ରାଷ୍ଟ୍ରର ଭବିଷ୍ୟତ ନିର୍ମାଣରେ ମାତୃଶକ୍ତି

ଉପେନ୍ଦ୍ର ବିଶ୍ବାଳ

ଇସ୍ରାଏଲ୍‌ର ଭାଗ୍ୟାକାଶରେ ଦିନେ ଘୋଟିଥିଲା କଳାବାଦଲ। ସେ ଦିନ ଇହୁଦୀ ଜାତିଟି ବାରବୁଲା ଭାବେ ନିର୍ବାହ କରୁଥିଲା ଏକ ଦୟନୀୟ ଜୀବନ। ଏଭଳି ବାରବୁଲା ଜୀବନ କ’ଣ ଆମ ଭାଗ୍ୟ ଲିଖନ? ଆମ ପୂର୍ବ ପୁରୁଷ ବି କ’ଣ ଜୀବନଯାପନ କରୁଥିଲେ ଏପରି? ଅତୀତକୁ ଚାହିଁଲା ସେ। ନିଜକୁ ପଚାରିଲା- ମୁଁ କିଏ? ଉତ୍ତର ଆସିଲା- ‘ଏକ ଲଢ଼ୁଆ, ସ୍ବାଭିମାନୀ ବୀର ଜାତିର ଉତ୍ତରଦାୟାଦ ତୁ। ବିଶ୍ବର ସବୁଠୁ ବୁଦ୍ଧିମାନ ବ୍ୟକ୍ତିଙ୍କର ଭାଗ୍ୟବାନ ଦାୟାଦ ତୁ।’ ଏହି ଆତ୍ମପ୍ରତ୍ୟୟ ମନ୍ତ୍ରରେ ଦୀକ୍ଷିତ କରାଇ ଚାଲିଲେ ମାଆମାନେ ତାଙ୍କ ସନ୍ତାନମାନଙ୍କୁ, ପିଢ଼ି ଧରି। ବାସ୍‌ ତା’ପରେ ଇସ୍ରାଏଲ ଆଗେଇ ଚାଲିଲା ଆଗକୁ ଆଗକୁ। ମରୁଭୂମିର ଏହି କ୍ଷୁଦ୍ର ରାଷ୍ଟ୍ରଟି ଆଜି ସଦର୍ପ ନିଜର ଅସ୍ତିତ୍ବ, ଶକ୍ତି, ସାମର୍ଥ୍ୟ ଓ ସମୃଦ୍ଧି ଜାହିର କରିଚାଲିଛି, ଶତ୍ରୁରାଷ୍ଟ୍ରମାନଙ୍କ ଘେରି ଭିତରେ ରହି ମଧ୍ୟ। ଇସ୍ରାଏଲର ଭାଗ୍ୟାକାଶରେ ପୁଣି ସୌଭାଗ୍ୟର ରବି ଆତ୍ମପ୍ରକାଶ କଲା। ସେ ଦେଶର ଭାଗ୍ୟ ନିର୍ଣ୍ଣୟରେ ମାଆମାନଙ୍କର ଜାଗରଣ, ସେମାନଙ୍କର ଭୂମିକା ସଦା ସ୍ମରଣୀୟ ହୋଇ ରହିଗଲା ଜାତିର ଇତିହାସରେ। କ୍ରୂର ଇସଲାମ୍‌ର ଅକଥନୀୟ ଅତ୍ୟାଚାରରେ ସେଦିନ ଅତିଷ୍ଠ ଥିଲା ଭାରତ। ଦୁଃଖରେ ମ୍ରିୟମାଣ ଜଣେ କିଶୋରୀର ମନ। ମନରେ ଅସୁମାରୀ ପ୍ରଶ୍ନ। ଇସଲାମ୍‌ର ଏହି ଦୌରାତ୍ମ୍ୟରୁ କିପରି ରକ୍ଷା କରାଯାଇ ପାରିବ ଏ ଜାତିକୁ। ସ୍ବପ୍ନ ଦେଖିଲା କିଶୋରୀଟି। ମୋର ଏମିତି ଏକ ପୁଅଟିଏ ହୁଅନ୍ତାନି, ଯିଏ ଭାରତକୁ ରକ୍ଷା କରିପାରନ୍ତା