ଦୁଇ ମୁଖ୍ୟ ଆକର୍ଷଣର ବଜେଟ ଚର୍ଚ୍ଚା
ପଞ୍ଚାନନ କାନୁନ୍ଗୋ
ସଂଘୀୟ ସମ୍ବିଧାନ ବ୍ୟବସ୍ଥା ମତେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ନିଜ ନିଜ ବଜେଟ ପ୍ରତିବର୍ଷ ପ୍ରସ୍ତୁତ କରିଥାନ୍ତି। ଏହି ବଜେଟ ଦୁଇଟି ପରସ୍ପର ନିର୍ଭରଶୀଳ। କେନ୍ଦ୍ରୀୟ ଅନୁଦାନ ଓ ଅର୍ଥ ହସ୍ତାନ୍ତରକୁ ରାଜ୍ୟମାନେ ଅପେକ୍ଷା କରିଥାନ୍ତି ଓ ରାଜ୍ୟମାନଙ୍କର ସଫଳତା ବା ବ୍ୟୟ ବରାଦରୁ ଫଳପ୍ରାପ୍ତି ଉପରେ କେନ୍ଦ୍ର ସରକାରଙ୍କର ‘ବିକାଶ ଯାତ୍ରା’ ମପାଯାଏ। ରାଜ୍ୟମାନଙ୍କର ବିକାଶ ହେଲେ ସମଗ୍ର ଦେଶ ବିକାଶର ଚିତ୍ର ସ୍ପଷ୍ଟ ହୁଏ।
ଆର୍ଥିକ ବର୍ଷ (୨୦୨୩-୨୪) ପାଇଁ ୟୁନିୟନ୍ ବଜେଟ ଆଗତ ହେବା ପରେ ଏବେ ଓଡ଼ିଶା ବଜେଟ ବିଧାନସଭାରେ ଆଗତ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଆଗତ ବଜେଟ ପୂର୍ବ ଅପେକ୍ଷା ବୃହତ୍ ଆକଳନର ଖର୍ଚ୍ଚ ବରାଦ, ଅର୍ଥାତ୍ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରଖାଯାଇଛି। ଏହା ଏକ ଐତିହାସିକ ବଜେଟ ବୋଲି କେହି କେହି କହୁଛନ୍ତି। ପ୍ରତ୍ୟେକ ବଜେଟ ହେଉଛି ରାଜ୍ୟର ସେହି ବର୍ଷ ପାଇଁ ଆୟ ବ୍ୟୟର ମୋଟ ଗଣିତ। ସେହି ଦୃଷ୍ଟିରୁ ଦେଖିଲେ ଗତ ବର୍ଷର ମୂଳ ବରାଦ ଅପେକ୍ଷା ଏଥିରେ ୨୦% ଅଧିକ ବ୍ୟୟ ବରାଦ ହୋଇଛି। ତେବେ ରଖାଯାଇଥିବା ବ୍ୟୟ ବରାଦ ବର୍ଷ ଶେଷରେ ଖର୍ଚ୍ଚ (୧୦୦%) ନ ହେବାଯାଏ ଏହି ବ୍ୟୟ ଅଟକଳକୁ ସହଜରେ ଗ୍ରହଣ କରାଯାଇ ପାରିବ ନାହିଁ। ଗତ ଚାରି ବର୍ଷର ବଜେଟ ଅଟକଳ ବର୍ଷ ଶେଷରେ ଖର୍ଚ୍ଚ ହୋଇ ନଥିବା ଦେଖାଯାଇଛି। ତାକୁ ଯଦି ସ୍ୱୀକାର କରାଯାଏ, ତେବେ ୨୦୨୩-୨୪ ବର୍ଷରେ ପୂର୍ବ ବର୍ଷର ବ୍ୟୟ, ବର୍ଷ ଶେଷ ବେଳକୁ ଦେଖିଲେ ପ୍ରାୟ ୩୦% ଖର୍ଚ୍ଚ ହୋଇନାହିଁ। ଏହା ଅଟକଳର ବାସ୍ତବ ରୂପ (ଅଙ୍କ) ୧ ଲକ୍ଷ ୬୦ ହଜାର କୋଟି ଛୁଇଁବ କି ନାହିଁ ସନ୍ଦେହ। ଏଥିସହିତ ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ମିଳାଇ ଦେଖିଲେ ବଜେଟର ବାସ୍ତବ ବ୍ୟୟ ଏକ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ନୁହେଁ।
ବଜେଟରେ ସବୁ ବର୍ଗକୁ ଦୃଷ୍ଟି ଦିଆଯିବା କଥା କୁହାଯାଏ। ତାହା ବାସ୍ତବରେ ସବୁ ବିଭାଗର ଖର୍ଚ୍ଚ ଦାବିକୁ ସ୍ପର୍ଶ ତଥା ଆୟ ବରାଦକୁ ଆଖି ଆଗରେ ରଖି କୁହାଯାଏ; କିନ୍ତୁ ବସ୍ତୁତଃ ଅଳ୍ପ କିଛି ବିଭାଗ ଉପରେ ଗୁରୁତ୍ୱ ରଖି ସରକାର ଓ ସରକାରୀ ଦଳ ନିଜ ଉଦ୍ଦେଶ୍ୟ ଚରିତାର୍ଥ କରିଥାନ୍ତି। ଲୋକ, ବିଶେଷତଃ ଭୋଟଦାତାଙ୍କୁ ନିଜ ସପକ୍ଷରେ ଟାଣି ରଖିବାର ପ୍ରଚେଷ୍ଟା ଥାଏ। ବିଶେଷତଃ ଭୋଟ ପୂର୍ବ ବର୍ଷ ସେହି ଉଦ୍ଦେଶ୍ୟରେ ବଜେଟକୁ ଆକର୍ଷଣୀୟ କରାଯାଏ।
ବଜେଟର ଲକ୍ଷ୍ୟ ରାଜ୍ୟ ଓ ଦୁର୍ବଳ ବର୍ଗର ସଶକ୍ତୀକରଣ ବୋଲି ଧାରଣା ସୃଷ୍ଟି କରାଯାଉଛି। ବ୍ୟୟ ବରାଦର ଦିଗଗୁଡ଼ିକୁ ତର୍ଜମା କଲେ ଏହା ଯେ ସର୍ବାଙ୍ଗୀନ ଓ ସର୍ବକାଳୀନ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ, ସେପରି ମନେହୁଏ ନାହିଁ, ବରଂ ସ୍ୱୀକାର କରିବାକୁ ହେବ ଯେ ସବୁ ବର୍ଗକୁ ସମ୍ପୃକ୍ତୀକରଣ ପାଇଁ ଉଦ୍ଦିଷ୍ଟ ସରକାରଙ୍କ କ୍ଷମତାପ୍ରାପ୍ତି ପଞ୍ଚବାର୍ଷିକର ଏହା ଶେଷ ବର୍ଷ ବଜେଟ। ଆଗରେ ନିର୍ବାଚନ ଅଛି। ସେଥିପାଇଁ ବିଭିନ୍ନ ବର୍ଗର ଭୋଟଦାତାଙ୍କୁ ବଜେଟ ମାଧ୍ୟମରେ ବାନ୍ଧି ରଖିବାର ଉଦ୍ୟମ ହେବା ସ୍ୱାଭାବିକ। ଏହି ବଜେଟରେ ବିଶେଷତଃ ଦୁଇଟି ବୃହତ୍ ଗୋଷ୍ଠୀ ଯଥା ମହିଳା ଓ କୃଷକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଭିନ୍ନ ବ୍ୟୟବରାଦ କରାଯାଇଛି ବୋଲି ପ୍ରଚାର ଚାଲିଛି।
