ମାନବିକ ମୂଲ୍ୟବୋଧର ସଂକଟ

ଅକ୍ଷୟ କୁମାର ଦ୍ବିବେଦୀ

ଆଧୁନିକତା ଓ ବିଜ୍ଞାନର ଅଗ୍ରଗତି ଯୋଗୁଁ ମାନବିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ପୃଥିବୀସାରା ପରିଲକ୍ଷିତ, ଯାହାକି ଭାରତ ଭଳି ବିକାଶଶୀଳ ଦେଶରେ ଅଧିକ । ଆମେ ବିକାଶ ଓ ସୁଖ ସ୍ବାଚ୍ଛନ୍ଦ୍ୟ ରାସ୍ତାରେ ଯାଇ ଅଧିକ ସଂଘର୍ଷ ଓ ପ୍ରତଯୋଗିତାର ସମ୍ମୁଖୀନ ହେବାଦ୍ବାରା ନୈତିକ ଓ ମାନବିକ ମୂଲ୍ୟବୋଧକୁ ହରାଇ ବସୁଛୁ। ଯୁବସମାଜ ଓ ପିଲାମାନଙ୍କ କ୍ଷେତ୍ରରେ ଏହାର କୁପ୍ରଭାବ ଅଧିକ, ଯାହାକି ଭବିଷ୍ୟତ ପିଢ଼ି ପାଇଁ ଉଦ୍‌ବେଗର କାରଣ। ନୀତିହୀନ ପରିବାର ଓ ସମାଜ ଦେଶର ପ୍ରଗତି ଓ ସୁରକ୍ଷା ପାଇଁ ବିପଦ। ନୈତିକ ଅଧୋପତନ ବ୍ୟକ୍ତି, ପରିବାର, ସମାଜ ତଥା ଦେଶକୁ କବଳିତ କରି ଆଗକୁ ବଢିଚାଲିଛି ଓ ସବୁ କ୍ଷେତ୍ରରେ ଅବିଶ୍ୱସନୀୟତା, ଅସହିଷ୍ଣୁତା, ସାମାଜିକ ଅସଙ୍ଗତା, ଅପରାଧ ପ୍ରବଣତା ଆଦି ଅବାଞ୍ଛିତ ବ୍ୟବହାର ବୃଦ୍ଧି ପାଉଛି। ମାନବିକ ମୂଲ୍ୟବୋଧ, ଗଠନମୂଳକ ଏବଂ ଶାନ୍ତିପ୍ରଦ ଜୀବନ ତଥା ସମାଜ ଗଠନର ମୂଳମନ୍ତ୍ର। ସମୟକ୍ରମେ ବଦଳୁଥିବା ମାନବିକତାର ଅବକ୍ଷୟ ଏକ ଅନିଶ୍ଚିତ ଓ ଭୟଙ୍କର ସମାଜକୁ ସୃଷ୍ଟି କରୁଛି। ଆଧୁନିକତା ଓ ବିଜ୍ଞାନର ପ୍ରଗତି ବ୍ୟକ୍ତି ଓ ସମାଜରେ ବ୍ୟାପକ ଢାଞ୍ଚାଗତ ପରିବର୍ତ୍ତନ ଆଣିଛି, ଯାହାକି ମାନବତା ପାଇଁ ଅବାଞ୍ଛିତ। ଆଧୁନିକତା ଚାପରେ ଆମ ସୁସ୍ଥ ଓ ଆଦର୍ଶ ପରମ୍ପରାକୁ ଅଣଦେଖା କଲେ ଜୀବନର ମାନ ନିଶ୍ଚିତ ପ୍ରଭାବିତ ହେବ। ମେଧା ଓ ଦକ୍ଷତା ବୃଦ୍ଧି ମାନବଧର୍ମ ଉପରେ ସକାରାତ୍ମକ ପରିବର୍ତ୍ତେ ନକାରାତ୍ମକ ଭାବନା ବୃଦ୍ଧି କରୁଛି। ଆଧୁନିକତା ଓ ଜ୍ଞାନର ପରିସର ବୃଦ୍ଧି କୁସଂସ୍କାର ତ୍ୟାଗ କରିବା ସହ ଅପସଂସ୍କାରକୁ ଆମନ୍ତ୍ରଣ କରୁଛି। ସେଥିପ୍ରତି ସଚେତନ ଦମ୍ପତି ଓ ନାଗରିକମାନେ ଗଠନମୂଳକ ପଦକ୍ଷେପ ନେଲେ ଛୋଟପିଲା ଓ ଯୁବ ସମାଜ ଉପରେ ସୁପ୍ରଭାବ ପଡିବ।

ବର୍ତ୍ତମାନର ଶିକ୍ଷା ପ୍ରଣାଳୀ ଓ ଜ୍ଞାନର ବିସ୍ଫୋରଣ ଆମ ସଂସ୍କୃତି ଓ ସୁସ୍ଥ ପରମ୍ପରାର ଗତିରୋଧ କରୁଛି। ବୈଷୟିକ ଜ୍ଞାନ କୌଶଳ ଓ ବିଜ୍ଞାନର ଉଦ୍ଭାବନ ଆମ ଜୀବନକୁ ସହଜ, ଆରାମଦାୟକ କରିଛି ସତ; କିନ୍ତୁ ମଣିଷକୁ ସ୍ୱାର୍ଥପର ଓ ନକାରାତ୍ମକ ଭାବନାରେ ବୁଡାଇ ଦେଇଛି। ଆମେ ଜୀବନର ମୌଳିକତା, ପ୍ରାକୃତିକ ନିୟମ ଓ ବାସ୍ତବତାକୁ ଭୁଲିଯାଇଛେ। ଈପ୍ସିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅନୈତିକ ହେଲେ ବି ଯେ କୌଣସି ପଥକୁ ବାଛି ନେଉଛନ୍ତି। ଶିକ୍ଷା, ଚାକିରି ଓ କର୍ମକ୍ଷେତ୍ରରେ ଅତ୍ୟଧିକ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ଯୋଗୁଁ ମାନବିକତା ଉପରେ ଅଧିକ ଚାପ ପଡୁଛି। ଧନ, ଯଶ, କ୍ଷମତା ପାଇଁ କୁକର୍ମ ଓ ଅନୀତି କରିବାକୁ ଲୋକେ ପଛାଉନାହାନ୍ତି। ବର୍ତ୍ତମାନର ଶିକ୍ଷା ପିଲା ଓ ଯୁବ ସମାଜର ନୈତିକ ଓ ଉତ୍ତମ ଚରିତ୍ର ବିକାଶରେ ସହାୟକ ହୋଇପାରୁନାହିଁ ଏବଂ ଅନେକ ଯୁବଗୋଷ୍ଠୀ ଆତ୍ମନିର୍ଭରଶୀଳ ହୋଇପାରୁନାହାନ୍ତି। ତେଣୁ ସେମାନଙ୍କ ନୈତିକ ଅଧୋପତନ ଘଟିବାରୁ କୁପଥଗାମୀ ହେଉଛନ୍ତି। ଆଧୁନିକ ଓ ବ୍ୟାବସାୟିକ ଶିକ୍ଷାନୁଷ୍ଠାନମାନେ ମାନବିକ ଓ ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ନଦେଇ କର୍ମସଂସ୍ଥାନ ଉପରେ ଧ୍ୟାନ ଦେଉଛନ୍ତି। ଛାତ୍ର, ଶିକ୍ଷକ ଓ ଅଭିଭାବକ ମଧ୍ୟରେ ସୁସମ୍ପର୍କ ପ୍ରାୟତଃ ରହୁନାହିଁ । ପ୍ରିୟାପ୍ରୀତି ତୋଷଣ ଏବଂ ଅନୀତି ଶିକ୍ଷା କ୍ଷେତ୍ରରେ ରହୁଥିବାରୁ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଛି। ରାଜନୈତିକ ଚାପ ଓ ହସ୍ତକ୍ଷେପ ଯୋଗୁଁ ଶିକ୍ଷାକ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଶିକ୍ଷାର ଅତ୍ୟଧିକ ବ୍ୟବସାୟୀକରଣ ହେତୁ ଗୁଣାତ୍ମକ ଓ ନୈତିକ ଶିକ୍ଷା ବାଧାପ୍ରାପ୍ତ ହେଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ପ୍ରଚାର ସର୍ବସ୍ୱ ହୋଇଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଯୁବ ସମାଜ ଉପରେ ନୈତିକ ମୂଲ୍ୟବୋଧ ନ ବଢ଼ାଇ ନକାରାତ୍ମକ ଚିନ୍ତାଧାରା ବୃଦ୍ଧି କରୁଛି ।

