ଜାତୀୟ ଶିକ୍ଷା ନୀତି ୨୦୨୦: ଭାରତ ହେବ ଜ୍ଞାନର ପେଣ୍ଠସ୍ଥଳୀ

ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର

ଜ୍ଞାନ ହେଉଛି ଶକ୍ତି । ଶତାବ୍ଦୀ ଶତାବ୍ଦୀ ଧରି ଜ୍ଞାନର ବିଶାଳ ଉତ୍ସ ଭାବେ କାର୍ଯ୍ୟ କରୁଥିବା ବେଦ ଓ ଉପନିଷଦରେ ଭାରତର ସମୃଦ୍ଧ ଜ୍ଞାନ କ୍ଷମତା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥାଏ । ନାଳନ୍ଦା ଏବଂ ତକ୍ଷଶିଳା ପରି ଆମର ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟ ସହିତ ଭାରତ ଅତୀତରେ ଏକ ଅନ୍ତର୍ଜାତୀୟ ଜ୍ଞାନର ପେଣ୍ଠସ୍ଥଳୀ ହୋଇଛି। ସମୟ କ୍ରମେ ଭାରତର ଜ୍ଞାନ ଦକ୍ଷତା ଏବଂ ପ୍ରାଚୁର୍ଯ୍ୟ ; ମୋଗଲ, ମୋଙ୍ଗଲ, ବ୍ରିଟିଶ, ଡଚ୍ ଏବଂ ପର୍ତ୍ତୁଗୀଜଙ୍କ ସମେତ ଅନେକଙ୍କୁ ଆକର୍ଷିତ କରିଥିଲା। ଏହି ଶାସକମାନେ ଇତିହାସରେ ବିଭିନ୍ନ ସମୟରେ ଭାରତ ଉପରେ ଆକ୍ରମଣ କରିଥିଲେ ଓ ଏହି କାରଣରୁ ଭାରତର ଜ୍ଞାନ ଭଣ୍ଡାରର ଯଥେଷ୍ଟ ଧ୍ୱଂସ ଘଟିଥିଲା ; କିନ୍ତୁ ଏହା ଆମେ ସମସ୍ତେ ଜାଣିଛନ୍ତି ଏବଂ ସ୍ୱୀକାର କରାଯାଇପାରେ ଯେ ଆକ୍ରମଣକାରୀମାନେ ଆମ ଜମିକୁ ଲୁଟ୍ କରି ଆମ ବିଶ୍ୱବିଦ୍ୟାଳୟଗୁଡ଼ିକୁ ହୁଏତ ଧ୍ୱଂସ କରିଥାଇ ପାରନ୍ତି, କିନ୍ତୁ ସେମାନେ ଆମ ଦେଶର ଗୁରୁ ଏବଂ ଯୋଗୀଙ୍କ ଠାରୁ ପରାଜିତ ହୋଇଥିଲେ ।

ଦ୍ୱିତୀୟ ଶିଳ୍ପ ବିପ୍ଳବ ସମୟରେ ବ୍ରିଟେନ ବିଶ୍ୱର ନେତୃତ୍ୱ ନେଇଥିବା ବେଳେ ତୃତୀୟ ଶିଳ୍ପ ବିପ୍ଳବରେ ଯୁକ୍ତରାଷ୍ଟ୍ର ଆମେରିକା ଆଗୁଆ ରହିଥିଲା। ଆଜି ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ନୂତନ ଓ ଉଭା ହେଉଥିବା ଜ୍ଞାନକୌଶଳର ଦ୍ରୁତ ଅଭିବୃଦ୍ଧି ମାଧ୍ୟମରେ ବିଶ୍ୱକୁ ପୁଣି ଥରେ ଜ୍ଞାନର କେନ୍ଦ୍ର ବିନ୍ଦୁ ପାଲଟି ଚତୁର୍ଥ ଶିଳ୍ପ ବିପ୍ଳବରେ ନେତୃତ୍ୱ ନେବାର ସମୟ ଆସିଯାଇଛି । ଏହି ଆଶାତୀତ ପରିବର୍ତ୍ତନ ମଧ୍ୟରେ, ୨୦୧୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବା ପାଇଁ ଏକ ବଡ଼ କଳ୍ପନା କରିଥିଲେ । ବର୍ତ୍ତମାନ ଆମ ଦେଶରେ ୨୬ କୋଟିରୁ ଅଧିକ ପିଲା ସ୍କୁଲ ଯାଉଥିବା ବେଳେ ୪ କୋଟିରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଛନ୍ତି । ଏହି ପରିସଂଖ୍ୟାନ ବିଶ୍ୱର ସର୍ବବୃହତ୍‌ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟତମ ବୋଲି ଦର୍ଶାଉଛି । ଜନସାଧାରଣଙ୍କ ସମେତ ଷ୍ଟେକହୋଲଡରଙ୍କ ସହ ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ପ୍ରଣୟନ ହୋଇଛି। ଆମ ସମସ୍ତଙ୍କ ପାଇଁ ଖୁସି ଓ ଉଲ୍ଲାସର ବିଷୟ, ଜୁଲାଇ ୨୯, ୨୦୨୩ ତାରିଖରେ ଭାରତ ସଫଳତାପୂର୍ବକ ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଦୁଇ ଦିବସୀୟ ଅଖିଳ ଭାରତୀୟ ଶିକ୍ଷା ସଙ୍ଗମ ତଥା ଶିକ୍ଷା ଉପରେ ଏକ ମହାକୁମ୍ଭ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି।

