ଓଡ଼ିଆ ଚଳଚ୍ଚିତ୍ରର ପଶ୍ଚାତ୍‌ଗତି କାହିଁକି?

ଓଡ଼ିଶାରେ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି ଯେ ଭଲ ଓଡ଼ିଆ ସିନେମା ଆଉ ତିଆରି ହେଉନାହିଁ। ହୃଦୟସ୍ପର୍ଶୀ, ମୌଳିକ, ଓଡ଼ିଶାର ନିଜସ୍ୱ କାହାଣୀକୁ ନେଇ ଆଉ ଚଳଚ୍ଚିତ୍ର ହେଉନାହିଁ। କେବଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ନକଲ କରି ଓଡ଼ିଆ ସିନେମା କରାଯାଉଛି ବୋଲି ଦର୍ଶକ ଅଭିଯୋଗ କରୁଛନ୍ତି। ଏକଥା ମଧ୍ୟ କୁହାଯାଉଛି ଯେ ଓଡ଼ିଶାରେ ଭଲ ସିନେମା ହଲ ନାହିଁ, ଭଲ ପ୍ରଯୋଜକ ନାହାନ୍ତି କି ଭଲ  ନି​ର୍ଦ୍ଦେଶକ ନାହାନ୍ତି। ସେହିଭଳି ସିନେମା ପ୍ରଯୋଜକ, ନିର୍ଦ୍ଦେଶକ, କଳାକାରମାନେ ଦର୍ଶକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣୁଛନ୍ତି ଯେ ଓଡ଼ିଶାର ଲୋକ ଆଉ ଓଡ଼ିଆ ସିନେମା ଦେଖୁନାହାନ୍ତି, ସେମାନେ ଅନ୍ୟ ଭାଷାର ଚଳଚ୍ଚିତ୍ର ଦେଖିବା ପାଇଁ ଯେତିକି ଆଗ୍ରହ ଦେଖାଉଛନ୍ତି ସେତିକି ଆଗ୍ରହ ଆମ ଚଳଚ୍ଚିତ୍ର ପ୍ରତି ନାହିଁ। ଏମିତି ଅଭିଯୋଗ ଓ ପ୍ରତିଅଭିଯୋଗ ଭିତରେ ଓଡ଼ିଆ ସିନେମା ଏକ ବିଷମ କାଳଖଣ୍ଡ ଭିତରେ ଚାଲୁଛି କହିଲେ ଭୁଲ ହେବ ନାହିଁ। ବର୍ତ୍ତମାନ ବୋଧହୁଏ ସମୟ ଆସିଛି ଉଭୟ ଦର୍ଶକ ଓ ସିନେମା ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଏନେଇ ଏକ ସମାଧାନର ରାସ୍ତା କାଢ଼ିବା ଦରକାର। ଯେଉଁ ଜାତିର କଳା, ସଂସ୍କୃତି ଆଗକୁ ଯିବନି ସେଜାତିର ପରିପୂର୍ଣ୍ଣ ସାମାଜିକ ବିକାଶ ହୋଇପାରିବନି।

ଚଳିତ ବର୍ଷ ପୁଷ୍ପା, ପରେ ଆରଆରଆର, ତା’ପରେ କେଜିଏଫ-୨ ଓଡ଼ିଶାର ସିନେମା ହଲରେ ମାସ ମାସ ଧରି ଚାଲିଲା। ସେମାନେ ବର୍ଷ ଅଧା ନହେଉଣୁ ଯେତିକି ରୋଜଗାର ଓଡ଼ିଶାରୁ କରିକି ଗଲେ ବୋଧହୁଏ ପୂରା ବର୍ଷରେ ସମସ୍ତ ଓଡ଼ିଆ ଚଳଚ୍ଚିତ୍ର ସେତିକି ଆୟ କରିପାରିବେ ନାହିଁ। ଓଡ଼ିଶାରୁ କେଜିଏଫ ୧୦ କୋଟି, ପୁଷ୍ପା ୪ କୋଟି, ଆରଆରଆର ୬ କୋଟି ଟଙ୍କା ବ୍ୟବସାୟ କରିଥିବା କୁହାଯାଉଛି। ହେଲେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ହାରାହାରି ମାତ୍ର ୨୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଆୟ କରୁଛି। ଏହାର କାରଣ କ’ଣ ? ଭୁଲ ଦର୍ଶକଙ୍କର ନା ଭଲ ସିନେମା ହେଉନାହିଁ ବୋଲି ଲୋକେ ଦେଖୁନାହାନ୍ତି। ଦିନ ଥିଲା ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପଡ଼ିଲେ ଲୋକଙ୍କୁ ଟିକଟ ମିଳୁନଥିଲା, ଟିକଟ କଳାବଜାରୀ ହେଉଥିଲା। ହେଲେ ଏବେ ଓଲଟା ହେଉଛି। ହିନ୍ଦୀ, ତେଲୁଗୁ, ତାମିଲ ଚଳଚ୍ଚିତ୍ର ପ୍ରେକ୍ଷାଳୟ ପୂର୍ଣ୍ଣରେ ଚାଲୁଛି ହେଲେ ଓଡ଼ିଆ ସିନେମା ପଡିଲେ ଦିନେ ଦୁଇ ଦିନ ପରେ ଫାଙ୍କା। ଓଡ଼ିଶାରେ ସିନେମା ହଲକୁ ଯାଉଥିବା ଦର୍ଶକଙ୍କ ସଂଖ୍ୟା କମିନି ବରଂ ଓଡ଼ିିଆ ଚଳଚ୍ଚିତ୍ର ଦେଖୁଥିବା ଲୋକଙ୍କ ସଂଖ୍ୟା କମିଛି। ଦର୍ଶକ ହେଉଛନ୍ତି ଗରାଖ ଭଳି। ସେମାନଙ୍କୁ କେହି ବାଧ୍ୟ କରିପାରିବେନି ନିର୍ଦିଷ୍ଟ ଚଳଚ୍ଚିତ୍ର ଦେଖିବା ପାଇଁ। ଯେତେବେଳେ ଦର୍ଶକଙ୍କ ମନ ବୁଝିଲା ଭଳି ସିନେମା ତିଆରି ହେବ ସେତେବେଳେ ଦର୍ଶକ ଆପେ ଆସିକି ସିନେମା ଦେଖିବେ।

୨୦୨୨ରେ ଭାରତୀୟ ସିନେମାର ବଜାର ୧୨ ହଜାର ୫୧୫ କୋଟିକୁ ପାର କରିବ ବୋଲି ଆକଳନ କରାଯାଉଛି। ସେଥିରୁ ୨୭% କେବଳ ତେଲୁଗୁ ସିନେମାରୁ ଆସିବ। ୨୦୧୪ ମସିହାରେ ବଲିଉଡର ଆୟ ଥିଲା ମୋଟ ଫିଲ୍ମ ବଜାରର ୪୩%। ହେଲେ ଏବେ ତାହା ୩୮%କୁ ଖସିଗଲାଣି। ଏବେ ଭାରତୀୟ ସିନେମାରେ ଯେଉଁ ସମୟ ଆସୁଛି ତାହା ହେଉଛି ଆଞ୍ଚଳିକ ଭାଷାରେ ହେଉଥିବା ସିନେମାର। ଏବେ ଓଡ଼ିଶାରେ ଭଲ ଚାଲିଥିବା କେଜିଏଫ-୨ ହେଉଛି ଏକ କନ୍ନଡ ଚଳଚ୍ଚିତ୍ର। ଓଡ଼ିଆ ସିନେମା ଓ କନ୍ନଡ ସିନେମାର ଜନ୍ମ ପ୍ରାୟ ଏକା ସମୟରେ ହୋଇଥିଲା। ୧୯୩୬ ମସିହାରେ ଓଡ଼ିିଶାରେ ପ୍ରଥମ ଚଳଚ୍ଚିତ୍ର ତିଆରି ହେଲା ସୀତା ବିବାହ। ୧୯୩୪ ମସିହାରେ କନ୍ନଡ ଭାଷାରେ ପ୍ରଥମ ଚଳଚ୍ଚିତ୍ର ହୋଇଥିଲା ସତୀ ସୁଲୋଚନା। ଦୁଇଟି ଯାକ ରାଜ୍ୟରେ ସିନେମା ଶିଳ୍ପ ସମାନ ଧାରାରେ, ସମାନ ଢଙ୍ଗର କାହାଣୀ ପୃଷ୍ଠଭୂମିରେ ଆରମ୍ଭ ହୋଇଥିଲା। ହେଲେ ଆଜି କନ୍ନଡ ଚଳଚ୍ଚିତ୍ର ଯାଇ କେଉଁଠି ପହଞ୍ଚିଲାଣି ଆଉ ଓଡ଼ିଶା ସିନେମା କେଉଁଠି ପଡ଼ିଛି।

