ପରିଣତ ବୟସର ବୋଝ

ପରିଣତ ବୟସର ବୋଝ ବୋହିବ କିଏ? ସନ୍ତାନ-ସନ୍ତତି ନା ନିଜେ? ଏହା ସଂପ୍ରତି ଅୟୁତ ଟଙ୍କାର ପ୍ରଶ୍ନ। ପିତାଙ୍କ ବନ ପ୍ରସ୍ଥାନ ପରେ ସେଦିନ ମା’ ଦେବହୂତିଙ୍କ ମୋକ୍ଷ ପ୍ରାପ୍ତିର ବୋଝ ମୁଣ୍ଡାଇଥିଲେ ପୁତ୍ର କପିଳ। ଭକ୍ତିଯୋଗର ସ୍ୱରୂପ ଓ ଅବ୍ୟକ୍ତ କାଳର ଗତି ସଂପର୍କରେ ମାତାଙ୍କୁ କପିଳ ଯାହା କହିଥିଲେ ତାହାର ସ୍ମରଣ ଦ୍ୱାରା ମା’ ଦେବହୂତିଙ୍କ ସାଂସାରିକ ମୋହରୁ ପରଦା ଉଠିଯାଇଥିଲା। ପୁତ୍ର ପ୍ରଦର୍ଶିତ ମାର୍ଗ ଅନୁପାଳନ କରି ମାତା ନିତ୍ୟମୁକ୍ତ ବ୍ରହ୍ମ ପ୍ରାପ୍ତି ହୋଇଥିଲେ। ଦେବହୂତି ଥିଲେ ମହାତେଜା କର୍ଦମ ଋଷିଙ୍କ ପତ୍ନୀ। ପୁତ୍ର କପିଳ ମୁନି ସାଂଖ୍ୟଯୋଗର ପ୍ରଣେତା ଥିଲେ ବି ମାତାଙ୍କ ପ୍ରତି ନିଜର କର୍ତ୍ତବ୍ୟ ଯେଉଁଭଳି ଭାବେ ନିର୍ବାହ କରିଥିଲେ ତାହା ତାଙ୍କୁ ଯୁଗଯୁଗ ଧରି ଅମର କରି ରଖିପାରିଛି।

ପୁତ୍ର ଧ୍ରୁବର ଆଚରଣ ଫଳରେ ମା’ ସୁନୀତି ବି ବିଷ୍ଣୁଲୋକ ପ୍ରାପ୍ତ ହୋଇଥିଲେ। ଦେବଯାନ ଆରୋହଣ କରି ଉତ୍ତାନପାଦଙ୍କ ପୁତ୍ର ଧ୍ରୁବ ଶ୍ରୀହରିଙ୍କ ପରମଧାମକୁ ଯାତ୍ରା କରୁଥିବା ବେଳେ ଏକାକୀ ମା’ଙ୍କୁ ଛାଡ଼ି ସେ କିପରି ବୈକୁଣ୍ଠ ଧାମ ଯିବେ ବୋଲି ଭାବିବା ସମୟରେ ମା’ ତାଙ୍କ ଆଗେଆଗେ ଅନ୍ୟ ଏକ ଯାନରେ ବୈକୁଣ୍ଠଲୋକ ଯାତ୍ରା କରୁଥିବା ଦେଖାଇ ଦିଆଗଲା। ପୁତ୍ରର ନିଷ୍ଠା ଓ କର୍ତ୍ତବ୍ୟ ପାଇଁ ଦିନେ ପର୍ଶୁରାମଙ୍କ ପିତା ଋଷି ଜମଦଗ୍ନି ସପ୍ତର୍ଷିମଣ୍ଡଳରେ ସ୍ଥାନ ପାଇପାରିଥିଲେ। ପିତାମାତାଙ୍କ ପ୍ରତି ସନ୍ତାନଙ୍କ କର୍ତ୍ତବ୍ୟର ଏପରି ଅନେକ ଉଦାହରଣ ଦେଖିବାକୁ ମିଳେ ଆମ ପୁରାଣ ସାହିତ୍ୟରେ। ପିତୃମାତୃ ଭକ୍ତି ଆମ ଦର୍ଶନର ଏକ ଅନନ୍ୟ ଦିଗ।

