ସ୍ମୃତିରେ ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର
୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ନଜର ରହିଥିଲା। ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା। ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ; କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରିଥିଲା ଭାରତ।
୧୯୪୭ ମସିହାରେ ସ୍ୱାଧୀନତା ପ୍ରାପ୍ତି ହୋଇଥିଲେ ମଧ୍ୟ ଚାରିବର୍ଷ ପରେ ଅନୁଷ୍ଠିତ ହୋଇଥିଲା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ। ୧୯୫୦ ମସିହା ଜାନୁଆରୀ ୨୬ ପୂର୍ବରୁ ଏକ ‘ବ୍ରିଟିଶ ଡୋମିନିଅନ’ ଭାବେ ଥିଲା ଭାରତର ସ୍ଥିତି। ସମ୍ବିଧାନ ଗୃହୀତ ହୋଇ କାର୍ଯ୍ୟକାରୀ ହେବା ପରେ ହିଁ ଏକ ସାଧାରଣତନ୍ତ୍ର ଭାବେ ଆତ୍ମପ୍ରକାଶ କରିଥିଲା ଭାରତ। ୧୯୪୯ ମସିହା ନଭେମ୍ବର ୨୬ରେ ସମ୍ବିଧାନ ସଭାରେ ଗୃହୀତ ହୋଇଥିଲା ଭାରତର ନୂଆ ସମ୍ବିଧାନ। ସାଧାରଣ ନିର୍ବାଚନ ଯାଏ ସମ୍ବିଧାନ ସଭା ହିଁ ଭାରତର ଅନ୍ତରୀଣ ପାର୍ଲାମେଣ୍ଟ ଭାବେ କାର୍ଯ୍ୟ କରିଥିଲା ଆଉ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗଠିତ ହୋଇଥିଲା। ନୂଆ ସମ୍ବିଧାନ ଅନୁସାରେ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିଲା। ସାର୍ବଜନୀନ ସାବାଳକ ମତାଧିକାର ବ୍ୟବସ୍ଥା ଜରିଆରେ ନିର୍ବାଚନ ସମ୍ପାଦନ ପାଇଁ ସମ୍ବିଧାନରେ ଉଲ୍ଲେଖ କରାଯାଇଥିଲା, ଯାହା କି ଥିଲା ଏକ ପ୍ରଶଂସନୀୟ ପଦକ୍ଷେପ। ମଧ୍ୟବର୍ତ୍ତୀକାଳୀନ ପାର୍ଲାମେଣ୍ଟରେ ଗୃହୀତ ଜନ ପ୍ରତିନିଧି ଅଧିନିୟମ -୧୯୫୦ ଅନୁସାରେ ଭୋଟରଙ୍କ ଯୋଗ୍ୟତା, ଭୋଟର ତାଲିକା ପ୍ରସ୍ତୁତି ଓ ପ୍ରକାଶନ ନେଇ ମାନଦଣ୍ଡ ନିର୍ଦ୍ଧାରିତ ହୋଇଥିଲା। ଏହି ଅଧିନିୟମ ଅନୁସାରେ ଭୋଟ୍ ଦେବା ପାଇଁ ସର୍ବନିମ୍ନ ବୟସସୀମା ଥିଲା ୨୧ ବର୍ଷ। ପ୍ରଥମ ନିର୍ବାଚନରୁ ହିଁ ମହିଳାମାନଙ୍କୁ ମିଳିଥିଲା ମତଦାନ ଅଧିକାର।