ଏମାନଙ୍କ ଦୌରାତ୍ମ୍ୟରୁ? ପ୍ରାର୍ଥନାନୁଯାୟୀ ପୁଅଟିଏ ପାଇଲେ ଜିଜାବାଈ। ସ୍ବପ୍ନ ଓ ସଂକଳ୍ପାନୁଯାୟୀ ନିଜ ହାତରେ ଗଢ଼ିବସିଲେ ପୁଅ ଶିବାକୁ। ଆଉ ପରବର୍ତ୍ତୀ ଅବସ୍ଥାରେ ହିନ୍ଦୁସ୍ତାନରେ ରକ୍ଷାକବଚ ଭାବେ ଉଭାହେଲେ ଛତ୍ରପତି ଶିବାଜି। ଆଉରଙ୍ଗଜେବ୍‌ର ଅତ୍ୟାଚାରରୁ ରକ୍ଷା କରିଲେ ଏ ଦେଶକୁ। ଜଣେ ମାଆର ସ୍ବପ୍ନ, ସଂକଳ୍ପ, ସାଧନା ଅନୁଯାୟୀ ରକ୍ଷାପାଇଲା ହିନ୍ଦୁସ୍ଥାନଟି।

ସାତ ସମୁଦ୍ର, ତେର ନଦୀ ପାର ହୋଇ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଯାଉଥିଲା ପୁଅଟି। କୋହଭରା କଣ୍ଠରେ ପୁଅକୁ ଆଲିଙ୍ଗନ କରି କହିଲେ ନୀତିନିଷ୍ଠ, ଧର୍ମପରାୟଣା ମାଆ ଜଣକ- ‘ମୋହନ ଏମିତି କିଛି ଖରାପ କାମ କରିବୁ ନାହିଁ, ଯାହା ଫଳରେ କି ମୋ ମନ କଷ୍ଟହେବ।’ ଯୌବନର ଜୁଆରରେ ଯୁବକମାନଙ୍କ ମେଳରେ ଯୁବସୁଲଭ ଉଦ୍ଦାମତାରେ ଦୁର୍ବଳ ମୁହୂର୍ତ୍ତରେ ଯେତେବେଳେ କୌଣସି ଖରାପ କାମର ନିକଟବର୍ତ୍ତୀ ହୋଇଛନ୍ତି, ତତ୍‌କ୍ଷଣାତ୍‌ ମାଆଙ୍କର କୋହମିଶ୍ରିତ କଣ୍ଠ ଶୁଣିପାରିଛନ୍ତି ସେ। ଫେରି ଆସିଛନ୍ତି ଖୁବ୍‌ ପଶ୍ଚାତ୍ତାପରେ। ପରବର୍ତ୍ତୀ ଜୀବନରେ ଭାରତ ପାଇଲା ତା’ ବାପୁଙ୍କୁ। ବିଶ୍ବର ଅଦ୍ବିତୀୟ, ଅତୁଳନୀୟ, ଉତ୍ତୁଙ୍ଗ ବ୍ୟକ୍ତିଭାବେ ପରିଚିତ ହେଲେ ମୋହନ ଦାସ କରମଚାନ୍ଦ ଗାନ୍ଧୀ। ବାଲ୍ମୀକି ଆଶ୍ରମରେ ନିର୍ବାସନରେ ଥାଆନ୍ତି ମାତା ସୀତା। ସନ୍ନ୍ୟାସିନୀ ଜୀବନ ବିତାଇ ମଧ୍ୟ ନିଜର ଦୃଢ଼ ବ୍ରତ ଓ ସାଧନାରେ ନିମଗ୍ନ ଥା’ନ୍ତି ଅନ୍ତଃସତ୍ତ୍ବା ଜାନକୀ। ଜନ୍ମନେଲେ ଲବ ଓ କୁଶ ସେହି ଆଶ୍ରମ କୁଟୀରରେ। ଶିକ୍ଷା, ଦୀକ୍ଷା, ସଂସ୍କାର ଦେଇ ନିଜ ହାତରେ ଗଢ଼ିବସିଲେ ଦୁଇ ନୟନ ପିତୁଳାଙ୍କୁ ସେ। ଅଶ୍ବମେଧ ଯଜ୍ଞ ପାଇଁ ଉଦ୍ଦିଷ୍ଟ ଅଶ୍ବଟିର ଅନ୍ବେଷଣରେ ଆସି ଦୁଇ ବାଳକଙ୍କ ଦ୍ବାରା ପରାସ୍ତ ହୋଇ ବନ୍ଦୀ ହୁଅନ୍ତି ଅଦ୍ବିତୀୟ ଯୋଦ୍ଧା ବୀର ହନୁମାନ, ଭାଇ ଲକ୍ଷ୍ମଣ ଏବଂ ଶେଷରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ। ସମର୍ଥ ହୋଇଥିଲେ ଦୁଇ ଭାଇ ନିଜ ମାଆଙ୍କ ନିଷ୍ଠା, ସଂକଳ୍ପ, ସାଧନା, ପ୍ରୟାସ, ପ୍ରଯତ୍ନ ଦ୍ବାରା। ସେହିପରି ରାଜା ଦୁଷ୍ମନ୍ତଙ୍କ ଦ୍ବାରା ପ୍ରତାରିତା ହୋଇଥିବା ଶକୁନ୍ତଳା, ଆଶ୍ରମରେ ରହି ସମୁଚିତ ଯତ୍ନ, ଉପଯୁକ୍ତ ଶିକ୍ଷା ଓ ତତ୍ତ୍ବାବଧାନ ବଳରେ ଶିଶୁପୁତ୍ରକୁ ଗଢ଼ି ପାରିଥିଲେ ମହାପରାକ୍ରମୀ ଚକ୍ରବର୍ତ୍ତୀ ସମ୍ରାଟ ଭରତ ରୂପରେ। ଯେଉଁ ଶିଶୁ ଜଣକର ସାମର୍ଥ୍ୟ ଥିଲା ସିଂହ ସହିତ ଖେଳିପାରିବାର।

ପ୍ରସିଦ୍ଧ ଚିକିତ୍ସକ ଡା.କୃଷ୍ଣଧନ ଘୋଷ ପାଶ୍ଚାତ୍ୟ ସଂସ୍କୃତିର ଜଣେ ପ୍ରଶଂସକ ଥିଲେ। ଏଣୁ, ପୁତ୍ର ଅରବିନ୍ଦଙ୍କୁ ଉଚ୍ଚ ଆଶାନେଇ ସାତବର୍ଷ ବୟସରେ ପଠାଇଥିଲେ ଇଂଲଣ୍ଡକୁ ଶିକ୍ଷାପ୍ରାପ୍ତି ପାଇଁ। ମାତ୍ର ମାଆ ଥିଲେ ଅତ୍ୟନ୍ତ ଧର୍ମପ୍ରାଣା ଓ ସଂସ୍କାରଯୁକ୍ତା। ମାଆଙ୍କ ଦ୍ବାରା ସେ ପ୍ରଭାବିତ ହୋଇ ଭାରତର ନବଜାଗରଣର ଅଗ୍ରଦୂତ ସାଜି ପାଲଟିଲେ ମହାନ୍‌ ଋଷି ଶ୍ରୀ ଅରବିନ୍ଦ। ‘ଦେଶ ସେବା’ର ଅର୍ଥ- ଝାଡ଼ୁ କରିବାଠାରୁ ଆରମ୍ଭ କରି ଦେଶ ପାଇଁ ଦୁଷ୍ଟମାନଙ୍କ ସହିତ ସଂଘର୍ଷ କରିବା ପର୍ଯ୍ୟନ୍ତ ଏବଂ ଦେଶ ପାଇଁ ଜୀବନୋତ୍ସର୍ଗ କରିବା’ ଯଦି ମାଆଜଣକ ବୁଝାଇ ନଥାନ୍ତେ, ତା’ହେଲେ ବଲ୍ଲଭ ଭାଇ ପଟେଲ କେବେ ଲୌହମାନବ ହୋଇପାରି ନଥାନ୍ତେ କିମ୍ବା ଭାରତ କେବେ ଜଣେ ନିର୍ଭୟ ଅବିଶ୍ରାନ୍ତ ସର୍ଦାର ପାଇପାରିନଥା’ନ୍ତା। ଅନ୍ୟ ଦୁଃଖରେ ଦୁଃଖୀ ହୋଇ ସାହାଯ୍ୟ, ସହାନୁଭୂତି ଓ ସମବେଦନା ଜ୍ଞାପନ କରିବାକୁ ମାଆଙ୍କ ଆଜ୍ଞାନୁଯାୟୀ ସ୍କୁଲ ଯାଉଥିବା ରାସ୍ତାରେ ଜଣେ ବୃଦ୍ଧା ଭିକାରୁଣୀକୁ ନିଜ ଟିଫିନ୍‌ର ଅର୍ଦ୍ଧେକ ଦେଇ ସେ ପାଉଥିଲେ ଅପାର ଆନନ୍ଦ। ପରେ ନିଜ ମାଟି ମାଆ, ଭାରତମାତାଙ୍କ ଦୁଃଖରେ ଅତ୍ୟନ୍ତ ମ୍ରିୟମାଣ ହୋଇ ନିଜକୁ ଦେଶମାତୃକାର ସେବାରେ ଆହୁତି ଦେଇଥିଲେ ନେତାଜୀ। ଅସୁର କୁଳରେ ଜନ୍ମଲାଭ କରି ମଧ୍ୟ କେବଳ ମାତା କୟାଧୁଙ୍କ ପ୍ରେରଣା, ମାର୍ଗଦର୍ଶନ ବଳରେ ପ୍ରହ୍ଲାଦ ହେଲେ ବିଷ୍ଣୁଭକ୍ତ ପ୍ରହ୍ଲାଦ। ସେହିପରି ଲୋକକଲ୍ୟାଣ ପାଇଁ ମାଆଙ୍କ ପ୍ରେରଣା ହିଁ ବିନୋବା ଭାବେଙ୍କୁ ପରିଣତ କରିଥିଲା ମହାନ୍‌ ସନ୍ଥରେ। ଏହିପରି ମାଳମାଳ ଦୃଷ୍ଟାନ୍ତରେ ମାଆଙ୍କର ମହିମାରେ ମହିମାନ୍ବିତ ଏ ଦେଶର ଇତିହାସ, ପୁରାଣ। ପଢ଼ିଲେ ପୁଲକିତ ହୋଇଉଠେ ପ୍ରାଣ, ସଂଚରି ଉଠେ କେତେ ଆଶା ଆକାଙ୍‌କ୍ଷା। ସ୍ବପ୍ନ ଜାଗିଉଠେ ଭାରତର ଉଳ ସମ୍ଭାବନାକୁ ନେଇ। ସେଇଥିପାଇଁ ତ ସେଦିନ ବୀର ନେପୋଲିଅନ କହିଥିଲେ- ‘ମୋତେ ଗୋଟିଏ ସୁନ୍ଦର ମାଆ ଦିଅ, ମୁଁ ତୁମକୁ ଗୋଟିଏ ସୁନ୍ଦର ରାଷ୍ଟ୍ର ଦେବି। ମୋତେ ଜଣେ ଆଦର୍ଶ ମାଆ ଦିଅ, ମୁଁ ଏକ ଆଦର୍ଶ ରାଷ୍ଟ୍ର ଦେବି। ଅର୍ଥାତ୍‌, ରାଷ୍ଟ୍ରର ସଂସ୍କୃତି ସମୃଦ୍ଧି ନିର୍ଭର କରେ ମାଆମାନଙ୍କ ଉପରେ। ମାଆ ସହିତ ଜଡ଼ିତ ଗୋଟିଏ ରାଷ୍ଟ୍ରର ଭାଗ୍ୟ ଓ ଭବିଷ୍ୟତ। ସମାଜ ଯେତେବେଳେ ବିପଦଗ୍ରସ୍ତ ହୋଇଉଠେ, ସମାଜରେ ଯେବେ ଦୁଃସ୍ଥିତି ଉପୁଜିଥାଏ, ସେତେବେଳେ ମାତୃଶକ୍ତିର ଆରାଧନା କରାଯାଇଥାଏ। ଆବାହନୀ କରାଯାଇଥାଏ ମାତୃଶକ୍ତିର ଜାଗରଣ ପାଇଁ। ଲଙ୍କା ଆକ୍ରମଣ ପୂର୍ବରୁ ଭଗବାନ୍‌ ଶ୍ରୀରାମଚନ୍ଦ୍ର ଆବାହନୀ କରିଥିଲେ ମାତୃଶକ୍ତିକୁ ଏବଂ ଲଙ୍କା ବିଜୟ କରିଥିଲେ। ମହିଷାସୁରର ଅତ୍ୟାଚାରରେ ତ୍ରାହିତ୍ରାହି ଡାକୁଥିଲେ ମର୍ତ୍ତ୍ୟବାସୀ। ଦେବକୁଳ ମଧ୍ୟ ଅସହାୟ। ସମ୍ମିଳିତ ଭାବେ ଦେବକୁଳ ଆବାହନ କଲେ ମାଆଙ୍କୁ। ମହିଷାସୁରର ଦୌରାତ୍ମ୍ୟରୁ ଏ ଜଗତକୁ ରକ୍ଷାପାଇଁ ଆବିର୍ଭୂତା ହେଲେ ମାଆ ଦୁର୍ଗା। ନିଧନ କଲେ ମହିଷାସୁରକୁ। ରକ୍ଷାପାଇଲେ ମର୍ତ୍ତ୍ୟବାସୀଙ୍କ ସହିତ ଦେବତାମାନେ ମଧ୍ୟ।

ଆଜି ମଧ୍ୟ ସେହି ସମୟ ଉପନୀତ। ସମାଜ ଆଜି ଆବାହନୀ କରୁଛି ମାତୃଶକ୍ତିକୁ। ଅଶାନ୍ତି ଉଦ୍‌ବେଗ ମଧ୍ୟରେ ଗତି କରୁଛି ଏ ସମାଜ। ଭ୍ରଷ୍ଟାଚାର ଆଜି ବ୍ୟାପ୍ତ ଚତୁର୍ଦିଗରେ। ସମାଜ ଆଜି ବିଭ୍ରାନ୍ତ, ବିପର୍ଯ୍ୟସ୍ତ। ଅନୀତି, ଦୁର୍ନୀତିରେ ଡୁବି ବସିଛି ଏ ଦେଶ। ଏଭଳି ଦୁଃସ୍ଥିତିରେ ମାଆମାନଙ୍କର ଜାଗରଣ ଅତ୍ୟନ୍ତ ଆବଶ୍ୟକ। ଯାହାକି ସମୟର ଆହ୍ବାନ। କାଲିର ଶିଶୁଟି ଆଜିର ତରୁଣ, ତରୁଣୀ। ଆଜିର ତରୁଣୀଟି ଆସନ୍ତାକାଲିର ମାଆଟିଏ। ଗୋଟିଏ ରାଷ୍ଟ୍ରର ଶ୍ରେଷ୍ଠତା ନିର୍ଭର କରେ ସେ ଦେଶର ତରୁଣ ତରୁଣୀଙ୍କର ଶାଳୀନତା ଉପରେ, ଚରିତ୍ର ଓ ଗୁଣବତ୍ତା ଉପରେ। ଯାହାର ନିର୍ମାଣକର୍ତ୍ତ୍ରୀ ହେଉଛନ୍ତି ମାତୃଶକ୍ତି। ରାଷ୍ଟ୍ର ସୁଖୀ ହୁଏ ତା’ର ସନ୍ତାନମାନଙ୍କର କର୍ତ୍ତବ୍ୟ, ସେବାପରାୟଣରେ। ଯେଉଁ ଦେଶର ମାଟିରେ ଆମେ ଜନ୍ମନେଇଛୁ, ଯେଉଁ ଦେଶ ଆମକୁ ସତ୍ତା-ସମ୍ମାନ-ସମୃଦ୍ଧି ଦେଇଛି, ସେହି ମାଟି ମାଆ ପ୍ରତି ଆମର ନୈତିକ, ସାମାଜିକ ତଥା ରାଷ୍ଟ୍ରୀୟ ଦାୟିତ୍ବ ଅଟେ ଯେ ଆମେ ତନ-ମନ-ଧନ-ଜୀବନ ଦେଇ ତା’ର