ମହିଳାମାନଙ୍କ ଉଦ୍ଦେଶ୍ୟରେ ଅନେକ ପ୍ରୋତ୍ସାହନମୂଳକ ବ୍ୟୟବରାଦ ଏହି ବଜେଟରେ ଦେଖିବାକୁ ମିଳେ। ଅବଶ୍ୟ ପୂର୍ବ ବର୍ଷ (୨୦୨୨-୨୩) ତୁଳନାରେ ଚଳିତ ବଜେଟରେ ବ୍ୟୟ ବରାଦ ୧୦.୨% ବୃଦ୍ଧି ଘଟିଛି; କିନ୍ତୁ ଏଥିରେ ଏପରି କିଛି ନୂଆ ବ୍ୟବସ୍ଥା ରହିଛି ଯାହାକି ମହିଳାବର୍ଗଙ୍କୁ ଆକୃଷ୍ଟ କରି ରଖିବ। କେନ୍ଦ୍ର ସରକାର ଢାଞ୍ଚାରେ ଏଠି ମଧ୍ୟ ବାର୍ଷିକ ଯୋଜନା କଥା ଉଲ୍ଲେଖ କରାନଯାଇ ପାଞ୍ଚବର୍ଷରେ ଏସ୍ଏଚ୍ଜି ଗୋଷ୍ଠୀ ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦର କଥା କୁହାଯାଇଛି। ସେଥିମଧ୍ୟରୁ ଚଳିତ ବର୍ଷର ବ୍ୟୟବରାଦ ୨୫୫୪ କୋଟି ଟଙ୍କା ରଖାଯାଇଛି, ଯାହାକି ୨୦୨୨-୨୩ ତୁଳନାରେ ୨୭% ଅଧିକ। ମିଶନ ଶକ୍ତି ଯୋଜନାରେ ଆଗୁଆ ମହିଳା ଗୋଷ୍ଠୀ ପରିଚାଳିକାଙ୍କୁ ସ୍କୁଟି ଦେବା ବ୍ୟବସ୍ଥା ରହିଛି। ଏହା ନିଶ୍ଚୟ ଆକର୍ଷଣୀୟ ଓ ସରକାରଙ୍କ ସହ ବାନ୍ଧିହୋଇ ରହିବା ନିମନ୍ତେ ପ୍ରତିଯୋଗିତା ସୃଷ୍ଟି କରିବ। ମହିଳା ଉଦ୍ୟୋଗୀ ସୃଷ୍ଟି ପାଇଁ କ୍ଷୁଦ୍ରଶିଳ୍ପ ଉଦ୍ଦେଶ୍ୟରେ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଅବଶ୍ୟ ଏହି ଦୁଇଟି କାର୍ଯ୍ୟକ୍ରମର ସଫଳତା ବ୍ୟାଙ୍କମାନଙ୍କର ସହଯୋଗ ଉପରେ ନିର୍ଭରଶୀଳ। ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୯୯୭ କୋଟି, ମିଶନଶକ୍ତି ଅଧୀନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ୯୯୮ କୋଟି ଟଙ୍କାର ସହାୟତା, ମିଶନ ଶକ୍ତି ଗୃହନିର୍ମାଣ ନିମନ୍ତେ ୩୨୦ କୋଟି, ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ରିଆତି ବାବଦରେ ୨୨୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଏତେ ସବୁ କାର୍ଯ୍ୟକ୍ରମ ନିମନ୍ତେ ବ୍ୟୟ ବରାଦକୁ ଦେଖିଲେ ସମସ୍ତ ମହିଳା ନିଶ୍ଚୟ ସରକାରଙ୍କ କାର୍ଯ୍ୟକ୍ରମ ସହିତ ବାନ୍ଧିହୋଇ ରହିବାକୁ ଚେଷ୍ଟା କରିବେ। ଏଥି ସହିତ ଅନେକ ଗ୍ରାମୀଣ ବେକାରୀ ଯୁବ କଣ୍ଟ୍ରାକ୍ଟର କର୍ମମୁଖର ହୋଇ ଉଠିବେ। ଏହିସବୁ କାର୍ଯ୍ୟକ୍ରମ ସହିତ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ନିମନ୍ତେ ଉଦ୍ଦିଷ୍ଟ ଅର୍ଥବ୍ୟୟରେ ମହିଳା ତଥା ଲିଙ୍ଗଗତ ସମବେଦନଶୀଳତା ନିମନ୍ତେ ଉଦ୍ଦିଷ୍ଟ ବ୍ୟୟବରାଦକୁ ମିଶାଇ ଦେଖିଲେ ବଜେଟରେ ଯେ ମହିଳାଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମସ୍ତ ଉଦ୍ୟମ କରାଯାଇଛି, ସ୍ୱୀକାର କରିବାକୁ ହେବ। ବାସ୍ତବରେ ସେମାନଙ୍କୁ ସାମାଜିକ, ଆର୍ଥିକ ଓ ଶାରୀରିକ ଦୃଷ୍ଟିରୁ ଏହା କେତେଦୂର ସଶକ୍ତ କରିବ ତାହା ଦେଖିବାର ଅଛି। ଗତ ୨୩ ବର୍ଷ ମଧ୍ୟରେ ସ୍ୱୀକାର କରିବାକୁ ହେବ ଯେ ମହିଳାମାନଙ୍କ ପୁଷ୍ଟିହୀନତା ଓ ତଦ୍ଜନିତ ରୋଗ ଲୋପ ପାଇନାହିଁ। ଏବେ ବି ଏହା ଚିନ୍ତାର କାରଣ ହୋଇରହିଛି। ରାଜନୀତି କ୍ଷେତ୍ରରେ ଯଦିଓ ମହିଳାଙ୍କ ପ୍ରବେଶ ତଳସ୍ତରରେ ଖୁବ୍ ବେଶ୍ ଦୃଶ୍ୟମାନ; କିନ୍ତୁ ତାହା ସେମାନଙ୍କ ଶକ୍ତି ବୃଦ୍ଧିକାରକ କି କ୍ଷମତାସୀନ ମାନଙ୍କର ଶକ୍ତିବର୍ଦ୍ଧକ ତାହା ଦେଖିବାର ଅଛି।
ବଜେଟର ଅନ୍ୟ ଏକ ବହୁଳ ପ୍ରଚାରିତ ବିଷୟ ହେଉଛି କୃଷି ଓ କୃଷକର ଅଭିବୃଦ୍ଧି ସମ୍ପର୍କରେ ଚର୍ଚ୍ଚା। ରାଜ୍ୟର ସର୍ବଶ୍ରେଷ୍ଠ ଆୟକାରୀ ଗୋଷ୍ଠୀ ହେଉଛନ୍ତି ଚାଷୀ ଓ ଚାଷରୁ ରାଜ୍ୟ ଅଭିବୃଦ୍ଧିର ଅଂଶ ୧୭%ରୁ ଅଧିକ। ଚାଷ ଉପରେ ରାଜ୍ୟ ସମୃଦ୍ଧିର ନିର୍ଭରଶୀଳତା ଯଦିଓ ଗତବର୍ଷମାନଙ୍କରେ କମି ଯାଉଥିବା ଲକ୍ଷ୍ୟ କରାଯାଉଛି, ତଥାପି ଏହା ଉପରେ ନିର୍ଭରଶୀଳ ରୋଜଗାରୀଙ୍କ ସଂଖ୍ୟା ବଢ଼଼ିବାରେ ଲାଗିଛି। କୃଷି ମଜୁରିଆ ହୁଅନ୍ତୁ ଅବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟବୃଦ୍ଧି ଗତ ୨୦ ବର୍ଷରେ ୨ଗୁଣ ହୋଇପାରିନାହିଁ। ରାଜ୍ୟରେ ପାଖାପାଖି ୨୦% ମହିଳା ଚାଷୀ। ତେବେ ସେମାନେ ଏ ପର୍ଯ୍ୟନ୍ତ ମଣ୍ଡିରେ ପ୍ରତ୍ୟକ୍ଷ ବିକ୍ରିର ସୁବିଧା ସୁଯୋଗ ହାସଲ କରି ନାହାନ୍ତି କି ଏ ବଜେଟରେ ସେମାନଙ୍କ ପାଇଁ ମଣ୍ଡିରେ ସ୍ୱତନ୍ତ୍ର ରହଣିସ୍ଥଳ ଅବା ଶୌଚାଳୟର ବ୍ୟବସ୍ଥା ନାହିଁ। ଚାଷୀର ବାର୍ଷିକ ମୁଣ୍ଡପିଛା ଆୟ ସନ୍ତୋଷଜନକ ନୁହେଁ। ଅଧିକାଂଶ ସରକାରଙ୍କର ମାଗଣା ବା ରିଆତି ବଣ୍ଟନ ଉପରେ ନିର୍ଭରଶୀଳ। ରାଜ୍ୟରେ ୨୦ବର୍ଷରେ କୃଷି ଉତ୍ପାଦନ, ବିଶେଷତଃ ଧାନ ଅମଳ ବୃଦ୍ଧି ପାଇଥିବା ଦେଖାଯାଉଛି। ଧାନଚାଷ ଜମି ବିଭିନ୍ନ କାରଣରୁ କମିଥିଲେ ମଧ୍ୟ ଚାଷ ପ୍ରତି ଲୋକଙ୍କର ଆଗ୍ରହ କମିନାହିଁ। ତାର ଏକମାତ୍ର କାରଣ ହେଉଛି ଚାଷ ଛାଡ଼ିଲେ ବାସ ଛାଡ଼ି ଦାଦନ ଖଟିବାକୁ ହିଁ ହେବ। ସରକାରଙ୍କର ଏହି ବଜେଟରେ କୃଷି କୃଷକକୁ ପ୍ରଭାବିତ କରିବା ପାଇଁ ଅନେକ ଉଦ୍ୟମ ହୋଇଛି। ଏ କ୍ଷେତ୍ର ପାଇଁ ୨୦୨୩-୨୪ ବର୍ଷ ପାଇଁ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଗତ ବର୍ଷ ତୁଳନାରେ ଏହା ୨୦% ରୁ ଅଧିକ। ମାତ୍ର ଦୁଃଖର ସହ କହିବାକୁ ପଡ଼ୁଛି ଗତ ବର୍ଷରେ ଅଲଗା କୃଷି ବଜେଟ ଆରମ୍ଭ ହେବା ଦିନରୁ ଅଦ୍ୟାବଧି ବାର୍ଷିକ ବଜେଟର ପ୍ରାଥମିକ ଅଟକଳର ହାରାହାରି ୩୫% ଖର୍ଚ୍ଚ ହୋଇନାହିଁ। ଅନେକ ଘୋଷଣା ଅଧା ହୋଇ ରହେ ତ କିଛି ଆଦୌ ଆରମ୍ଭ ହୁଏ ନାହିଁ। ଆଳୁ ମିଶନ, ପିଆଜ ମିଶନ, ପଣସ ମିଶନ ପରି କିଛି ସଫଳ ହୋଇ ନାହିଁ। ତଥାପି ଚଳିତ ବର୍ଷରେ ନୂଆ ଓ ପୁରୁଣା କାର୍ଯ୍ୟକ୍ରମ ଘୋଷଣା ଓ ବ୍ୟୟ ବରାଦ ରହିଛି।
କୃଷିର ମୁଖ୍ୟ ସମସ୍ୟା ଜଳସେଚନ। ବର୍ଷାଋତୁରେ, ଅର୍ଥାତ୍ ଖରିଫ ଫସଲ ପାଇଁ ଜଳସେଚନ ଅଛି ବୋଲି ଯାହା କୁହାଯାଇଥାଏ ତାହା ବର୍ଷାଜଳ ଉପରେ ନିର୍ଭରଶୀଳ। ସାମାନ୍ୟ କମିଲେ ଚାଷୀ ମୁଣ୍ଡରେ ହାତଦିଏ। ରବିଋତୁ ବା ଗ୍ରୀଷ୍ମଋତୁରେ ଜଳଯୋଗାଣ ଅତ୍ୟନ୍ତ ନଗଣ୍ୟ। ଗତ ୨୩ ବର୍ଷର ଲଗାତାର ଶାସନ କାଳରେ ମଧ୍ୟ ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୧୦୦ଟିରେ ୩୫% ଜଳସେଚନ ହୋଇପାରି ନାହିଁ। ମନ୍ତ୍ରୀଙ୍କ କହିବା ଅନୁଯାୟୀ ଆଗାମୀ ପାଞ୍ଚବର୍ଷରେ ଏହି ବ୍ୟବସ୍ଥା ଯୋଗାଇ ଦେବା ପାଇଁ ୭୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ଏହା ‘ଆକାଶ କଇଁଆ ଓ ଚିଲିକା ମାଛ’ର କଥା, ତଥାପି ଚଳିତବର୍ଷର ବ୍ୟୟବରାଦ ପ୍ରଣିଧାନଯୋଗ୍ୟ। ଚଳିତ ବଜେଟ ବର୍ଷରେ ୧୧,୬୫୫ କୋଟି ଟଙ୍କା ଖର୍ଚ୍ଚ ହୋଇ ଜଳସେଚନ କ୍ଷମତା ୨.୩୩ ଲକ୍ଷ ହେକ୍ଟର ବୃଦ୍ଧି କରାଯିବ। ଏଥିରୁ ବାସ୍ତବ ଜଳସେଚନ ମୋଟ କେତେ ଏବଂ କେଉଁ ଋତୁ ପାଇଁ କେତେ ହେବ, ତାହା ଏବେ ସ୍ପଷ୍ଟ ନୁହେଁ। ତେବେ ୨୦୨୩-୨୪ରେ ୨୦ ହଜାର ଡିପ୍ ବୋର ୱେଲ୍, ୧୫୦୦ ଗୋଷ୍ଠୀ ଉଠାଜଳସେଚନ ପଏଣ୍ଟ, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା, ୫ଶହଟି ଚେକ୍ଡ୍ୟାମ୍ ନିର୍ମାଣ ଯୋଜନା ରହିଛି। ପାର୍ବତଗିରି ଉଠା ଜଳସେଚନ କାର୍ଯ୍ୟକ୍ରମରେ ୧୭୦ଟି ବୃହତ୍ ଉଠା ଜଳସେଚନ ପଏଣ୍ଟ ହେବ। ଚାଷୀର ବଡ଼ ବିପତ୍ତି ହେଉଛି ତା’ର ଉତ୍ପାଦ ବଜାରରେ ଠିକ୍ ମୂଲ୍ୟ ପାଏନାହିଁ। ଅବଶ୍ୟ ଚଳିତ ବଜେଟରେ ଧାନକ୍ରୟ ପାଇଁ ୨୦୦୦ କୋଟି ଟଙ୍କାର ରିଭଲଭିଂ ଫଣ୍ଡ୍ ରଖାଯାଇଛି। କେନ୍ଦ୍ର କିଣିବାରେ ବିଳମ୍ବ କଲେ ରାଜ୍ୟ ଚାଷୀମାନଙ୍କଠାରୁ କ୍ରୟ କରିବାର ସୁଯୋଗ ସୃଷ୍ଟି କରିଛି।
ଆସନ୍ତା ନିର୍ବାଚନ ସମୟରେ ଚାଷୀଙ୍କର ହୋ ହାଲ୍ଲାରୁ ରକ୍ଷା ପାଇବାର ଏକ ବଡ଼ କୌଶଳ ବହୁ ବର୍ଷ ତଳୁ ଘୋଷିତ ଇନ୍ଷ୍ଟ୍ରିମ୍ ଜଳଭଣ୍ଡାର ନିର୍ମାଣ ନିମନ୍ତେ ୨୦ଗୋଟି ପ୍ରକଳ୍ପ ପାଇଁ ବ୍ୟୟବରାଦ କରାଯାଇଛି। ଏହିସବୁ କାର୍ଯ୍ୟ ଆରମ୍ଭ ହେଲେ ବି ତିନିବର୍ଷ ମଧ୍ୟରେ ଶେଷ ହୋଇ ଚାଷୀ କାର୍ଯ୍ୟରେ ଲାଗିବାରେ ସନ୍ଦେହ ରହିଛି। ହେଲେ ଆନ୍ତରିକତା ଥିଲେ ଚଳିତ ବଜେଟରେ ଥିବା ଉଠାଜଳସେଚନ ପଏଣ୍ଟ ମରାମତି ଓ ନିର୍ମାଣ ଗୋଟିଏ ବର୍ଷରେ ଶେଷ ହେବ। କ୍ଷୀର ଉତ୍ପାଦନ ବଢ଼଼ିଛି, ମାତ୍ର ସରକାରୀ ଭାବେ ଏହା ସମସ୍ତ କ୍ରୟ କରିବାର କୌଣସି କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ରାଜ୍ୟ ଦୁଗ୍ଧ କ୍ରେତା ଓମ୍ଫେଡ୍ର ଆହରଣ ଶକ୍ତି ବୃଦ୍ଧି ନିମନ୍ତେ ବିଶେଷ ବ୍ୟୟବରାଦ ନାହିଁ। ରାଜ୍ୟରେ ମତ୍ସ୍ୟ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାହିଦା ବଢ଼଼ିଛି। ସେଥିପାଇଁ ଅବଶ୍ୟ କିଛି ବ୍ୟୟବରାଦ ଅଛି। ତାର ସଫଳ ରୂପାୟନ ବର୍ଷ ଶେଷରେ ଜଣାପଡ଼ିବ। ମିଲେଟ୍ ମିଶନ ପାଇଁ ଉଦ୍ଦିଷ୍ଟ ୪୯୭ କୋଟି ଟଙ୍କାର ବାସ୍ତବ ରୂପାନ୍ତର ଜଣାପଡ଼ିବ, ଯଦି ଏହାର ରପ୍ତାନି ତଥା ସ୍ୱଚ୍ଛଳବର୍ଗରେ ଏହାର ଆବଶ୍ୟକତା ଏବଂ ଯୋଗାଣ ବୃଦ୍ଧି ପାଇବା ସହିତ ଚାଷୀ ଉତ୍ପାଦନ ପାଇଁ ଭଲ ଅର୍ଥପାଏ ତଥା ଏହାକୁ ଲାଭକାରୀ ଫସଲଭାବେ ଚାଷୀ ଗ୍ରହଣ କରେ।
ଏହି ଦୁଇ ମୁଖ୍ୟ କାର୍ଯ୍ୟକ୍ରମର ବ୍ୟୟ ବରାଦକୁ ନେଇ ଅନେକ ପ୍ରଚାର ଚାଲିଛି। ବଜେଟର ବ୍ୟୟ ଅଟକଳ ଗଣିତ ଏଭଳି ଦେଖିବାକୁ ମିଳୁଛି, ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲାଭଳି ହୋଇଛି।
ସମସ୍ତ ଦୃଷ୍ଟିରୁ ବିଚାର କଲେ ବଜେଟ ଲୋକାଭିମୁଖୀ ନହେଲେ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରି ରଖିବା ଇଚ୍ଛାରେ ପ୍ରସ୍ତୁତ ହୋଇଛି। ତେବେ ରାଜ୍ୟବାସୀ ବିଶେଷତଃ ଚାଷୀ ଓ ମହିଳାଙ୍କ ସଶକ୍ତୀକରଣ କଥା, ପୁଣି ବର୍ଷକ ପରେ ମାପିବାର ସୁଯୋଗ ଆସିବ। ସେ ସମୟକୁ ଭୋଟ ସରି ଯାଇଥିବ।
Comments are closed.