ଋତୁରାଜ ଅନ୍ତର୍ଦ୍ଧାନ ଅନ୍ତରାଳେ
ଶ୍ରୀବତ୍ସ ନାୟକ
ବର୍ଷକର ବାର ମାସ ଓ ଛଅ ଋତୁ। ପ୍ରତ୍ୟେକ ଋତୁର ଅନୁଭୂତି ଅଲଗା ହେଲେ ମଧ୍ୟ ଲୋକକଥା ଅନୁସାରେ ଋତୁଙ୍କ ମଧ୍ୟରେ ରାଣୀ ହେଉଛି ଶ୍ରାବଣୀ ଓ ରାଜା ହେଉଛି ବସନ୍ତ। ଫାଲଗୁନ ଓ ଚୈତ୍ର ମାସ ହେଉଛି ବସନ୍ତ ଋତୁର ମାସ। ଭାରତବର୍ଷରେ ଅନୁଭବ ହେଉଥିବା ସମସ୍ତ ଛଅ ଋତୁକୁ ନେଇ ମହାକବି କାଳିଦାସ ତାଙ୍କର ଋତୁସଂହାର କାବ୍ୟରେ ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ବସନ୍ତ ଋତୁକୁ ନିଜର ପ୍ରେମିକ ବୋଲି ସମ୍ବୋଧନ କରି କାଳିଦାସ ନିଜର ଏହି ପ୍ରସିଦ୍ଧ କୃତିର ଷଷ୍ଠ ସର୍ଗରେ ବସନ୍ତ ଋତୁର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି। କେବଳ ସେତିକି ନୁହେଁ ନିଜେ ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି, “ବୃହତ୍ସାମ ତଥା ସାମ୍ନାଂ ଗାୟତ୍ରୀ ଛନ୍ଦସାମହମ୍। ମାସାନାଂ ମାର୍ଗଶୀର୍ଷୋଽହମୃତୂନାଂ କୁସୁମାକରଃ।’’ ଅର୍ଥାତ୍ ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍ସାମ ଭାବରେ ଜାଣ। କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ। ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ। ‘‘ମୁଁ ଋତୁମାନଙ୍କ ମଧ୍ୟରେ କୁସୁମାକର ଅର୍ଥାତ୍ ବସନ୍ତ।’’ ତେଣୁ ଋତୁମାନଙ୍କ ମଧ୍ୟରେ ବସନ୍ତ ଋତୁ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ପ୍ରତିଫଳିତ କରିଥାଏ। ଏହା ହିଁ ବସନ୍ତ ଋତୁର ଶ୍ରେଷ୍ଠତା ତଥା ବସନ୍ତକୁ ଋତୁରାଜର ଆଖ୍ୟା ଦେଇଛି।
ବାର ମାସରେ ଛଅ ଋତୁ। ଋତୁଚକ୍ରରେ ପ୍ରତ୍ୟେକ ଋତୁର ଅବଧି ହେଉଛି ଦୁଇ ମାସ। ଏହି ଋତୁଚକ୍ର ଗ୍ରୀଷ୍ମ ଋତୁରେ ଆରମ୍ଭ ହୋଇ ବସନ୍ତଋତୁରେ ଶେଷ ହୋଇଥାଏ। ବୈଶାଖ ଓ ଜ୍ୟେଷ୍ଠ ମାସରେ ଗ୍ରୀଷ୍ମ ଋତୁ, ଆଷାଢ଼ ଓ ଶ୍ରାବଣରେ ବର୍ଷାଋତୁ, ଭାଦ୍ରବ ଓ ଆଶ୍ୱିନ ମାସରେ ଶରତ ଋତୁ, କାର୍ତ୍ତିକ ଓ ମାର୍ଗଶିର ମାସରେ ହେମନ୍ତ ଋତୁ, ପୌଷ ଓ ମାଘ ମାସରେ ଶୀତଋତୁ ଏବଂ ଫାଲଗୁନ ଓ ଚୈତ୍ର ମାସରେ ବସନ୍ତ ଋତୁ ଅନୁଭବ ହୁଏ। ଯଦିଓ ମାନବ ଜୀବନ ପାଇଁ ସମସ୍ତ ଛଅ ଋତୁର ଗୁରୁତ୍ବ ରହିଛି ତଥାପି ବସନ୍ତ ଋତୁର ଅନୁଭୂତି ବାସ୍ତବିକ୍ ନିଆରା ଓ ବେଶ୍ ହୃଦୟସ୍ପର୍ଶୀ। ଦାରୁଣ ଶୀତର ଅବସାନ ପରେ ସକଳ ଜୀବଙ୍କ ଦୁଃଖ ଯାତନାକୁ ଲାଘବ କରି, ନୂତନ ଯୁଗର ସମ୍ଭାବନା ନେଇ ସବୁଜିମାର ମୁକୁଟ ପରିଧାନ କରି ଧରାବତରଣ କରେ ସୌନ୍ଦର୍ଯ୍ୟର ଅଧିପତି ବସନ୍ତ ଋତୁ। ଋତୁରାଜ ବସନ୍ତ ରସରାଜ ଅଟେ। ଏହି ଋତୁରେ ନାନାଦି ବିଚିତ୍ର ଘଟଣାମାନ ଘଟେ। ଏହାର ଆଗମନରେ ପ୍ରକୃତିର ଭିନ୍ନ ଏକ ପରିବର୍ତ୍ତନ ଅନୁଭୂତ ହୁଏ। ଚାରିଆଡ଼େ ରଙ୍ଗ ବେରଙ୍ଗର ପୁଷ୍ପ ତା ସାଙ୍ଗକୁ ସବୁଜିମାରେ ଭରପୂର ହୁଏ ଧରିତ୍ରୀ ମାଆ। ମନେହୁଏ ଧରିତ୍ରୀ ମାଆ ପାଇଁ ଋତୁରାଜ ବସନ୍ତ ଅନେକ କିଛି ଉପହାର ଆଣିଛି। ନବ ବିବାହିତା ବଧୂ ଭଳି ଧରିତ୍ରୀ ମାଆ ନାନାଦି ପୁଷ୍ପ ଯଥା ବାସଙ୍ଗ, କାମିନୀ, ଟଗର, ଗୋଲାପ, ପଳାଶ, ମାଧବୀ, ବକୁଳ, ଶିମିଳି ଚମ୍ପା ଓ ଯୂଇ ଆଦି ଫୁଲର ଗଜରା ପରିଧାନ କରିଛି। ଏହି ବସନ୍ତରେ ପତ୍ର ମଧ୍ୟ ଫୁଲପରି ସୁନ୍ଦର ଦିଶୁଛି। ଯେମିତି ଆମ୍ବ ଆଦି କେତେକ ଗଛର ପତ୍ର ପ୍ରଥମେ ନାଲି ଦେଖାଯାଇ ସୁନ୍ଦର ଦିଶୁଛି। ଦୂରରୁ ଦେଖିଲେ ପତ୍ରଭର୍ତ୍ତି ଗଛ ମଧ୍ୟ ଫୁଲ ଭର୍ତ୍ତି ଗଛପରି ଲାଗୁଛି। ଗଛ ତଳେ ପଡ଼ିଥିବା ଓ ପଡୁଥିବା ପତ୍ରଗୁଡ଼ିକର ଦୃଶ୍ୟ ମଧ୍ୟ ଅତି ଚମତ୍କାର ଦିଶୁଛି। ଗଛତଳେ ପଡ଼ିଥିବା ପତ୍ରଗୁଡ଼ିକର ସମାହାର ପତ୍ରରେ ସଜା ହୋଇଥିବା ଗାଲିଚା ପରି ସୁନ୍ଦର ଦିଶୁଛି। ମହୁଲ ଗଛରୁ ମହୁଲ ଫୁଲ ପଡ଼ିବାର ଦୃଶ୍ୟ ଦେଖିଲେ ମନେ ହେଉଛି ଦେବତାମାନେ ସ୍ବର୍ଗରୁ ପୁଷ୍ପ ବୃଷ୍ଟି କରୁଛନ୍ତି। ଅନୁଭବ ହେଉଛି ଧରିତ୍ରୀ ମାଆର ବାହାଘର ପାଇଁ ଋତୁରାଜ ସଜେଇ ଦେଇଛି। ପୁଷ୍ପର ସୁରଭି ଜନମାନସରେ ପୁଲକ ଆଣିବା ସହ ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ଜନମନକୁ ହରଣ କରୁଛି। କେବଳ ସେତିକି ନୁହେଁ; ବସନ୍ତର ଆଗମନରେ ସୁଲୁସୁଲିଆ ମଳୟ ପବନ ଜନ ମାନସକୁ ପୁଲକିତ କରେ, ପକ୍ଷୀମାନଙ୍କର କୋଳାହଳ ମନରେ ଶିହରଣ ସୃଷ୍ଟି କରେ, ଆମ୍ବ ବଉଳର ବାସ୍ନାରେ ମହକି ଉଠେ ଚତୁର୍ଦ୍ଦିଗ, ଫଗୁଣ ରଙ୍ଗ ଫରୁଆରୁ ଅବିର ବୁଣି ଚତୁର୍ଦ୍ଦିଗକୁ ରଙ୍ଗିନ କରେ, ଚୋରା ଚଇତାଳି ମନର ଦରଜା ଖୋଲି ଚୁପିଚୁପି କେତେ କ’ଣ ସବୁ କହିଦେଉଥାଏ, ଫୁଲର ମହମହ ବାସ୍ନା ମନରେ ପ୍ରୀତିର ନିଶା ଜାଗ୍ରତ କରେ। ପ୍ରକୃତିର ଏହି ଅଫୁରନ୍ତ ଦୃଶ୍ୟ ସାଙ୍ଗକୁ ମନୋମୁଗ୍ଧକର ପରିବେଶ କବିମାନଙ୍କର ଲେଖନୀକୁ ଚଳଚଞ୍ଚଳ କରିଥାଏ। ଏହି ଋତୁରେ ବସନ୍ତପଞ୍ଚମୀ, ଆଗିଜଳା ପୂର୍ଣ୍ଣିମା, ଶିବରାତ୍ରି, ଦୋଳପୂର୍ଣ୍ଣିମା ଓ ହୋଲି ଆଦି ପର୍ବ ସମାଜରେ ଆନନ୍ଦର ବାତାବରଣ ସୃଷ୍ଟି କରିଥାଏ। ବାସ୍ତବିକ୍ କେଡେ ସୁନ୍ଦର ଏହି ବସନ୍ତ ଋତୁ !