prayash

ଆଜିର ଦିନରେ ଚଳଚ୍ଚିତ୍ର କେବଳ ରଙ୍ଗରଙ୍ଗିଆ ନାଚ, ନାୟକନାୟିକାଙ୍କ ନାଁରେ ଚାଲୁନି। ଲୋକେ ଏବେ ମୁଖ୍ୟତଃ ତିନୋଟି ପ୍ରକାରର ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଛନ୍ତି। ଗୋଟିଏ ହେଲା ଆକ୍ସନ ଚଳଚ୍ଚିତ୍ର ଯେଉଁଥିରେ ପ୍ରାୟତଃ ଅଧିକ ଅର୍ଥ ଖର୍ଚ୍ଚ ହୁଏ। ଆଉ ଗୋଟିଏ ହେଲା ଭଲ ମୌଳିକ କାହାଣୀକୁ ନେଇ ହୋଇଥିବା ସିନେମା ଯାହା ଲୋକଙ୍କୁ ଭାବୁକ କରିପାରୁଥିବ। ତୃତୀୟ ପ୍ରକାର ହେଉଛି କୌଣସି ଐତିହାସିକ ପୃଷ୍ଠଭୂମି, ସତ ଘଟଣା ଉପରେ ହୋଇଥିବା ଚଳଚ୍ଚିତ୍ର। ଏହି ଦୁଇ ଶ୍ରେଣୀର ଚଳଚ୍ଚିତ୍ର ପାଇଁ ଅର୍ଥର ଆବଶ୍ୟକତା ବେଶି ନାହିଁ। ଆମେ ସିନା ବହୁତ ଅର୍ଥ ଖର୍ଚ୍ଚ କରିକି ବାହୁବଳୀ ଭଳି ସିନେମା କରିପାରିବାନିଳ କିନ୍ତୁ ଭାବପ୍ରବଣତା, ଦମଦାର କାହାଣୀ ନେଇ ସ୍ତ୍ରୀ, ଶେଷ ଶ୍ରାବଣ ଭଳି ଚଳଚ୍ଚିତ୍ର ନିଶ୍ଚୟ ବନାଇ ପାରିବା। ଆବଶ୍ୟକତା ସୃଜନର, ଭଲ ନି​‌େ​‌ର୍ଦଶନା ଓ ନିଖୁଣ ଅଭିନୟର। ଏସବୁ ଓଡ଼ିଶାର କଳାକାର, ନି​ର୍ଦ୍ଦେଶକଙ୍କ ପାଖରେ ଅଛି।