୧୯୫୦ ଜାନୁଆରୀ ୨୫ ତାରିଖରେ ଗଠନ ହୋଇଥିଲା ଭାରତର ନିର୍ବାଚନ କମିସନ। ଭାରତୀୟ ପ୍ରଶାସନିକ ସେବାର ଜଣେ ଦକ୍ଷ ଅଧିକାରୀ ତଥା ପଶ୍ଚିମବଙ୍ଗ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁକୁମାର ସେନ ହୋଇଥିଲେ ଭାରତର ପ୍ରଥମ ମୁଖ୍ୟ ନିର୍ବାଚନ କମିସନର। ୧୯୫୦ ମାର୍ଚ୍ଚ ୨୧ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ ସୁକୁମାର ସେନ୍। ୧୯୫୧ ମସିହା ବସନ୍ତ ଋତୁ ସୁଦ୍ଧା ନିର୍ବାଚନ ହେବ ବୋଲି ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ନେହରୁ ଘୋଷଣା କରିଥିଲେ ମଧ୍ୟ ଏହା ଆଦୌ ସମ୍ଭବ ନୁହେଁ ବୋଲି ଜାଣିଥିଲେ ସୁକୁମାର ସେନ୍। କୌଣସି ପୂର୍ବ ଅଭିଜ୍ଞତା ଓ ଭିତ୍ତିଭୂମି ନ ଥାଇ ଏକ ସମସ୍ୟା ବହୁଳ ବିଶାଳ ଦେଶରେ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ସମ୍ପାଦନ କରିବା ନିଶ୍ଚିତ ଭାବେ ଥିଲା ଏକ କଠିନ ବ୍ୟାପାର।
ଅନେକ ଆଶା ଆଶଙ୍କା ମଧ୍ୟରେ ୧୯୫୦ ମସିହା ନଭେମ୍ବରରେ ପ୍ରକାଶ ପାଇଥିଲା ପ୍ରାରମ୍ଭିକ ଭୋଟର ତାଲିକା। ୧୯୫୧ ମାର୍ଚ୍ଚ ସୁଦ୍ଧା ସମସ୍ତ ରାଜ୍ୟର ପ୍ରାଥମିକ ଭୋଟର ତାଲିକା ପ୍ରକାଶିତ ହୋଇଥିଲା। ସେହି ବର୍ଷ ନଭେମ୍ବରରେ ପ୍ରକାଶ ପାଇଥିଲା ଚୂଡାନ୍ତ ଭୋଟର ତାଲିକା। ଉତ୍ତର ଭାରତରେ ଅଧିକାଂଶ ମହିଳା ଭୋଟରଙ୍କ ନାମ ପଞ୍ଜୀକରଣ କ୍ଷେତ୍ରରେ ଏକ ସାମାଜିକ ସମସ୍ୟା ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଭୋଟର ତାଲିକାରେ ଅନେକ ମହିଳା ନିଜ ନିଜ ନାଁରେ ପଞ୍ଜୀକରଣ ନ କରି କାହାର ମା’ ବା କାହାର ସ୍ତ୍ରୀ ନାଁରେ ପଞ୍ଜିକୃତ କରିଥିଲେ; କିନ୍ତୁ ଏଥିରେ କଡା ଆପତ୍ତି ପ୍ରକାଶ କରିଥିଲେ ମୁଖ୍ୟ ନିର୍ବାଚନ କମିସନର ସୁକୁମାର ସେନ୍। ନିଜ ନିଜ ନାଁରେ ମହିଳା ଭୋଟରମାନେ ଯେପରି ଭୋଟର ତାଲିକାରେ ନିଜକୁ ପଞ୍ଜିକୃତ କରନ୍ତି, ତାହା ନିଶ୍ଚିତ କରିବାକୁ ନିଜ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। କିଛି ସଂଶୋଧନ ଓ ସମୀକ୍ଷା ପରେ ଶେଷରେ ଦେଶବ୍ୟାପୀ (ଜାମ୍ମୁ ଓ କାଶ୍ମୀରକୁ ବାଦ୍ ଦେଇ) ମୋଟ ୧୭ କୋଟି ୩୨ ଲକ୍ଷ ଭୋଟରଙ୍କୁ ନେଇ ପ୍ରକାଶ ପାଇଥିଲା ଚୂଡାନ୍ତ ତାଲିକା। ଭୋଟରଙ୍କ ମଧ୍ୟରେ ୪୫ ପ୍ରତିଶତ ଥିଲେ ମହିଳା। ସଂଖ୍ୟାଗରିଷ୍ଠ ଭୋଟର ନିରକ୍ଷର ଥିବାରୁ ସେମାନଙ୍କ ସୁବିଧା ପାଇଁ ଅଭିନବ ଉପାୟ ଆପଣାଇଥିଲେ ନିର୍ବାଚନ କମିସନ। ସାଧାରଣ ଲୋକଙ୍କ ଦୈନନ୍ଦିକ ଜୀବନ ସହ ଜଡିତ ମାଟି ଦୀପ, ଲଣ୍ଠନ, ବଳଦ ଗାଡ଼ିର ଛବିଳ ଚିହ୍ନକୁ ରାଜନୈତିକ ଦଳଗୁଡିକର ଚିହ୍ନ ଭାବେ ଆବଣ୍ଟିତ କରାଯାଇଥିଲା। କେବଳ ଏତିକି ନୁହେଁ, ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଗୋଟିଏ ଗୋଟିଏ ରଙ୍ଗିନ ବ୍ୟାଲଟ ବକ୍ସ ବ୍ୟବସ୍ଥା କରାଯାଇଥିଲା। ସେହି ବ୍ୟାଲଟ ବକ୍ସରେ ସଂପୃକ୍ତ ପ୍ରାର୍ଥୀଙ୍କ ନାମ ଓ ସେ ପ୍ରତିନିଧିତ୍ୱ କରୁଥିବା ଦଳର ଚିହ୍ନ ଛପା ଯାଇଥିଲା। ଏହାଦ୍ୱାରା ନିରକ୍ଷର ଭୋଟରମାନଙ୍କ କାମ ଆହୁରି ସହଜ ଓ ସରଳ ହୋଇପାରିଥିଲା। ଏହି ପ୍ରକ୍ରିୟା ପାଇଁ ପ୍ରାୟ ୨ ଲକ୍ଷ ମତଦାନ କେନ୍ଦ୍ରରେ ବ୍ୟବହାର ହୋଇଥିଲା ୨୦ ଲକ୍ଷ ଷ୍ଟିଲ ନିର୍ମିତ ବ୍ୟାଲଟ ବକ୍ସ।
ସ୍ୱାଧୀନ ଭାରତର ସର୍ବପ୍ରଥମ ନିର୍ବାଚନ ସମସ୍ତଙ୍କ ପାଇଁ ଥିଲା ଏକ ନୂଆ ଅନୁଭୂତି। ୮୦ ପ୍ରତିଶତ ଭୋଟର ଥିଲେ ନିରକ୍ଷର। ନିର୍ବାଚନ ପ୍ରକ୍ରିୟା ଓ ମତଦାନ ବାବଦରେ ଭୋଟରଙ୍କୁ ଅବଗତ କରାଇବା ଥିଲା ବଡ଼ ଆହ୍ୱାନ। ତେଣୁ ନିର୍ବାଚନ କମିସନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥିଲା ‘ମୋକ୍ ପୋଲ୍’। ଏପରି କି ନିର୍ବାଚନୀ ପ୍ରକ୍ରିୟା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇ ସଚେତନତା ଅଭିଯାନ ସ୍ୱରୂପ ଦେଶର ତିନି ହଜାର ସିନେମାହଲରେ ପ୍ରଦର୍ଶିତ କରାଯାଇଥିଲା। ରେଡିଓ, ଖବରକାଗଜରେ ନିର୍ବାଚନ ସମ୍ପର୍କିତ ବାର୍ତ୍ତା ଓ ବିଜ୍ଞାପନ ଦିଆଯାଇ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରିଥିଲେ ନିର୍ବାଚନ କମିସନ।
