ପାର୍ବଣରେ ଶିଶୁଙ୍କ ପାଇଁ ସତର୍କତା
ପ୍ରଫେସର ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ
ଜଗତଜ୍ଜନନୀ ମା’ଦୁର୍ଗା ଧରାପୃଷ୍ଠକୁ ଓହ୍ଲାଇଛନ୍ତି। ଚାରିଆଡ଼େ ପାର୍ବଣର ଭିଡ଼। ସବୁଠି ଗହଳି। ମିଠା ଦୋକାନଠାରୁ ଶାଢ଼ି, ବହି ଦୋକାନ ଠାରୁ ଘରୋଇ ଜିନିଷ ପାଇଁ ସବୁଠି ଭିଡ଼। ତେବେ ପାର୍ବଣ ଖୁସି ଭିତରେ ପିଲାମାନଙ୍କ ପାଇଁ ଅନେକ ସତର୍କତା ରହିଛି। ଏହାକୁ ମାନିବା ବାଞ୍ଛନୀୟ। ପାର୍ବଣରେ ପିଲାଟି ଖୁସି ରହୁ ଏହା ସମସ୍ତେ ଚାହାନ୍ତି କିନ୍ତୁ ଏହି ଖୁସି ପଛର ପରବର୍ତ୍ତୀ ଦୁଃଖଦ କାହାଣୀ ପାଇଁ କେହି ପ୍ରସ୍ତୁତ ନଥାନ୍ତି। ପାର୍ବଣରେ ଘେର ଘରେ ଭୋଜିଭାତ, ପିଠା, ମିଠା ଓ ଖାଇବାର ସମ୍ଭାର। କେବଳ ଘରେ ନୁହେଁ; ବନ୍ଧୁଘର ଠାରୁ ପଡ଼ୋଶୀ ଘର ସବୁଠି ସ୍ନେହ ଆଦରରେ ପିଲାମାନଙ୍କ ପାଇଁ ସମସ୍ତେ ଖାଦ୍ୟ ଜିନିଷ ପ୍ରାୟତଃ କିଣିଦିଅନ୍ତି। ଏ କ୍ଷେତ୍ରରେ ମନେରଖନ୍ତୁ ଯେ ପିଲାର ହଜମ ଶକ୍ତିଠାରୁ ଅଧିକ ଖାଦ୍ୟ ଦେଲେ ତାହା ପିଲା ପାଇଁ କ୍ଷତିକାରକ। ବଜାରର ରଙ୍ଗ ବେରଙ୍ଗୀ ଖାଦ୍ୟ, ଥଣ୍ଡା ଖାଦ୍ୟ, ଦାମୀ ଚକୋଲେଟ ଓ ତଥାକଥିତ ଫାଷ୍ଟଫୁଡ୍ ପିଲାଟି ପାଇଁ ବିପଜ୍ଜନକ ହୋଇପଡ଼େ। ସେହିପରି ଦିନକୁ ଦିନ ଶବ୍ଦ ପ୍ରଦୂଷଣ ବଢ଼ିବାରେ ଲାଗିଛି। ସହର ବଜାର ଚାରିଆଡ଼େ ସାଉଣ୍ଡ ବକ୍ସର ଗର୍ଜନ ଓ ବିଭିନ୍ନ ବାଜାର ଉଦ୍ଦଣ୍ଡ ଶବ୍ଦ ପିଲାଟି ପାଇଁ ଶ୍ରୁତିକଟୁ ହୋଇଥାଏ। ଦିନ ଦିନ ଧରି ବାଜାର ଗୁରୁଗର୍ଜନ ପିଲାଟିର କାନକୁ ପ୍ରଭାବିତ କରିଥାଏ। ପରବର୍ତ୍ତୀ ସମୟରେ ଏହା କାନ ପାଇଁ ବଡ଼ ଯନ୍ତ୍ରଣାଦାୟକ ରୋଗକୁ ଡାକି ଆଣିଥାଏ।
ପାର୍ବଣରେ ପିଲାମାନଙ୍କର ନିୟମିତ ଖାଇବା ପିଇବାକୁ ନେଇ ସେପରି କେହି ଚିନ୍ତିତ ନଥାନ୍ତି; କିନ୍ତୁ ବଡ଼କଥା ହେଉଛି ଏହି ସମୟରେ ସ୍କୁଲ ଛୁଟି ଥିବାରୁ ପିଲାମାନେ ପ୍ରାୟତଃ ଘରେ ରହିଥାନ୍ତି। ତେଣୁ ଛୁଟି ନାମରେ ପିଲାମାନଙ୍କର ଖାଇବା ଓ ବିଶ୍ରାମକୁ ଅବହେଳା କରିବା କଥା ନୁହେଁ। ଦେଖାଯାଉଛି ପୂଜାରେ ସର୍ପ୍ରାଇଜ୍ ଗିଫ୍ଟ ନାମରେ ପିଲାମାନଙ୍କୁ ମୋବାଇଲ ଫୋନ୍ ଓ ଆଇପଡ଼୍ ଦିଆଯାଉଛି। ବାସ୍ତବରେ କମ୍ ବୟସର ପିଲାମାନଙ୍କ ପାଇଁ ମୋବାଇଲ୍ ଫୋନ୍ ହେଉ ବା ଆଇପଡ଼୍ କ୍ଷତିକାରକ। ଏହା ପିଲାମାନଙ୍କ ବୋଧଶକ୍ତି, ସୃଜନଶୀଳତା ଓ ବୌଦ୍ଧିକତାକୁ କ୍ଷତବିକ୍ଷତ କରିବାର ସମ୍ଭାବନା ରହିଥାଏ। ସେହିପରି ବଜାରରେ ମେଢ଼ ବୁଲି କିମ୍ବା ମେଲୋଡ଼ି ଦେଖି ବିଳମ୍ବରେ ପ୍ରାୟତଃ କିଛି ପିଲାମାନେ ଶୋଇଥାନ୍ତି। ପ୍ରକୃତରେ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ବିପଜ୍ଜନକ। କାରଣ ନିର୍ଦ୍ଧାରିତ ସମୟରେ ଶୋଇବା ପିଲାଟି ପାଇଁ ଅତ୍ୟନ୍ତ ସ୍ବାସ୍ଥ୍ୟପ୍ରଦାୟକ। ସେହିପରି ନିରାମିଷ ଓ ସନ୍ତୁଳିତ ଖାଦ୍ୟ ସବୁଠାରୁ ଭଲ। ଏହି ସମୟରେ ପିଲାମାନଙ୍କୁ ସବୁବେଳେ ଈଶ୍ବର ମନସ୍କ କରାଇ ଛୁଟିରେ ବରଂ ସେମାନଙ୍କର କୌଣସି ସୃଜନଶୀଳ କାର୍ଯ୍ୟକ୍ରମରେ ସେମାନଙ୍କୁ ଜଡ଼ିତ କରାନ୍ତୁ। ଏହା ଏକ ଭଲ ଅଭ୍ୟାସ ଓ ପିଲାମାନଙ୍କ ପାଇଁ ନୈତିକ ପ୍ରେରଣା ମଧ୍ୟ ଯୋଗାଇବ।
ପିଲାମାନଙ୍କୁ ଦଶହରା ସମୟରେ ସେମାନଙ୍କର ଗରିବ ସାଙ୍ଗସାଥୀ କିମ୍ବା ବଜାରଘାଟରେ ବୁଲୁଥିବା ଅସହାୟ ଅପରିଚିତ ନାରାୟଣରୂପୀ ଗରିବ ଲୋକଙ୍କୁ ସାହାଯ୍ୟ କରିବାର ପରୋପକାର ଗୁଣ ଶିକ୍ଷା ଦିଅନ୍ତୁ। ନଦୀ ବା ଜଳାଶୟରେ ମା’ଙ୍କ ବିସର୍ଜନ ବେଳେ ଯଦି ପିଲାମାନେ ନଦୀକୁ ଯାଇଥାନ୍ତି, ପିଲା ପହଁରା ଶିକ୍ଷା ପାଇଛି କି ନାହିଁ ତାହା ଜାଣିବା ଜରୁରୀ। ଅନ୍ୟ ଗୋଟିଏ କଥା ହେଉଛି ନଦୀ ଜଳରେ ମା’ଙ୍କ ମୂର୍ତ୍ତିରେ ଦିଆଯାଇଥିବା ବିଷାକ୍ତ ରଙ୍ଗ ସମଗ୍ର ଜଳରାଶିକୁ ପ୍ରଦୂଷିତ କରିଥାଏ। ଏହା ସଂସ୍ପର୍ଶରେ ପିଲାଟି ଆସିଲେ ପରବର୍ତ୍ତୀ ସମୟରେ ଚର୍ମରୋଗର ଶିକାର ହୋଇଥାଏ। ପିଲାମାନଙ୍କୁ ସେହି ଦୂଷିତ ରଙ୍ଗ ଜଳରାଶିର ସଂସ୍ପର୍ଶରେ ନ ଆସିବା ପାଇଁ ଦୃଷ୍ଟି ରଖନ୍ତୁ। ପାର୍ବଣରେ ସମସ୍ତଙ୍କ ସହ ଖୁସି, ସୁଖ ଓ ଭଲପାଇବା ବାଣ୍ଟି ପାରିବାର ମହାମନ୍ତ୍ର ପିଲାଟିକୁ ଆପଣମାନେ ହିଁ ଶିକ୍ଷା ଦେଇପାରିବେ। ଦେଖିବେ ଆପଣଙ୍କ ପିଲାଟି ମା’ଙ୍କ କୃପା ପାଇବା ସହ ଏକ ଦିବ୍ୟ ପଥର କୁନି ପଥିକ ହୋଇପାରିବ।
Comments are closed.