ଆମେ ଆଜି ପର୍ଯ୍ୟନ୍ତ ଆମର ଗର୍ବ ଖାରବେଳଙ୍କ ଭଳି ଚରିତ୍ରଙ୍କ ଉପରେ ଚଳଚ୍ଚିତ୍ର ବନାଇ ପାରିନେ। ନେତାଜୀ ସୁଭାଷ ବୋଷ ଓଡ଼ିଶାର। ତାଙ୍କ ଜୀବନୀକୁ ନେଇ ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ଜର୍ମାନୀ ଭାଷାରେ ମଧ୍ୟ ଚଳଚ୍ଚିତ୍ର ତିଆରି ହୋଇଛି; କିନ୍ତୁ ଓଡ଼ିଆ ଭାଷାରେ ହୋଇପାରି ନାହିଁ। ରାଜନୈତିକ, ଐତିହାସିକ ପୃଷ୍ଠଭୂମି, ମହାପୁରୁଷଙ୍କ ଜୀବନୀ ଉପରେ ପର୍ଯ୍ୟବସିତ କାହାଣୀ ଉପରେ ଓଡ଼ିଆ ଚଳଚ୍ଚିତ୍ର ପ୍ରାୟ ହୋଇନାହିଁ କହିଲେ ଠିକ୍‌ ହେବ। ଓଡ଼ିଶାର ଇତିହାସ ହେଉଛି ଭାରତବର୍ଷର ଅନ୍ୟତମ ସଂଘର୍ଷପୂର୍ଣ୍ଣ ଓ ବୀରତ୍ୱରେ ପରିପୂର୍ଣ୍ଣ ଏକ ଚଳଚଞ୍ଚଳ ଇତିହାସ। ଖାରବେଳ, କପିଳେନ୍ଦ୍ର ଦେବ, ନରସିଂହ ଦେବ, ପୁରୁଷୋତ୍ତମଦେବଙ୍କ ଭଳି ରାଜାମାନଙ୍କର ଜୀବନୀ, କଳିଙ୍ଗ ଯୁଦ୍ଧର କାହାଣୀ, କାଞ୍ଚି ଅଭିଯାନ, ମଗଧ ବିଜୟ, ପାଇକ ସଂଗ୍ରାମ, ସୁରେନ୍ଦ୍ର ସାଏଙ୍କର ସ୍ୱାଧୀନତା ସଂଗ୍ରାମ, ଲକ୍ଷ୍ମଣ ନାୟକଙ୍କର ସ୍ୱାଧୀନତା ଆନ୍ଦୋଳନ- ଏସବୁ ସେହି ଅନ୍ୟ ଭାଷାରେ ନିର୍ମାଣ ହେଉଥିବା ଐତିହାସିକ କାହାଣୀଠାରୁ କେଉଁ ଗୁଣରେ କମ୍‍ କି? ଫକିରମୋହନଙ୍କର ଛମାଣ ଆଠ ଗୁଣ୍ଠକୁ ନେଇ ହୋଇଥିବା ସିନେମା ଓଡ଼ିଆ ସିନେମା ଜଗତର ଏକ ମାଇଲ ଖୁଣ୍ଟ। ମାଗୁଣିର ଶଗଡ଼, ରେବତୀକୁ ନେଇ ଆଜି ପର୍ଯ୍ୟନ୍ତ କଳାତ୍ମକ ଚଳଚ୍ଚିତ୍ର ତିଆରି ହୋଇଛି ସିନା, ପ୍ରେକ୍ଷାଳୟରେ ଚାଲିବା ଭଳି ବ୍ୟାବସାୟିକ ଚଳଚ୍ଚିତ୍ର ତିଆରି ହୋଇପାରି ନାହିଁ। ମାଟିମଟାଳ, କା, ପରଜା, ନୀଳଶୈଳ, ନୀଳାଦ୍ରି ବିଜୟ ଭଳି କାହାଣୀ କ’ଣ ଓଡ଼ିଆ ସିନେମାର କାହାଣୀ ହେବା ପାଇଁ ଉପଯୁକ୍ତ ନୁହେଁ? ଏସବୁ ଉପରେ ଯଦି ଓଡ଼ିଆ କଳାକାରମାନଙ୍କୁ ନେଇ ଚଳଚ୍ଚିତ୍ର କରାଯାଆନ୍ତା ତାହେଲେ କ’ଣ ଓଡ଼ିଆ ଦର୍ଶକ ସତରେ ଏହାକୁ ଦେଖିବେନି? ଆମେ ନିଜର କାହାଣୀକୁ ଛାଡ଼ି ଅନ୍ୟ ଭାଷାର ଚଳଚ୍ଚିତ୍ର ନକଲ କରିବା ପଛରେ ପଡ଼ିଛୁ। ଓଡିଶାରେ ଆଜି ପର୍ଯ୍ୟନ୍ତ ସେପରି ଭଲ ପ୍ରଯୋଜକ ବାହାରିଲେନି ଯେଉଁମାନେ ମୌଳିକ କାହାଣୀକୁ ନେଇ ସିନେମା କରିବେ, ସିନେମାକୁ ନେଇ ପରୀକ୍ଷଣ କରିବେ, ସିନେମାରେ ନୂତନତ୍ବ ଆଣିବେ।