ବିଭିନ୍ନ ରାଜ୍ୟର ପ୍ରସ୍ତୁତି, ଯୋଗାଯୋଗ ବ୍ୟବସ୍ଥା, ପାଣିପାଗ ଓ ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ନିର୍ବାଚନ ପାଇଁ ମତଦାନ ତାରିଖ ସ୍ଥିର କରିଥିଲେ ନିର୍ବାଚନ କମିସନ। ଦେଶର ଅଧିକାଂଶ ରାଜ୍ୟରେ ୧୯୫୨ ମସିହାର ପ୍ରାରମ୍ଭରେ ନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା ଭୋଟିଂ; କିନ୍ତୁ ପ୍ରତିକୂଳ ପାଗ ଆଶଙ୍କାରେ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖରେ ହିଁ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ପାଇଁ ପ୍ରଥମେ ହୋଇଥିଲା ମତଦାନ। ହିମାଚଳ ପ୍ରଦେଶର ଛିନି ଓ ପଙ୍ଗି ତହସିଲର ଭୋଟରମାନେ ଦେଶର ସର୍ବପ୍ରଥମ ନିର୍ବାଚନରେ ପ୍ରଥମେ ଭୋଟ୍ ଦେଇଥିଲେ।
ଲୋକସଭା ସହ ଅନେକ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଏକସଙ୍ଗେ ହୋଇଥିଲା ମତଦାନ। ୧୯୫୧ ମସିହା ଡିସେମ୍ବର ୧୦ ତାରିଖରେ ଦେଶର ଅବଶିଷ୍ଟ ଅଞ୍ଚଳରେ ଆରମ୍ଭ ହୋଇଥିଲା ଭୋଟିଂ। ଟ୍ରାଭାଙ୍କର-କୋଚିନ (ବର୍ତ୍ତମାନର କେରଳ)ର ଥିରୁଭେଲ୍ଲା ଓ ଥ୍ରିସୁର ଲୋକସଭା ଆସନରେ ପ୍ରଥମେ ଭୋଟ୍ ପଡିଥିଲା। ୧୯୫୧ ମସିହା ଡିସେମ୍ବରରୁ ୧୯୫୨ ଫେବୃଆରୀ ମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଥିଲା ମତଦାନ। ଲୋକସଭା ନିର୍ବାଚନରେ ମୋଟ ୧ ହଜାର ୮୭୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧୫ ହଜାର ୩୬୧। ସେତେବେଳର ବ୍ୟବସ୍ଥା ଅନୁସାରେ କିଛି ଲୋକସଭା ଆସନରେ ଜଣେ ପରିବର୍ତ୍ତେ ଦୁଇ ଜଣ ସାଂସଦ ନିର୍ବାଚିତ ହେଉଥିଲେ। ଏଭଳି ଭାବେ ୮୬ଟି ଲୋକସଭା ଆସନରେ ଦୁଇ ଜଣ ପ୍ରାର୍ଥୀ ନିର୍ବାଚିତ ହେବା ବିଧାନ ଥିଲା। ୩୧୪ ଆସନରେ ଜଣେ ଲେଖାଏଁ ସାଂସଦ ଓ ନର୍ଥ ବେଙ୍ଗଲ ଆସନରୁ ତିନିଜଣ ସାଂସଦ ନିର୍ବାଚିତ ହେବା ବ୍ୟବସ୍ଥା ଥିଲା। ଏହି ବ୍ୟବସ୍ଥା ଅନୁସାରେ ପ୍ରଥମ ସାଧାରଣ ନିର୍ବାଚନରେ ୪୦୧ ଲୋକସଭା ଆସନରେ ମତଦାନ ହୋଇଥିଲା ଓ ୪୮୯ ପ୍ରାର୍ଥୀ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ଗୋଟିଏ ଆସନରୁ ଏକାଧିକ ସଦସ୍ୟ ନିର୍ବାଚିତ ହେବା ବ୍ୟବସ୍ଥା ୧୯୬୨ ମସିହାରେ ଉଚ୍ଛେଦ କରାଯାଇଥିଲା।
