ବିଶ୍ବ ରାଷ୍ଟ୍ର ସଂଘ ଦ୍ବାରା ଘୋଷିତ ଜୁଲାଇ ମାସ ୨୯ ତାରିଖକୁ ସାରା ବିଶ୍ବରେ ବ୍ୟାଘ୍ର ଦିବସ ରୂପେ ପାଳନ କରିବା ପାଇଁ ସ୍ଥିର କରାଯାଇଛି। ବ୍ୟାଘ୍ର ପଶୁ ଶୃଙ୍ଖଳର ଶୀର୍ଷରେ ରହି ବନ୍ୟ ପ୍ରାଣୀଙ୍କ ସୁରକ୍ଷା ସହ ସେମାନେ ଚଳ ପ୍ରଚଳ କରୁଥିବା ବିସ୍ତୃତ ବନ ସମ୍ପଦରେ ଭରି ରହିଥିବା ଜୈବ ବିବିଧତାମାନଙ୍କର ସୁରକ୍ଷା ଦେଇ ଆସୁଛି । ୧୯୦୦ ଖୀଷ୍ଟାବ୍ଦ ବେଳକୁ ପୃଥିବୀରେ ବ୍ୟାଘ୍ର ସଂଖ୍ୟା ୪୦୦୦୦ ଥିବା ବେଳେ (ମୁଖ୍ୟତଃ ଭାରତ ଉପ ମହାଦେଶରେ), ୧୯୭୩ ବେଳକୁ ଏହାର ପ୍ରାୟ ବିଲୋପ ସାଧନ ହୋଇ ଆସିଥିଲା । ପରିସଂଖ୍ୟାନରୁ ଜଣାପଡେ ତାହା ଆଶାତୀତ ଭାବେ କମି ଭାରତରେ ତାହାର ସଂଖ୍ୟା ୨୬୮ରେ ପହଞ୍ଚିଥିଲା । ୧୯୭୩ ଏପ୍ରିଲ ୧ ତାରିଖରୁ ଭାରତ ସରକାର ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ଆରମ୍ଭ କରିଥିଲେ ଓ ଭାରତର କେତେକ ବଛାବଛା ଜଙ୍ଗଲରେ ବ୍ୟାଘ୍ର ପ୍ରକଳ୍ପ ସୃଷ୍ଟି କରାଯାଇଥିଲା ଓ ସେମାନଙ୍କର ସୁରକ୍ଷା କଡ଼ାକଡ଼ି କରାଗଲା ଓ ପରିଚାଳନରେ ସ୍ବତନ୍ତ୍ର ଦୃଷ୍ଟି ଦିଆଗଲା । ସେତେବେଳେ ବ୍ୟାଘ୍ର ପ୍ରକଳ୍ପ ୯ ଟି ଥିଲା ଓ ଆଜି ଏହା ୭୩ଟିରେ ପହଞ୍ଚିଛି, ଖୁସିର କଥା ବର୍ତ୍ତମାନ ସେଥିରେ ଥିବା ବ୍ୟାଘ୍ରମାନଙ୍କର ସଂଖ୍ୟା ୩,୧୬୭ ହୋଇଛି । ଏହି ସଂଖ୍ୟା ସାରା ବିଶ୍ବରେ ଦେଖାଯାଉଥିବା ସଂଖ୍ୟାର ଶତକଡା ୭୦ ଭାଗ । କଠୋର ସୁରକ୍ଷା ବ୍ୟବସ୍ଥା ଓ ଜନ ସଚେତନତା ଏଥିରେ ମୁଖ୍ୟ ମାନଦଣ୍ଡ ଭାବରେ ନିଆଯାଇଛି ।
ବ୍ୟାଘ୍ର ଦେଖା ଯାଉଥିବା ଜଙ୍ଗଲଗୁଡ଼ିକ (ମୁଖ୍ୟତଃ ବ୍ୟାଘ୍ର ପ୍ରକଳ୍ପ ଜଙ୍ଗଲ) ଭାରତର ପ୍ରାକୃତିକ ଐତିହ୍ୟ ଅଞ୍ଚଳ ଭାବେ ନିଆଯାଏ । ଏହା ଘଞ୍ଚ ଜଙ୍ଗଲ ଭାବେ ଗଣା । ଏହା ଭାରତ ମାଟିର ଫୁସ୍ଫୁସ୍ ସଦୃଶ, ଏହାର ଜୈବ ବିବିଧତାର ସୁରକ୍ଷା ସହ କ୍ଷୁଦ୍ରାପି କ୍ଷୁଦ୍ର କୀଟ ପତଙ୍ଗର ସୁରକ୍ଷା ଯୋଗୁଁ ପରାଗ ସଂଗମ, ବୀଜ ବିକ୍ଷେପ, ଖାଦ୍ୟ ଶୃଙ୍ଖଳର ସନ୍ତୁଳନ ବ୍ୟାଘ୍ରର ସଂଖ୍ୟା ବୃଦ୍ଧିରେ ସାହାଯ୍ୟ କରେ । ଏହି ଘଞ୍ଚ ଜଙ୍ଗଲର ସୁରକ୍ଷାରେ ବନ ବିଭାଗ ସହ ବିଭିନ୍ନ ପରିବେଶ ସୁରକ୍ଷା ସମିତି, ବେସରକାରୀ ଅନୁଷ୍ଠାନ ଜନ ସଚେତନତା ସୃଷ୍ଟି କରିବାରେ ମଧ୍ୟ ଅଂଶ ଗ୍ରହଣ କରନ୍ତି । ବର୍ତ୍ତମାନର ପରିବେଶ ସୁରକ୍ଷାର ଦୁଇଟି ମୁଖ୍ୟ ସମସ୍ୟା ବିଶ୍ବ ତାପନ ଓ ଜଳବାଯୁ ପରିବର୍ତ୍ତନକୁ ଏହି ଘଞ୍ଚ ଜଙ୍ଗଲ ବହୁ ଭାବରେ ନିୟନ୍ତ୍ରଣ କରୁଛି । ବାୟୁ ମଣ୍ଡଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଁ ଅଙ୍ଗାରକାମ୍ଳ ବାଷ୍ପର ଉପସ୍ଥିତି ଯୋଗୁଁ ଉତ୍ତାପ ବୃଦ୍ଧି ହୁଏ । ବିଶ୍ବ ତାପନ ବୃଦ୍ଧି ସଙ୍ଗେସଙ୍ଗେ ଜଳବାୟୁର ଦ୍ରୁତ ପରିବର୍ତ୍ତନ ଯୋଗୁଁ ଏହା ମୌସୁମୀ ଉପରେ କିପରି ପ୍ରଭାବ ବିସ୍ତାର କରୁଛି ତାହା ଆମେ ଅନୁଭବ କରୁଛେ । ଏ ବର୍ଷ ପୂର୍ବ ଭାରତରେ ସୀମିତ ବର୍ଷା ଓ ଉତ୍ତର ଭାରତରେ ପ୍ରବଳ ବନ୍ୟା ବିପତ୍ତି, ଚାଷ କାମ ଠପ୍ । ଗଜା ମରୁଡି, ଶସ୍ୟ କ୍ଷେତ୍ରରୁ ଗଛ ଧୋଇଯିବା, ପରିବାର ଅହେତୁକ ଦରବୃଦ୍ଧି ସମସ୍ତଙ୍କୁ ଅତିଷ୍ଠ କରିଛି । ଏହି ବ୍ୟାଘ୍ର ପ୍ରକଳ୍ପମାନଙ୍କର ଘଞ୍ଚ ଅରଣ୍ୟରାଜି ବାୟୁ ମଣ୍ଡଳରୁ ନିୟୁତ ନିୟୁତ ମେଟ୍ରିକ ଟନ ଓଜନର ଅଙ୍ଗାରକାମ୍ଳ ବାଷ୍ପ ସଂଗ୍ରହ କରି ବାୟୁମଣ୍ଡଳର