ପ୍ରକୃତି କୋଳରେ ଆର୍ଥିକ ବିକାଶର ଧାରା

ସୁଧାଂଶୁ ରଞ୍ଜନ ଦାସ

ହଜାର ହଜାର ବର୍ଷ ଧରି ଭାରତୀୟ ସଂସ୍କୃତି ପ୍ରକୃତିକୁ ମାତୃଶକ୍ତି କହି ପୂଜା କରିଆସୁଛି । ଏହି ମାତୃରୂପୀ ପ୍ରକୃତି ମାନବସମାଜର ଜୀବନ ଓ ଜୀବିକାକୁ ବଞ୍ଚାଇ ରଖିବା ସଙ୍ଗେସଙ୍ଗେ ଭାରତରେ ଏକ ଉନ୍ନତ ମାନବିକ ଚିନ୍ତାଧାରାର ଉତ୍ସକୁ ଉଜ୍ଜୀବିତ ରଖିଥିଲା। ସମଗ୍ର ବିଶ୍ୱରେ ଭାରତ ଏହି ମାନବ ମୂଲ୍ୟବୋଧକୁ ମହାପୁରୁଷମାନଙ୍କ ମାଧ୍ୟମରେ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲା। ମାତୃରୂପୀ ପ୍ରକୃତି ସାଙ୍ଗରେ ସନ୍ତୁଳନ ରକ୍ଷାକରି ଦେଶବାସୀଙ୍କର କିଭଳି ଆର୍ଥିକ, ସାମାଜିକ ଓ ଆଧ୍ୟାତ୍ମିକ ବିକାଶ କରାଯାଏ ଏହା ଭାରତୀୟମାନେ ସିଦ୍ଧ କରିପାରିଥିଲେ। ଭାରତ କୃଷି, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଥିଲା।

ଅର୍ଥନୈତିକ ଇତିହାସକାର ଆଙ୍ଗସ ମାଡିସନ ତାଙ୍କର ପୁସ୍ତକ “World Economy- A Millennial perspective” ରେ ଉଲ୍ଲେଖ କରିଛନ୍ତି ଭାରତ ୧୭୦୦ ମସିହା ପର୍ଯ୍ୟନ୍ତ ସାରା ବିଶ୍ୱର ୨୪ ପ୍ରତିଶତ ଜିଡିପିର ଅଧିକାରୀ ଥିଲା। ଆର୍ଥିକ କ୍ଷତ୍ରରେ ଭାରତର ଅଦ୍ଭୁତ ସଫଳତା ପ୍ରକୃତିର ଭାରସାମ୍ୟକୁ ନଷ୍ଟ କରିନଥିଲା। ଆଜି ପ୍ରକୃତିର ସନ୍ତୁଳନ ନଷ୍ଟ ହୋଇଯିବା ଫଳରେ ବିଶ୍ୱରେ ୫୦ ପ୍ରତିଶତରୁ ଅଧିକ ଲୋକ କ୍ଷୁଧା ଓ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ଜେନେଭା ସ୍ଥିତ IDMCର ଏକ ରିପୋର୍ଟ ଅନୁସାରେ ୨୦୨୧ ରେ ଭୟଙ୍କର ବାତ୍ୟା ଓ ବଢି ଯୋଗୁଁ ଭାରତରେ ୪.୯ ମିଲିଅନ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ବିଗତ ୨୦ ବର୍ଷ ଭିତରେ ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ଓ ଭୀଷଣତା ଅନେକ ପରିମାଣରେ ବଢିଛି ବୋଲି ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟରେ ଦର୍ଶାଯାଇଛି । ବିଶ୍ୱ ବ୍ୟାଙ୍କର ଆଉ ଏକ ରିପୋର୍ଟ ଅନୁସାରେ ୨୦୧୦ ରୁ ୨୦୧୯ ଭିତରେ ବାତ୍ୟା, ବଢି, ମରୁଡି, ଉତ୍ତାପ ତରଙ୍ଗ ଓ ଶୀତଳ ତରଙ୍ଗ ସମଗ୍ର ବିଶ୍ୱରେ ୧.୩ ବିଲିଅନ ଲୋକଙ୍କୁ କ୍ଷତିଗ୍ରସ୍ତ କରିଛି ।

ପ୍ରଖ୍ୟାତ ଆମେରିକୀୟ ଉପନ୍ୟାସିକ, ହର୍ମାନ ମେଲଭିଲ ତାଙ୍କର ପୁସ୍ତକ ମୋବିଡ଼ିକରେ ଲୋଭ ବିକାରଗ୍ରସ୍ତ ଅହଙ୍କାରୀ ମାନବ କିଭଳି ପ୍ରକୃତିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରି ପ୍ରକୃତିର ଭୀଷଣ ରୂପକୁ ଆମନ୍ତ୍ରଣ କରୁଛି ଏହାର ଉଦାହରଣ ନୀଳ ତିମି ଓ ତିମି ମାଛ ଶିକାରୀ, କ୍ୟାପଟେନ ଆହ୍ବା ଚରିତ୍ର ମାଧ୍ୟମରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଉପକୂଳବର୍ତ୍ତୀ ରାଜ୍ୟ ଓଡିଶାରେ ପ୍ରତିବର୍ଷ ଅପୂରଣୀୟ କ୍ଷତି କରୁଛି । ବନ୍ୟା, ବାତ୍ୟା ଓ ତୋଫାନ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଦେଲାଣି। ଓଡିଶାବାସୀଙ୍କର ଧନ ଜୀବନର ସୁରକ୍ଷା ଓ ରାଜ୍ୟର ସର୍ବାଙ୍ଗୀନ ଉର୍ନ୍ନତି ପାଇଁ ଓଡିଶା ପ୍ରକୃତି ସାଙ୍ଗରେ ସନ୍ତୁଳନ ରକ୍ଷା କରି ରାଜ୍ୟଉପଯୋଗୀ ଏକ ସୁପରିକଳ୍ପିତ ବିକାଶ ମଡେଲ ତିଆରି କରିବା ଉଚିତ।

ଆଜି କମ୍ପ୍ୟୁଟର, କୃତ୍ରିମ ବୁଦ୍ଧି ଓ ସ୍ୱୟଂଚାଳିତ ମେସିନର ବହୁଳ ଉପଯାଗ ଯୋଗୁଁ ଶିଳ୍ପ ଓ ସେବା କ୍ଷେତ୍ରରେ ରୋଜଗାର ସମ୍ଭାବନା ବହୁତ କମିଯାଇଛି। ଓଡ଼ିଶାରେ ପ୍ରକୃତି ଭିତ୍ତିକ ଆର୍ଥିକ କ୍ଷେତ୍ରଗୁଡିକର ସୁରକ୍ଷା ଓ ବିକାଶ କରାଗଲେ ଏହା ରାଜ୍ୟର ସାମୂହିକ ବିକାଶରେ ସହାୟକ ହେବ। ଓଡ଼ିଶାର ତୀର୍ଥ ପର୍ଯ୍ୟଟନ, ହସ୍ତଶିଳ୍ପ, କୃଷି, ମତ୍ସ୍ୟ ପାଳନ, ପଶୁପାଳନ ଇତ୍ୟାଦି ଯଦିଓ ଲଘୁ ଶିଳ୍ପ ଓ ସେବା କ୍ଷେତ୍ର ଭଳି ଲାଭଦାୟକ ନୁହେଁ, କିନ୍ତୁ ପ୍ରକୃତିରେ ସନ୍ତୁଳନ ରକ୍ଷାକରି ଲୋକଙ୍କ ଜୀବିକା ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ଏହି କ୍ଷେତ୍ରଗୁଡିକର ସୁପରିଚାଳନା ହେଲେ ଏହା ରାଜ୍ୟ ପାଇଁ ବିଦେଶୀ ମୁଦ୍ରା ଓ ରାଜସ୍ୱ ମଧ୍ୟ ଅର୍ଜନ କରିପାରିବ।

ରଘୁରାଜପୁର ଶିଳ୍ପ ଗ୍ରାମରେ ଚିତ୍ରଶିଳ୍ପୀମାନେ ଓଡିଶୀ ଚିତ୍ରକୁ ପଟ, ତାଳପତ୍ର, ମଠା ବସ୍ତ୍ର, ନଡ଼ିଆ, ଯୌତୁକ ବାକ୍ସ, ଫରୁଆ ଓ ଗଞ୍ଜପା ଇତ୍ୟାଦି ଉପରେ ଅତି ନିଖୁଣ ଭାବରେ କରୁଥିଲେ । ଏହି ସୂକ୍ଷ୍ମ ରେଖାଚିତ୍ର ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ରଖି କରାଯାଉଥିଲା । ଏକ ଉତ୍କୃଷ୍ଠ ଓଡିଶୀ ଚିତ୍ରର ବିଷୟବସ୍ତୁକୁ ଦେଖିଲେ ମନେହେଉଥିଲା ସତେ ଯେପରି ମନୁଷ୍ୟ, ଦେବତା, ପଶୁ ପକ୍ଷୀ, ଗଛ ପତ୍ର ଓ ଲତା ନିଜ ଭିତରେ କଥୋପକଥନ ହେଉଛନ୍ତି। ଏକ କୁଶଳୀ ଚିତ୍ରଶିଳ୍ପୀ ମନୁଷ୍ୟର ବିଭିନ୍ନ ଭାବ ଯଥା କ୍ରୋଧ, ପ୍ରେମ, କରୁଣା, ଅଭିମାନ ଓ ଦୟା ଇତ୍ୟାଦିକୁ ଚିତ୍ର ମାଧ୍ୟମରେ ଅତି ନିଖୁଣ ଭାବରେ ପରିପ୍ରକାଶ କରିଥାଏ । ଆଜି ଓଡିଶୀ ଚିତ୍ରର ସେ ଯାଦୁକରୀ ସ୍ପର୍ଶ ଆଉ ନାହିଁ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି, ମାର୍ଗ ଦର୍ଶନର ଅଭାବ, ହସ୍ତଶିଳ୍ପ ବିଷୟରେ ତୃଣମୂଳ ଜ୍ଞାନ ଥିବା ଅଧିକାରୀଙ୍କ ଅଭାବ, ବୁଦ୍ଧିଜୀବୀମାନଙ୍କର କଳା ପ୍ରତି ଉଦାସୀନ ଭାବ, ଚିତ୍ରଶିଳ୍ପୀମାନଙ୍କ ଭିତରେ ଏକତାର ଅଭାବ, କଳାର ବଜାରୀକରଣ, ଏକ ସ୍ବଚ୍ଛ ମାର୍କେଟିଂ ବାତାବରଣର ଅଭାବ ଓ ଇ-ମାର୍କେଟିଂ ପାଇଁ ମାର୍ଗଦର୍ଶନର ଅଭାବ ଇତ୍ୟାଦି ଓଡ଼ିଶୀ ଚିତ୍ରକଳାର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିପାରୁନାହିଁ । କଳାର ବିକାଶ କରିବା ପୂର୍ବରୁ ପ୍ରଥମେ ସେମାନେ ଚିତ୍ରକଳାର ଇତିହାସ, ଚିତ୍ରଶୈଳୀ ଓ କଳାର ଗୁଣାତ୍ମକ ମାନ ବିଷୟରେ ପ୍ରାଥମିକ ଜ୍ଞାନ ହାସଲ କରିବା ଦରକାର। ଓଡ଼ିଶୀ ଚିତ୍ରରେ ଯେଭଳି ମୂଲ୍ୟ ଯୋଗ ହୋଇଥାଏ ତାହା ଅନ୍ୟ କୌଣସି ଶିଳ୍ପ ସାମଗ୍ରୀରେ ଦେଖାଯାଏ ନାହିଁ। “ଓଡ଼ିଶାରେ ଥିବା ପ୍ରାଚୀନ ମନ୍ଦିର କାନ୍ଥରେ ହୋଇଥିବା ପୁରାତନ ଚିତ୍ରଗୁଡିକର ସଂରକ୍ଷଣ ନିହାତି ଜରୁରୀ। ଏହା ନୂତନ ଯୁବପିଢିଙ୍କୁ ଓଡିଶୀ ଚିତ୍ର କରିବା ପାଇଁ ପ୍ରେରଣା ଦେବ। ଓଡ଼ିଶାର