ଏକ ଟଙ୍କିଆ ନୋଟ୍ ଭଳି ଥିଲା ବ୍ୟାଲଟ ପେପରର ଆକାର ଓ ଏହାର ରଙ୍ଗ ଥିଲା ଗୋଲାପୀ। ପୋଲିଂ ଷ୍ଟେସନରେ ଭୋଟରମାନେ ବ୍ୟାଲଟ ପେପର ନେଇ ସେଠାରେ ଥିବା ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କ ବକ୍ସରେ ପକାଉଥିଲେ। ପ୍ରଥମ ନିର୍ବାଚନରୁ ହିଁ ଭୋଟରଙ୍କ ଅଙ୍ଗୁଳିରେ ଅଲିଭା କାଳି ଲଗାଇବା ପରମ୍ପରା ଆରମ୍ଭ ହୋଇଥିଲା। ଡବଲ୍ ଭୋଟିଂ ଏଡ଼ାଇବା ପାଇଁ ଏଭଳି ବ୍ୟବସ୍ଥା ଆପଣାଇଥିଲେ ନିର୍ବାଚନ କମିସନ। ଏହି ପରମ୍ପରା ଆଜି ଯାଏ ଜାରି ରହିଛି।
ପ୍ରଥମ ସାଧାରଣ ନିର୍ବାଚନରେ ୧୪ଟି ଦଳକୁ ହିଁ ଜାତୀୟ ଦଳ ଭାବେ ମାନ୍ୟତା ମିଳିଥିଲା। ପ୍ରଥମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରିଥିଲେ ମୋଟ ୫୩ଟି ରାଜନୈତିକ ଦଳ। ଭାରତୀୟ ଜାତୀୟ କଂଗ୍ରେସ ସହ ସୋସିଆଲିଷ୍ଟ ପାର୍ଟି, କିଷାନ ମଜଦୁର ପ୍ରଜା ପାର୍ଟି, ସିପିଆଇ, ଅଖିଳ ଭାରତୀୟ ଜନସଂଘ, ହିନ୍ଦୁ ମହାସଭା ପ୍ରମୁଖ ନିର୍ବାଚନରେ ଭାଗ ନେଇଥିଲେ।
୧୯୫୨ ମସିହା ଏପ୍ରିଲ ୨ ତାରିଖରେ ଘୋଷିତ ହୋଇଥିଲା ସଂପୂର୍ଣ୍ଣ ଫଳାଫଳ। ଭାରତୀୟ ଜାତୀୟ କଂଗ୍ରେସ ୩୧୮ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୨ଟି ଆସନ ପାଇ ସୋସିଆଲିଷ୍ଟ ପାର୍ଟି ଥିଲା ଲୋକସଭାର ଦ୍ୱିତୀୟ ବଡ଼ ଦଳ। ସ୍ୱାଧୀନ ପ୍ରାର୍ଥୀମାନେ ୩୭ଟି ଆସନରେ ବିଜୟୀ ହୋଇଥିଲେ।
ଅଭିଜ୍ଞତାର ଅଭାବ, ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟା, ଅନଭିଜ୍ଞ ମତଦାତାଙ୍କ ସତ୍ତ୍ୱେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ଥିଲା ଏକ ଉଲ୍ଲେଖନୀୟ ସଫଳତା। ଅନେକଙ୍କ ସନ୍ଦେହ ମୋଚନ କରିଥିଲା ଏହି ନିର୍ବାଚନ। ନୂଆ ନୂଆ ସ୍ୱାଧୀନତା ହାସଲ କରିଥିବା ଏକ ସମସ୍ୟା ବହୁଳ ଦେଶରେ ସଫଳତାର ସହ ନିର୍ବାଚନ ହେବା ନେଇ ଯେଉଁମାନେ ସନ୍ଦେହ ପ୍ରକାଶ କରିଥିଲେ ସେମାନଙ୍କୁ ମିଳିଥିଲା ଠୋସ୍ ଜବାବ।
Comments are closed.