www.samajalive.in
Saturday, December 6, 2025
14.1 C
Bhubaneswar

କୃଷି କ୍ଷେତ୍ରର ଶ୍ରୀବୃଦ୍ଧି ପଥେ ମହିଳା

କୃଷି ବିଶ୍ବର ପ୍ରଥମ ନିଜସ୍ବ ବ୍ୟାବସାୟିକ ସଂସ୍ଥା। ଦଶହଜାର ବର୍ଷ ପୂର୍ବରୁ ପୃଥିବୀରେ କୃଷିକାର୍ଯ୍ୟ ଆରମ୍ଭ ହୋଇଥିଲା। ସାରା ପୃଥିବୀରେ ପୁରୁଷ ସହ ମହିଳାମାନେ ମଧ୍ୟ ଏହି କାମ କରିଆସିଛନ୍ତି। କିନ୍ତୁ ସମୟାଦିକ୍ରମେ ସମାଜର ବୁର୍ଜୁଆ, ଧନିକ ପରିବାରର ମହିଳାମାନେ ନିଜକୁ ଘରୋଇ କାର୍ଯ୍ୟରେ ନିୟୋଜିତ କରିଥିବାବେଳେ ପୁରୁଷମାନେ ମୁଖ୍ୟତଃ କୃଷିକାର୍ଯ୍ୟ କରୁଥିଲେ। ଭାରତ ସ୍ବାଧୀନତା ବେଳକୁ ଦେଶର ୩୪କୋଟି ଜନସଂଖ୍ୟା ମଧ୍ୟରୁ ୮୫ ପ୍ରତିଶତ କୃଷକ ଥିଲେ। ବର୍ତ୍ତମାନ ୧୪୦ କୋଟି ଜନସଂଖ୍ୟାର ୫୮ ପ୍ରତିଶତ କୃଷକ ଅଛନ୍ତି; କିନ୍ତୁ କୃଷି କ୍ଷେତ୍ର‌େ‌ର ଦେଶର ସମଗ୍ର ଘରୋଇ ଉତ୍ପାଦକୁ ପ୍ରତିଦାନ ପଚାଶ ପ୍ରତିଶତରୁ ଖସି ୨୦ ପ୍ରତିଶତ ପର୍ଯ୍ୟନ୍ତ ଆସିଯାଇଛି। ଅନ୍ୟପକ୍ଷରେ ଏହି ଜନସଂଖ୍ୟା ମଧ୍ୟରୁ ମହିଳାଙ୍କ କୃଷିକ୍ଷେତ୍ରରେ ସହଭାଗିତା ବଢ଼ିଚାଲିଛି। ଗତ ଶତାବ୍ଦୀର ଶେଷ ଦଶକରେ ଆରମ୍ଭ ହୋଇଥିବା ବଜାରୀକରଣ ଅର୍ଥନୀତିର ପ୍ରଭାବରେ ଗ୍ରାମୀଣ ପୁରୁଷମାନେ ଚାଷଜମିଛାଡ଼ି ଅଣ କୃଷି କ୍ଷେତ୍ର ଆଡ଼କୁ ମୁହେଁଇଥିବା ବେଳେ କୃଷି ଆସ୍ତେଆସ୍ତେ ମହିଳାଙ୍କ ଅଧୀନକୁ ଚାଲିଆସୁଛି।

ପରିସଂଖ୍ୟାନରୁ ପ୍ରାପ୍ତ ତଥ୍ୟର ଅନୁସାରେ ଆମ ଦେଶର ଗ୍ରାମାଞ୍ଚଳର ୭୩.୨ ପ୍ରତିଶତ ମହିଳା ଅଧୁନା କୃଷିକ୍ଷେତ୍ର ସହ ଜଡ଼ିତ ଅଛନ୍ତି। ଶିଳ୍ପ ଆଦି କ୍ଷେତ୍ରର ଯେତେ ଅଭିବୃଦ୍ଧି ଘଟିଲେ ମଧ୍ୟ ଗ୍ରାମାଞ୍ଚଳ ଆୟର ୩୯ ପ୍ରତିଶତ କେବଳ କୃଷିକ୍ଷେତ୍ରରୁ ଆସୁଛି। ମଧ୍ୟପ୍ରଦେଶ ପରି ରାଜ୍ୟରେ ଏହା ୫୨ ପ୍ରତିଶତ ରହିଛି। କୃଷିକ୍ଷେତ୍ରର ଅଗ୍ରଗତି ମନ୍ଥର ଓ ସନ୍ତୋଷଜନକ ନହେବାରୁ ଭାରତୀୟ ପୁରୁଷ କୈନ୍ଦ୍ରିକ ସମାଜର ପୁରୁଷଶକ୍ତି କ୍ରମେକ୍ରମେ କୃଷିକ୍ଷେତ୍ରରୁ ମୁହଁ ଫେରାଇ ନେଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧିହାର ୩.୩ ପ୍ରତିଶତ ଥିଲାବେଳେ ୨୦୨୧-୨୨ରେ ୩.୦ ପ୍ରତିଶତ ଓ ଅଧୁନା ମାତ୍ର ୧.୨ ପ୍ରତିଶତ ବୋଲି ଆକଳନ କରାଯାଇଛି। ଏପରି କ୍ଷେତ୍ରକୁ ତେଣୁ ଆଧୁନିକ ଯୁବସମାଜ ଗ୍ରହଣ କରିପାରୁନାହିଁ। କହିବା ବାହୁଲ୍ୟ, ଭାରତୀୟ ଖାଦ୍ୟ ନିରାପତ୍ତାର ପ୍ରମୁଖ ଭାଗ ଏହି କୃଷିକ୍ଷେତ୍ର ସର୍ବଦା ଭାରତୀୟ ଅର୍ଥନୀତିର ଢାଲ ଭାବେ ପରିଗଣିତ ହୋଇଛି। ବିଶ୍ବ ଆର୍ଥିକ ମାନ୍ଦା ସମୟ ହେଉ ଅଥବା କରୋନା ମହାମାରୀ ସମୟ ହେଉ, ଏହା ହିଁ ଦେଶକୁ ଅର୍ଥନୈତିକ ସୁରକ୍ଷା ପ୍ରଦାନ କରିଛି। କିନ୍ତୁ ଏଥିରେ ନିୟୋଜିତ ମାତୃଶକ୍ତିର ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯିବାରେ ଆମେ ସଫଳ ହୋଇପାରିନାହୁଁ। ଭାରତୀୟ କୃଷି ଗବେଷଣା ପରିଷଦର ତଥ୍ୟ ଅନୁସାରେ ଆମର ମୁଖ୍ୟ ଖାଦ୍ୟଶସ୍ୟର ୭୫ ପ୍ରତିଶତ, ଉଦ୍ୟାନ କୃଷିର ୭୯ ପ୍ରତିଶତ, ଅମଳ ପରବର୍ତ୍ତୀ କାର୍ଯ୍ୟର ୫୧ ପ୍ରତିଶତ ଓ ମତ୍ସ୍ୟ ପଶୁପାଳନର ୯୫ ପ୍ରତିଶତ କାର୍ଯ୍ୟରେ ମହିଳାଙ୍କ ଯୋଗଦାନ ରହିଛି। ଅପରପକ୍ଷେ ଦଲୱାଇ ରିପୋର୍ଟ ଅନୁସାରେ ଦେଶର ୧୩.୭କୋଟି ଜମିମାଲିକଙ୍କ ମଧ୍ୟରୁ ମାତ୍ର ୨.୦୨ କୋଟି ହେଉଛନ୍ତି ମହିଳା। ଅର୍ଥାତ୍‌ ଦେଶର ୮୬ ପ୍ରତିଶତ ଚାଷଜମିର ମାଲିକ ମହିଳା ନୁହନ୍ତି ; କିନ୍ତୁ ପୁରୁଷର ଅବର୍ତ୍ତମାନରେ ଏହି ମହିଳାମାନେ ହିଁ ଚାଷ କାମ ସମ୍ପାଦନ କରି ଦେଶକୁ ରେକର୍ଡ ୩୨୦ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ କରାଇଛନ୍ତି। ନିଜ ନାମରେ ଜମି ନଥାଇ, ବହୁ ସରକାରୀ ସହାୟତାରୁ ବଞ୍ଚିତ ହୋଇ ମଧ୍ୟ ସେମାନେ ଗ୍ରାମୀଣ ଅର୍ଥନୀତିରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରନ୍ତି। ନିଜ ନାମରେ ଜମି ନଥିବାରୁ ଏହି ମହିଳାମାନେ ଚାଷୀ (କଲଟିଭେଟର) ପଦବାଚ୍ୟ ଅଟନ୍ତି; କିନ୍ତୁ କୃଷକ (ଫାର୍ମର) ହୋଇପାରନ୍ତି ନାହିଁ। ପାଶ୍ଚାତ୍ୟ ସମାଜ ବିଜ୍ଞାନୀ ଗ୍ରାହାମ୍‌ ପେବଲସ୍‌ଙ୍କ ମତରେ ଭାରତରେ ଜଣେ ମହିଳା, କୃଷକ ଭାବେ ପରିଗଣିତ ହୁଏ ନାହିଁ। ସେ କେବଳ ଜଣେ କୃଷକର ସ୍ତ୍ରୀ; ତେଣୁ ତା’ର ଆତ୍ମହତ୍ୟାକୁ କୃଷିଜନିତ ଆତ୍ମହତ୍ୟା ଭାବେ ଭାରତ ସରକାର ଗ୍ରହଣ କରନ୍ତି ନାହିଁ। ଭାରତୀୟ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଥିବା ଏପରି ନକାରାତ୍ମକ ନିୟମକୁ ଉଚ୍ଛେଦ କରି ମହିଳାଙ୍କ ନ୍ୟାଯ୍ୟଦାବି ପାଇଁ ତତ୍କାଳୀନ ସାଂସଦ, କୃଷିବିଜ୍ଞାନୀ ଡ. ଏମ.ଏସ. ସ୍ବାମୀନାଥନ୍‌ ରାଜ୍ୟସଭାରେ ମହିଳା କୃଷକ ସ୍ବତ୍ବାଧିକାର ବିଲ -୨୦୧୧ ଆଗତ କରିଥିଲେ। ଏପରିକି ବିଭିନ୍ନ ପଞ୍ଚବାର୍ଷିକ ଯୋଜନାରେ ମହିଳାଙ୍କ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ସେମାନଙ୍କୁ ଜମିର ମାଲିକାନା ଦେବାରେ ଅସମର୍ଥ ହୋଇଛି। ତେଣୁ ଭାରତୀୟ ମହିଳାଚାଷୀ ଅଦ୍ୟାବଧି କୃଷିବୀମା, ଋଣ ଓ ଅନେକ ସହାୟତା ପାଇବାରେ ବଞ୍ଚିତ ହେଉଅଛି।

- Advertisement -

ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ପୁରୁଷ କୃଷକ ୪୬.୬୭ ଲକ୍ଷ ଥିବାବେଳେ ମହିଳା କୃଷକଙ୍କ ସଂଖ୍ୟା ମାତ୍ର ୧.୯୮ ଲକ୍ଷ। ରାଜ୍ୟରେ ରପ୍ତାନୀଭିତ୍ତିକ କ୍ଷୁଦ୍ରଶିଳ୍ପ, କୁଟୀରଶିଳ୍ପ ତଥା ରୋଜଗାରଭିତ୍ତିକ ଶିଳ୍ପ ସଂଖ୍ୟା ନଗଣ୍ୟ। ତେଣୁ ଓଡ଼ିଶାର ବହୁ ଯୁବଗୋଷ୍ଠୀ ଅନ୍ୟରାଜ୍ୟକୁ ରୋଜଗାର ଆଶାରେ ଚାଲିଯାଆନ୍ତି। ଏହି ପ୍ରବାସୀ ଓଡ଼ିଆ ଶ୍ରମିକ ପରିବାରର ମହିଳାମାନେ ହିଁ ପରେ କୃଷିକାର୍ଯ୍ୟ କରିଥାନ୍ତି। କିନ୍ତୁ ନିଜ ନାମରେ ଜମିପଟ୍ଟା ନଥିବାରୁ ସେମାନେ ବହୁ ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ। ଅାନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ବିହାର ପରି ରାଜ୍ୟ ମହିଳାଙ୍କୁ ଜମି ସ୍ବତ୍ବାଧିକାର ପ୍ରଦାନରେ ଆଗରେ ଥିବାବେଳେ ଆମେ ବହୁ ପଛରେ। ଏହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ ଯେ ରାଜ୍ୟ ସରକାରଙ୍କର ମିଶନଶକ୍ତି ବିଭାଗ ଦ୍ବାରା ଉପକୃତ ହୋଇ ଗ୍ରାମୀଣ ମହିଳାମାନେ ସ୍ବାସ୍ଥ୍ୟ, ଶିକ୍ଷା, ସ୍ବଚ୍ଛତା, ସ୍ବରୋଜଗାର ଆଦି କ୍ଷେତ୍ରରେ ଭାଗୀଦାରି ହୋଇପାରିଛନ୍ତି। କିନ୍ତୁ ନିଜ ନାମରେ ଜମି ନଥିବା ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗର ମହିଳାମାନେ କେମିତି କୃଷକ ଭାବେ ପରିଗଣିତ ହୋଇ ସରକାରୀ ସୁବିଧା ପାଇବେ, ସେ ବ୍ୟବସ୍ଥା ନାହିଁ? ଜମିମାଲିକଙ୍କଠାରୁ ଜମି ଭଡ଼ା (ଲିଜ୍‌)ରେ ଆଣି ଚାଷ କଲେ, ସେ କ’ଣ ବନ୍ୟା ବାତ୍ୟା, ମରୁଡ଼ି, ଆଦି ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ସରକାରୀ ସହାୟତା ପାଇପାରିବ? ପ୍ରଧାନମନ୍ତ୍ରୀ ଫସଲବୀମା ହେଉ କିମ୍ବା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି କ’ଣ ଏହି ମହିଳାମାନେ ପାଇପାରୁଛନ୍ତି? ଏହା କେବଳ କୃଷି କ୍ଷେତ୍ର ନୁହେଁ, ପଶୁପାଳନ ଓ ମତ୍ସ୍ୟ ଆଦି ଆନୁଷଙ୍ଗିକ କ୍ଷେତ୍ରରେ ମଧ୍ୟ ମହିଳାମାନେ ଏଥିପାଇଁ ବିଭିନ୍ନ ସୁଯୋଗରୁ ବଞ୍ଚିତ ହେଉଛନ୍ତି। କିଷାନ କ୍ରେଡିଟ୍‌କାର୍ଡ ପାଇବାରେ ବ୍ୟାଙ୍କମାନେ ପ୍ରତିବନ୍ଧକ ସାଜୁଛନ୍ତି।