ପ୍ରତ୍ୟେକ ପ୍ରାନ୍ତରେ ଏହି ସୃଜନଶୀଳ ପ୍ରତିଭାର ବିକାଶ ହୋଇଥିବାର ଦେଖିବାକୁ ମିଳେ। କୋରାପୁଟ ଜିଲାର ଢୋକ୍ରା କାମ, ପୁରୀର ପଟଚିତ୍ର ଓ ପଥର କାମ, ପିପିଲିର ଚାନ୍ଦୁଆ କାମ, କଟକର ତାରକସି, ମାଟି ଓ ସିଂହକାମ, ମୟୂରଭଞ୍ଜର ଢୋକ୍ରା ଓ ସବାଇ ଘାସ କାମ, ସମ୍ବଲପୁର ଓ ସୋନପୁରର ହସ୍ତତନ୍ତ କାମ ଇତ୍ୟାଦି ଭାରତ ଓ ଭାରତ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିପାରିଛି।

ହସ୍ତଶିଳ୍ପ ଭଳି ପର୍ଯ୍ୟଟନ ଓ ତୀର୍ଥ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଓଡ଼ିଶାରେ ଅନେକ ରୋଜଗାର ସୃଷ୍ଟି କରିବ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଆସିଥାନ୍ତି। ଆଜି ପୁରୀ ବେଳାଭୂମିରେ ଶହ ଶହ ହୋଟେଲ ଓ ଘର ବନାଯାଇଥିବାରୁ ଏହି ବିଶ୍ୱ ପ୍ରସିଦ୍ଧ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଛି। ଓଡିଶାରେ ଥିବା ପର୍ଯ୍ୟଟନ ​‌େ​‌କ୍ଷତ୍ର ଯଥା ପୁରୀ, କୋଣାର୍କ, ସାତପଡ଼ା, ଚିଲିକା, ଗୋପାଳପୁର, ଚାନ୍ଦିପୁର, ଅସ୍ତରଙ୍ଗ, ଭିତରକନିକା, ଶିମିଳିପାଳ, ଢେଙ୍କାନାଳ, ବାଲେଶ୍ୱର ଓ କୋରାପୁଟ ଇତ୍ୟାଦିର ପ୍ରାକୃତିକ ସୌଦର୍ଯ୍ୟ ଅତୁଟ ରଖାଯିବା ଉଚିତ। ତୀର୍ଥ ପର୍ଯ୍ୟଟନ ମଧ୍ୟ ଓଡ଼ିଶାରେ ଅନେକ ରୋଜଗାର ସୃଷ୍ଟି କରିବ। ତୀର୍ଥ ପର୍ଯ୍ୟଟନର ବିକାଶ କଲାବେଳେ ଧର୍ମସ୍ଥଳୀଗୁଡିକର ପ୍ରତ୍ନତାତ୍ତ୍ବିକ ମହତ୍ତ୍ବକୁ ସୁରକ୍ଷିତ ରଖିବା ଉଚିତ। ତୀର୍ଥଯାତ୍ରୀ, କବି, ଗବେଷକ ଓ ଇତିହାସକାର ପ୍ରାଚୀନ ମନ୍ଦିରଗୁଡିକୁ ପରିଦର୍ଶନ କଲାବେଳେ ମନ୍ଦିରର ଇତିହାସ ଓ କିମ୍ବଦନ୍ତୀ ସହିତ ଜଡିତ ସ୍ଥାନଗୁଡିକ ଦେଖିବାରେ ଆଗ୍ରହ ପ୍ରକାଶ କରିଥାନ୍ତି। ପ୍ରାଚୀନ ମନ୍ଦିର କାନ୍ଥରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ, ଦେବଦେବୀ, ପଶୁପକ୍ଷୀ , ଗଛଲତା, ସାମାଜିକ ଚିତ୍ର, ରାଜକାର୍ଯ୍ୟ, ଯୁଦ୍ଧ ଯାତ୍ରା, ପର୍ବପର୍ବାଣି ଓ ପାରିବାରିକ ଜୀବନର