ଗତ ତିନି ବର୍ଷରେ ଜାତୀୟ ଶିକ୍ଷା ନୀତିରେ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଛି। ଭାରତର ଇତିହାସରେ ପ୍ରଥମ ଥର ପାଇଁ, ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା (ଇସିସିଇ) ଆନୁଷ୍ଠାନିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସମନ୍ୱିତ ହୋଇଛି। କାରଣ ଜଣେ ଶିଶୁର ପ୍ରାରମ୍ଭିକ ପାଠପଢା ସମୟରୁ ୮ ବର୍ଷ ପର୍ଯ୍ୟନ୍ତ ୮୦ ପ୍ରତିଶତ ମାନସିକ ବିକାଶ ହୋଇଥାଏ। ଏହା ବ୍ୟତୀତ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ଜାତୀୟ ପାଠ୍ୟକ୍ରମ ଫ୍ରେମଓ୍ୱାର୍କ (ଏନସିଏଫ୍-ଏଫ୍ ଏସ୍)ର ବିକାଶରେ ୩-୮ ବର୍ଷ ବୟସର ପିଲାଙ୍କ ପାଇଁ ଖେଳ ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଫ୍ରେମୱାର୍କରେ କଥୋପକଥନ, କାହାଣୀ, ସଙ୍ଗୀତ, କଳା, ହସ୍ତଶିଳ୍ପ, ଖେଳକୁଦ, ନେଚର୍ ଫିଲ୍ଡ ଟ୍ରିପ୍, ପାଠପଢା ସାମଗ୍ରୀ ଏବଂ ଖେଳନା ସହିତ ପାରସ୍ପରିକ ଯୋଡି ହୋଇ ଖେଳିବା ଭଳି ବିଭିନ୍ନ କାର୍ଯ୍ୟକଳାପ ସାମିଲ ଅଛି। ଏହାର ଉଦାହରଣସ୍ୱରୂପ ବିଦ୍ୟାଳୟଗୁଡ଼ିକ ପାଇଁ ଯାଦୁଇ ପିଟାରା (ମ୍ୟାଜିକ୍ ବକ୍ସ) ଆରମ୍ଭ କରାଯାଇଛି।

prayash

୨୦୨୬ ସୁଦ୍ଧା ମୌଳିକ ସାକ୍ଷରତା ଏବଂ ପରିସଂଖ୍ୟାନ ହାସଲ ପାଇଁ ଜାତୀୟ ନିପୁଣ ଭାରତ ମିଶନର ପରିପୂରକ ଭାବେ ଏନସିଏଫ-ଏଫଏସ ଆଧାରିତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ପ୍ରକାଶିତ ହୋଇଛି। ଆଗାମୀ ଦିନରେ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ-ଏସଇ) ସହ ମିଶି ପାଖାପାଖି ୧୫୦ଟି ନୂତନ ପାଠ୍ୟପୁସ୍ତକ ମଧ୍ୟ ଉପଲବ୍ଧ ହେବ। ଏଗୁଡ଼ିକ ଅମୃତକାଳର ପୁସ୍ତକ ହେବ ଏବଂ ଅତି କମରେ ୨୨ଟି ଭାରତୀୟ ଭାଷାରେ ବିକଶିତ ହେବ, ଯାହା ନୂଆ ଶିକ୍ଷା ନୀତି ଅଧୀନରେ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବ। ପିଏମ୍ ଇ-ବିଦ୍ୟା ଜରିଆରେ ପାଠ୍ୟପୁସ୍ତକର ଡିଜିଟାଲ ସଂସ୍କରଣ ଉପଲବ୍ଧ କରାଯାଉଛି। ଏହି ପଦକ୍ଷେପ ସର୍ବସ୍ପର୍ଶୀ ଏବଂ ଚାହିଦା ଅନୁସାରେ ପାଠପଢାକୁ ସୁନିଶ୍ଚିତ କରୁଛି। ଜାତୀୟ ଶିକ୍ଷା ନୀତିର ବାସ୍ତବ ଭାବନାକୁ ପ୍ରତିନିଧିତ୍ୱ କରୁଥିବା ରାଇଜିଂ ଇଣ୍ଡିଆ ପାଇଁ ପିଏମ ଶ୍ରୀ ବିଦ୍ୟାଳୟ ମଧ୍ୟ ସମଗ୍ର ଦେଶରେ ପ୍ରତିଷ୍ଠା କରାଯାଉଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଏହାର ଇଣ୍ଟିଗ୍ରେସନ ଏବଂ ମୌଳିକ ଶିକ୍ଷା ସହିତ ମୁଖ୍ୟ ସ୍ରୋତରେ ସାମିଲ ହେବା ମାଧ୍ୟମରେ ଧନ୍ଦାମୂଳକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଛି। ବିଦ୍ୟାଳୟ ସ୍ତରରେ ଦକ୍ଷତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆମେ ସମଗ୍ର ଶିକ୍ଷା ଏବଂ ସ୍କିଲ୍ ଇଣ୍ଡିଆ ମିଶନ ମଧ୍ୟରେ ପାରସ୍ପରିକ ସମନ୍ୱୟତା ସୃଷ୍ଟି କରୁଛୁ। ଛାତ୍ରଛାତ୍ରୀ ଓ ଡ୍ରପ୍ ଆଉଟମାନଙ୍କୁ ବ୍ୟାପକ ଦକ୍ଷତା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ବିଦ୍ୟାଳୟଗୁଡ଼ିକରେ ୫,୦୦୦ ସ୍କିଲ୍ ହବ୍ ପ୍ରତିଷ୍ଠା କରାଯାଉଛି।

