ସହରୀ ସଭ୍ୟତା ଓ ଭାରତୀୟ ସଂସ୍କୃତି

ପ୍ରଫେସର କୁମାର ବର ଦାସ

ଭାରତୀୟ ସଂସ୍କୃତି କେତେ ଉନ୍ନତ ଓ ଉତ୍କୃଷ୍ଟ। ଆମ ସଂସ୍କୃତି ହେଉଛି ପ୍ରେମ, ତ୍ୟାଗ, ସେବା, ଭକ୍ତିର ସଂସ୍କୃତି। ସଂସ୍କୃତି ହେଉଛି ସାମାଜିକ ଚେତନାର ନୈତିକ ଭିତ୍ତି ଓ ବ୍ୟକ୍ତିଗତ ମାନବିକତାର ଆଧାର। ଏହା ସ୍ୱାଧୀନ; ନ୍ୟାୟ ଅନ୍ୟାୟର ଊର୍ଦ୍ଧ୍ବରେ। ଏହା ବ୍ୟକ୍ତି ଜୀବନର ପ୍ରଚଣ୍ଡତା ଓ ଉତ୍କର୍ଷକୁ ଆହୁରି ବର୍ଦ୍ଧନ କରାଇବାର ମାର୍ଗ। ସଂସ୍କୃତି ଏକ ଦେଶର କିମ୍ବା ସମାଜର ସମସ୍ତ କଳା, ଚଳଣି, ଧର୍ମ, ମୂଲ୍ୟବୋଧ, ପ୍ରଥା, ପରମ୍ପରା, ବ୍ୟବହାର, ବିଶ୍ୱାସ, ଶୃଙ୍ଖଳା, ଅଭ୍ୟାସ, ଉପାସନା, ଆଇନ, ଆଦର୍ଶ, କ୍ଷମତାର ସମାରୋହ। ଏହା ସବୁ ମଣିଷର ଜ୍ଞାନ ଓ ବୁଦ୍ଧି ରହିତ। ସଂସ୍କୃତି ଦ୍ୱାରା ସମାଜ ବ୍ୟକ୍ତିର ଦିଗନ୍ତକୁ ପରିବ୍ୟାପ୍ତ କରେ। ମଣିଷର ଜ୍ଞାନର ପରିପକ୍ୱତା ସଂସ୍କୃତିକୁ ରକ୍ଷା କରେ ଓ ଉତ୍କୃଷ୍ଟ କରେ। ସଂସ୍କୃତି ଜାତୀୟ ପ୍ରେମ ଓ ରାଷ୍ଟ୍ର ଚେତନା ଜାଗ୍ରତ କରେ। ସାଂସ୍କୃତିକ ସମସ୍ତ ଉପାଦାନ ଯୁଗ ଯୁଗ ଧରି, ପିଢ଼ି ପରେ ପିଢ଼ି ମଣିଷ ସଂଗ୍ରହ କରିଥାଏ। କିନ୍ତୁ ଆମ ସଂସ୍କୃତି ଆଜି କେବଳ ଔପଚାରିକତାରେ (ପୂଜା, ପର୍ବ, ତିଥିବାର, ନକ୍ଷତ୍ର ଇତ୍ୟାଦି) ବନ୍ଧା। ଆଜି ଆଧୁନିକୀକରଣର ମହାପ୍ରବାହରେ ସମସ୍ତେ ଆଜି ନିମଗ୍ନ। ଅଧିକ ଶକ୍ତି ସାମର୍ଥ୍ୟ ଥାଉ କି ନଥାଉ ଅଧିକ ଉପାର୍ଜନ କରିବା, ଅଧିକ ଉପାର୍ଜନ ଥାଉ କି ନ ଥାଉ ଅଧିକ କ୍ରୟ, ଅଧିକ ଉପଭୋଗ କରିବା ଲାଳସାରେ ସମସ୍ତେ ଧାଉଁଛୁ। ସହରୀକରଣ ସାଜିଛି ଭୋଗବାଦୀ ଓ ବସ୍ତୁବାଦୀ ଦୁନିଆର ପେଣ୍ଠସ୍ଥଳୀ। ବସ୍ତୁବାଦର କୁହେଳିକା ଭିତରେ, କିଛି ଝାମ୍ପି ନେବାକୁ ନିଜ ନିଜ ସ୍ତରରେ ସମସ୍ତେ ବ୍ୟଗ୍ର ଓ ଉଦ୍ୟମରତ। ସମସ୍ତେ ପ୍ରତିଯୋଗିତାପ୍ରବଣ ହୋଇ ପଡ଼ିଛନ୍ତି। ଏହାଦ୍ୱାରା ସମାଜରେ ହୀନମନ୍ୟତା, ସଂକୀର୍ଣ୍ଣତା ଓ ବିକୃତ ମାନସିକତା ପ୍ରଚଣ୍ଡ ଭାବେ ବ୍ୟାପୁଛି। ଏହା ସାଥିରେ ସାମାଜିକ ମୂଲ୍ୟବୋଧର ଓ ମାନବୀୟ ଚେତନାର କ୍ଷିପ୍ର ଗୁଣାତ୍ମକ ଅବକ୍ଷୟ ଘଟୁଛି। ଆମର ଆଧୁନିକତା ସାଂସ୍କୃତିକ ସ୍ଖଳନ ପ୍ରକ୍ରିୟାକୁ ଘନୀଭୂତ କରୁଛି।

ଆଧୁନିକ ସଭ୍ୟତା ମଣିଷର ଇନ୍ଦ୍ରିୟମାନଙ୍କ ଦ୍ୱାରା ପ୍ରସାରିତ ଓ କବଳିତ। ଆଧୁନିକ ଭିତ୍ତିଭୂମି ଆଧାରିତ ଶିକ୍ଷା, ସ୍ୱାସ୍ଥ୍ୟ, ସମସ୍ତ ପ୍ରକାର ବେପାର ବାଣିଜ୍ୟ ପ୍ରାସାରିତ ହେବା ଦ୍ୱାରା ସହରୀ ସଭ୍ୟତା ଅଧିକ ସମୃଦ୍ଧିଶାଳୀ ଓ ସମ୍ପ୍ରସାରିତ ହେଉଛି। ସହରର ଆଳସ୍ୟମୟ ଜୀବନ ଓ ଅୟସଖୋର ପ୍ରବୃତ୍ତି ଅଧିକ ଲୋକଙ୍କୁ ଆକର୍ଷିତ କରୁଛି। ସହରର ଶାସକ-ଶିକ୍ଷିତ ଶ୍ରେଣୀ ଆଦର୍ଶ, ସୌନ୍ଦର୍ଯ୍ୟ ଓ ଉତ୍କୃଷ୍ଟର ସଂଜ୍ଞା ନିରୂପଣ କରିଥିବାରୁ ଓ ସଫଳତାର ନମୁନା ସୃଷ୍ଟି କରିଥିବାରୁ ସହରୀ ସଂସ୍କୃତି ଓ ସଭ୍ୟତା ସମାନ ରୂପ ଓ ଧାରଣା ସୃଷ୍ଟି କରୁଛି। ଉଚ୍ଚକୋଟୀର ସଭ୍ୟତା ସାଙ୍ଗେ ସହରୀ ସଂସ୍କୃତିର ରାଜଘୋଟକ ଘଟିଛି। ସଂସ୍କୃତି ବଦଳରେ ନଗ୍ନ ସଭ୍ୟତାର ପ୍ରସାର ହେଉଛି। ସଭ୍ୟତା ଆଜି ସହରର ବାହ୍ୟ ଚାକଚକ୍ୟରେ ବନ୍ଧା ପଡ଼ିଛି। ସମଗ୍ର ବିଶ୍ୱରେ ମେସୋପଟାମିଆ ସଭ୍ୟତା, ଇଜପସିଆନ ସଭ୍ୟତା, ଇଣ୍ଡସଭେଲି ସଭ୍ୟତା, ଚାଇନା ସଭ୍ୟତା, ସିନ୍ଧୁ ସଭ୍ୟତା, ରୋମାନ ସଭ୍ୟତା ଇତ୍ୟାଦି ଆଜି ବିଲୁପ୍ତ। ରାବଣ ଥିଲେ ଖୁବ୍‌‌ ସଭ୍ୟ ଓ ମହାଜ୍ଞାନୀ। ତାଙ୍କର ସାମ୍ରାଜ୍ୟ, ସଭ୍ୟତା ଓ ଆଧୁନିକତାର ଶୀର୍ଷରେ ପାହଞ୍ଚି ଥିଲା; କିନ୍ତୁ ରାମ ଥିଲେ ଖୁବ୍‌‌ ସଂସ୍କୃତିସମ୍ପନ୍ନ। ସଭ୍ୟତା ଓ ସଂସ୍କୃତି ପରିପୂରକ। ଭଲ ସଂସ୍କୃତି ଉନ୍ନତ ସଭ୍ୟତାକୁ ହିଁ ବୁଝାଏ। କିନ୍ତୁ ଉନ୍ନତ ସଭ୍ୟତା ଉତ୍କୃଷ୍ଠ ସଂସ୍କୃତିକୁ ବୁଝାଏ ନାହିଁ। ଜ୍ଞାନର ଆଲୋକରେ ଉଦ୍ଭାସିତ ବିଜ୍ଞାନ ଜଗତରେ ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ବୃଦ୍ଧି ପାଉଛି। କର୍ମରେ ବିଶ୍ୱାସ ନ କରି ଭାଗ୍ୟରେ ବିଶ୍ୱାସ କରିବା। ସାରା ସମାଜ ଆମର ଧାଉଁଛି ଭୁଲ୍‌‌ ରାସ୍ତାରେ। ଶିକ୍ଷିତ ବର୍ଗଙ୍କ ଭିତରେ ମିଥ୍ୟା, ଛଳନା, ପ୍ରତାରଣା, ପ୍ରବଞ୍ଚନା, ହିଂସା, ସନ୍ଦେହ, ଦ୍ୱେଷ, ଆଳସ୍ୟ, ଅୟସଖୋର ମନୋଭାବ, ଜିନିଷପତ୍ର ନଷ୍ଟ କରିବା ମାନସିକତା ଓ ଅହଂଭାବ ସବୁ କିଛି ବଢ଼ିଚାଲିଛି। ଏହି ସବୁ ହିଁ ସାମାଜିକ ବ୍ୟାଧି। ଏହା କୌଣସି ସୁସ୍ଥ ସମାଜର ଲକ୍ଷଣ ଆଦୌ ନୁହେଁ। ଆଜି ଯଦି କିଏ ମଣିଷକୁ ଶାସନ କରୁଥାଏ ତାହା ହେଉଛି କେବଳ ଟଙ୍କା, କୃତ୍ରିମତା ଓ ଅହଂକାର। ଆଜି ଯଦି କିଛି ବୈଷମ୍ୟ ସୃଷ୍ଟି କରୁଥାଏ ତାହା ହେଉଛି କଳା ଧନ। ପ୍ରେମ, ଶାନ୍ତି, ବିଶ୍ୱାସ ଓ ସୁରକ୍ଷାର ଅଭାବ ସବୁଆଡ଼େ। ସମାଜ ଆମର ପାଲଟିଛି କୃତ୍ରିମ ଓ ରୁଗ୍‌‌ଣ। ତେଣୁ ଏ ପରିପ୍ରେକ୍ଷୀରେ ସାହିତ୍ୟର ଦାୟିତ୍ୱ ହେଉଛି ସମାଜକୁ ସୁସ୍ଥ ରଖିବା, ସମାଜକୁ ଓ ବ୍ୟକ୍ତି ବିଶେଷକୁ ଠିକ୍‌‌ ମାର୍ଗରେ ଅଗ୍ରସର କରିବାକୁ ଇଙ୍ଗିତ ଦେବା। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ସତ; କିନ୍ତୁ ଆମର ଓଡ଼ିଆ ଭାଷା ପ୍ରତି ଓଡ଼ିଶାର ଉଚ୍ଚଶିକ୍ଷିତ ଗୋଷ୍ଠୀଙ୍କର ବିମୁଖତା ଖୁବ୍‌‌ ବୃଦ୍ଧି ପାଉଛି। ଚାକିରିଆ ମନୋବୃତ୍ତି ଆମକୁ ଇଂରାଜୀ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରୁଛି। ଶିକ୍ଷାର ଗୁଣାତ୍ମକ ମାନ ଆଦୌ ବଢ଼଼ୁନାହିଁ। ଏ ପ୍ରକାର ପାଠପଢ଼଼ା ବ୍ୟବସ୍ଥା ଦ୍ୱାରା, ଶିକ୍ଷିତ ବ୍ୟକ୍ତିର ସାମାଜିକ ସମ୍ପୃକ୍ତି କମି କମି ଯାଉଛି। ପିଲାମାନଙ୍କ ଶୈଶବର ଆନନ୍ଦ ହଜିଗଲାଣି। ବାଲ୍ୟାବସ୍ଥାକୁ ଅଧିକ ଉପଭୋଗମୟ କରିବା ପରିବର୍ତ୍ତେ ମାନସିକ ଚାପ ବୃଦ୍ଧି ପାଉଛି। ସେମାନଙ୍କ ସୃଜନ ଶକ୍ତି ଅତିରିକ୍ତ ପାଠପଢ଼଼ା ଚାପରେ ନଷ୍ଟ ହୋଇଯାଉଛି। ପାଠ ଆଉ ସ୍ୱାସ୍ଥ୍ୟ ବଜାରର କିଣାବିକା ବସ୍ତୁ ହୋଇଯାଇଛି। ନୂଆ ଇଂରାଜୀ ମାଧ୍ୟମ ଶିକ୍ଷା ବ୍ୟବସ୍ଥା ପିଲାଙ୍କ ସୃଜନୀ ଶକ୍ତିର ବିକାଶ କରିବାର ବାହାନା କରୁଛି ମାତ୍ର। ପିଲାମାନଙ୍କର ଚାତୁର୍ଯ୍ୟ ଓ ଆଇକ୍ୟୁ ବୃଦ୍ଧି ପାଉଛି ସତ; କିନ୍ତୁ ସେମାନଙ୍କର ସିକ୍ୟୁ (କଲ୍‌‌ଚରାଲ କୋସେଣ୍ଟ), ଇକ୍ୟୁ ( ଇମୋସ୍‌‌ନାଲ କୋସେଣ୍ଟ), ଏସକ୍ୟୁ (ସ୍ପିରିଚୁଆଲ କୋସେଣ୍ଟ) ଆଉ ଏକ୍ୟୁ ( ଆଡ୍‌‌ଭର୍‌‌ସିଟି କୋସେଣ୍ଟ)ରେ ହ୍ରାସ ଘଟୁଛି। ସେମାନେ ପୂରା ଛାତ୍ର ହୋଇପାରନ୍ତି; କିନ୍ତୁ ଅଧା ପିଲା। ଆମ ଦେଶ ଯୁବଶକ୍ତିର ଦେଶ; କିନ୍ତୁ ଦୁର୍ଭାଗ୍ୟର କଥା, ଯୁବପିଢି ଆଜି ପଥଭ୍ରଷ୍ଟ। ସଂସ୍କୃତି ଦିଗରେ ଶୂନ ଓ ଆଧ୍ୟାତ୍ମିକତା ଦିଗରେ ଦେବାଳିଆ। ସେମାନଙ୍କର ସଂସ୍କାରବିହୀନ ଜୀବନଚର୍ଯ୍ୟା ଘରେ ଘରେ। ସଂସ୍କାର ବିନା ସଂସ୍କୃତି ଅସମୀଚୀନ। ଇଂରାଜୀରେ ପାଠ ପଢ଼଼ିବା ଆଦୌ ଦୋଷାବହ ନୁହେଁ; କିନ୍ତୁ ଇଂରାଜୀ ସାମ୍ରାଜ୍ୟବାଦର ଅହମିକା ଓ ବିଦେଶୀ ମାନସିକତା ଆମର ଯୁବ ପିଢ଼ିକୁ ଗ୍ରାସ କରିବା ଖୁବ୍‌‌ ବିପଜ୍ଜନକ।

ସଭ୍ୟତା ଊର୍ଦ୍ଧ୍ବଗାମୀ କିନ୍ତୁ ସଂସ୍କୃତି ନିମ୍ନଗାମୀ। ସଭ୍ୟତାଠାରୁ ସଂସ୍କୃତି ଅଲଗା, ଯେବେଠୁଁ ସୁଖଠାରୁ ଆନନ୍ଦ; ଆଉ ଜୀବିକାଠାରୁ ଜୀବନ, ଧର୍ମଠାରୁ ଆଧ୍ୟାତ୍ମିକତା ଅଲଗା ହେଇଯାଇଛି। ପ୍ରାକୃତିକତାଠାରୁ କୃତ୍ରିମତାର ଦୂରତ୍ୱ, ମମିଠାରୁ ମା’ର ଦୂରତ୍ୱ, ଶିକ୍ଷକଠାରୁ ଗୁରୁର ଦୂରତ୍ୱ ଯେତିକି ବଢ଼ିଛି ସଭ୍ୟତାଠାରୁ ସଂସ୍କୃତି ଦୂରତ୍ୱ ସେତିକି ବଢ଼ିଛି। ନଦୀ ସହ ସମୁଦ୍ରର, ଜହ୍ନ ସହ ଜୋସ୍ନାର, ନକ୍ଷତ୍ର ସହ ଆକାଶର ଯେତିକି ନିବିଡ଼ ସମ୍ପର୍କ, ସଂସ୍କୃତି ସହ ଜୀବନର ସମ୍ପର୍କ ସେତିକି ନିବିଡ଼। ସମସ୍ତେ ସଫଳତା ପାଇଁ ଆତ୍ମକୈନ୍ଦ୍ରିକ ହୋଇ ଉଠୁଛନ୍ତି। ମନୁଷ୍ୟ ଅର୍ଥ, ପଦ, କ୍ଷମତା ଭିତରେ ସଫଳତା ସହ ହସିଲେ ବି ଜୀବନରେ ଶାନ୍ତି ଓ ଆନନ୍ଦର ଅଭାବ ପରିଲକ୍ଷିତ ହେଉଅଛି। ଭୋଗବାଦୀ ସଭ୍ୟତା ମଣିଷକୁ ଲୋଭଗ୍ରସ୍ତ ଓ ଅୟସଖୋର କରିଦେଇଛି। ଶିକ୍ଷିତ, ଧନୀ ଓ ସଫଳ ଲୋକେ ଅଧିକ ସ୍ୱାର୍ଥପରତାରେ ଜଡ଼ିତ, ଯଦିଓ ସେମାନଙ୍କ ମଧ୍ୟରୁ କିଛି ସାଧୁ ଓ ଅଧିକ କର୍ମଠ ହେଇପାରନ୍ତି। ପେସା, ପଇସା, ଚାକିରି, ପ୍ରତିଷ୍ଠା, ସମ୍ମାନ ପଛରେ ଆଖି ବୁଜି ସମସ୍ତେ ଧାଉଁଛନ୍ତି। ଯଦି ଆମେ ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ହେଳା କରୁଛୁୁ, ନିଜର କର୍ତ୍ତବ୍ୟ ଠିକ୍‌‌ ଭାବେ ତୁଲାଉଛୁ ବୋଲି ଗର୍ବ କରିବାରେ କିଛି ମାନେ ହୁଏନା। ସାମାଜିକ ଭୂମିକା, ସାମାଜିକ ମୂଲ୍ୟବୋଧର କ୍ଷୟ ଆଜି ଛତ୍ରେଛତ୍ରେ। ତେଣୁ ଚୋର ଓ ସଚ୍ଚୋଟ ମଧ୍ୟରେ ଯାହା ପାର୍ଥକ୍ୟ ଥିଲେ ବି ଗୋଟିଏ କ୍ଷେତ୍ରରେ ସେମାନେ ସମାନ। ବ୍ୟକ୍ତି ଜଣକ ଠକ, ଚୋର ହୋଇପାରେ, କିମ୍ବା ନୀତିନିଷ୍ଠ, ସାଧୁ ହୋଇପାରେ। ଚୋର ଅପରାଧୀ ଭାବେ କ୍ଷତି କରେ। ନୈତିକତା ଦୃଷ୍ଟିରୁ ସାଧୁ ଶ୍ରେୟ କିନ୍ତୁ ସମାଜର ମଙ୍ଗଳ କରେ ନାହିଁ। ଚୋର ଦେଖାଯାଏ; କିନ୍ତୁ ସାଧୁ ଦେଖାଯାଏ ନାହିଁ। ଉଭୟଙ୍କର ସମାଜ ଦାୟିତ୍ୱବୋଧର ଅଭାବ।

prayash

ଆମେ ଯେତେ ଆଧୁନିକ ହୋଇ ଚାଲିଛେ, ଆମ ସମାଜ ସେତିକି ବେଶି ବସ୍ତୁବାଦୀ ଓ ଭୋଗବାଦୀ ହୋଇଯାଇଛି। ଆମ ଆଧୁନିକତା କେବଳ କୃତ୍ରିମତାରେ ଭରା। ଆଧୁନିକତାର ଭୁଲ୍‌‌ ରାସ୍ତାକୁ ଆମେ ଠିକ୍‌‌ ରାସ୍ତା ବୋଲି କହୁଛୁ। ମଣିଷ ମଣିଷପଣିଆଠୁ ଦୂରେଇ ଯାଉଛି। ସାମାଜିକ ଅଧୋଗତି ଓ ସାଂସ୍କୃତିକ ସ୍ଖଳନ ଘଟିଚାଲିଛି। ଯୁବ ପ୍ରାଣରେ ଆଜି ଆଉ ଆବେଗ ନାହିଁ। ଯୁବକ ଆଜି ଉଦାସୀନ, ସ୍ୱପ୍ନ ବିହୀନ ଓ ଲକ୍ଷ୍ୟଭ୍ରଷ୍ଟ। ନିଷ୍ଠା, ଚେଷ୍ଟା, ପ୍ରଚେଷ୍ଟା, ଧୈର୍ଯ୍ୟର ଘୋର ଅଭାବ। ବେଗ, ଆବେଗର ପରିପନ୍ଥୀ ସାଜିଛି, ବୃତ୍ତି ପ୍ରବୃତ୍ତିର ଶତ୍ରୁ ସାଜିଛି। ହିଂସା, ଦୁର୍ନୀତି, ଅନୀତି, ଶୋଷଣ ସମାଜରେ ବୃଦ୍ଧି ପାଉଛି। ବର୍ତ୍ତମାନ ବଜାର ଓ ବୈଷୟିକ ପରିବେଶ ଖୁବ୍‌‌ ବିଷାକ୍ତମୟ। ଏହା ସମାଜ ପାଇଁ ସବୁଠୁ ବିପଜ୍ଜନକ। ଏଇ ପରିପ୍ରେକ୍ଷୀରେ ଶିକ୍ଷା ଓ ସାହିତ୍ୟର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟ ଜୀବନ ଓ ଜୀବିକାର ସଂଜ୍ଞା ନିରୂପିତ କରେ। ସାହିତ୍ୟ ବେଗ-ଆବେଗ, ପେସା-ନିଶା, ବୃତ୍ତି-ପ୍ରବୃତ୍ତି, ଗତି-ପ୍ରଗତି, ସଭ୍ୟତା-ସଂସ୍କୃତି ପାର୍ଥକ୍ୟ ବୁଝାଏ। ସାହିତ୍ୟ କୁହେ -କ୍ଷୁଦ୍ର ହିଁ ସୁନ୍ଦର, ଜୀବନ ମୂଲ୍ୟବାନ ଓ ମଣିଷ ଜୀବନ ଅର୍ଥପୂର୍ଣ୍ଣ। ସାହିତ୍ୟ ଆମକୁ ଆମ ବୟସ ସହ ଜୀବନକୁ କିପରି ଯୋଡ଼ା ଯାଇପାରିବ ଶିଖାଏ। ସାହିତ୍ୟ ସମାଜକୁ ଉପଯୁକ୍ତ ମାର୍ଗ ଦର୍ଶାଏ।

ସାମାଜିକ ଅଧୋଗତି ଓ ଅର୍ଥନୈତିକ ଅଗ୍ରଗତି ଏବେ ଘନିଷ୍ଠ ଭାବେ ଜଡ଼ିତ। ଆର୍ଥିକ ବିକାଶ ଯଦିଓ ଏହାର ଏକମାତ୍ର କାରଣ ନୁହେଁ; କିନ୍ତୁ ସ୍ୱୀକାର କରିବାକୁ ହେବ ଯେ ଆର୍ଥିକ ଅଭିବୃଦ୍ଧି ସାଙ୍ଗେ ଆସିଛି ପାଶ୍ଚାତ୍ୟର ଆମ ଦେଶରେ ସାଂସ୍କୃତିକ ଆକ୍ରମଣ। ସେଥିରୁ ଜାତ ହୋଇଛି ସାମାଜିକ ସ୍ଖଳନ। ସମସ୍ତ ପଛୁଆ ରାଜ୍ୟ ଏହାଦ୍ୱାରା ଅଧିକ ପରିମାଣରେ ଆକ୍ରାନ୍ତ। ସମସ୍ତେ ଅନୁକରଣପ୍ରିୟ ହୋଇଯାଉଛୁ। ଆଧୁନିକୀକରଣର ପ୍ରଭାବରେ, ସଂସ୍କୃତି ହୋଇଛି ସହରୀ ଅପସଂସ୍କୃତି, ‘ବାଟ ହୋଇଛି ଅବାଟ, ମଣିଷ ହୋଇଛି ଅମଣିଷ’। ଦୁର୍ନୀତି ହେଇଛି ନୀତି। ନିଜକୁ ସାଧୁ, ସଚ୍ଚୋଟ, ଶିକ୍ଷିତ ବୋଲାଉଥିବା ବ୍ୟକ୍ତି ମଧ୍ୟ ନିଗୂଢ଼ ଭାବେ ଅମଣିଷ ସାଜୁଛି। ତେଣୁ ଏ ଧାରା ଘୋର ବିପଜ୍ଜନକ ସମାଜ ପାଇଁ। ଆମେ ବୈଷମ୍ୟ ଭରା ସମାଜ ଭିତରେ ଏବେ ଅମାନବୀୟ ମୂଲ୍ୟବୋଧ ସମ୍ବଳିତ ଧାରାରେ ପାଗଳ ପରି ଧାଉଁଛୁ।

ଆଧୁନିକୀକରଣର ମହାପ୍ରବାହର ବିକୃତ ଧାରାରେ ଆମେ ସାମିଲ ହୋଇଛୁ। ସାରା ସମାଜ ସାଜିଛି ବଜାରମୁଖୀ। ଆମର ସାଂସ୍କୃତିକ ପୁଞ୍ଜି ଓ ଆମ ସାମାଜିକ ମୂଲ୍ୟବୋଧ ଏବେ ସମ୍ପୂର୍ଣ୍ଣ ଆକ୍ରାନ୍ତ। ବଜାର ବିଜ୍ଞାନ ସାଥିରେ ଚାଲିଥିବା ବେଳେ ସମାଜରେ ଅପ ସଂସ୍କୃତି ଭରିଯାଉଛି। ଧର୍ମ ଭିତରେ ଧର୍ମାନ୍ଧତା ଭରିଯାଉଛି। ଧର୍ମ କେବଳ ପୂଜା, ଉପାସନା, ରୀତିନୀତିରେ ବନ୍ଧା। ଆମର ଜ୍ଞାନ ବିଜ୍ଞାନ ସାମାଜିକ ପ୍ରାସଙ୍ଗିକତା ହରାଇଛି। ବିଜ୍ଞାନ ସମାଜର ସାଥୀ ନ ହୋଇ ବଜାରର ସାଥୀ ହେବା ହେଉଛି ଏକ ବିଡ଼ମ୍ବନା। ଏହି ଦିଗହରା ବେଳରେ ଠିକ୍‌‌ ବାଟ ଦେଖାଇବ ଏକମାତ୍ର ଶିକ୍ଷା ଓ ସାହିତ୍ୟ। ଯେଉଁଠି ସାହିତ୍ୟର ଗୁଣାତ୍ମକ ଅବକ୍ଷୟ ଘଟେ, ସେଠି ସଭ୍ୟତାର ମଧ୍ୟ ବିନାଶ ଘଟେ। କାରଣ ସାହିତ୍ୟ ବିନା ସଂସ୍କୃତି ପାଲଟେ ବନ୍ଧ୍ୟା। ଯେତେବେଳେ ଭୋଗ-ବିଳାସର ମାନସିକ ବ୍ୟାଧି ଭିତରେ ମାନବିକତାର ଘୋର ଅଭାବ ନିରନ୍ତର ଦେଖାଦେଲାଣି, ଶିକ୍ଷାର ସାମାଜିକ ଭୂମିକା, ଆଜି ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି।

ଉଭୟ ବିକଶିତ ଦେଶ ଏବଂ ବିକାଶଶୀଳ ଦେଶ ଭୁଲ୍‌‌ ମାର୍ଗରେ ଅଗ୍ରସର ହେଉଛନ୍ତି। ଯେଉଁଠି ମାର୍ଗ ଭୁଲ୍‌‌ ସେଠି ଲକ୍ଷ୍ୟ କେବଳ ମରୀଚିକା। ଏହା ପ୍ରମାଣିତ ଯେ ସମଗ୍ର ବିଶ୍ୱ ପାଇଁ ପୁଞ୍ଜିବାଦ, ସାମ୍ୟବାଦ ଓ ମାର୍କ୍ସବାଦ ବିପଜ୍ଜନକ। ତେଣୁ ନବ୍ୟ ମାନବବାଦ ଆଧାରିତ ବିକଳ୍ପ ବ୍ୟବସ୍ଥା ଆବଶ୍ୟକ। ବହୁ ଧର୍ମ, ବହୁ ଜାତି, ବହୁ ଭାଷା, ବହୁ ସଂସ୍କୃତି, ବହୁ ସମ୍ପ୍ରଦାୟକୁ ନେଇ ଏକ ଅନୁପମ ଇନ୍ଦ୍ରଧନୁ ନିର୍ମାଣ ହେବା ଆବଶ୍ୟକ। ଜଗତୀକରଣ ଆବଶ୍ୟକ, ଯେଉଁଠି ସୁସ୍ଥ ମାନବ ସମାଜ ଗଠନ ନିମନ୍ତେ ଆଳସ୍ୟ ନୁହେଁ, ଅୟସ ନୁହେଁ କିମ୍ବା ସମତା ନୁହେଁ ବରଂ ମାନବିକ ମୂଲ୍ୟବୋଧ ଓ ବିବେକାନୁମୋଦିତ ଜୀବନ ଶୈଳୀର ବିକାଶ ଜରୁରୀ। ସରଳ ଜୀବନ ହେଉଛି ଏକ ସହଭାଗୀ ଜୀବନ ଶୈଳୀର କଲ୍ୟାଣକାରୀ ପ୍ରବୃତ୍ତି। ମାନବିକ ମୂଲ୍ୟବୋଧ ଦ୍ୱାରା ଭୋଗବାଦୀ ମାନସିକତାକୁ ଆୟତ୍ତ କରିବା ଉଚିତ। ଏହା ମଣିଷ ଜାତିର ସଂହତି ଓ ପୃଥିବୀର ସଂରକ୍ଷଣ ପାଇଁ ନିହାତି ଜରୁରୀ। ବିଶ୍ୱମଙ୍ଗଳ ସକାଶେ ଜଳବାୟୁ-ପରିବେଶକୁ ସୁରକ୍ଷିତ ରଖି, କ୍ଷୁଧାମୁକ୍ତ. ଭୟମୁକ୍ତ, ହିଂସାମୁକ୍ତ ବୈଷମ୍ୟ-ଶୋଷଣ ବିହୀନ, ଯୁଦ୍ଧମୁକ୍ତ ଓ ଶାନ୍ତିଯୁକ୍ତ ମାନବ ସମାଜ ଗଠନ କରିବା ଉଚିତ।

kalyan agarbati

Comments are closed.