ଲୁଚି ଯାଉଛି କି ଆମର ସାମାଜିକ ପ୍ରତିଷ୍ଠା

ସେଦିନ ମୁଁ ଏବଂ ଆଉ ଦୁଇଜଣ ବନ୍ଧୁ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କୋଣାର୍କ ଫେରୁଥିଲୁ। ସେତେବେଳକୁ ସମୟ ଦିନ ୪ଟା ବାଜିଯାଇଥିଲା। ବୋଧହୁଏ ଫେବୃଆରୀ ମାସ ହେବ। ପୁରୀରୁ ପନ୍ଦର କିଲୋମିଟର ରାସ୍ତା ଅତିକ୍ରମ କଲାପରେ ହଠାତ୍‌‌ ଡ୍ରାଇଭର ଗାଡ଼ିକୁ ବ୍ରେକ ଦେଇ ବନ୍ଦ କରିଦେଲା। ରାସ୍ତା ମଝିରେ ବିରାଟ କାଠ ଗଣ୍ଡି ପକାଯାଇ ରାସ୍ତାକୁ ବନ୍ଦ କରାଯାଇଛି। ନିରୀକ୍ଷଣ କରି ଦେଖିଲି ଯେ କୌଣସିଠାରେ ରାସ୍ତାର କିଛି ମରାମତି ଅଥବା ରାସ୍ତା ଖୋଳାଯାଇ କୌଣସି ପାଇପ୍‌‌ ଯିବା କାର୍ଯ୍ୟ ହେଉନାହିଁ। ରାସ୍ତାର ଦୁଇ ପାର୍ଶ୍ବରେ ଅନେକ ଗାଡ଼ି ଆସି ଯିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରଥମେ ବୁଝିହେଲା ନାହିଁ ଯେ ପୁରୀ କୋଣାର୍କ ପରି ବେଳାଭୂମି ସଂଲଗ୍ନ ସ୍ୱର୍ଣ୍ଣ ତ୍ରିଭୁଜ ଅନ୍ତର୍ଗତ ବଙ୍ଗୋପସାଗର ତୀରବର୍ତ୍ତୀ ସୁଦୃଶ୍ୟମାନ ରାସ୍ତାକୁ କାହିଁକି ଏବଂ କେଉଁମାନଙ୍କ ଦ୍ୱାରା ବନ୍ଦ କରାଯାଇଛି। ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ବରେ କିଛି ତଥାକଥିତ ଅର୍ବାଚୀନ ଯୁବକ ହାତରେ ରସିଦ ବହି ଓ କଲମ ଧରି ଗୋଟିଏ ପରେ ଗୋଟିଏ ରସିଦ୍‌‌ ଧରାଇ ଟଙ୍କା ଅସୁଲ କରୁଥାନ୍ତି। କେବଳ ସାଇକେଲ ଚଢ଼ାଳିଙ୍କୁ ଛାଡ଼ିଦେଲେ ଦୁଇଚକିଆ, ଚାରିଚକିଆ ଯାନ, ବସ୍‌‌, ଟ୍ରକ୍‌‌ ଏହିପରି କି ଟ୍ରାକ୍ଟର ଡ୍ରାଇଭରମାନଙ୍କଠାରୁ ଜବରଦସ୍ତ ଚାନ୍ଦା ଆଦାୟ ଚାଲିଥାଏ। ମୋ ପାଖକୁ ଜଣେ ଯୁବକ ଆସି ରସିଦ ଖଣ୍ଡେ ବଢ଼େଇ ଦେଇ ନିର୍ଦେଶ ଦେଲେ ‘ଆଜ୍ଞା ଆପଣ ଶହେ ଏକ ଟଙ୍କା ଦିଅନ୍ତୁ। କ’ଣ ପାଇଁ ଟଙ୍କା ନେଉଛ ବୋଲି ପଚାରିବାରୁ ଉତ୍ତର ମିଳିଲା, ‘ତାଙ୍କ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଏବଂ ପରେ ପାଲା ହେବ। ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଅଛି। ଆପଣମାନଙ୍କଠାରୁ ଟଙ୍କା ଆଦାୟ ନ କଲେ, ଆମ କାର୍ଯ୍ୟ କିପରି ହେବ?’ ଜଣାପଡୁଥିଲା ଯେପରି କି ରାସ୍ତା ନିକଟରେ କୌଣସି ଗାଁରେ ପୂଜାପାଠ ହେଲେ ରାସ୍ତାରେ ଯାଉଥିବା ଗାଡ଼ି ଚାଳକମାନେ ଏ ସବୁ ଟଙ୍କା ଦେବାକୁ ବାଧ୍ୟ। ମୁଁ ତ ଟଙ୍କା ଦେଲିନି, ତାଙ୍କଠାରୁ ଜାଣିବାକୁ ଇଚ୍ଛାକଲି ଯେ ପୁରୀ-କୋଣାର୍କ ପରି ଓଡ଼ିଶାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତୀର୍ଥ ସଡ଼କରେ ଯାତ୍ରୀମାନଙ୍କୁ ଜବରଦସ୍ତ ଅଟକ କରାଯାଇ ଅନ୍ୟାୟ ଭାବରେ କାହିଁକି ଏପରି ହଇରାଣ କରାଯାଉଛି? ସେତେବେଳକୁ ରାସ୍ତାର ଦୁଇ ପାର୍ଶ୍ବରେ ଅନେକ ବ୍ୟକ୍ତି ଆସି ଠିଆ ହେଲେଣି।

ପରେ ପରେ ଖୁବ୍‌‌ କମ୍‌‌ ସମୟ ବ୍ୟବଧାନରେ ଗୋଟିଏ କ୍ୱାଲିସ୍‌‌ ଗାଡ଼ିରେ କିଛି ବିଦେଶାଗତ ଭ୍ରମଣକାରୀ ଆସି ସେଇ ରାସ୍ତାରେ ପହଞ୍ଚିଗଲେ। ଗାଡ଼ିର ଡ୍ରାଇଭର ବୋଧହୁଏ ଓଡ଼ିଆ ଯୁବକ ଜଣେ। ତଥାକଥିତ ଚାନ୍ଦା ଆଦାୟକାରୀ ଯୁବକମାନଙ୍କ ଭିତରୁ କେତେଜଣ ଉକ୍ତ ଗାଡ଼ି ପାଖକୁ ଆସି ଡ୍ରାଇଭରକୁ ହଜାରେ ଏକ ଟଙ୍କାର ରସିଦଟିଏ କାଟି ଧରାଇଦେଲେ। ଗାଡ଼ି ଭିତରେ ଶ୍ୱେତାଙ୍ଗୀ ପୁରୁଷ ଏବଂ ମହିଳା ହୋଇ ପ୍ରାୟ ଆଠଜଣ ବସିଥାନ୍ତି। ସେମାନେ ଅତି ନିରୀହ ଭାବରେ ଏକ ଲୟରେ ଗାଡ଼ିକୁ କାହିଁକି ଅଟକାଯାଇଛି ଏବଂ ତା’ର କାରଣ କ’ଣ, ଏ କଥା ଜାଣିବା ପାଇଁ ଡ୍ରାଇଭରଙ୍କୁ ଇଂରାଜୀରେ ପ୍ରଶ୍ନ କରୁଥାନ୍ତି। ଡ୍ରାଇଭରକୁ ଇଂରାଜୀ ପ୍ରାୟ ଜଣା ନ ଥାଏ। ତେବେ ସେ ଟିକିଏ ବଡ଼ ପାଟିରେ ଚାନ୍ଦା ଦେବାକୁ ହେବ ବୋଲି କହୁଥାଏ। ଭାଷାଗତ ତାରତମ୍ୟ ନେଇ ସେମାନେ ନିଜର କୌଣସି ଇଚ୍ଛା ପ୍ରକାଶ କରିପାରୁନଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବୟସ୍କ ଲୋକ ଆମ ଗାଡ଼ି ପାଖକୁ ଆସି ଇଂରାଜୀରେ ମୋତେ ଘଟଣା କ’ଣ ବୋଲି ପଚାରିଲେ। ଉତ୍ତର ଦେବା ଆଗରୁ ମୁଁ ସେମାନଙ୍କଠାରୁ ବୁଝିନେଲି ଯେ ସେମାନେ ଜର୍ମାନୀର କୌଣସି ବିଶ୍ୱବିଦ୍ୟାଳୟର କେତେଜଣ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ। ଭାରତ ସରକାରଙ୍କ ଆତିଥ୍ୟ ଗ୍ରହଣ କରି ସେମାନେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଅତୁଳନୀୟ କାରୁକାର୍ଯ୍ୟ ସମ୍ପନ୍ନ କୋଣାର୍କ ମନ୍ଦିର ଦେଖିବାକୁ ଯାଉଥାନ୍ତି। ଅନ୍ୟ ଅର୍ଥରେ ସେମାନଙ୍କୁ ଓଡ଼ିଶା ତଥା ଓଡ଼ିଶାର ଜନସାଧାରଣଙ୍କର ବରେଣ୍ୟ ଅତିଥି ବୋଲି ଧରାଯାଇପାରେ। ଆମ ଅର୍ବାଚୀନ ଯୁବ ବନ୍ଧୁମାନେ ବିଦେଶାଗତ ଏହି ଭ୍ରମଣକାରୀଙ୍କ ପ୍ରତି ସୌଜନ୍ୟତା ବା ଶିଷ୍ଟାଚାର ତ ପ୍ରକାଶ କଲେନାହିଁ; ବରଂ ଜରବଦସ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ବେଆଇନ ଚାନ୍ଦା ଦେବାକୁ ବାଧ୍ୟ କରିଥିଲେ। ଜର୍ମାନ ସହରରେ କୌଣସି ରାସ୍ତାରେ କେହି ଗାଡ଼ି ଅଟକାଇ ଚାନ୍ଦ ମାଗିବା, ସେମାନଙ୍କୁ କସ୍ମିନ୍‌‌ କାଳେ ଜଣା ନ ଥିଲା। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ଉଚ୍ଚକୋଟୀର ପାରଙ୍ଗମତା ଥିବା ଏବଂ ଦୁଇ ଦୁଇଟି ବିଶ୍ୱଯୁଦ୍ଧରେ ଅସୀମ ପରାକାଷ୍ଠା ଦେଖାଇଥିବା ସ୍ୱାଭିମାନୀ ଜର୍ମାନ ଜାତି କସ୍ମିନ୍‌‌କାଳେ ଚାନ୍ଦା ବା ଏକ ପ୍ରକାର ଭିକ୍ଷା ମାଗିବା ବୋଧହୁଏ ସେମାନଙ୍କ ପାଇଁ ଏକ କାଳ୍ପନିକ ବିଷୟ ହୋଇଥାଇପାରେ। କାରଣ ସେ ଦେଶରେ ଏପରି ଅଶିଷ୍ଟାଚାର ଦେଖାଯାଏନି। ସେମାନଙ୍କ ଗାଡ଼ି ଛାଡ଼ି ଦେବାକୁ ପିଲାମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ଜିଦ୍‌‌ କରୁଥାନ୍ତି, କିଛି ହେଲେ ଟଙ୍କା ସେମାନେ ଦିଅନ୍ତୁ। କଥାବର୍ତ୍ତା ଚାଲିଥିବା ବେଳେ ସୌଭାଗ୍ୟକୁ ପୁରୀରୁ କିଛି ପୁଲିସ ଅଫିସର କୌଣାର୍କ ଯାଉଥିଲେ। ସେମାନେ ଲୋକ ଗହଳି ଦେଖି ଗାଡ଼ିରୁ ଓହ୍ଲାଇ ଘଟଣା ସମ୍ପର୍କରେ ସବୁ ତଥ୍ୟ ବୁଝିନେଲେ। ପୁଲିସ ଗାଡ଼ି ଦେଖି ଆମ ତଥାକଥିତ ଅର୍ବାଚୀନ ଯୁବବନ୍ଧୁମାନେ ପ୍ରାଣ ବିକଳରେ କିଏ କୁଆଡ଼େ ପଳାଇଲେ। ଜର୍ମାନୀରୁ ଆସିଥିବା ବିଦେଶାଗତ ଅତିଥିମାନଙ୍କୁ ଓଡ଼ିଶାର ଏଇ ପିଲାମାନଙ୍କର କୀର୍ତ୍ତିକଳାପ ବିଷୟରେ କହିବାକୁ ଲଜ୍ଜା ଲାଗିଲା। ଦୁଃଖ, ଅନୁଶୋଚନା ଓ ଲଜ୍ଜାରେ ସେମାନଙ୍କ ଆଗରେ ମୁଣ୍ଡ ତଳକୁ ହୋଇଗଲା। ଏହାଦ୍ୱାରା ସେମାନଙ୍କର ଆମ ପ୍ରତି କ’ଣ ଦୃଷ୍ଟିଭଙ୍ଗୀ ହେବ ତାହା ଚିନ୍ତାର ବିଷୟ। କୌଣସି ପ୍ରକାରେ ସେମାନଙ୍କୁ ବିନମ୍ରତାର ସହିତ କୋଣାର୍କ ଯିବା ପାଇଁ ରାସ୍ତା ଦେଖାଇଦେଲି।