ଉତ୍ତାପ ବହୁ ମାତ୍ରାରେ କମାଇବାରେ ସାହାଯ୍ୟ କରେ, ଋତୁ ପରିବର୍ତ୍ତନରେ ନିୟନ୍ତ୍ରଣ ଆଣେ । ଏକ ପରିବେଶ ଗବେଷଣାରୁ ଜଣାପଡ଼େ ଭାରତର ୬ଟି ବ୍ୟାଘ୍ର ପ୍ରକଳ୍ପର ବାର୍ଷିକ ଆର୍ଥିକ ପରିବେଶ ମୂଲ୍ୟ ୮,୩୦୦ କୋଟିରୁ ୧୭, ୬୦୦ କୋଟି, ପୁଣି ଆଉ ୧୦ଟି ବ୍ୟାଘ୍ର ପ୍ରକଳ୍ପର ବାର୍ଷିକ ଆର୍ଥିକ ପରିବେଶ ମୂଲ୍ୟ ୫,୦୯୫ କୋଟିରୁ ୧୬,୨୦୨ କୋଟି ।
ବ୍ୟାଘ୍ର ପ୍ରକଳ୍ପମାନ ଜୈବ ବିବିଧତା ସୁରକ୍ଷା ସହ ବ୍ୟାଘ୍ରମାନଙ୍କ ସୁରକ୍ଷା, ସଂଖ୍ୟା ବୃଦ୍ଧି ସହ ପରିବେଶ ପର୍ଯ୍ୟଟନ, ଜୀବନ ଓ ଜୀବିକାର ଉନ୍ନତି, ବେକାରୀ ଦୂରୀକରଣ କାର୍ଯ୍ୟ କରିବାରେ ମଧ୍ୟ ସହାୟକ ହୁଏ। ବ୍ୟାଘ୍ର ପ୍ରକଳ୍ପ ସୃଷ୍ଟି ହେବାର ଏହା ଭିତରେ ୫୦ ବର୍ଷ ଅତିକ୍ରାନ୍ତ ହେଲାଣି, ଅନ୍ୟ ପଶୁପକ୍ଷୀଙ୍କ ସଂଖ୍ୟା ମଧ୍ୟ ଏହା ଭିତରେ ଆଶାତୀତ ଭାବରେ ବୃଦ୍ଧି ପାଇଛି । ଜାତୀୟ ବ୍ୟାଘ୍ର ପ୍ରକଳ୍ପର ସୁଫଳ ଆମେ ଆଜି ପାଇ ପାରିଛେ ।
ବ୍ୟାଘ୍ର ଆମର, ଆମ ଐତିହ୍ୟର ପ୍ରତୀକ, ଜଙ୍ଗଲର ପରିଚୟ, ଜୀବନ ଜୀବିକାର ଏକ ମାଧ୍ୟମ, ଆମର ମଧ୍ୟ ଏକ ପରିଚୟ । ଏହା ମଧ୍ୟ ଦେଶର ବଳର ମାପ କାଠି, ଏହା ସେଥି ପାଇଁ ଭାରତର ଜାତୀୟ ପଶୁ, ପୋଥି ପୁରାଣରେ ଦେବଦେବୀଙ୍କର ବାହନ ହିସାବରେ ଆମର ପୂଜ୍ୟ ମଧ୍ୟ। ଦେବ ଦେବ ମହାଦେବ ବାଘ ଛାଲ ବ୍ୟବହାର କରନ୍ତି, ମୁନିଋଷିମାନେ ହିମାଳୟରେ ବାଘଛାଲରେ ବସି ତପସ୍ୟା କରୁଥିବାର ଆମେ ଶୁଣୁ । ଆମର ସାହିତ୍ୟରେ ମଧ୍ୟ ବ୍ୟାଘ୍ରମାନଙ୍କ ବର୍ଣ୍ଣନା ଏହାକୁ ଋଦ୍ଧିମନ୍ତ କରିଛି, ସେଗୁଡ଼ିକ ଉପାଦେୟ ହୋଇଛି, ବ୍ୟାଘ୍ର ଜଙ୍ଗଲର ଲକ୍ଷ୍ମୀ, ଏହାର ଡରରେ ଚୋରମାନେ ଜଙ୍ଗଲକୁ ପଶି ପାରନ୍ତି ନାହିଁ, ଜଙ୍ଗଲର ଶକ୍ତି ମଧ୍ୟ ଏହା ବହୁ ଗୁଣରେ ବଢାଇ ଦିଏ। କୌଣସି ସର୍କସ ଦଳରେ ଏହାର ଉପସ୍ଥିତି ତ ନିଶ୍ଚିତ। ଏହା ପୁଣି ଟଙ୍କା, ମୁଦ୍ରା, ଲଫାପାରେ ଥାଇ ଦେଶର ମାନ୍ୟତା ବୃଦ୍ଧି କରେ। ଇତିହାସରୁ ଆମେ ଜାଣୁ ରାଜା ମହାରାଜାମାନେ ମଧ୍ୟ ଏମାନଙ୍କୁ ସେନା ବାହିନୀରେ ଅନ୍ତର୍ଭୁକ୍ତ କରିଥିଲେ। ଏହାର ଉପସ୍ଥିତି କୌଣସି ଦେଶର ଗର୍ବର ପ୍ରତୀକ। ବାଘ ନଖ କିପରି ସୈନ୍ୟମାନଙ୍କର, ସେନାପତି/ ରାଜାମାନଙ୍କର ଏକ ମାରଣାସ୍ତ୍ର ଭାବେ କାମ କରେ। ଏହାର ସଂଖ୍ୟା ଦେଶର ତୃଣ ଭୂମି, ଜଙ୍ଗଲ, ଅରଣ୍ୟ ସମ୍ପଦ, ଜଳ ସମ୍ପଦ, ଔଷଧୀୟ ଗୁଳ୍ମ, ଜଳାଶୟ, ନଦୀ, ନାଳ ଓ ସର୍ବୋପରି ଏହାର ଖାଦ୍ୟଚକ୍ର (ତୃଣଭୋଜୀ ପ୍ରାଣୀ)ର ଅବସ୍ଥିତି ସମ୍ପର୍କରେ ଏକ ଝଲକ ପ୍ରଦାନ କରେ ।
ତେଣୁ ଆଜିର ଏହି ବ୍ୟାଘ୍ର ଦିବସରେ ଏହାର ସଂଖ୍ୟା କିପରି ବୃଦ୍ଧି ପାଇବ, ସେମାନଙ୍କର ସୁରକ୍ଷା କିପରି ଅଧିକ ସୁଦୃଢ ହେବ, ବନ୍ୟ ପ୍ରାଣୀ ନିୟମ କିପରି ଅଧିକ କଠୋର ହେବ, ଏମାନଙ୍କର ବିଭିନ୍ନ ଅଙ୍ଗମାନଙ୍କର ଚୋରା ଚାଲାଣ କିପରି ବନ୍ଦ ହେବ, କିପରି ଶିକାରୀମାନେ କଠୋର ଓ ଦୃଷ୍ଟାନ୍ତ ମୂଳକ ଦଣ୍ଡ ପାଇବେ, ବୁଦ୍ଧିଜୀବୀମାନେ କିପରି ସରକାରଙ୍କ ସହ ମିଶି ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ଏହାର ସୁରକ୍ଷା ସହ ଜଙ୍ଗଲର ସୁରକ୍ଷା ଓ ବୃଦ୍ଧି କରିପାରିବେ ତାହା ଆଜିର ଅନୁଚିନ୍ତା, ଯାହାକି ନିଶ୍ଚିତ ଭାବେ ବିଶ୍ବ ତାପନ ଓ ଜଳବାୟୁ ପରିବର୍ତ୍ତନକୁ କାବୁ କରିପାରିବ । (ବିଶ୍ବ ବ୍ୟାଘ୍ର ଦିବସ ଉପଲକ୍ଷେ)