ପରିବର୍ତ୍ତିତ ପରିସ୍ଥିତିରେ କୃଷିକାର୍ଯ୍ୟ ପରି କଠିନ ରୋଜଗାରପନ୍ଥା ମହିଳାଙ୍କ ନିକଟକୁ ଆସିଛି। ଉଦାହରଣ ସ୍ବରୂପ ଧାନରୁଆ ଯାହା ବହୁ ଶାରୀରିକ କ୍ଲିଷ୍ଟତା କାର୍ଯ୍ୟମଧ୍ୟ​‌େ​‌ର ଅନ୍ତର୍ଭୁକ୍ତ, ଜ​‌େଣ ମହିଳା ଏକ ଏକର ଧାନରୁଆ ପାଇଁ ଏକ ଲକ୍ଷ ପଚିଶହଜାର ଥର ଅଣ୍ଟାନୁଆଁଇବାକୁ ପଡ଼ିଥାଏ। ଓଡ଼ିଶାର ଧାନ ରୁଆର ନବେ ପ୍ରତିଶତ କେବଳ ମହିଳାଙ୍କ ଦ୍ବାରା ସଂପାଦିତ ହୁଏ। ଅତଏବ ଏପରି ଶାରୀରିକ ପରିଶ୍ରମ କରି ଆମକୁ ଖାଦ୍ୟ ନିରାପତ୍ତା ଯୋଗାଉଥିବା ମହିଳା ଶ୍ରମିକ ଓ କୃଷକଙ୍କୁ ସେମାନଙ୍କ ନ୍ୟାଯ୍ୟଦାବି ଦେବାର ଆବଶ୍ୟକତା ରହିଛି। କେବଳ କୃଷିକ୍ଷେତ୍ର ନୁହେଁ, କୃଷିଶିକ୍ଷାରେ ମଧ୍ୟ ମହିଳା ଭାଗୀଦାରିର ସମୟ କ୍ରମେ ବଢ଼ିଚାଲିଛି। ଭୁବନେଶ୍ବରରେ ଅବସ୍ଥିତ କୃଷି ମହାବିଦ୍ୟାଳୟରେ ୧୯୮୨ରେ ପ୍ରଥମ ମହିଳା କୃଷି ସ୍ନାତକ ଶିକ୍ଷାରେ ନାମ ଲେଖାଇଥିବାବେଳେ ଗତବର୍ଷ ଏହା ୬୭ ପ୍ରତିଶତରେ ପହଞ୍ଚିଛି। ଅତଏବ ପୁରୁଷପ୍ରଧାନ କୃଷିକ୍ଷେତ୍ର ଏବେ ମହିଳାକୈନ୍ଦ୍ରିକ ହୋଇସାରିଛି। ତେଣୁ ସରକାର ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରିତା ବୃଦ୍ଧିହାର ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ନୂତନ ଜମି କିଣା ବିକାରେ ମିଳିତ ପଞ୍ଜୀକରଣର ବ୍ୟବସ୍ଥା ରହୁ। ଘରର ମହିଳାଙ୍କ ନାମରେ ସ୍ବତଃ ଜମି ମାଲିକାନା ହସ୍ତାନ୍ତରଣକୁ ଦେୟମୁକ୍ତ କରାଯାଉ। ପୁରୁଷଙ୍କୁ ମଧ୍ୟ ତାଙ୍କ ସ୍ତ୍ରୀ ନାମକୁ ଜମି ସ୍ବତ୍ବାଧିକାର​‌ ପ୍ରଦାନକୁ ଉତ୍ସାହିତ କରିବାର ବ୍ୟବସ୍ଥା କରାଯାଉ। ସମାଜରେ ଏପରି ମାନସିକତା ସୃଷ୍ଟି ପାଇଁ ସରକାର ନେତୃତ୍ବ ନିଅନ୍ତୁ। ଜଗନ୍ନାଥ, ବଳରାମ, ଲକ୍ଷ୍ମୀ ପରି ସୁଭଦ୍ରା ଯୋଜନା ଗ୍ରାମୀଣ କୃଷିନୀତି ମହିଳାଙ୍କ ପାଇଁ ପ୍ରଣୟନ କରାଯାଉ। ଆଜିର କୃଷିନୀତି ମହିଳା ଦିବସ ଉପଲକ୍ଷେ ଏହା ହିଁ ଅନୁଚିନ୍ତା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories