ରହସ୍ୟମୟ ଖ୍ରୀଷ୍ଟମାସ ତାରକା
ନିକୁଞ୍ଜ ବିହାରୀ ସାହୁ
ବାଇବେଲର ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଯିଶୁଙ୍କ ଜନ୍ମ ସମୟରେ ଆକାଶରେ ଏକ ଅଦ୍ଭୁତ ତାରକା ଦୃଶ୍ୟ ହୋଇଥିଲା । ଏହି ତାରାକୁ ଲକ୍ଷ୍ୟ କରି ‘ମେଜି’ ବୋଲି କୁହାଯାଉଥିବା ତିନି ଜଣ ବିଜ୍ଞ ବ୍ୟକ୍ତି ଯିଶୁଙ୍କ ସନ୍ଧାନ ନିମନ୍ତେ ସମ୍ଭବତଃ ବାବିଲୋନିଆ କିମ୍ବା ପର୍ସିଆଠାରୁ ଯାତ୍ରାରମ୍ଭ କରିଥିଲେ । ସେମାନେ ଏହି ତାରକା ଦ୍ୱାରା ପଥପ୍ରଦର୍ଶିତ ହୋଇ ପଶ୍ଚିମ ଦିଗକୁ ଯାତ୍ରା କରିଥିଲେ ଏବଂ ଶେଷରେ ଯିଶୁଙ୍କ ଜନ୍ମସ୍ଥାନ ବେଥେଲହାମଠାରେ ପହଞ୍ଚି ଶିଶୁ ଯିଶୁଙ୍କୁ ଦର୍ଶନ ପୂର୍ବକ ସାଙ୍ଗରେ ଆଣିଥିବା ଉପହାର ପ୍ରଦାନ କରିଥିଲେ । ତେବେ ଏହି ବହୁଚର୍ଚ୍ଚିତ ତାରକାର ଇତ୍ତିବୃତ୍ତ ଏବେ ସୁଦ୍ଧା ରହସ୍ୟାବୃତ୍ତ ଏବଂ ଏହାର ପ୍ରକୃତ ପରିଚୟ ସମ୍ପର୍କରେ ଅନେକ ମତପାର୍ଥକ୍ୟ ରହି ଆସିଛି । ଏହି ରହସ୍ୟମୟ ତାରକାକୁ ସଧାରଣତଃ ‘ଖ୍ରୀଷ୍ଟମାସ ତାରକା’ କିମ୍ବା ’ବେଥେଲହାମ ତାରକା’ ବୋଲି କୁହାଯାଏ।
ବୈଜ୍ଞାନିକମାନଙ୍କ ମତରେ, ଏହା ହୁଏ ତ ଏକ ଶକ୍ତିଶାଳୀ ତାରକା ବିସ୍ଫୋରଣ (ନୋଭା କିମ୍ବା ସୁପରନୋଭା), ଉଲକାବର୍ଷା କିମ୍ବା ଧୂମକେତୁ ହୋଇପାରେ। ତେବେ ଏ କ୍ଷେତ୍ରରେ ଏକ ଅସୁବିଧା ହେଉଛି, ଯିଶୁଙ୍କ ଜନ୍ମର ପ୍ରକୃତ ସମୟକାଳ ନିରୂପଣ। ଏ ନେଇ ଅନେକ ମତପାର୍ଥକ୍ୟ ରହିଥିଲେ ସୁଦ୍ଧା ଯିଶୁଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ ୬ ରୁ ଖ୍ରୀଷ୍ଟପୂର୍ବ ୪ ମଧ୍ୟରେ ଘଟିଥିବା ଅଧିକାଂଶ ଐତିହାସିକଙ୍କ ମତ। ଚୀନ୍ ଦେଶର ଐତିହାସିକମାନେ ଖ୍ରୀଷ୍ଟପୂର୍ବ ୫ ରେ ଆକାଶରେ ଏକ ତାରକା ବିସ୍ଫୋରଣ ଦେଖିଥିବାର ବର୍ଣ୍ଣନା କରିଛନ୍ତି। ତେବେ ଏହାକୁ ବହୁଚର୍ଚ୍ଚିତ ଖ୍ରୀଷ୍ଟମାସ ତାରକା ରୂପେ ଧରିନେବା କେତେ ଦୂର ଯୁକ୍ତିଯୁକ୍ତ ତାହା କହିବା କଷ୍ଟକର।