ଆମ ପରିବାରରେ ଆଗ ଭଳି ଭଲପାଇବା, ଆନ୍ତରିକତା, ଗୁରୁଜନଙ୍କୁ ଭକ୍ତି ଓ ଲଘୁଜନଙ୍କୁ ସ୍ନେହ ଦେଖିବାକୁ ମିଳୁନାହିଁ । ବିବାହ ପରେ ଦମ୍ପତିମାନେ ଅଧିକ ସ୍ୱାଧୀନତା ପାଇଁ ଯୌଥ ପରିବାରରେ ରହିବାକୁ ଇଚ୍ଛା କରୁନାହାନ୍ତି । ‘ମୁଁ ଓ ମୋର’ ସେମାନଙ୍କୁ ପୂର୍ବ ପରିବାରର ମହତ୍ତ୍ବ ଓ ଗୁରୁତ୍ୱ ଠାରୁ ଅଲଗା କରିଦେଇଛି। ଆଧୁନିକ ଚାକଚକ୍ୟ, ସ୍ବାଚ୍ଛନ୍ଦ୍ୟ ଓ ମାତ୍ରାଧିକ ସ୍ୱାଧୀନତା ମଣିଷକୁ ବ୍ୟକ୍ତିକୈନ୍ଦ୍ରିକ ଓ ସ୍ୱାର୍ଥପର କରିଦେଇଛି ଏବଂ ମଣିଷ ତାର ଦାସ ହୋଇଯାଇଛି। ଜୀବନର ନୈତିକତା, ମାଦକତା ଓ ବାସ୍ତବତା ମଣିଷ ଉପଲବଧି କରିପାରୁନାହିଁ । ଅତ୍ୟାଧୁନିକତା ଅନେକ ପରିବାରର ସୁସମ୍ପର୍କରେ ଝଡ଼ ସୃଷ୍ଟି କରୁଛି। ତେଣୁ ବିବାହ ବିଚ୍ଛେଦ, ନାରୀ ଉତ୍ପୀଡ଼ନ, ଯୌନଶୋଷଣ ଆଦି ଅବାଞ୍ଛିତ ଘଟଣା ବଢିଚାଲିଛି। ଏହାର କୁପ୍ରଭାବ ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପଡୁଛି। ଅନେକ ଦମ୍ପତି ପିଲାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି, ଭଲ ସ୍କୁଲରେ ପଢାଉଛନ୍ତି; କିନ୍ତୁ ପିଲାର ଆବଶ୍ୟକ ଦାୟିତ୍ୱ ନେଇପାରୁନାହାନ୍ତି । ପିଲାର ପ୍ରଥମ ଗୁରୁ ପିତା ଓ ମାତା, ତାଙ୍କଠାରୁ ଉପଯୁକ୍ତ ଶିକ୍ଷା ନପାଇଲେ ପିଲାଟିର ନୈତିକତାର ବିକାଶ ହୁଏନାହିଁ । ପିଲାଟି ବାସ୍ତବତା ଉପଲବ୍‌ଧି କରି ଠିକ ବାଟରେ ଯାଇପାରେ ନାହିଁ । ଦାୟିତ୍ୱବାନ ଦମ୍ପତି ସୁସ୍ଥ ପରିବାର ଓ ସମାଜ ଗଠନ କରିଥାନ୍ତି, ଯାହାଦ୍ୱାରା ଉନ୍ନତ ଓ ବଳଶାଳୀ ଦେଶ ଗଠନରେ ସହାୟକ ହୋଇଥାଏ।

ପିଲାଟି ମୂଲ୍ୟଯୁକ୍ତ ନୈତିକ ଶିକ୍ଷା ସମାଜରୁ ପାଇଥାଏ । ଆଧୁନିକ ସମାଜ ଅନେକ ପରିମାଣରେ ନୀତିହୀନ ଲୋକମାନଙ୍କ ଦ୍ୱାରା ପରିଚାଳିତ। ଏହା ଆମର ବିଡମ୍ବନା ଯେ ନୀତିବାନ, ଜ୍ଞାନୀ ଓ ଚରିତ୍ରବାନ ଲୋକଙ୍କ ଅପେକ୍ଷା ଧନ, ଜନ ଓ କ୍ଷମତା ଥିବା ଅବାଞ୍ଛିତ ଲୋକେ ସମାଜରେ ପ୍ରତିଷ୍ଠା ପାଆନ୍ତି ଓ ସେମାନଙ୍କୁ ସମ୍ମାନନୀୟ ବୋଲି ବିବେଚନା କରାଯାଏ । ତେଣୁ ସମାଜ ବିଶେଷକରି ଯୁବବର୍ଗର ନୈତିକ ଅବକ୍ଷୟ ହେବା ନିଶ୍ଚିତ। ଆଜିର ଦୁନିଆରେ ଧର୍ମ ନାମରେ କିଛି ବ୍ୟକ୍ତି ବ୍ୟବସାୟ କରି ବେଶ୍‌ ଯଶ ଓ ଧନ ଉପାର୍ଜନ କରୁଛନ୍ତି। ଧର୍ମାନ୍ଧତା ଓ କୁସଂସ୍କାର ଏବେ ମଧ୍ୟ ସମାଜର ଅନେକ ଲୋକଙ୍କୁ କବଳିତ କରି ରଖିଛି। ପ୍ରଚଳିତ ବ୍ୟବସ୍ଥା ଧର୍ମ ନାମରେ ଅଧର୍ମ ଓ ତାହାର ଅପପ୍ରୟୋଗରେ ଆବଶ୍ୟକ ରୋକ ଲଗାଇ ପାରୁନାହିଁ। ଅନେକ ଯୁବକ ଯୁବତୀ ଅଶିକ୍ଷା, ପ୍ରତାରଣା, ବେରୋଜଗାରୀ, ଦୁର୍ନୀତି, ହିଂସା ଆଦିର ସମସ୍ୟାରେ ଜର୍ଜରିତ ହୋଇ ନୈତିକତା ଓ ମାନବତାକୁ ଭୁଲି ଯାଉଛନ୍ତି। ସିନେମା ଓ ବୈଦ୍ୟୁତିକ ମିଡ଼ିଆ ଦ୍ୱାରା ପ୍ରଭାବିତ ହୋଇ ସାଧାରଣ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିବା ଦ୍ୱାରା ମଧ୍ୟ ନୈତିକତା ହ୍ରାସ ପାଉଛି। ଅତ୍ୟଧିକ ସ୍ୱାଧୀନତା, ଧନ ଓ କ୍ଷମତା କେତେକଙ୍କୁ ଅହଙ୍କାରୀ କରିଦେଇଛି ଏହା ସମାଜ ଓ ଦେଶ ପାଇଁ କ୍ଷତିକାରକ। ଆଧୁନିକତା, ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଆମର ପାରଦର୍ଶିତା ବଦଳରେ ଆମେ ମାନବିକ ମୂଲ୍ୟବୋଧ, ପ୍ରକୃତି ସହ ସମନ୍ୱୟ ଓ ସହନଶୀଳତାର ଅବକ୍ଷୟ କରିଚାଲିଛେ। ତେଣୁ ଜୀବନ ଆମ ପାଇଁ ଦୁର୍ବିସହ ହୋଇପଡିଛି।

ପିତାମାତା ଓ ଗୁରୁଜନମାନେ ପିଲାଙ୍କର ଆଦର୍ଶ ହେବା ଉଚିତ । ଛୋଟପିଲାଟିଏ ଏମାନଙ୍କ ଭଲ ମନ୍ଦ ଗୁଣ ଓ ଆଚାର ବ୍ୟବହାରକୁ ଗ୍ରହଣ କରିନିଅନ୍ତି ଏବଂ ଭବିଷ୍ୟତରେ ତାହାକୁ ଆଦରି ନିଅନ୍ତି। ପ୍ରଥମ ଶିକ୍ଷା ଶିଶୁ ମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ତେଣୁ ନୈତିକ ଶିକ୍ଷା ଓ ଉତ୍ତମ ବ୍ୟବହାର ଜ୍ଞାନ ଶିଶୁ ଯେପରି ପାଏ ପରିବାର, ସମାଜ ଓ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଆଧୁନିକ ଶିକ୍ଷା ବ୍ୟବସ୍ଥାର ପରିସର ବ୍ୟାପକ ଓ ଯୁଗ ଉପଯୋଗୀ ହେଲାଣି ; କିନ୍ତୁ ସୁନାଗରିକ ହେବାପାଇଁ ଆବଶ୍ୟକ ପରିବେଶ ଓ ଶିକ୍ଷା ମଧ୍ୟ ନିହାତି ଦରକାର । ଯଦ୍ୱାରାକି ପିଲାମାନେ ଭବିଷ୍ୟତରେ ନୀତିନିଷ୍ଠ ଓ ଦାୟିତ୍ୱବାନ ସୁନାଗରିକ ହୋଇ ସମାଜ ଓ ଦେଶକୁ ସଠିକ ମାର୍ଗରେ ନେଇପାଇବେ । ଆମ ପିଲା ଓ ଯୁବବର୍ଗ ମନରେ ପ୍ରାଥମିକ ସ୍ତରରୁ ମାନବଧର୍ମ, ସମାନତା, ସହନଶୀଳତା ଆଦି ଗୁଣ ସହ ଦେଶପ୍ରେମକୁ ପୂରାଇଲେ ଦେଶ ସମୃଦ୍ଧ ହୋଇପାରିବ। ଧର୍ମ, ଜାତି, ଭାଷା, ଆଞ୍ଚଳିକତା ଓ ଅନ୍ୟାନ୍ୟ ବିବିଧତା ଆମର ବଳ, ଏହା ଯେପରି ଆମର ଦୁର୍ବଳତା ନହୁଏ ସେଥିପ୍ରତି ସରକାର ଓ ଅନୁଷ୍ଠାନମାନେ ବିଶେଷ ଧ୍ୟାନ ଦେବା ଉଚିତ। ଆଜିର ବ୍ୟସ୍ତ ବହୁଳ ଦୁନିଆରେ ପିତା ମାତାମାନେ ଶିଶୁଙ୍କ ପ୍ରତି ଯଥେଷ୍ଟ ସମୟ ନଦେଲେ ମଧ୍ୟ ଆବଶ୍ୟକ ସମୟ ଦେଇ ତାଙ୍କ ମନକୁ ବୁଝି ତାଙ୍କ ସମସ୍ୟା ସମାଧାନ କରିବା ଉଚିତ। ତାହାଦ୍ୱାରା ସେମାନେ ନିଜକୁ ଅବହେଳିତ ମନେ କରିବେ ନାହିଁ ଓ ତାଙ୍କର ନୈତିକ ଏବଂ ମାନସିକ ବିକାଶ ହେବ । ଅନ୍ୟାୟ ଅନୀତି ଦ୍ୱାରା ଅଧିକ ଧନ ଓ କୃତ୍ରିମ ମାନ ଅର୍ଜନ କରାଯାଇପାରେ ; କିନ୍ତୁ ଜୀବନରେ ପ୍ରକୃତ ସୁଖ ଓ ଶାନ୍ତି ଆସିପାରେ ନାହିଁ । ବସ୍ତୁବାଦୀ ଦୁନିଆରେ ସୁଖ, ଶାନ୍ତି ଖୋଜୁ ଖୋଜୁ ଅନେକ ନୀତିହୀନ କାମ କରୁଛନ୍ତି, ତାହାଦ୍ୱାରା ସେମାନେ ନିଜ ପରିବାରର ପ୍ରଥମେ କ୍ଷତି କରୁଛନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଆତ୍ମ ସମୀକ୍ଷା କରି କାର୍ଯ୍ୟ କରିବା ଦରକାର ଓ ପରିବାର, ସମାଜ, ଦେଶର ମୁଖିଆ ତଥା ନେତୃବର୍ଗମାନଙ୍କୁ ଅଧିକ ସତର୍କତା ସହ କାମ କରିବାକୁ ହେବ, ଯେପରି ସେମାନେ ଅନ୍ୟମାନଙ୍କ ପାଇଁ ଉତ୍ତମ ଉଦାହରଣ ହେବେ । ପରିବାର ହେଉ ବା ଦେଶ ହେଉ ମୁଖିଆ ଭୁଲ କଲେ ତାର କୁପରିଣାମ ପରବାର ବା ଦେଶ ଭୋଗିବା ନିଶ୍ଚିତ । ପରିବାର ଠାରୁ ଦେଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଗଣତନ୍ତ୍ରର ଆବଶ୍ୟକତା ରହିଛି। ଏପରି କି ପିଲାଙ୍କ ଉପରେ ନିଜ ଇଚ୍ଛା ଓ ଅଭ୍ୟାସ ଲଦିଦେବା ଉଚିତ ନୁହେଁ । ପରମ୍ପରା ଓ ଆଧୁନିକତା ମଧ୍ୟରେ ସମନ୍ୱୟ ଆବଶ୍ୟକ, ଏଥିପାଇଁ ତଳୁ ଉପର ପର୍ଯ୍ୟନ୍ତ ସଚେତନ ହେବା ଦରକାର । ଅନ୍ୟାୟ, ଅନୀତି ଓ ଦୁର୍ନୀତି ବିରୁଦ୍ଧରେ ଯଥା ସମ୍ଭବ ଦୃଢ କାର୍ଯ୍ୟାନୁଷ୍ଠାନ ହେଲେ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ସମ୍ଭବ। ଅତ୍ୟାଧୁନିକତା ଓ ପାଶ୍ଚାତ୍ୟ ଅପସଂସ୍କୃତିକୁ ଆପଣାଇବାରେ ଗୁରୁଜନମାନଙ୍କ ଭୂମିକା ଓ ପ୍ରୋତ୍ସାହନ ଠିକ୍‌ନୁହେଁ । ସୁତରାଂ ପିଲାଙ୍କୁ ଉଚିତ ଦିଗ୍‌ଦର୍ଶନ ଦେବା ଓ ମାର୍ଜିତ କରାଇବା ଆମ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ ।

Comments are closed.