ଏକଦା ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କ୍ରମବର୍ଦ୍ଧିଷ୍ଣୁ କ୍ଷମତା ତଥା ଆଧିପତ୍ୟର ଆଧାରରେ ବ୍ରିଟିଶ ଐତିହାସିକ ଆର୍.ଏଚ୍.ଏସ୍ କ୍ରସମ୍ୟାନ ମନ୍ତବ୍ୟ ଦେଇଥିଲେ ଯେ, ସଂସଦୀୟ ଶାସନ ବ୍ୟବସ୍ଥାର ମୃତ୍ୟୁ ହୋଇସାରିଛି, ଏହାର ଜନ୍ମସ୍ଥାନରେ ଏବଂ ଏହା ପରିବର୍ତ୍ତେ ପ୍ରଧାନମନ୍ତ୍ରୀୟ ଶାସନ ବ୍ୟବସ୍ଥାର ଉଦ୍ଭବ ଘଟିଛି। ତାଙ୍କର ଏହି ଉକ୍ତିର ସତ୍ୟତା ଭାରତରେ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ଅମଳରେ ଏବଂ ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସାଧାରଣତଃ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦୁଇ ପ୍ରକାର ଶାସନ ବ୍ୟବସ୍ଥା ପ୍ରଚଳିତ। ଗୋଟିଏ ହେଲା ସଂସଦୀୟ ସରକାର, ଅନ୍ୟଟି ରାଷ୍ଟ୍ରପତୀୟ ସରକାର। ବ୍ରିଟେନ୍ ଓ ଭାରତରେ ସଂସଦୀୟ ବ୍ୟବସ୍ଥା ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତୀୟ ବ୍ୟବସ୍ଥାର ପ୍ରଚଳନ ଦେଖିବାକୁ ମିଳେ। ରାଷ୍ଟ୍ରପତୀୟ ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ପ୍ରତ୍ୟକ୍ଷ ନିର୍ବାଚନରେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ସେ ଆଇନ ପ୍ରଣୟନ ସଂସ୍ଥାର ସଦସ୍ୟ ନୁହନ୍ତି; କିନ୍ତୁ ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ନିର୍ବାଚନ ହୁଏ ନାହିଁ। କେବଳ ନିର୍ବାଚନ ହୁଏ ପାର୍ଲାମେଣ୍ଟ ବା ସଂସଦର ସଦସ୍ୟତା ପାଇଁ। ସଂସଦର ଯେଉଁ ଦଳ ଅଧିକ ଆସନର ଅଧିକାରୀ ସେହି ଦଳର ନେତା ହିଁ ପ୍ରଧାନମନ୍ତ୍ରୀର ଆସନ ଗ୍ରହଣ କରନ୍ତି। ପ୍ରଥମେ ସେ କେବଳ ଭାରତର ଯେ କୌଣସି ଏକ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ଆସିଥାଆନ୍ତି ଏବଂ ନିଜ ଦଳର ସଂଖ୍ୟାଗରିଷ୍ଠତା ବଳରେ ନେତା ଭାବରେ ମନୋନୀତ ହୋଇ ସମଗ୍ର ସଂସଦର ଏବଂ ଦେଶର ନେତା ଭାବରେ ମାନ୍ୟତା ପାଆନ୍ତି। ଏପରିକି ଲୋକସଭା ପାଇଁ କୌଣସି କ୍ଷେତ୍ରରୁ ନିର୍ବାଚିତ ନ ହୋଇ ମଧ୍ୟ ରାଜ୍ୟସଭାର ପରୋକ୍ଷ ନିର୍ବାଚନ ମାଧ୍ୟମରେ ଦୀର୍ଘ ଦଶବର୍ଷ କାଳ ପ୍ରଧାନମନ୍ତ୍ରୀ ହେବାର ବିରଳ ସୌଭାଗ୍ୟ ଅର୍ଜନ କରିଥିଲେ ମନମୋହନ ସିଂହ। ମାତ୍ର ଏକ ଦୁର୍ବଳ ମେଣ୍ଟ ସରକାରରେ ପ୍ରଧାନମନ୍ତ୍ରୀ ଏବଂ ଏକ ସଂଖ୍ୟାଗରିଷ୍ଠ ଦଳର ପ୍ରଧାନମନ୍ତ୍ରୀ ଭାବରେ କ୍ଷମତାର ପ୍ରୟୋଗ ଓ ଉପଭୋଗ ମଧ୍ୟରେ ପାର୍ଥକ୍ୟ ରହିବ ନିଶ୍ଚୟ।
୨୦୧୯ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀର ପଦଭାର ଗ୍ରହଣ କରିଛନ୍ତି, ନିଜ ଭାଜପା ଦଳର ସଂଖ୍ୟାଶକ୍ତି ଉପରେ ଏବଂ ୨୦୧୪ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛନ୍ତି। ତାଙ୍କର ଶକ୍ତି ଓ ପ୍ରଭାବ ଏଭଳି ବୃଦ୍ଧି ପାଇଛି ଯେ, ବର୍ତ୍ତମାନ ଉଭୟ ନିଜର ଦଳ ଓ ସରକାରରେ କେବଳ ଗୋଟିଏ ନାମର ମହିମା ଓ ମାହାତ୍ମ୍ୟ ପ୍ରଦର୍ଶିତ ହେବାରେ ଲାଗିଛି। ଆମର ସଂସଦୀୟ ଶାସନ ବ୍ୟବସ୍ଥା ଏକପ୍ରକାର ପ୍ରଧାନମନ୍ତ୍ରୀୟ ଶାସନ ବ୍ୟବସ୍ଥାରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟାଳୟର କ୍ଷମତା ବୃଦ୍ଧି ପାଇଛି। ସଂସଦୀୟ ଶାସନ ପ୍ରଣାଳୀରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଆଉ ‘ଫାଷ୍ଟ ଆମଙ୍ଗ ଇକ୍ୱାଲସ୍’ ନ ହୋଇ ଚାରିପଟେ ଘୂରି ବୁଲୁଥିବା ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ବା ସ୍ତିମିତ ତାରକାମାନଙ୍କ ଗହଣରେ ‘ଚନ୍ଦ୍ର’ର ଭୂମିକା ଗ୍ରହଣ କରିଛି। ଠିକ୍ ଅଛି। ସୁଦୃଢ଼ ତଥା ସୁଶାସନ ପାଇଁ ଏକ ସୁଦୃଢ଼, ସୁଦକ୍ଷ ନେତୃତ୍ୱର ଆବଶ୍ୟକତାକୁ କେହି ଅସ୍ୱୀକାର କରିବେ ନାହିଁ। ମାତ୍ର ଏଭଳି ନେତୃତ୍ୱ କେବଳ ବ୍ୟକ୍ତିକୈନ୍ଦ୍ରିକ ନ ହୋଇ ସଂସଦୀୟ ଶାସନ ବ୍ୟବସ୍ଥାର ଗୌରବ ଓ ଗାରିମାକୁ ଅକ୍ଷୁଣ୍ଣ ରଖିବା ଦିଗରେ କାର୍ଯ୍ୟ କରିବା ବିଧେୟ।
ସ୍ୱାଧୀନତାର ଅମୃତକାଳରେ ନିର୍ମିତ ହେଲା ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଏକ ନୂତନ ସଂସଦ ଭବନ। ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ଭବନ ନିର୍ମାଣର ସ୍ୱପ୍ନ ସାକାର ହେଲା। ଏହି ଭବ୍ୟ ଭବନରେ ଆମର ମାନ୍ୟବର ପ୍ରତିନିଧିମାନେ ଅଧିକ ସୁବିଧା ଓ ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରିପାରିବେ। ମାତ୍ର ସଂସଦର ଗୌରବ ଓ ଗରିମାକୁ ଅକ୍ଷୁଣ୍ଣ ରଖିବାକୁ ହେଲେ କେବଳ ଏହାର ଆକର୍ଷଣୀୟ ବିଶାଳ ଭବନ ନୁହେଁ, ଏହାର ଆତ୍ମା ଓ ଆଦର୍ଶକୁ ଅପ୍ରତିହତ ରଖିବାକୁ ପଡ଼ିବ। କ’ଣ ଏହାର ଆଦର୍ଶ ଓ ଉଦ୍ଦେଶ୍ୟ? ସମଗ୍ର ଭାରତର ଯେଉଁ ଲୋକପ୍ରତିନିଧିମାନଙ୍କର ଏଠାରେ ସମାବେଶ ଘଟେ, ସେଥିରେ ବିଭିନ୍ନ ଦଳର ସାଂସଦ ଥାଆନ୍ତି। କ୍ଷମତାସୀନ ଦଳ ଓ କ୍ଷମତାରହିତ ଦଳର ପ୍ରତିନିଧିମାନଙ୍କର ମିଳିତ ବୈଠକରେ ଦେଶର ସମସ୍ୟାର ଆଲୋଚନା ହୁଏ ଏବଂ ଏହାର ସମାଧାନର ପନ୍ଥା ନିର୍ଣ୍ଣୟ କରାଯାଏ। ଏହା ସମ୍ଭବ ହୁଏ ପାରସ୍ପରିକ ଆଲୋଚନା, ତର୍କ-ବିତର୍କ ମାଧ୍ୟମରେ। ମତାନ୍ତର ଅବଶ୍ୟ ଘଟିବ। ମାତ୍ର ମତ ଓ ଭିନ୍ନମତର ମେଳ-ଅମେଳ ମଧ୍ୟରେ, ଦଳୀୟ ସ୍ୱାର୍ଥ ନୁହେଁ, ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ନିଷ୍କର୍ଷରେ ପହଞ୍ଚିବାକୁ ହେବ। ଉପସ୍ଥିତ ଶହେଜଣଙ୍କ ମଧ୍ୟରୁ ଅନେଶତ ଗୋଟିଏ ମତ ରଖିଲାବେଳେ ଆଉ ଗୋଟିଏ ମାତ୍ର ଭିନ୍ନ ମତକୁ ଶୁଣିବାର ଧୈର୍ଯ୍ୟ ରହିବା ଉଚିତ। ଏହା ହିଁ ଲୋକତାନ୍ତ୍ରିକ ଆଦର୍ଶ। ସରକାରଙ୍କ ମତକୁ ବିରୋଧୀ ଦଳ ମନଧ୍ୟାନ ଦେଇ ଶୁଣିବେ ଏବଂ ବିରୋଧୀ ଦଳର ପ୍ରସଙ୍ଗଭିତ୍ତିକ ପ୍ରଶ୍ନର ଉତ୍ତର ଦେବାକୁ ସରକାର ବାଧ୍ୟ ହେବେ। କାରଣ ସଂସଦୀୟ ଶାସନ ବ୍ୟବସ୍ଥାର ମୂଳନୀତି ହେଲା ଉତ୍ତରଦାୟିତ୍ୱ। ମାତ୍ର ଦେଖାଯାଉଛି, ସଂସଦର ଭବ୍ୟ ଭବନର ଚେହେରା ସହିତ ସଂସଦୀୟ ଚରିତ୍ର ଓ ଚଳଣି ଆଦୌ ଖାପ୍ ଖାଉନାହିଁ। ଏଇ କେତେ ବର୍ଷ ଭିତରେ ଦେଖିବାକୁ ମିଳିଛି, ବିନା ଆଳାପ-ଆଲୋଚନାରେ ଗୋଟିଏ ଗୋଟିଏ ଅଧିବେଶନର କାର୍ଯ୍ୟକାଳ ଶେଷ ହୋଇଯାଉଛି। ଏପରି କି ପୂର୍ବ ସଂସଦର କାର୍ଯ୍ୟକାଳ ତୁଳନାରେ ଏହାର ସମୟସୀମା ଆଶାତୀତ ପରିମାଣରେ ହ୍ରାସ ପାଇଛି। ବିନା ବିଚାର ଓ ବିତର୍କରେ ପାରିତ ହୋଇଥିବା ଆଇନର ସଂଖ୍ୟା ବୃଦ୍ଧି ପାଇଛି। ପ୍ରଥମ ଥର ପାଇଁ ରାଜ୍ୟସଭାରେ ବିନା ଭୋଟ୍ରେ ଆଇନ ପ୍ରଣୀତ ହୋଇଛି। ଶାସକ ଦଳ ମଧ୍ୟ ହୋହଲ୍ଲା କରି ସଂସଦର କାର୍ଯ୍ୟକୁ ବନ୍ଦ କରିଦେବାର ଦୃଷ୍ଟାନ୍ତ ନଜରକୁ ଆସିଛି। ସଂସଦର ଅଧିବେଶନ ଚାଲିଥିଲାବେଳେ ପ୍ରଧାନମନ୍ତ୍ରୀଙ୍କର ବିଦେଶ ଗସ୍ତ କିମ୍ବା ବିରୋଧୀ ଦଳର ନେତାଙ୍କ ଗସ୍ତ ଓ ଅନୁପସ୍ଥିତି ମଧ୍ୟ ସୂଚେଇ ଦେଉଛି ସଂସଦୀୟ ବ୍ୟବସ୍ଥା ପ୍ରତି ସେମାନଙ୍କର ମନୋଭାବ। ବର୍ଷକ ୩୬୫ ଦିନ ସଂସଦ ଚାଲେ ନାହିଁ। ଯେତିକି ଦିନ ଏହାର ଅଧିବେଶନ ବସେ, ଅନ୍ତତଃ ସେତିକି ଦିନ ତ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା, ପ୍ରତିନିଧିଙ୍କ ବକ୍ତବ୍ୟ ଶୁଣିବା ସଂସଦୀୟ ନେତାଙ୍କର କର୍ତ୍ତବ୍ୟ ହେବା ଉଚିତ।
ନୂତନ ସଂସଦ ଭବନର ଉଦ୍ଘାଟନକୁ ନେଇ ଯେଉଁ ବିବାଦ-ବିସମ୍ବାଦ ସୃଷ୍ଟି ହେଲା, ତାହା ମଧ୍ୟ ଆଦୌ ସ୍ପୃହଣୀୟ ନ ଥିଲା। ସରକାରଙ୍କର ପ୍ରତିକଥାକୁ ବିରୋଧ କରିବା କେବଳ ବିରୋଧିତା ଦୃଷ୍ଟିରୁ ଯେଭଳି ଗ୍ରହଣୀୟ ନୁହେଁ, ସେହିଭଳି ବିରୋଧୀ ଦଳର ଭାବନା ଓ ବକ୍ତବ୍ୟକୁ ଅଣଦେଖା ଓ ଉପେକ୍ଷା କରିବା ମଧ୍ୟ କ୍ଷମତାସୀନ ଦଳ ପକ୍ଷରେ ଆଦୌ ବାଞ୍ଛନୀୟ ନୁହେଁ। ତା’ଛଡ଼ା ସଂସଦ କେବଳ କ୍ଷମତାସୀନ ଦଳର ନିଜ ବସାଘର ନୁହେଁ, ଏଥିରେ ନିର୍ବାଚିତ ପ୍ରତ୍ୟେକ ଦଳର ପ୍ରତିନିଧିମାନଙ୍କର ମଧ୍ୟ ଠାବ ଓ ଠିକଣା ରହିଛି। ବିରୋଧୀ ଦଳ ଚାହୁଁଥିଲେ, ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍ଘାଟନ କରନ୍ତୁ। ବାସ୍ତବରେ ଦେଖିବାକୁ ଗଲେ, ସମ୍ବିଧାନର ଧାରା ୭୯ ଅନୁସାରେ, ଭାରତର ସଂସଦ ରାଷ୍ଟ୍ରପତି ଓ ରାଜ୍ୟସଭା, ଲୋକସଭାକୁ ନେଇ ଗଠିତ। ତେଣୁ ସଂସଦର ପ୍ରମୁଖ ଅଂଶ ହେଉଛନ୍ତି ରାଷ୍ଟ୍ରପତି। ପ୍ରତି ନିର୍ବାଚନ ପରେ ଏବଂ ପ୍ରତ୍ୟେକ ନୂତନ ବର୍ଷର ଆରମ୍ଭରେ ରାଷ୍ଟ୍ରପତି ହିଁ ସମ୍ବୋଧନ କରିଥାନ୍ତି ସଂସଦର ମିଳିତ ଅଧିବେଶନକୁ। ସୁତରାଂ ‘ସବ୍କା ସାଥ’ ଓ ‘ସବ୍କା