ଫ୍ରେଡେରିକ ଲାର୍ସନ ନାମକ ଜଣେ ଆକାଶପ୍ରେମୀ ଆମେରିକୀୟ ଆଇନିଜୀବୀ ଏହି ତାରକାକୁ ଅନୁଧ୍ୟାନ କରି ଏହାର ୯ଟି ପ୍ରମୁଖ ବୈଶିଷ୍ଟ୍ୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ପ୍ରଥମତଃ, ଏହା ମନୁଷ୍ୟ ଜନ୍ମର ସୂଚନା କରୁଥିଲା ; ଦ୍ୱିତୀୟତଃ, ଏହା ରାଜତ୍ୱର ପ୍ରତୀକ ଥିଲା; ତୃତୀୟତଃ ଏହା ଇହୁଦୀ ସମ୍ପ୍ରଦାୟ ସହିତ ସଂପୃକ୍ତ ଥିଲା; ଚତୁର୍ଥରେ, ଏହା ପୂର୍ବ ଦିଗରେ ଦୃଶ୍ୟ ହୋଇଥିଲା; ପଞ୍ଚମରେ, ରାଜା ହିରୋଦ ଏ ସମ୍ପର୍କରେ ଅବଗତ ନଥିଲେ; ଷଷ୍ଠରେ, ଏହା ସଠିକ ସମୟରେ ଦୃଶ୍ୟ ହୋଇଥିଲା; ସପ୍ତମରେ, ଏହା କିଛି ସୀମିତ ସମୟ ପାଇଁ ଆକାଶରେ ଦୃଶ୍ୟ ହୋଇଥିଲା; ଅଷ୍ଟମରେ, ବିଜ୍ଞବ୍ୟକ୍ତିମାନେ ଜେରୁଜେଲମରୁ ବେଥେଲହାମ ଆଡକୁ ଯାତ୍ରାକଲା ସମୟରେ ଏହି ତାରା ସର୍ବଦା ସେମାନଙ୍କ ସମ୍ମୁଖରେ ରହିଥିଲା ଏବଂ ନବମରେ, ବିଜ୍ଞବ୍ୟକ୍ତିମାନେ ବେଥେଲହାମରେ ପହଞ୍ଚିଲା ବେଳକୁ ଏହି ତାରା ଅନ୍ତର୍ହିତ ହୋଇ ଯାଇଥିଲା । ଲାର୍ସନ ଏକ ସଫ୍ଟଓୟେର୍ ବ୍ୟବହାର କରି ଖ୍ରୀଷ୍ଟପୂର୍ବ ୩ ରୁ ୨ ମଧ୍ୟରେ ଘଟିଥିବା ଉପରୋକ୍ତ ଆକାଶୀୟ ଘଟଣା, ରହସ୍ୟମୟ ଖ୍ରୀଷ୍ଟମାସ ତାରକା ସମ୍ପର୍କରେ ବର୍ଣ୍ଣିତ ୯ଟି ବୈଶିଷ୍ଟ୍ୟ ସହିତ ପ୍ରାୟତଃ ମେଳ ଖାଇ ଯାଉବାର ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ।
ଏବେ ବୈଜ୍ଞାନିକମାନେ ଖ୍ରୀଷ୍ଟମାସ ତାରକାର ରହସ୍ୟ ଉନ୍ମୋଚନ କରିବା ପାଇଁ ସାଧାରଣତଃ ଦୁଇଟି ମତବାଦ ଉପସ୍ଥାପନା କରିଥା’ନ୍ତି :
ଆକାଶୀୟ ସମାବେଶ
ପ୍ରଥମ ମତବାଦ ଅନୁଯାୟୀ, ତିନି ଜଣ ବିଜ୍ଞ ବ୍ୟକ୍ତି ଦେଖିଥିବା ତାରକାଟି ସମ୍ଭବତଃ ଆକାଶରେ କେତେକ ଉଜ୍ଜ୍ୱଳ ତାରାଗ୍ରହଙ୍କ ଏକତ୍ର ସମାବେଶ ଥିଲା। ଖ୍ରୀଷ୍ଟଯୁଗ ପ୍ରାରମ୍ଭର ୧୦ ବର୍ଷ ମଧ୍ୟରେ ଏଭଳି ଅନେକ ତାରକା ସମାବେଶ ଘଟିଥିବାର ଜ୍ୟୋତିର୍ବିଜ୍ଞାନୀମାନେ ସ୍ୱୀକାର କରନ୍ତି।
ବିଶେଷକରି, ଖ୍ରୀଷ୍ଟପୂର୍ବ ୬ ରେ ତିନୋଟି ଉଜ୍ଜ୍ୱଳ ଗ୍ରହ ଯଥା ମଙ୍ଗଳ, ବୃହସ୍ପତି ଓ ଶନିଙ୍କ ଆକାଶରେ ଏଭଳି ବିଚିତ୍ର ସମାବେଶ ଘଟି ଏକ ଦର୍ଶନୀୟ ତ୍ରିଭୁଜ ସୃଷ୍ଟି ହୋଇଥିଲା। ତା’ ପୂର୍ବରୁ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୭ରେ ବୃହସ୍ପତି ଓ ଶନି ଗ୍ରହଦ୍ୱୟ ପରସ୍ପରର ନିକଟବର୍ତ୍ତୀ ହୋଇ ଆଠ ମାସ କାଳ ମାତ୍ର ୩ ଡିଗ୍ରୀ କୋଣୀୟ ଦୂରତା ମଧ୍ୟରେ ଅବସ୍ଥାନ କରିଥିଲେ ଏବଂ ସେହି ସମୟ ମଧ୍ୟରେ ସେମାନେ ତିନି ଥର ମାତ୍ର ୧ ଡିଗ୍ରୀ ଦୂରତା ମଧ୍ୟରେ ରହି ପରସ୍ପରକୁ ଅତିକ୍ରମ କରିଥିଲେ। ଏହାର କିଛି ବର୍ଷ ପରେ ଅର୍ଥାତ ଖ୍ରୀଷ୍ଟପୂର୍ବ ୨ ଜୁନ୍ ୧୭ ତାରିଖ ମଧ୍ୟରେ ଆକାଶରେ କିଛି ଗ୍ରହଙ୍କ ଏକ ଅଭୂତପୂର୍ବ ସମାବେଶ ଦେଖିବାକୁ ମିଳିଥିଲା। ଆକାଶର ଦୁଇଟି ଉଜ୍ଜ୍ୱଳ ଗ୍ରହ ଯଥା ଶୁକ୍ର ଓ ବୃହସ୍ପତି ଅତି ପାଖକୁ ଲାଗିଆସି ପରସ୍ପର ସହ ପ୍ରାୟତଃ ମିଶିଯାଇ ଗୋଟିଏ ଅଦ୍ୱିତୀୟ ଉଲ୍କାପିଣ୍ଡର ଦୃଶ୍ୟ ସୃଷ୍ଟି କରିଥିଲେ । ଏହା ଯେ ସେତେବେଳେ ରାତ୍ରି ଆକାଶରେ ଏକ ଅତି ବିରଳ ଓ ବିଚିତ୍ର ଦୃଶ୍ୟ ସୃଷ୍ଟି କରିଥିବ ଏଥିରେ ସନ୍ଦେହ ନାହିଁ । ସୁତରାଂ ଜ୍ୟୋତିର୍ବିଜ୍ଞାନର ଦୃଷ୍ଟିକୋଣରୁ ଏହି ଅଦ୍ଭୁତ ତାରକା ସମାବେଶକୁ ଖ୍ରୀଷ୍ଟମାସ ତାରକା ବୋଲି ଧରିନେବା ସବୁଠୁଁ ସମୀଚୀନ ମନେହୁଏ । ମାତ୍ର ଯିଶୁ ଯେ ଠିକ୍ ଏହି ଦିନ ଜନ୍ମ ହୋଇଥିଲେ ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ।
ତାରକା ପଙ୍କ୍ତି
ନିକଟରେ ଚିକାଗୋସ୍ଥିତ ଏଡଲାର୍ ପ୍ଲାନେଟାରିୟମର ‘ଜ୍ୟୋତିର୍ବିଜ୍ଞାନ ଇତିହାସ’ ବିଭାଗର ନିେର୍ଦଶକ ମର୍ଭିନ୍ ବୋଲ୍ଟ ଏକ ଦ୍ୱିତୀୟ ମତବାଦ ଉପସ୍ଥାପନା କରିଛନ୍ତି। ତା’ଙ୍କ ମତରେ, ଏହି ଘଟଣାକୁ କେବଳ ଜ୍ୟୋତିର୍ବିଜ୍ଞାନ ସ୍ତରରେ ସୀମିତ ନରଖି ସେକାଳର ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ମଧ୍ୟ ବିଚାରକୁ ନେବାପାଇଁ ପଡିବ। ତା’ଙ୍କ ମତବାଦ ଅନୁଯାୟୀ, ସେ କାଳର ଜ୍ୟୋତିର୍ବିଜ୍ଞାନୀ ଓ ଜ୍ୟୋତିଷମାନଙ୍କର ଧର୍ମବିଶ୍ୱାସକୁ ଗଭୀର ଭାବେ ପ୍ରଭାବିତ କରୁଥିବା କିଛି ମହାକାଶୀୟ ବସ୍ତୁ ଯଥା ଚନ୍ଦ୍ର, ବୃହସ୍ପତି ଓ କେତେକ ତାରକା ଏକାଠି ଅବସ୍ଥାନ କରି ଆକାଶରେ ଏକ ବିରଳ ‘ତାରକାପଙ୍କ୍ତି’ ସୃଷ୍ଟି କରିଥିଲେ । ଏହି ଦୃଶ୍ୟକ୍ରମ ଖ୍ରୀଷ୍ଟପୂର୍ବ ୬ ରେ ବୃହସ୍ପତି ଗ୍ରହ ମେଷ ରାଶିରେ ପ୍ରବେଶ କରିବା ସହିତ ଆରମ୍ଭ ହୋଇଥିଲା। ପରବର୍ତ୍ତୀ କେଇ ମାସ ମଧ୍ୟରେ ବୃହସ୍ପତି ଗ୍ରହ ଚନ୍ଦ୍ରର ନିକଟବର୍ତ୍ତୀ ହୋଇ ଶନି ଗ୍ରହ ସହିତ ପ୍ରାୟ ମିଶି ଯାଇଥିଲା। ମେଷ ରାଶିକୁ ସାଧାରଣତଃ ଇହୁଦୀମାନଙ୍କର ସଙ୍କେତ ଧରା ଯାଉଥିଲାବେଳେ ଉପରୋକ୍ତ ତାରକା ପଙ୍କ୍ତି ମଧ୍ୟରେ ବୃହସ୍ପତିର ଚଳନକୁ ପାରମ୍ପରିକ ବିଶ୍ୱାସ ଅନୁସାରେ ରାଜ୍ୟାଭିଷେକ ସହିତ ତୁଳନା କରାଯାଏ । ସୁତରାଂ ବାଇବେଲ୍ରେ ବର୍ଣ୍ଣିତ ବିଚିତ୍ର ଖ୍ରୀଷ୍ଟମାସ ତାରକାଟି ସମ୍ଭବତଃ ଏହିଭଳି ଏକ ତାରକାପଙ୍କ୍ତି ହୋଇପାରେ ବୋଲି ଏହି ମତବାଦ ବିଶ୍ୱାସ କରେ।
ତେବେ ଖ୍ରୀଷ୍ଟମାସ ତାରକାର ଇତିବୃତ୍ତ ଏବେ ସୁଦ୍ଧା ରହସ୍ୟାବୃତ ଏବଂ ଯିଶୁଙ୍କ ଜନ୍ମର ସଠିକ କାଳ ନିରୂପଣ ହୋଇ ପାରିଲେ ଯାଇ ଏହି ରହସ୍ୟର ଉନ୍ମୋଚନ ହୋଇପାରିବ ବୋଲି ବିଶ୍ୱାସ କରାଯାଏ ।
Comments are closed.