ସେବା କରିବୁ। ମାଟି ମାଆ ପ୍ରତି ଆମର ପବିତ୍ର କର୍ତ୍ତବ୍ୟକୁ ତୁଲାଇବୁ। ସ୍ବଦେଶୀ ଓ ସ୍ବାଭିମାନର ଜାଗରଣ ପୂର୍ବକ ରାଷ୍ଟ୍ରକୁ ସମର୍ଥ ଓ ସମୃଦ୍ଧ କରିବୁ। ବ୍ୟକ୍ତିର ବୌଦ୍ଧିକ, ଚାରିତ୍ରିକ ଗଠନ ବହୁଳାଂଶରେ ନିର୍ଭର କରେ ପରିବାର ଉପରେ। ମୁଖ୍ୟତଃ ମାଆ ଉପରେ। ଉପନିଷଦରେ ଏଥିପାଇଁ କୁହାଯାଇଛି- ‘ମାତା ନିର୍ମାତା ଭବତି’। ସନ୍ତାନଟିଏ ଜନ୍ମ କରିଦେଲେ ଜଣେ ଜନନୀ ହୋଇପାରେ, ମାତ୍ର ମାତା ହୋଇପାରେ ନାହିଁ। ବ୍ୟକ୍ତିର ଆଚରଣରେ ନୈତିକତା ନିର୍ଭରକରେ ମାଆ ଉପରେ। ଏକ ଭ୍ରଷ୍ଟାଚାର ମୁକ୍ତ, ବିଶ୍ବସନୀୟ, ନୀତିନିଷ୍ଠ, ସତ୍‌ ଜୀବନଯାପନ ପାଇଁ ମାଆମାନେ ସନ୍ତାନମାନଙ୍କୁ ପ୍ରେରଣା ଦେବା ବିଧେୟ। ଭାରତୀୟ ନାରୀର ଉଦାତ୍ତ ଓ ଉଚ୍ଚ ଆଦର୍ଶ ଇତିହାସ ପୁରାଣରେ ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ମାତୃଶକ୍ତିର ଦିବ୍ୟ ଚରିତ୍ରର ପବିତ୍ର ଗଙ୍ଗା ଏଠାରେ ସାରା ବିଶ୍ବକୁ ପ୍ଳାବିତ କରୁଛି। ମାଆ ହେଉଛି ସୃଷ୍ଟିର ସୌନ୍ଦର୍ଯ୍ୟ, ସୃଷ୍ଟିର ସ୍ପନ୍ଦନ। ମହାନ୍‌ ଦାର୍ଶନିକ ଅରସ୍ତୁଙ୍କ ଭାଷାରେ ନାରୀର ଉନ୍ନତି ବା ଅବନତି ଉପରେ ହିଁ ରାଷ୍ଟ୍ରର ଉନ୍ନତି ବା ଅବନତି ନିର୍ଭର କରିଥାଏ। ନାରୀ ହିଁ ଚାହିଁଲେ ଘରର ଅଗଣାଟିକୁ ସ୍ବର୍ଗରେ ପରିଣତ କରିପାରେ।

ଶିବାଜିଙ୍କୁ ପାଇବାକୁ ହେଲେ ଜଣେ ଜିଜାବାଈର ଆବଶ୍ୟକ। ମହାତ୍ମା ଗାନ୍ଧୀଙ୍କୁ ପାଇବାକୁ ହେଲେ ପୁତୁଲିବାଈ, ଧ୍ରୁବକୁ ପାଇବାକୁ ହେଲେ ସୁନୀତି, ରାମକୃଷ୍ଣଙ୍କୁ ପାଇବାକୁ ହେଲେ ଚନ୍ଦ୍ରାଦେବୀ, ଶ୍ରୀଅରବିନ୍ଦଙ୍କୁ ପାଇବାକୁ ହେଲେ ସ୍ବର୍ଣ୍ଣଲତା, ମଦନମୋହନ ମାଲବ୍ୟଙ୍କୁ ପାଇବାକୁ ହେଲେ ମୁନାଦେବୀ, ଶ୍ରୀଚୈତନ୍ୟଙ୍କୁ ପାଇବାକୁ ହେଲେ ଶଚୀଦେବୀ, ଆଦି ଶଙ୍କରାଚାର୍ଯ୍ୟଙ୍କୁ ପାଇବାକୁହେଲେ ଆୟାମ୍ବା, ସ୍ବାମୀ ବିବେକାନନ୍ଦଙ୍କୁ ପାଇବାକୁ ହେଲେ ଭୁବନେଶ୍ବରୀ ଦେବୀ, ନେତାଜୀଙ୍କୁ ପାଇବାକୁ ହେଲେ ପ୍ରଭାବତୀ ଦେବୀ, ସର୍ଦାର ପଟେଲଙ୍କୁ ପାଇବାକୁ ହେଲେ ଲାଦବାଈ, ଭରତଙ୍କୁ ପାଇବାକୁ ହେଲେ ଶକୁନ୍ତଳାଙ୍କ ପରି ମାତା ଆବଶ୍ୟକ। ବାପଘରଠାରୁ ଶଶୂରଘର ପର୍ଯ୍ୟନ୍ତ ବ୍ୟାପ୍ତ ଏ ସମାଜର ହିତଚିନ୍ତକ ହେଉଛି କାଲିର ଦୁହିତା ବା ଆଜିର ମାଆଟିଏ। ମାଆକୁ ମାଧ୍ୟମ କରି ସ୍ବୟଂ ଭଗବାନ ନିଜ ସୁନ୍ଦର ସୃଷ୍ଟିକୁ ବ୍ୟାପ୍ତ କରିଥାନ୍ତି। ଶାସ୍ତ୍ରାନୁଯାୟୀ ଅନେକ ଅନେକ ପୁଣ୍ୟର ଫଳସ୍ବରୂପ ଏ ପବିତ୍ର ଭାରତବର୍ଷରେ ଜନ୍ମ ଲଭିବାର ସୁ‌େଯାଗ ମିଳେ। ପୁଣି ଅନେକ ଅନେକ ପୁଣ୍ୟର ପ୍ରଭାବରେ ଜଣେ ଏଠାରେ ନାରୀଭା​‌େ​‌ବ ଜନ୍ମଲାଭ କରିଥାଏ। ପୁଣି ଆହୁରି କେତେ ପୁଣ୍ୟ କଲେ ଜଣେ ମାଆ ହେବାର ସୁଯୋଗ ପାଇଥାଏ।

ଅତଏବ ଭଗବାନଙ୍କର ଏ ଗୁରୁ ଦାୟିତ୍ବକୁ ଉପଲବ୍ଧି କରି, ସମାଜର ଗୁରୁତର ସମସ୍ୟାଗୁଡ଼ିକୁ ହୃଦୟଙ୍ଗମ କରି ମାଆମାନେ ସୃଜନୀଶକ୍ତିର ଅଧିକାରୀ ହୁଅନ୍ତୁ, ସଂସ୍କାରିତ ହୁଅନ୍ତୁ, ରାଷ୍ଟ୍ରମାତା ପ୍ରତି ଅଙ୍ଗୀକାରବଦ୍ଧ ହୁଅନ୍ତୁ। ଫଳରେ ଏ ସମାଜ ହୁଏତ ଶିବାଜି, ବାପୁଜୀ, ଶ୍ରୀଅରବିନ୍ଦ, ମାଲବ୍ୟ ଅବା ରାମକୃଷ୍ଣ ପରମହଂସଙ୍କ ପରି ଯୁଗଜନ୍ମା ସମାଜ ସୁଧାରକ ପାଇପାରନ୍ତା, ଆଜି ନହେଲେ ବି ଆସନ୍ତାକାଲି। ଜାତିଟାକୁ ଯଦି ଗଢ଼ିବାକୁ ଚାହଁ, ତେବେ ତିନିପୁରୁଷ ଆଗରୁ ଚିନ୍ତାକରିବାକୁ ହେବ, ଠିକ୍‌ ଇସ୍ରାଏଲର ମାଆମାନଙ୍କ ପରି।

Comments are closed.