ବିଶ୍ୱାସ’ର ମନ୍ତ୍ର ଉଚ୍ଚାରଣ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କ ବିଚାରକୁ ଗ୍ରହଣ କରି ଯଦି ସଂସଦର ନୂତନ ଭବନର ଉଦ୍ଘାଟନର ଦାୟିତ୍ୱ ରାଷ୍ଟ୍ରପତିଙ୍କୁ ଅର୍ପଣ କରି, ଏହି ସଭାରେ ଲୋକସଭାର ବାଚସ୍ପତି, ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କ ସହ ନିଜେ ଓ ବିରୋଧୀ ଦଳର ନେତା ଉପସ୍ଥିତ ରହିଥାନ୍ତେ, ତେବେ ଉଦ୍ଘାଟନ ପର୍ବର ମହତ୍ତ୍ୱ ବୃଦ୍ଧି ପାଇବା ସଂଗେ ସଂଗେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଗାରିମା ମଧ୍ୟ ବୃଦ୍ଧି ପାଇଥାଆନ୍ତା। ମାତ୍ର ଏହି ଉଦ୍ଘାଟନୀ ସଭାରେ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଅନୁପସ୍ଥିତି ସଂସଦୀୟ ପରମ୍ପରା ପ୍ରତି ଯଥୋଚିତ ମାନ୍ୟତା ପ୍ରଦାନରେ ସହାୟକ ହେଲା ନାହିଁ।
ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ କହିଛନ୍ତି, କିପରି ତାଙ୍କ ସମ୍ବର୍ଦ୍ଧନା ସଭାରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀ ଦଳର ନେତା ଏବଂ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହା ହିଁ ଗଣତାନ୍ତ୍ରିକ ପରମ୍ପରାର ମହତ୍ତ୍ୱ ପ୍ରତିପାଦନ କରୁଥିଲା। ମାତ୍ର ଭାରତରେ ଏହା କାହିଁକି ସମ୍ଭବ ହେଉନାହିଁ? ସମସ୍ତଙ୍କୁ ସାଙ୍ଗରେ ନେଇ ଏବଂ ସମସ୍ତଙ୍କ ବିଶ୍ୱାସଭାଜନ ହୋଇ କାର୍ଯ୍ୟ କରିବାର ଯେଉଁ ନୀତି ଓ ଆଦର୍ଶ ବଖାଣୁଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ତାହା କାହିଁକି କାର୍ଯ୍ୟରେ ପରିଣତ କରିପାରୁନାହାନ୍ତି? ବିରୋଧୀଙ୍କୁ ମନେଇ, ସଂସଦର ସୁପରିଚାଳନା ମଧ୍ୟ ନିର୍ଭର କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ, ନିଜ ଦେଶରେ ଓ ବିଦେଶରେ ଲୋକପ୍ରିୟତା ଓ ସୁନାମ ଅର୍ଜନରେ ସଫଳ ହୋଇଥିବା ଆମର ପ୍ରଧାନମନ୍ତ୍ରୀ ଆମ ସଂସଦୀୟ ଶାସନ ବ୍ୟବସ୍ଥାକୁ ସଂସଦୀୟ ପରମ୍ପରା ଅନୁକୂଳ ହୋଇ ରହିବାକୁ ଦିଅନ୍ତୁ।


