ପାଞ୍ଚବର୍ଷରେ ଥରେ ସପ୍ତାହବ୍ୟାପୀ ହେଉଥିବା ଚୀନ୍ର ସର୍ବଶକ୍ତିମାନ ‘କମ୍ୟୁନିଷ୍ଟ ପାର୍ଟି ଅଫ୍-ଚାଇନା’ ଦଳର ମହାଧିବେଶନ ବେଜିଂର ତିଆନାନ୍ମେନ୍ ସ୍କୋୟାରରେ ଅବସ୍ଥିତ ‘ଦି ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ’ରେ ଅକ୍ଟୋବର ୨୨ ପର୍ଯ୍ୟନ୍ତ ବସିଥିଲା। ଦଳୀୟ ସମ୍ବିଧାନରେ ସଂଶୋଧନ କରାଯାଇ ସି ଜିନ୍ପିଙ୍ଗ୍ଙ୍କୁ ଅଧିକ କ୍ଷମତାଶାଳୀ କରାଯିବା ପରେ ୨୦୨୨ ଅକ୍ଟୋବର ୨୩ରେ ଅନୁଷ୍ଠିତ ସେଣ୍ଟ୍ରାଲ କମିଟି ବୈଠକରେ ୨୫ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇ ଜିନ୍ପିଙ୍ଗ୍ଙ୍କୁ ଦଳର ମୁଖ୍ୟ ତଥା ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇ ତୃତୀୟ ଥର ରାଷ୍ଟ୍ରପତି କରାଯିବା ସହ ତାଙ୍କ ପାଇଁ ଆଜୀବନ ରାଷ୍ଟ୍ରପତି ହେବାର ପଥ ହୋଇଛି ସୁଗମ। ଜିନ୍ପିଙ୍ଗ ପ୍ରଧାନମନ୍ତ୍ରୀ ଲେ କେକିୟାଙ୍ଗ୍ ଏବଂ ଅନ୍ୟ ତିନିଜଣ ବରିଷ୍ଠ ନେତାଙ୍କୁ ସେଣ୍ଟ୍ରାଲ କମିଟିରୁ ହଟାଇ ଦେଇଛନ୍ତି। ଜିନ୍ପିଙ୍ଗ୍ ରାଷ୍ଟ୍ରପତି ହେବା ପୂର୍ବରୁ ୧୦ବର୍ଷ ଧରି ରାଷ୍ଟ୍ରପତି ପଦରେ ଥିବା ୭୯ ବର୍ଷୀୟ ହୁ ଜିନ୍ତାଓଙ୍କୁ ସୁରକ୍ଷାକର୍ମୀ ଉକ୍ତ ବୈଠକରୁ ବଳପୂର୍ବକ ବାହାର କରି ଦେବାର ଦୃଶ୍ୟ ପ୍ରଦର୍ଶନ ପରେ ସମଗ୍ର ବିଶ୍ବବାସୀ ଚକିତ ହୋଇଛନ୍ତି। ଅବଶ୍ୟ କେଉଁ କାରଣରୁ ତାଙ୍କୁ ବୈଠକ କକ୍ଷରୁ ବାହାରକୁ ନିଆଗଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।
ଅଶୀ ଦଶକ ପରେ ଚୀନ୍ର କମ୍ୟୁନିଷ୍ଟ ପାର୍ଟି ଯେଉଁ ବ୍ୟକ୍ତି-ପୂଜା ସଂସ୍କୃତିକୁ ନିରୁତ୍ସାହିତ କରି ସାମୂହିକ ନେତୃତ୍ବକୁ ପ୍ରୋତ୍ସାହିତ କରି ଆସୁଥିଲା ଏବଂ ଜଣକ ହାତରେ ସମସ୍ତ କ୍ଷମତା ଠୁଳ ନହେବା ପାଇଁ ଚେଷ୍ଟା ଚଳାଇ ଥିଲା, ଜିନ୍ପିଙ୍ଗ୍ ସେହି ମଡେଲକୁ ଚୂରମାର କରି ଦେଇଛନ୍ତି। ଜିନ୍ପିଙ୍ଗ୍ ଯେଉଁ ଉତ୍ତୁଙ୍ଗ ସ୍ଥାନ ହାସଲ କରି ପାରିଛନ୍ତି ତାହା ଅବଶ୍ୟ କମ୍ ନେତାଙ୍କ ଭାଗ୍ୟରେ ଦେଖା ଦେଇଥାଏ। ଚୀନ୍କୁ ଦୀର୍ଘ ୭୦ବର୍ଷ ଧରି ଶାସନ କରି ଆସୁଥିବା କମ୍ୟୁନିଷ୍ଟ ପାର୍ଟି ଇତିହାସରେ ଏହାର ପ୍ରତିଷ୍ଠାତା-ସଦସ୍ୟ ମାଓ ସେ ତୁଙ୍ଗ୍ ପରେ ସବୁଠାରୁ ଶକ୍ତିଶାଳୀ ନେତା ଭାବେ ନିଜକୁ ପ୍ରତିଷ୍ଠା କରି ପାରିଥିବା ଜିନ୍ପିଙ୍ଗ୍ ଏବେ ପୁଣି ଥରେ କ୍ଷମତାସୀନ ହୋଇ ପାରି ଥିବାରୁ ଏହାର ପ୍ରଭାବ ସମଗ୍ର ବିଶ୍ବରେ ନିଶ୍ଚିତ ଦେଖାଦେବ- ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ସବୁଠି ଆମେରିକା ଓ ଚୀନ୍ର ପ୍ରତିଦ୍ବନ୍ଦ୍ବିତା ଲାଗି ରହିଥିଲାବେଳେ ଜିନ୍ପିଙ୍ଗ୍ଙ୍କ ବିଦେଶନୀତି ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହେବା ସ୍ବାଭାବିକ।
୨୦୧୨-୧୩ ମସିହାରେ ଜିନ୍ପିଙ୍ଗ୍ ତାଙ୍କ ପ୍ରଥମ ରାଷ୍ଟ୍ରପତିତ୍ବ କାଳରେ ଏକ ଶକ୍ତିଶାଳୀ ଚୀନ୍ ଗଠନ ଦିଗରେ ସ୍ବପ୍ନ ଦେଖିଥିଲେ ଏବଂ ସେହି ସ୍ବପ୍ନକୁ ସାକାର କରିବା ଦିଗରେ ସେ ପଦକ୍ଷେପ ମଧ୍ୟ ନେଇଥିଲେ। ତିବ୍ବତ ଉପରେ ପୂର୍ଣ୍ଣମାତ୍ରାରେ ଅଧିକାର ସାବ୍ୟସ୍ତ କରିବା ସହ ଜିନ୍ଜିଆଙ୍ଗ୍, ମଧ୍ୟ-ମଙ୍ଗୋଲିଆ, ହଙ୍ଗ୍କଙ୍ଗ୍, ମାକାଉ, ଦକ୍ଷିଣ ଏବଂ ପୂର୍ବ ଚୀନ-ସାଗର ଅଞ୍ଚଳରେ ଚୀନ୍ର ଅଧିକାର ସାବ୍ୟସ୍ତ କରିବାକୁ ପଦକ୍ଷେପ ନେଇ ଆସିଛନ୍ତି। ଏଥିସହ ଅରୁଣାଚଳ ପ୍ରଦେଶ ଓ ତାଇୱାନକୁ କବଳିତ କରିବାକୁ ପ୍ରଦର୍ଶନ କରିଛନ୍ତି ତତ୍ପରତା। ଗତବର୍ଷ ତିବ୍ବତର ‘ଲାସା’କୁ ଗସ୍ତ କରି ସେଠାରେ ସାମରିକ ଭିତ୍ତିଭୂମି ବିକାଶ କରିବା ସହ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସୀମା ସଂଲଗ୍ନ ଅଞ୍ଚଳରେ ସ୍ଥାନୀୟ ଅଧିବାସୀଙ୍କ ଜରିଆରେ ଏକ ପ୍ରତିରକ୍ଷା ଢାଲ (ଡିଫେନ୍ସ-ସିଲ୍ଡ) ସ୍ଥାପନ କରିବାକୁ ଆଗେଇଛନ୍ତି। ସେଠାରେ ବୋର୍ଡର ଆଇନକୁ କାର୍ଯ୍ୟକାରୀ କରି ତିବ୍ବତର ସେହି ସୀମାବର୍ତ୍ତୀ ଅଞ୍ଚଳରେ ୬୪୦ ସଂଖ୍ୟକ ବୋର୍ଡର-ଗ୍ରାମ ସ୍ଥାପନା- ତାଙ୍କ ମନ୍ଦ ଉଦ୍ଦେଶ୍ୟ ଦର୍ଶାଏ। ସେହି ଗ୍ରାମଗୁଡ଼ିକ ଚୀନ୍ ସେନାର ଏକ ପ୍ରକାର ‘ଆଉଟ୍-ପୋଷ୍ଟ’ ଭାବେ ବ୍ୟବହୃତ ହେବ ଏଥିରେ ସନ୍ଦେହ ନାହିଁ। ଏହା ଭାରତର ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି ଏକ ବିରାଟ ଆହ୍ବାନ।
ଚୀନ୍ର ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ କାର୍ଯ୍ୟକାଳରେ ବିଗତ ୧୦ ବର୍ଷଧରି ଭାରତ ସହ ଏଲଏସିରେ ଉତ୍ତେଜନା ଲାଗି ରହିଛି। ଚୀନ୍ ସେନାର ଯେଉଁ ଜେନେରାଲ ଜିନ୍ପିଙ୍ଗ୍ଙ୍କ ରାଷ୍ଟ୍ରପତିତ୍ବ କାଳରେ ଭାରତୀୟ ସେନା ବିପକ୍ଷରେ ଦୃଢ଼ ପଦକ୍ଷେପ ନେଇଥିଲେ ସେମାନଙ୍କୁ ସେ ପଦୋନ୍ନତି ଦେଇଛନ୍ତି। ଚୀନ୍ ପିପୁଲସ ଲିବେରେସନ ଆର୍ମିର ‘ପଶ୍ଚିମ- ଆର୍ମି-ଥିଏଟର କମାଣ୍ଡ’ ଉପରେ ଭାରତର ଲଦାଖ, ତଥା ତିବ୍ବତ ସୀମାବର୍ତ୍ତୀ ଅଞ୍ଚଳର ପ୍ରତିରକ୍ଷା ବ୍ୟବସ୍ଥା ନ୍ୟସ୍ତ। ତେଣୁ ଜିନ୍ପିଙ୍ଗ୍ ତୃତୀୟଥର ରାଷ୍ଟ୍ରପତି ହେବାପରେ ସେମାନଙ୍କ ପଦୋନ୍ନତି ପ୍ରତି ଅଧିକ ଧ୍ୟାନ ଦେଇଛନ୍ତି। ୬୫ ବର୍ଷୀୟ ଜେନେରାଲ ‘ହେ ୱେଡଙ୍ଗ୍’ଙ୍କୁ ଚୀନ୍ ସେଣ୍ଟ୍ରାଲ ମିଲିଟାରୀ କମିସନ (ସିଏମସି)ର ଭାଇସ ଚେୟାରମ୍ୟାନ ପଦକୁ ଉନ୍ନୀତ କରିଛନ୍ତି ଜିନ୍ପିଙ୍ଗ୍। ପୂର୍ବରୁ ସେ କେବେବି ସିଏମସିର ସଦସ୍ୟ ନଥିଲେ। ୨୦୧୭ରେ ‘ଡୋକଲାମ୍’ ଏବଂ ୨୦୨୦ ମସିହାରେ ଗଲୱାନ୍- ସଂଘର୍ଷରେ ଭାରତ ବିପକ୍ଷରେ ଚୀନ୍ର ‘ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ’ରେ ନିୟୋଜିତ ଥିଲାବେଳେ ତାଙ୍କ ଭୂମିକାକୁ ଜିନ୍ପିଙ୍ଗ୍ ଭୁଲି ନଯାଇ ଏବେ ପଦୋନ୍ନତି ଦେଇଛନ୍ତି।
୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଜେନେରାଲ ୱେଡଙ୍ଗ୍ କାର୍ଯ୍ୟରତ ଥାଇ ଭାରତ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଚୀନ-ତାଇୱାନ୍ ସୀମା ସଂଲଗ୍ନ ଅଞ୍ଚଳରେ ଦେଖାଦେଇଥିବା ପରିସ୍ଥିତିକୁ ମୁକାବିଲା କରିବାକୁ ଜିନ୍ପିଙ୍ଗ୍ ‘ଇଷ୍ଟର୍ଣ୍ଣ-ଥିଏଟର କମାଣ୍ଡ’ ମଧ୍ୟ ସ୍ଥାପନ କରିଥିଲେ। ସେହିଭଳି ଆଉ ଜଣେ ୭୨ ବର୍ଷୀୟ ଜେନେରାଲ ଝାଙ୍ଗ୍ ୟୁସିଆ ଏବଂ ଜେନେରାଲ ସୁ କ୍ବିଲ୍ଆଙ୍ଗ୍ଙ୍କ ଉପରେ ଅଧିକ ବିଶ୍ବାସ ରଖିଛନ୍ତି ଜିନ୍ପିଙ୍ଗ୍। ଜେନେରାଲ ଝାଙ୍ଗ୍ ୟୁସିଆ ବୟସାଧିକ୍ୟ ହୋଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକାଳକୁ ଜିନ୍ପିଙ୍ଗ୍ ବଢ଼ାଇ ଦେଇଛନ୍ତି। ସେହିଭଳି ୬୦ବର୍ଷୀୟ ଜେନେରାଲ କ୍ବିଲିଆଙ୍ଗ୍ଙ୍କୁ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ନୂତନ ‘ସେଣ୍ଟ୍ରାଲ ମିଲିଟାରୀ କମିଟି’ରେ ସାମିଲ କରିଛନ୍ତି।
ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ୟିଙ୍କୁ ପଦୋନ୍ନତି ଦେଇ ପଲିଟବ୍ୟୁରୋରେ ସ୍ଥାନ ଦେଇଛନ୍ତି ଯଦିଚ ଉକ୍ତ ପଦ ପାଇଁ ସେ ବୟସ ସୀମା ଅତିକ୍ରମ କରିସାରିଛନ୍ତି। ଏହି ସବୁ ନିଯୁକ୍ତି ତଥା ପଦୋନ୍ନତି ଚୀନ୍ର ରାଜନୈତିକ ସ୍ଥିତି, ସାମରିକ ପଦକ୍ଷେପ ଓ ବୈଦେଶିକ ବିଭାଗର ଗୋଟିଚାଳନା ଉପରେ ଯଥେଷ୍ଟ ପ୍ରଭାବ ପକାଇବ। ଏଥିସହ ଚୀନ୍ର ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ ହାତ ମୁଠାକୁ ଅଧିକ ଶକ୍ତିଶାଳୀ କରିବ।