ଏହା ବ୍ୟତୀତ, ଏକ ସ୍ୱତନ୍ତ୍ର ଜାତୀୟ କ୍ରେଡିଟ୍ ଫ୍ରେମୱାର୍କ (ଏନସିଆରଏଫ୍) ପ୍ରଚଳନ କରାଯାଇଛି, ଯାହା ବିଦ୍ୟାଳୟ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ଓ ପ୍ରଶିକ୍ଷଣର ଆନୁଷ୍ଠାନିକ ଏବଂ ଅନୌପଚାରିକ ଶିକ୍ଷାକୁ ଶ୍ରେୟ ଦେଇଥାଏ। ଏନସିଆରଏଫ୍ ବିଭିନ୍ନ ସ୍ତରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନକୁ ସହଯୋଗ କରିବ, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଜୀବନର ଯେ କୌଣସି ସମୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପୁନର୍ବାର ପ୍ରବେଶ କରିପାରିବେ। ଛାତ୍ରଛାତ୍ରୀଙ୍କୁ ମାନ୍ୟତା ଦେବା ପାଇଁ ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ୍ (ଏବିସି)ରେ କ୍ରେଡିଟ୍ ମଧ୍ୟ ଜମା ହେବାର ବ୍ୟବସ୍ଥା ହୋଇଛି। ବୈଷୟିକ ଜ୍ଞାନକୌଶଳ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନରେ ଡିଗ୍ରୀ ପାଠ୍ୟକ୍ରମ କରିବାରେ ସମର୍ଥ କରିବା ସହ ଶିକ୍ଷାର୍ଥୀଙ୍କ ପାଇଁ ଅଧିକ ସହଯୋଗୀ ହୋଇଛି। ବିଶେଷ ଭାବରେ ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବାରେ ସହାୟକ ହୋଇଛି। ସ୍ୱୟଂ ପୋର୍ଟାଲ (SWAYAM portal)ରେ ଅନ୍‌ଲାଇନ ପାଠ୍ୟକ୍ରମ ମାଧ୍ୟମରେ ମଧ୍ୟ କ୍ରେଡିଟ୍ ଅର୍ଜନ କରାଯାଇପାରିବ ଏବଂ ଖୁବ୍‌ଶୀଘ୍ର ଭାରତରେ ଏକ ଡିଜିଟାଲ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯିବ। ଆବଶ୍ୟକତା ଅନୁସାରେ ଦକ୍ଷତାକୁ ବଢାଇବା, ଏମ୍ଏସ୍ଏମ୍ଇ ସମେତ ନିଯୁକ୍ତିଦାତାଙ୍କ ସହ ଯୋଗାଯୋଗ ଏବଂ ଉଦ୍ୟୋଗୀ ଯୋଜନାଗୁଡ଼ିକର ଉପଲବ୍ଧତାକୁ ସୁଗମ କରିବା ପାଇଁ ଏକ ସମନ୍ୱିତ ସ୍କିଲ୍ ଇଣ୍ଡିଆ ଡିଜିଟାଲ ପ୍ଲାଟଫର୍ମ ସହିତ ଦକ୍ଷତା ବିକାଶ ପାଇଁ ଡିଜିଟାଲ୍ ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରାଯାଇଛି। ଆମେ ଦକ୍ଷ ପ୍ରାର୍ଥୀଙ୍କର ଗ୍ଲୋବାଲ ମୋବିଲିଟିକୁ ସୁଗମ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛୁ। ଯୁବବର୍ଗଙ୍କୁ ବିଶ୍ୱମାନର ଦକ୍ଷତା ପ୍ରଶିକ୍ଷଣ ଦେବା ଏବଂ କୁଶଳୀ କର୍ମଚାରୀଙ୍କ ପାଇଁ ବିଦେଶରେ ସୁଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୩୦ଟି ଭାରତ ଅନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଶିଳ୍ପବିପ୍ଳବ ୪.୦ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ୩୩୦ରୁ ଅଧିକ ‘ନ୍ୟୁ ଏଜ୍ ପାଠ୍ୟକ୍ରମ’ ବିକଶିତ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଭାଷା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ଅନେକ ଭାରତୀୟ ଭାଷାରେ ବୈଷୟିକ କାର୍ଯ୍ୟକ୍ରମ ପ୍ରଦାନ କରୁଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟ୍ରାନ୍ସଲେସନ ଟୁଲ, ବିଭିନ୍ନ ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ଅନୁବାଦ କରିବା ପାଇଁ ସୁବିଧା ପ୍ରଦାନ କରୁଛି। ଜେଇଇ, ନିଟ୍ ଓ ସିୟୁଇଟି ଭଳି ପ୍ରମୁଖ ପ୍ରବେଶିକା ପରୀକ୍ଷା ଏବେ ୧୩ଟି ଭାଷାରେ ଉପଲବ୍ଧ ହେଉଛି।