ଆଗରୁ ସତୁରି- ଅଶୀ ଦଶକରେ ଯେତେବେଳେ କୌଣସି ଓଡ଼ିଆ ସିନେମା ପ୍ରଯୋଜକ, ନି​‌େ​‌ର୍ଦଶକ ସିନେମା କରିବା ପାଇଁ ଯୋଜନା କରୁଥିଲେ ସେତେବେଳେ ମାସ ମାସ ସମୟ ବିତାଉଥିଲେ କାହାଣୀ ତିଆରିରେ। ହେଲେ ଏବେ ଆଉ ସେମିତି ହେଉ ନାହିଁ। କେଉଁ ଏକ ହୋଟେଲରେ ସମସ୍ତେ ଏକାଠି ହୋଇ କିଛି ଅଣଓଡ଼ିଆ ଚଳଚ୍ଚିତ୍ରକୁ ଦେଖୁଛନ୍ତି। କେଉଁଥିରୁ କାହାଣୀ, କେଉଁଁଥିରୁ ଆକ୍ସନ, କେଉଁଥିରୁ ନାଚ, କେଉଁଥିରୁ ଖଳନାୟକର ଶୈଳୀକୁ ନକଲ କରି ଯୋଡ଼ାଯୋଡ଼ି କରିଦେଲେ ହୋଇଗଲା ଗୋଟିଏ ଓଡ଼ିଆ ସିନେମା। ନହେଲେ ପୂରା ଚଳଚ୍ଚିତ୍ରକୁ ନକଲ କରିବାର ଅନୁମତି ଆଣି ସିନେମା ହେଉଛି।
ହଁ ସିନେମା ହଲର ଅଭାବ ରହିଛି ଏକଥା ସତ। ହେଲେ ଏହା ଅର୍ଦ୍ଧ ସତ୍ୟ; କାରଣ ଏହି ଓଡ଼ିଶାର ସିନେମା ହଲରୁ ପୁଣି ତେଲୁଗୁ, ତାମିଲ, ହିନ୍ଦୀ ସିନେମା ପଇସା କମେଇ ପାରୁଛନ୍ତି କିପରି? ଛୋଟ ସହରରେ ସିନେମା ହଲର ଅଭାବ ଅଛି ଯେଉଁଠି ଗାଁର ଦର୍ଶକମାନେ ଆସି ସାଧାରଣତଃ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତି। ହେଲେ ଛୋଟ ଛୋଟ ସହରରେ ସିନେମା ହଲ ବନ୍ଦ ହେବାର କାରଣ ହେଉଛି ଓଡ଼ିଆ ସିନେମାରୁ ଓଡ଼ିଆ ଦର୍ଶକମାନେ ମୁହଁ ଫେରାଇ ନେବା। ଭଲ ଓଡ଼ିଆ ସିନେମା ତିଆରି ହେଲେ, ଲୋକ ଦେଖିବା ଆରମ୍ଭ କଲେ ବୋଧହୁଏ ପୁଣି ପ୍ରେକ୍ଷାଳୟର ଯୁଗ ଫେରିପାରିବ।

୧୯୭୪ ମସିହାରେ ଓଡ଼ିଶାରେ ଚଳଚ୍ଚିତ୍ରକୁ ଏକ ଶିଳ୍ପର ମାନ୍ୟତା ମିଳିଲା। ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମ ତିଆରି ହୋଇଥିଲା। ଏବେ ଏହାକୁ ୫୦ ବର୍ଷ ପୂରିବା ପାଇଁ ଯାଉଛି। ହେଲେ କେଉଁ ଭଲ ପ୍ରଯୋଜକଙ୍କୁ ଆର୍ଥିକ ସହାୟତା, ଋଣ ଯୋଗାଇ ଦେବା, ଭଲ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ନିଗମ ପାଖରେ ଅର୍ଥ ନାହିଁ। ଓଡ଼ିଶାରେ ଫିଲ୍ମ ସିଟି ନାହିଁ। କଳିଙ୍ଗ ଷ୍ଟୁଡିଓ ୧୯୯୯ ମସିହା ବାତ୍ୟାରେ ଭାଙ୍ଗିଯିବା ପରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଓଡ଼ିଆ ଚଳଚ୍ଚିତ୍ରକୁ ପୁଣି ଧାରାକୁ ଆଣିବାକୁ ହେଲେ ଏବେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ।

kalyan agarbati

Comments are closed.