ଆଗୁଆ ନିର୍ବାଚନ ଚର୍ଚ୍ଚା
ସଞ୍ଜୟ କୁମାର ରଥ
‘‘ଇତିହାସରେ ଅନେକ ଦଶନ୍ଧି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ ନହୋଇପାରେ; କିନ୍ତୁ ରାଜନୀତିରେ କତିପୟ ସପ୍ତାହ ଅବା କେତୋଟି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବା ଅସମ୍ଭବ ନୁହେଁ।’’ ବିଧାନସଭାରେ ଅନେକ ବର୍ଷ ତଳେ ତତ୍କାଳୀନ ବିଧାୟକ ଅରୁଣ ଦେ ଏହି କଥା କହିଥିଲେ। ଏହି ଆପ୍ତବାକ୍ୟଟି ଆଜି ପୁଣି ଥରେ ଭିନ୍ନରୂପରେ ବିଭିନ୍ନ ରାଜନୈତିକ ଦଳଙ୍କ ପାଇଁ ପ୍ରାସଙ୍ଗିକ ହୋଇ ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି।
ଓଡ଼ିଶାର ଷୋଡଶ ବିଧାନସଭାର କାର୍ଯ୍ୟକାଳ ଆହୁରି ୯ ମାସ ମେ ୨୯ ତାରିଖ ୨୦୨୪ ପର୍ଯ୍ୟନ୍ତ ଥିବାବେଳେ ଚଳିତବର୍ଷ ଫେବୃଆରୀ ମାସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗୁଆ ନିର୍ବାଚନ ନେଇ ବକ୍ତବ୍ୟ ଏବଂ ପରେ ପରେ ବିଜେପିର ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ସମ୍ବର୍ଦ୍ଧନା ସଭାରେ ଆଗୁଆ ନିର୍ବାଚନ ପ୍ରସ୍ତୁତି ନେଇ ରଣହୁଙ୍କାରରୁ ଓଡ଼ିଶାରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ରାଜନୈତିକ ବିଶ୍ଲେଷକ ଓ ବ୍ୟକ୍ତିବିଶେଷ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ଏଥିସହିତ କାକତାଳୀୟ ନ୍ୟାୟରେ ପୁରୀରେ ଇଭିଏମ୍ ମେସିନର ଆଗମନ, ନିର୍ବାଚନ ପାଇଁ ମାଷ୍ଟରଟ୍ରେନରଙ୍କ ପ୍ରଶିକ୍ଷଣ ଭଳି ସରକାରୀ କାର୍ଯ୍ୟକ୍ରମ ଏହି ଆଲୋଚନାକୁ ଆହୁରି ଖୋରାକ ଦେଇଛି। ଯଦିଓ ନିର୍ବାଚନ ଅଧିକାରୀ ସ୍ତରରେ ଏହାକୁ ଖଣ୍ଡନ କରାଯାଇଛି ଏବଂ ଏହା ଏକ ନିୟମିତ ପ୍ରକ୍ରିୟା ବୋଲି ସ୍ପଷ୍ଟ କରାଯାଇଛି। ରାଜ୍ୟ ସରକାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିବା, ଜୁଲାଇ ମାସ ପ୍ରଥମ ସପ୍ତାହରେ ବିଜେଡି ଯୁବ ଓ ଛାତ୍ର ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବିଜେଡି ଦଳର ଆଗୁଆ ନିର୍ବାଚନ ପ୍ରସ୍ତୁତିକୁ ସୂଚିତ କରୁଛି, ଏ ପର୍ଯ୍ୟନ୍ତ ଓଡ଼ିଶା ସରକାର ବା ବିଜେଡି ତରଫରୁ ଆଗୁଆ ନିର୍ବାଚନ ସମ୍ପର୍କିତ ଆଲୋଚନାକୁ ସ୍ୱୀକାର କିମ୍ବା ଖଣ୍ଡନ କରାଯାଇନାହିଁ।