ଶିକ୍ଷାର ଆନ୍ତର୍ଜାତିକୀକରଣ କ୍ଷେତ୍ରରେ ଭାରତର ଅନୁଷ୍ଠାନଗୁଡ଼ିକ ବିଦେଶରେ କ୍ୟାମ୍ପସ୍ ସ୍ଥାପନ କରୁଛନ୍ତି। ଆଇଆଇଟି ମାଡ୍ରାସ ଜାଞ୍ଜିବର-ତାଞ୍ଜାନିଆରେ ଏହାର କ୍ୟାମ୍ପସ୍ ପ୍ରତିଷ୍ଠା କରୁଥିବା ବେଳେ ୟୁଏଇର ଆବୁଧାବିରେ ଆଇଆଇଟି ଦିଲ୍ଲୀର କ୍ୟାମ୍ପସ ସ୍ଥାପନ ପାଇଁ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଗୁଜରାଟର ଗିଫ୍ଟ ସିଟି (Gujarat International Finance Tec-City)ରେ ପ୍ରମୁଖ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ସେମାନଙ୍କର କ୍ୟାମ୍ପସ ସ୍ଥାପନ କରୁଛନ୍ତି ଏବଂ ଆଗାମୀ ଭବିଷ୍ୟତରେ ବିଦେଶରେ ଏକ ସ୍କୁଲ ବୋର୍ଡ ସମେତ ଅନ୍ୟ ଭାରତୀୟ ଅନୁଷ୍ଠାନର ଉପସ୍ଥିତିକୁ ଆହୁରି ସମ୍ପ୍ରସାରଣ କରିବା ପାଇଁ ସେମାନଙ୍କର ମହଦାକାଂକ୍ଷୀ ଯୋଜନା ରହିଛି। ଅମୃତକାଳରେ ବିକଶିତ ଭାରତର ସ୍ୱପ୍ନ କେବଳ ଅମୃତ ପିଢିଙ୍କ ଆକାଂକ୍ଷା ପୂରଣ ଦ୍ୱାରା ହିଁ ହାସଲ କରାଯାଇପାରିବ। ଆମର ଜନସଂଖ୍ୟାର ପ୍ରାୟ ୬୫ ପ୍ରତିଶତ କାମ କରୁଥିବା ବେଳେ ଆମକୁ ଏପରି ଏକ ଯୁଗ ପାଇଁ ଢାଞ୍ଚା ପ୍ରସ୍ତୁତ କରିବାକୁ ପଡିବ, ଯେଉଁଥିରେ ଜୀବନବ୍ୟାପୀ ଶିକ୍ଷା ଏବଂ ଦକ୍ଷତାକୁ ନିୟମ ପଦ୍ଧତିରେ ଅଣାଯାଇପାରିବ।

‘ବସୁଧୈବ କୁଟୁମ୍ବକମ’ ଭାବନାରେ ଅନୁପ୍ରାଣିତ ହୋଇ ଭାରତ ଏକବିଂଶ ଶତାବ୍ଦୀର ନେତୃତ୍ୱ ନେବା ପାଇଁ ଯାଉଛି ଏବଂ ଏହାକୁ ବାସ୍ତବର ରୂପ ଦେବା ପାଇଁ ଜାତୀୟ ଶିକ୍ଷା ନୀତିର ଭୂମିକା ରହିବ ଗୁରୁତ୍ୱପୂର୍ଣ୍ଣ। ଏହି ଶିକ୍ଷା ନୀତି ଭାରତର ଜ୍ଞାନ ବ୍ୟବସ୍ଥାର ଗଭୀରତା ଉପରେ ଗୁରୁତ୍ୱ ଦେଇ ବୈଶ୍ବିକ ନାଗରିକ ସୃଷ୍ଟି କରିବାର ପରିକଳ୍ପନା ରଖିଥିବାବେଳେ ବିଶେଷ ଭାବରେ ଉପନିବେଶବାଦର ଚିନ୍ତାଧାରାରୁ ମୁକ୍ତ ହେବାକୁ ଇଚ୍ଛା ରଖିଥିବା ଗରିବ ଏବଂ ଉଭା ହେଉଥିବା ଅର୍ଥନୀତି ପାଇଁ ଏକ ମାର୍ଗଦର୍ଶକ ହେବାର ସମ୍ଭାବନା ରହିଛି। ଜାତୀୟ ଶିକ୍ଷା ନୀତି ଚତୁର୍ଥ ବର୍ଷରେ ପ୍ରବେଶ କରୁଥିବା ବେଳେ ଏହାର ସଫଳତାର ଅର୍ଥ ହେଉଛି, ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଏବଂ ଜ୍ଞାନର ଆଦାନପ୍ରଦାନ ଓ ଶାନ୍ତି ଉପରେ କେନ୍ଦ୍ରିତ ଏକ ବିଶ୍ୱ ବ୍ୟବସ୍ଥାର ପ୍ରତିଷ୍ଠା ।

kalyan agarbati

Comments are closed.