସ୍ତାରେ ଅାଵଶ୍ୟକତା ଅଛି। କାରଣ ଅଧା ଖଣ୍ଡିଆ ସାଇକଲ ପାଇଁ ଉଦ୍ଦିଷ୍ଟ ମାର୍ଗ ନଥିବା ସହିତ ସମାନ, ଯାହା ପ୍ରାୟ ବହୁ ସହରରେ ଦେଖିବାକୁ ମିଳେ। ତେଣୁ ବିଶ୍ୱର ସମସ୍ତ ସାଇକଲ ସହର ଏବଂ ଭୁବନେଶ୍ୱର ମଧ୍ୟରେ ଫରକ ଏତିକି ସେମାନଙ୍କ ପାଖରେ ପୂରା ସହର ମଧ୍ୟରେ ଯେକୌଣସି ସ୍ଥାନକୁ ଯିବାପାଇଁ ସ୍ୱତନ୍ତ୍ର ସୁରକ୍ଷିତ ସାଇକଲ ମାର୍ଗର ବ୍ୟବସ୍ଥା ହୋଇଅଛି, ଯାହା ଆମସହରରେ ଦେଖିବାକୁ ମିଳେନି।
ବହୁତ ଜରୁରୀ ବିଷୟ ହେଉଛି ଭୁବନେଶ୍ୱର ଭଳି ସହର ମଧ୍ୟରେ ଥିବା ସମସ୍ତ ରାସ୍ତାରେ ସାଇକଲ ଚଲେଇବା ପାଇଁ ସୁରକ୍ଷିତ ସ୍ଥାନ ଉପଲବ୍ଧ କରିବା ନିହାତି ଆବଶ୍ୟକ। ଯାହା ସମ୍ଭବ ହୋଇପାରିବ ଯେତେବେଳେ ଆମ ନଗର ଯୋଜନା ପ୍ରସ୍ତୁତ କରାଯିବ ଭୁବନେଶ୍ୱରକୁ ଏକ ସାଇକଲ ଚାଳନାର ସହର କରାଯାଇପାରିବ। ଏହାର ଅର୍ଥ ଏଠିକାର ଅଧିବାସୀ ନିଜର ଆଵଶ୍ୟକତା ଯଥା ଖାଦ୍ୟ ସାମଗ୍ରୀ, ରେସନ, ଔଷଧ ଓ ଚିକିତ୍ସାଳୟ, ହାଟ ବଜାର, ଶିକ୍ଷା ବ୍ୟବସ୍ଥା ଇତ୍ୟାଦି ଇତ୍ୟାଦି ଯାହା ସବୁ ସାଇକଲରେ ଯାତାୟାତ କରି ପାଇପାରିବେ।
କଟକଣା ସତ୍ତ୍ୱେ ଆମେ ବାହାରକୁ ଯାଉଥିଲୁ ଦୌଡ଼ିବା ପାଇଁ, ସାଇକଲ ଚଲେଇବା ପାଇଁ, କୁକର ବୁଲେଇବା ପାଇଁ, ନୀଳ ଆକାଶ ଦେଖିବା ପାଇଁ, ସବୁଜ ବଳୟର ଅନୁଭୂତି ପାଇଁ, କିନ୍ତୁ ଏଥିପାଇଁ ବହୁ ଦୂର ଯିବାକୁ ପଡୁନଥିଲା ବରଂ ମହାମାରୀ ସମୟରେ ଆମେ ଆମ ନିଜ ଅଞ୍ଚଳରେ ଏହାକୁ ପାଇଥିଲୁ ଯାହା ବର୍ଷ ବର୍ଷ ଧରି ଆମ ପାଖରେ ଥାଇ ମଧ୍ୟ ନଥିଲା ପରି ଲାଗୁଥିଲା। ଏହା ସହିତ ଆମେ ମଧ୍ୟ ଦେଖିଲୁ ସହର ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ଥିବା ଶୂନ୍ୟତା ଭରା ପଥଚାରୀ ରାସ୍ତା କିପରି ଆମର ଆମୋଦ ପ୍ରମୋଦ ସ୍ଥାନ ପାଲଟି ଯାଇଥିଲା। ହେଲେ ଯେତେବେଳେ କାର ଅବା ମୋଟର ଚାଳିତ ବାହନ ବ୍ୟବହାର କରୁଥିଲେ, ସେତେବେଳେ ଏହି ଚଲାପଥ, ସାଇକଲ ଚାଳକଙ୍କ ପାଇଁ ଉଦ୍ଦିଷ୍ଟ ମାର୍ଗ ଇତ୍ୟାଦି ଆମକୁ ଦିଶୁନଥିଲା, କାରଣ କେତେବେଳେ ଏହା ଉପରେ ଗାଡ଼ି ଚାଲୁଥିଲା ତ କେତେବେଳେ ଗାଡ଼ି ରହୁଥିଲା। ସମ୍ଭବତଃ ପ୍ରଥମ ଥର ପାଇଁ ଆମେ ଭାବିଲେ ପଥ ଏବଂ ସାଇକଲ ଚାଳକଙ୍କ ଉପରେ ଘଟିଥିବା ଅନ୍ୟାୟ ଏବଂ କ’ଣ ପାଇଁ ଆଜିର ଯୁଗରେ ଚାଲିବା ଏବଂ ସାଇକଲ ଚଲେଇବା ଅସୁରକ୍ଷିତ।
ହେଲେ ଆଜିକୁ ୭୫ ବର୍ଷ ତଳେ ଭୁବନେଶ୍ୱର ମଧ୍ୟ ସାଇକେଲ ଏବଂ ପଥ ଚାଳକଙ୍କ ପାଇଁ ଯୋଜନା ହୋଇଥିଲା, କିନ୍ତୁ ଏବେ ଆମେ ଦେଖୁଚେ ସାଇକଲ ଠାରୁ ଅଧିକା କାର ଥିଲା ଭଳିଆ। ଏହା କୌଣସି ରାଜନୈତିକ ଦଳର ନିର୍ବାଚନ ଘୋଷଣା ପତ୍ରରେ ନଥିଲା, କିନ୍ତୁ ଭୁବନେଶ୍ୱର ମଧ୍ୟରେ ଥିବା ଅଞ୍ଚଳ ଏବଂ ଓଡ଼ିଶାର ୭୫ ସହର ଯେଉଁଠାରେ ଜନସଂଖ୍ୟା ଆପାତତଃ ୨୦୦୦୦ ବିଶିଷ୍ଟ, ସେଠାରେ ଉଟ୍ରେକ୍ ସହର ଗଢି ତୋଳିବାର ଆଵଶ୍ୟକତା ଅଛି। ଏବଂ ଉତ୍ରେକଟ ସହରର ଆଉ ଏକ ଉଦାହରଣ ହେଉଛି, ଏହି ସହର ମଧ୍ୟଭାଗରେ ଥିବା ଟ୍ରେନ ଷ୍ଟେସନ ପାଖରେ ତିଆରି କରିପାରିଛି ବିଶ୍ୱର ସବୁଠାରୁ ବଡ଼ ସାଇକଲ ରଖିବା ସ୍ଥାନ। ଅଵଶ୍ୟ ଉଟ୍ରେକ୍, କୋପେନହାଗେନ ବିଗତ ଦଶନ୍ଧି ଧରି ନିଜ ସହରକୁ ପ୍ରସ୍ତୁତ କରୁଛନ୍ତି କିଭଳି କାର ଏବଂ ଅଙ୍ଗାରକାମ୍ଳ ବିଶିଷ୍ଟ ପରିବହନ ଉପରେ ନିର୍ଭରଶୀଳ ନହୋଇ, ନିଜର ଜନସାଧାରଣଙ୍କୁ ଏକ ସୁନ୍ଦର ସ୍ୱଚ୍ଛ ପରିବେଶରେ ବସବାସ କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ସମ୍ଭବତଃ ଭୁବନେଶ୍ୱର ବିଶ୍ବର ଭଲ ସହର ଦୌଡ଼ରେ ନୂଆ ହୋଇପାରେ କିନ୍ତୁ ବହୁ ଜଲଦି ଏହି ଦୌଡ଼ର ଉଦାହରଣ ସୃଷ୍ଟି କରିବାର କ୍ଷମତା ରଖିଛି।
Comments are closed.