prayash

କଥା ହେଲା ଚାନ୍ଦା ଆଦାୟ ଏକ ବେଆଇନ ଅପରାଧ। ରାସ୍ତାରେ ଜବରଦସ୍ତ ଗାଡ଼ି ରଖି ଚାନ୍ଦା ଆଦାୟ କଲେ ସେଥିପାଇଁ ଜେଲ୍‌ ଓ ଜୋରିମାନା ଦେବାକୁ ଆଇନରେ ଉଲ୍ଲେଖ ଅଛି। ଯେଉଁମାନେ ଚାନ୍ଦା ଆଦାୟ କରୁଥିଲେ, ସେମାନେ ଊଣା ଅଧିକେ ନିଶ୍ଚିତ ଭାବରେ ଆଇନର ପରିସର କ’ଣ ବୁଝିଥିବେ। କୌଣସି ବ୍ୟକ୍ତିବିଶେଷ, ସେ ଯେତିକି ପ୍ରଭାବଶାଳୀ ଅଥବା ବିଭବଶାଳୀ ହୁଅନ୍ତୁ ପଛେ, କେହି ଆଇନ୍‌‌ର ଊର୍ଦ୍ଧ୍ବରେ ନୁହନ୍ତି। କିଛି ବର୍ଷ ତଳେ ପୁରୀ-କୋଣାର୍କ ବେଳାଭୂମି ରାସ୍ତାରେ କିଛି ଅସାମାଜିକ ଯୁବକ ଜଣେ ବିବାହିତା ମହିଳାଙ୍କୁ ଅସଦ୍‌‌ ବ୍ୟବହାର କରିଥିବା ଯୋଗୁଁ ଆଇନ୍‌‌ ଶୃଙ୍ଖଳା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀମାନେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆନନ୍ଦର ବିଷୟ ଯେ, ମାନ୍ୟବର ଅଦାଲତ କେସ୍‌ଟିକୁ ବିଚାରକରି ଅପରାଧୀମାନଙ୍କୁ ଦଶବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏ ତ ଗଲା ଆଇନ ସମ୍ପର୍କୀୟ ନ୍ୟାୟଦାନ ପ୍ରକ୍ରିୟା।

ଏହାର ଅନ୍ୟ ଦିଗଟି ହେଲା ଯେଉଁ ସମ୍ମାନନୀୟା ମହିଳାଙ୍କର ସାମାଜିକ ପ୍ରତିଷ୍ଠା ନଷ୍ଟ ହୋଇଗଲା, ତାହା ଆଉ ଫେରି ଆସିବ କି? ତେବେ ଏପରି ସବୁ ଯେଉଁ କଳଙ୍କିତ ଅଧ୍ୟାୟମାନ ଆମ ସମାଜରେ ଘଟିଯାଇଛି, ଏହାକୁ କ’ଣ ବନ୍ଦ କରାଯାଇ ପାରିବନି? ସମସ୍ତ ପ୍ରକାର ଅପରାଧ ପାଇଁ ଆଇନରେ ଶାସ୍ତି ବିଧାନ ଥିଲେ ବି ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅପରାଧ ଘଟି ଯାଉଛି। ଘଟଣା ଯାହା ହେଉନା କାହିଁକି, ବର୍ତ୍ତମାନ ସାମାଜିକ ମୂଲ୍ୟବୋଧ ଏବଂ ସଚେତନତାର ଘୋର ହାନୀ ହୋଇଥିବା ଯୋଗୁଁ ବ୍ୟକ୍ତି ଚରିତ୍ରର ଅନେକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଉଛି। ଯୌତୁକଜନିତ ଯନ୍ତ୍ରଣା, ଅତ୍ୟାଚାର ଏବଂ ସ୍ଥଳବିଶେଷରେ ମୃତ୍ୟୁ ମଧ୍ୟ ଆଜିକାଲି ନିତିଦିନିଆ ଘଟଣା ହେବାରେ ଲାଗିଛି।