ଦୃଶ୍ୟ ଇତ୍ୟାଦି ଦର୍ଶକଙ୍କୁ ଆକର୍ଷିତ କରିଥାଏ। ତୀର୍ଥ ପର୍ଯ୍ୟଟନ ସ୍ଥଳକୁ ରଙ୍ଗ ବିରଙ୍ଗ ପଥର ଓ ଟାଇଲିରେ ସଜା ନଯାଇ ପର୍ଯ୍ୟଟନ ସ୍ଥଳରେ ଉତ୍ତମ ରାସ୍ତା, ପାନୀୟ ଜଳ, ସବୁଜିମା ଓ ଉତ୍ତମ ଖାଦ୍ୟର ବ୍ୟବସ୍ଥା କରାଯାଇ ଏଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବା ଦରକାର। ପାଶ୍ଚାତ୍ୟ ଦେଶରେ ଲୋକେ ସେମାନଙ୍କ ଇତିହାସ ସାଙ୍ଗରେ ଜଡିତ ସାମାନ୍ୟ ପଥର ଖଣ୍ଡକୁ ମଧ୍ୟ ସୁରକ୍ଷିତ ରଖିଛନ୍ତି ଓ ପୁରୀ, କୋଣାର୍କ ଏବଂ ଭୁବନେଶ୍ୱରକୁ ଛାଡି ଓଡ଼ିଶାର ଅନେକ ଜାଗାରେ ତୀର୍ଥ ପର୍ଯ୍ୟଟନ ବିକାଶ ପାଇଁ ଅନେକ ସମ୍ଭାବନା ଅଛି। କୋରାପୁଟର ଗୁପ୍ତେଶ୍ୱର, ଢେଙ୍କାନାଳର କପିଳାସ, ଯାଜପୁର ବିରଜା ମନ୍ଦିର, ମହାବିନାୟକ ଓ ଛତିଆବଟ, କେଉଁଝରର ବଳଦେବଜୀଉ ମନ୍ଦିର ଓ ତାରିଣୀ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, କଳାହାଣ୍ଡିର ମାଣିକେଶ୍ବରୀ ମନ୍ଦିର, ବଲାଙ୍ଗିରର ଶ୍ରୀ ହରିଶଙ୍କର ମନ୍ଦିର ଓ ବାଲେଶ୍ୱରର କ୍ଷୀରଚୋରା ଗୋପୀନାଥ ମନ୍ଦିର ଇତ୍ୟାଦି ଅନେକ ପୁରାତନ ମନ୍ଦିର ତୀର୍ଥ ପର୍ଯ୍ୟଟନର ବିକାଶ ପାଇଁ ସହାୟକ ହେବ ଓ ବନ୍ୟଜନ୍ତୁ, ଆଦିବାସୀ ଜୀବନ ଶୈଳୀ, ଆଦିବାସୀ ନୃତ୍ୟ, ଆଦିବାସୀ ହସ୍ତଶିଳ୍ପ ଇତ୍ୟାଦି ଦେଖିବାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଆଦିବାସୀ ଲୋକକଳା ଓ ସଂସ୍କୃତି ବଞ୍ଚି ରହିଲେ ଏହା ପର୍ଯ୍ୟଟନର ବିକାଶ କରିବ। ସରକାର ଆଦିବାସୀ ଯୁବକଙ୍କୁ ତାଲିମ ଦେଇ ଜଙ୍ଗଲରେ ପର୍ଯ୍ୟଟକଙ୍କ ଗାଇଡ୍ ଭାବେ ବ୍ୟବହାର କରିପାରିବେ। ଜଙ୍ଗଲ ରାଜ୍ୟକୁ ମୃତ୍ତିକା କ୍ଷୟ, ବନ୍ୟା, ମରୁଡି, ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଭୂସ୍ଖଳନ ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ। ଓଡିଶା ରାଜ୍ୟ କୃଷି କ୍ଷେତ୍ରର ବିକାଶ ମଧ୍ୟ ପ୍ରକୃତିର ସନ୍ତୁଳନ ରକ୍ଷା କରି କରିପାରିବ ।

Comments are closed.