ସେହିଭଳି ବିଜେପିରେ ଗୌହାଟୀ ଓ ଦିଲ୍ଲୀରେ ଶୀର୍ଷ ପଦାଧିକାରୀଙ୍କ ମାନସମନ୍ଥନ ଓ ଏହି ସପ୍ତାହରେ କେନ୍ଦ୍ରରେ ବିଜେପି ଦଳର ନୂତନ କେନ୍ଦ୍ରୀୟ ଟିମ୍ ଘୋଷଣା ଏବଂ ଓଡ଼ିଶାରେ ନୂତନ ରାଜ୍ୟ ଟିମ୍ ଘୋଷଣା ଯେ କୌଣସି ମୂହୂର୍ତ୍ତରେ ନିର୍ବାଚନ ହେବାର ସମ୍ଭାବନା ପରିପ୍ରେକ୍ଷୀରେ ବିଜେପି ଦଳର ପ୍ରସ୍ତୁତିର ସୂଚନା ଦେଉଛି। ଜୁଲାଇ ୩୦ରେ ଇଣ୍ଡିଆ ଟୁଡେ ସର୍ଭେ ପରିେପ୍ରକ୍ଷୀରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଚାଲିଛି। ସ୍ୱାଧୀନୋତ୍ତର ଓଡ଼ିଶା ବିଧାନସଭାର କାର୍ଯ୍ୟକାଳର ଇତିହାସକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ। ୧୯୫୨ରୁ ୧୯୮୦ ମସିହା ମଧ୍ୟରେ ସାତୋଟି ବିଧାନସଭା ମଧ୍ୟରୁ ମାତ୍ର ଦୁଇଟି ବିଧାନସଭା ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଥିବା ବେଳେ ୫ଟି ବିଧାନସଭା ବିଭିନ୍ନ କାରଣ ପାଇଁ ଏହାର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନାହିଁ। ଅର୍ଥାତ୍, ଆଗୁଆ ବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଇଛି।
ଅପରପକ୍ଷରେ ୧୯୮୦ରୁ ୨୦୧୯ ମସିହା ମଧ୍ୟରେ ମାତ୍ର ଦ୍ୱାଦଶ ବିଧାନସଭା (୨୦୦୦-୨୦୦୫) କାର୍ଯ୍ୟକାଳ ସରିବା ପୂର୍ବରୁ ୨୦୦୪ ମସିହା୍ରେ ଆଗୁଆ ନିର୍ବାଚନ କରାଯାଇଥିଲା। ଦ୍ୱାଦଶ ବିଧାନସଭାର କାର୍ଯ୍ୟକାଳ ସରିବାକୁ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଥିବାବେଳେ ସମସ୍ତଙ୍କୁ ଚକିତ କରି, ସମସ୍ତ ରାଜନୈତିକ ଭବିଷ୍ୟବାଣୀକୁ ଭୁଲ୍ ବୋଲି ପ୍ରତିପାଦିତ କରି ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ପରମ୍ପରାର ପୁନଃପ୍ରଚଳନ କରାଯାଇଥିଲା। ତତ୍କାଳୀନ ବିଜେଡିର ଚାଣକ୍ୟ ଧୁରୀଣ ପ୍ୟାରୀମୋହନ ମହାପାତ୍ର ଆଗୁଆ ନିର୍ବାଚନ ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିଲେ ଏବଂ ଏହା ଏକ ଠିକ୍ ନିଷ୍ପତ୍ତି ଥିଲା ବୋଲି ରାଜନୈତିକ ବିଶାରଦ ମତ ଦିଅନ୍ତି। ‘ଇଣ୍ଡିଆ ସାଇନିଂ’ର ସ୍ଳୋଗାନ ସହିତ ବାଜପେୟୀଙ୍କ ଯାଦୁ ଓ ପ୍ରମୋଦ ମହାଜନଙ୍କ ରଣକୌଶଳକୁ ମାତ୍ ଦେଇ କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା; କିନ୍ତୁ ରାଜ୍ୟରେ ବିଜେଡି-ବିଜେପି ମିଳିତ ସରକାର ପୁଣି ଥରେ ଗଠନ କରିବାରେ ସମର୍ଥ ହେଲା, ଯଦିଓ ବିଜେଡିର ସିଟ ସଂଖ୍ୟା ୨୦୦୦ ତୁଳନାରେ ୭ଟି କମି ୬୮ରୁ ୬୧ ଏବଂ ବିଜେପିର ସିଟ୍ ସଂଖ୍ୟା ୬ଟି କମି ୩୮ରୁ ୩୨ ହୋଇଥିଲା। ଅପରପକ୍ଷରେ, କଂଗ୍ରେସର ସିଟ୍ ସଂଖ୍ୟା ୧୨ଟି ବୃଦ୍ଧିପାଇ ୨୬ରୁ ୩୮ ହୋଇଥିଲା।
ପୁନଶ୍ଚ ୨୦୨୩ରେ ଆଗୁଆ ନିର୍ବାଚନର ଆଧାର କ’ଣ ହୋଇପାରେ ! ଆଗୁଆ ନିର୍ବାଚନରେ ସାମ୍ବିଧାନିକ ଦାୟିତ୍ୱ ଓ ଅଧିକାର ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମୁଖ୍ୟମନ୍ତ୍ରୀ ତଥା ନିର୍ବାଚନ କମିସନଙ୍କ ଉପରେ ନ୍ୟସ୍ତ। ସାମ୍ବିଧାନିକ ନିୟମାନୁଯାୟୀ ନିର୍ବାଚନ ଆୟୋଗ ଚାହିଁଲେ ବିଧାନସଭାର କାର୍ଯ୍ୟକାଳ ସରିବାର ଛଅମାସ ମଧ୍ୟରେ ଯେ କୌଣସି ସମୟରେ ନିର୍ବାଚନ ଅନୁଷ୍ଠିତ କରାଇପାରିବେ। ସେହିଭଳି, ମନ୍ତ୍ରିମଣ୍ଡଳର ପରାମର୍ଶରେ ବହୁମତ ଥାଇ ମୁଖ୍ୟମନ୍ତ୍ରୀ ମଧ୍ୟ ସାନି ବିଧାନସଭା ନିର୍ବାଚନ ପାଇଁ କିମ୍ବା ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇପାରିବେ।
୨୦୧୯ ମସିହାରେ ତିନିଚତୁର୍ଥାଂଶରୁ ଅଧିକ ସମୁଦାୟ ୧୧୨ ସିଟ୍ ପାଇଥିବା ସଂଖ୍ୟାଗରିଷ୍ଠ ବିଜେଡି ପାଇଁ ଆଗୁଆ ନିର୍ବାଚନର ଆବଶ୍ୟକତା ଏକ ପ୍ରଶ୍ନବାଚୀ।
ପ୍ରଥମ ବା ପ୍ରଧାନ କାରଣ ହେଉଛି, ବିଜେଡି ରୂପକ ଡଙ୍ଗାରେ ଅସମ୍ଭବ ଓ ଅସମ୍ଭାଳ ଭିଡ। ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ୩ରୁ ୪ ଲେଖାଏଁ ପ୍ରମୁଖ ଦାବିଦାର ପ୍ରାର୍ଥୀ ଥିବାବେଳେ ବିଭିନ୍ନ ବର୍ଗରୁ ମାଳମାଳ ନେତା।
ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଛତିଶଗଡ, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲଙ୍ଗାନା ଭଳି ରାଜ୍ୟରେ ନିର୍ବାଚନ ରହିଛି, ସେହି ସମୟରେ ଅନୁକୂଳ ପାଣିପାଗ ଓ ଥଣ୍ଡା ପରିବେଶରେ ନିର୍ବାଚନ କରାଇବା ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସହଜ ହେବ ବୋଲି ବିଜେଡିର ରାଜନୀତିଜ୍ଞମାନେ ବିବେଚନା କରୁଛନ୍ତି।