ସମ୍ପ୍ରତି କୌଣସି କୌଣସି ସ୍ଥାନରେ ପୁରୁଷ ଓ ସ୍ତ୍ରୀ ନିର୍ବିଶେଷରେ ସେମାନଙ୍କଠାରୁ ଜବରଦସ୍ତ ଟଙ୍କା ପଇସା ଏବଂ ଗହଣାଗାଣ୍ଠି ଲୁଟ୍‌‌ କରାଯାଇ ଥିବାର ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଉଛି। ରାଜ୍ୟ ସରକାର ବିଶେଷ ଭାବରେ ରାଜ୍ୟ ପୁଲିସ ବିଭାଗ ଏସବୁ ଅପରାଧୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି ଏବଂ ନିୟମିତ ରାସ୍ତାରେ ପାଟ୍ରୋଲିଂ ବ୍ୟବସ୍ଥା କରୁଛନ୍ତି। ଏସବୁ ସତ୍ତ୍ବେ ମଧ୍ୟ କେତେକ ପଥଭ୍ରଷ୍ଟ ଯୁବକମାନେ ଅପରାଧ କରିବାକୁ ପଛାଉ ନାହାନ୍ତି। ଏ ସବୁର ନିଶ୍ଚୟ ପ୍ରତିକାର ରହିଛି। ଶିକ୍ଷା ଓ ସଚେତନତା ମାଧ୍ୟମରେ ସମାଜକୁ ନିଶ୍ଚୟ ଦିଗ୍‌‌ଦର୍ଶନ ମିଳିବ। ଆଜିର ଶିଶୁମାନେ ଆସନ୍ତାକାଲିର ନାଗରିକ। ଆଗେ ସ୍କୁଲ୍‌‌ରେ ନିୟମିତ ନୀତିଶିକ୍ଷା ଦିଆଯାଉଥିଲା ଏବଂ ଏହା ଶିଶୁକୁ ଉପଯୁକ୍ତ ମଣିଷ କରି ଗଢ଼ିବାକୁ ବେଶ୍‌‌ ସାହାଯ୍ୟ କରୁଥିଲା। ଆଶା କରାଯାଏ ବର୍ତ୍ତମାନ ସ୍କୁଲ୍‌‌ କଲେଜଗୁଡ଼ିକରେ ନୀତିଶିକ୍ଷା ଦିଆଗଲେ ତାହା ପିଲାମାନଙ୍କର ଭବିଷ୍ୟତ ଗଢ଼ିବା ପାଇଁ ଉଚ୍ଚକୋଟୀର ମାଧ୍ୟମ ହେବ।

ଖାଲି ଶିକ୍ଷାଲାଭ କଲେ ହେବନି, ଶିକ୍ଷା ସହିତ ଶିଷ୍ଟାଚାର, ସୌଜନ୍ୟତା, ସ୍ନେହ, ଶ୍ରଦ୍ଧା, ମାନବିକତା, ଦୟା, କ୍ଷମା, ଆଦି ମଣିଷର ଅନ୍ତଃର୍ନିହିତ ଗୁଣଗୁଡ଼ିକୁ ଯଥେଷ୍ଟ ମାତ୍ରାରେ ବିକାଶ କରିବାକୁ ହେବ। ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ଅଥବା ଅଣ୍ଡାଟିଏ ଦିଆଗଲେ ସେମାନଙ୍କର ବୌଦ୍ଧିକ ଚେତନା ବିକାଶ ଲାଭ କରିବ ବୋଲି କିଛି ମାନେ ନାହିଁ। ନିଜେ ଶିକ୍ଷକ ଯଦି ଆଦର୍ଶ ପୁରୁଷ ହୋଇଥିବେ, ଛାତ୍ରଛାତ୍ରୀମାନେ ଶତକଡ଼ା ଶହେଭାଗ ନ ହେଲେ ମଧ୍ୟ ଅନେକ ମାତ୍ରାରେ ଜୀବନର ଦିଗ୍‌‌ଦର୍ଶନରେ ପରିବର୍ତ୍ତନ ଆଣିପାରିବେ। ଏହା ବ୍ୟତୀତ ପରିବାରରେ ପିତାମାତା ଏବଂ ଅଭିଭାବକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

kalyan agarbati

Comments are closed.