ଯଦିଓ ବସନ୍ତର ଅର୍ଥ ହେଲା ଆନନ୍ଦ ଉଲ୍ଲାସ; କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏହାର ବିପରୀତ ପ୍ରତିଫଳନ ଅନୁଭୂତ ହେଉଛି। ବସନ୍ତ ଋତୁର ମାଧୁର୍ଯ୍ୟକୁ ନେଇ ବେଦ, ଉପନିଷଦ, ଭଗବଦ୍ ଗୀତାରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଅଧୁନା ଖବରକାଗଜ, ପତ୍ରପତ୍ରିକା, ଗଣମାଧ୍ୟମରେ ଏହାର ରୂପ ଲାବଣ୍ୟକୁ ନେଇ ଅନେକ କଥା ପ୍ରକାଶ ପାଉଥିଲେ ମଧ୍ୟ ବର୍ତ୍ତମାନ ପିଢ଼ି ପାଇଁ ଏହା କେବଳ ଶବ୍ଦର ପ୍ରାଚୁର୍ଯ୍ୟଭରା ଏକ ମରୀଚିକା ପାଲଟିଛି; କାହିଁକିନା ଅଧୁନା ଆଉ ବସନ୍ତ ଋତୁକୁ ଅନୁଭବ କରିହେଉନାହିଁ। ବସନ୍ତର ରୂପକୁ ଯେତେ ବର୍ଣ୍ଣନା କଲେ ମଧ୍ୟ ଅନୁଭବୀ ହିଁ ହୃଦ୍ବୋଧ କରିପାରେ ବାସ୍ତବିକ ତା’ର ରୂପ ଲାବଣ୍ୟ କେତେ ସୁନ୍ଦର।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ତଥା ନୂତନ ଅର୍ଥନୈତିକ ନୀତିରେ ଜାତୀୟକରଣ, ଜଗତୀକରଣ ଓ ଘରୋଇକରଣ ପ୍ରଭାବରେ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟିଛି। ଦିନକୁ ଦିନ ବିକାଶ ଆଳରେ ଆମେ ଅଜାଣତରେ ପ୍ରକୃତିର ଜୈବ ବିବିଧତାକୁ ଧ୍ବଂସ କରି ବିନାଶକୁ ନିମନ୍ତ୍ରଣ କରିଚାଲିେଛ। ପରିବେଶ ଓ ପରିସ୍ଥିତି ବଦଳିବାରେ ଲାଗିଛି। ଋତୁଚକ୍ରରେ ଅସ୍ବାଭାବିକ ପରିବର୍ତ୍ତନ ହେଉଛି। ଗ୍ରୀଷ୍ମର ପ୍ରକୋପ ଆଗରେ ଋତୁରାଜ ବସନ୍ତ ହଜିଯାଇଛି। ସମୟ ଆସିଛି ଆମକୁ ଅନୁଭବ କରିବାକୁ ପଡ଼ିବ ଏହାର ଗୁରୁତ୍ୱକୁ। ପ୍ରକୃତିର ସୌନ୍ଦର୍ଯ୍ୟକୁ ସୁରକ୍ଷା ଦେବାପାଇଁ ଆମେ ସମସ୍ତେ ସଂକଳ୍ପ ନେବା ନିହାତି ଜରୁରୀ; ନତୁବା ଋତୁରାଜ ବସନ୍ତର ରୂପ ଯୌବନ କେବଳ କାଗଜକଲମରେ ସୀମିତ ହୋଇ ରହିଯିବ।
Comments are closed.