ଆଗୁଆ ନିର୍ବାଚନର ତୃତୀୟ କାରଣଟି ହେଉଛି, ‘ଶ୍ରୀରାମ ଲହର’, ଅଯୋଧ୍ୟାର ଗ୍ରାଉଣ୍ଡ ରିପୋର୍ଟ, କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପିର ଅନ୍ୟ ଛାମୁଆ ନେତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଯେ ୨୦୨୪ ମସିହା ଜାନୁଆରୀ ଓ ଫେବୃଆରୀ ମଧ୍ୟରେ ଅଯୋଧ୍ୟାରେ ରାମମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ଏବଂ ସର୍ବସାଧାରଣଙ୍କ ପାଇଁ ଶ୍ରୀରାମ ଦର୍ଶନ ଉନ୍ମୁକ୍ତ ହୋଇଯିବ। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ନେଇ ଏକ ଭାବପୂର୍ଣ୍ଣ ଉଦ୍ବେଳନର ଲହର ଏବଂ ୨୦୨୪ ମସିହା ନିର୍ବାଚନରେ ଏହାର ସୁଦୂରପ୍ରସାରୀ ପ୍ରଭାବକୁ ଓଡିଶାରେ ଅସ୍ୱୀକାର କରିହେବ ନାହିଁ। ଯଦିଓ ଓଡ଼ିଶାରେ ଧର୍ମ ଓ ଜାତି ଭିତ୍ତିରେ ଭୋଟ୍ ହେବାର ନଜିର୍ ନାହିଁ; କିନ୍ତୁ ଜୟ ଜଗନ୍ନାଥଙ୍କ ସହିତ ଜୟ ଶ୍ରୀରାମଙ୍କ ସ୍ୱରର ପ୍ରଭାବକୁ ଅସ୍ବୀକାର କରାଯାଇ ପାରିବ ନାହିଁ।
୨୦୦୪ରେ ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ କରି ଶକ୍ତି, ସମୟ ଓ ଅର୍ଥ ଅପଚୟରୁ ରକ୍ଷା କରିବା ଭଳି ରାଜନୈତିକ ଯଥାର୍ଥ ଯୁକ୍ତି ଥିବାବେଳେ ୨୦୨୩ର ଯୁକ୍ତି କ’ଣ ହେବ ତାହା ପ୍ରଣିଧାନଯୋଗ୍ୟ। ଏହା ବାଦ୍ ରାଜ୍ୟ ସରକାରଙ୍କ ସୁପାରିସ ସତ୍ତ୍ବେ ଆଗାମୀ ନିର୍ବାଚନ ପାଇଁ କେନ୍ଦ୍ର ସରକାର ବା ନିର୍ବାଚନ କମିସନ ରାଜିନହୋଇ ରାଷ୍ଟ୍ରପତି ଶାସନ ଜାରି କରିବା ଭଳି ରାଜନୈତିକ ନିଷ୍ପତ୍ତି ଯେ ନନେବେ ତାହା କହି ହେବନାହିଁ। ସେଥିପ୍ରତି ମଧ୍ୟ ବିଜେଡି ସଚେତନ।
ସେହିଭଳି କେନ୍ଦ୍ରରେ ମଧ୍ୟ ଆଗୁଆ ଲୋକସଭା ନିର୍ବାଚନ ହେବା ନେଇ ବିଭିନ୍ନ ବିରୋଧୀ ଦଳ ମଧ୍ୟ ଆଲୋଚନା କରୁଛନ୍ତି। ବିଜେପି ସଭାପତି, ପଦାଧିକାରୀ ଓ ବରିଷ୍ଠ ମନ୍ତ୍ରୀମାନେ ଘନଘନ ଆଲୋଚନା ଚଳାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ପରିବର୍ତ୍ତନର ଆଭାସ ମଧ୍ୟ ମିଳିଲାଣି। ଏ ସବୁ ଆଗୁଆ ଲୋକସଭା ନିର୍ବାଚନର ଆଲୋଚନାକୁ ଖୋରାକ ଯୋଗାଉଥିବାର ରାଜନୀତି ବିଶାରଦମାନେ ଆଲୋଚନା କରୁଛନ୍ତି। ଏହା ଯଦି ବାସ୍ତବ ରୂପ ନିଏ ତାହା ହେଲେ ଓଡ଼ିଶା ବିଧାନସଭା ଆଗୁଆ ନିର୍ବାଚନ ଲୋକସଭା ସହ କରାଇନେବାକୁ ରାଜ୍ୟ ସରକାରଙ୍କୁ ଓ ବିଜେଡି ଦଳ ପକ୍ଷେ ବିଶେଷ ଅସୁବିଧା ହେବନାହିଁ। ଆଗାମୀ ଦିନରେ ଏହି ରାଜନୈତିକ ଚିତ୍ର ଅଧିକ ସ୍ପଷ୍ଟ ହେବା ଆଶା କରାଯାଏ।
Comments are closed.