ଏ ତ ଥିଲା ପୁରାଣ ଯୁଗର କଥା। ପିତୃମାତୃ ଭକ୍ତିର ଅନେକ ଉଦାହରଣ ଆମ ପ୍ରାଚୀନ ସାହିତ୍ୟରେ ରହିଛି। ତେବେ ସମୟରେ ଆସିଛି ପରିବର୍ତ୍ତନ। ଏବେ ସନ୍ତାନଙ୍କ ଦ୍ୱାରା ବୃଦ୍ଧ ପିତାମାତା ନାନା ଭାବେ ନିର୍ଯାତନାର ଶିକାର ହେଉଥିବା ଦେଖାଯାଉଛି। ଯାଜପୁର ଜିଲା ଦଶରଥପୁର ଅଞ୍ଚଳରୁ ଏକ ଖବର ପ୍ରକାଶ ପାଇଲା ଯେ, ପୈତୃକ ସଂପତ୍ତିରେ ଅଂଶୀଦାର ହେବା ଲୋଭରେ ବିଧବା ମା’ ଉପରେ ପୁଅ-ବୋହୂ ଅତି ନିଷ୍ଠୁର ଭାବେ ଇଟା ଲଦିଦେଲେ। ମାତା ବିଧବା ଏବଂ ୮୦ ବର୍ଷରେ ପଦାର୍ପଣ କଲେଣି। ଇଟାଗଦା ତଳେ ମା’ ବିକଳରେ ଚିତ୍କାର କରିଥିଲେ ସୁଦ୍ଧା କେହି ଶୁଣିନଥିଲେ। ଶେଷକୁ ପଡ଼ିଶାଙ୍କ ହସ୍ତକ୍ଷେପରେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ମଙ୍ଗଳପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ଏକ ଘଟଣାରେ କଟକ ଜିଲା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜଣେ ବୃଦ୍ଧା ମାତାଙ୍କୁ ଭରଣପୋଷଣ ପ୍ରଦାନ ନିମନ୍ତେ ନି‌େ‌ର୍ଦଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ପିତା-ମାତାଙ୍କ ଯତ୍ନ ନେବା ପ୍ରତ୍ୟେକ ସନ୍ତାନର ଦାୟିତ୍ୱ ଓ କର୍ତ୍ତବ୍ୟ। ଏହା ପୁତ୍ରର ନୈତିକ ଓ ଆଇନଗତ କର୍ତ୍ତବ୍ୟ। ଏ କ୍ଷେତ୍ରରେ ସନ୍ତାନଙ୍କ ଦ୍ୱାରା ନିର୍ଯାତିତ ହୋଇ ମହିଳା ଜଣଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଓ ଅନ୍ୟତ୍ର ଏକ ଘରେ ରହି ପୁତ୍ର ନିକଟରୁ ଭରଣପୋଷଣ ଦାବି କରିଥିଲେ।

ବଲାଙ୍ଗିର ଜିଲାର ସିନ୍ଧେକେଲା ଅଞ୍ଚଳର ୮ ସନ୍ତାନର ପିତା ବୈକୁଣ୍ଠ ପୁଟେଲଙ୍କୁ ସନ୍ତାନ ପାଖରେ ନରଖିବାରୁ ତାଙ୍କୁ ଆଶ୍ରୟ ନେବାକୁ ପଡ଼ିଲା ଏକ ଜଗନ୍ନାଥ ମନ୍ଦିରରେ। ପିତା-ମାତାଙ୍କ ପ୍ରତି ସନ୍ତାନଙ୍କ ଏ ପ୍ରକାର ଆଚରଣକୁ ଯଦି ବର୍ତ୍ତମାନ ପରିସ୍ଥିତିରେ ବିଶ୍ଳେଷଣ କରାଯାଏ ତା’ହେଲେ ଧ୍ରୁବ ଓ କପିଳଙ୍କ କାହାଣୀ କେବଳ ପୁରାଣ ପୃଷ୍ଠାରେ ସୀମିତ ରହିଯାଇଥିବା ବା ପ୍ରବଚନର ବିଷୟ ହୋଇଥିବା ପରି ମନେହୁଏ। ଭାରତରେ ବୟସାଧିକ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସେମାନଙ୍କ ପ୍ରତି ଘରୋଇ ନିର୍ଯାତନା ଓ ଅବହେଳା ମାନସିକତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ଅଧୁନା ମୋଟ ଜନସଂଖ୍ୟାର ୮.୬ % ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି। ୨୦୫୦ ମସିହା ବେଳକୁ ଏହି ସଂଖ୍ୟା ୩ ଗୁଣ ବୃଦ୍ଧି ପାଇ ୨୦%ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବୟସ୍କ ଯତ୍ନ ବ୍ୟବସ୍ଥାରେ ଆସିଛି ବିରାଟ ପରିବର୍ତ୍ତନ। ଏକକ ପରିବାର ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ବୟସ୍କମାନେ କ୍ରମଶଃ ଘରେ ଅଣଦେଖା ହୋଇପଡ଼ୁଥିବା ଦେଖାଯାଉଛି। ଅଯତ୍ନର ଶିକାର ହେଉଛନ୍ତି। କେଉଁଠି ସନ୍ତାନସନ୍ତତିଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇ ଆତ୍ମହତ୍ୟା ପରି ଚରମ ବାଟ ଗ୍ରହଣ କରୁଥିବା ରିପୋର୍ଟମାନ ସମ୍ବାଦପତ୍ର ପୃଷ୍ଠାରେ ଦେଖାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଭାରତରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ନାଗରିକଙ୍କ ସଂଖ୍ୟା ବାର୍ଷିକ ୩.୫% ହାରରେ ବୃଦ୍ଧି ପାଉଛି।

prayash

ଏହି ବୟସ୍କଙ୍କ ମଧ୍ୟରୁ ୫.୩ % ଶାରୀରିକ ହିଂସାର ଶିକାର ହେଉଥିବାବେଳେ ୧୦.୨% ବାଚନିକ ଦୁର୍ବ୍ୟବହାରର ଶିକାର ହୋଇଥାନ୍ତି। ୫.୪% ଆର୍ଥିକ ନିର୍ଯାତନା ଭୋଗିଥାନ୍ତି। ୬% ଜନତା ଘର ମଧ୍ୟରେ ଅସମ୍ମାନିତ ଭାବେ ସମୟ ବିତାଇଥାନ୍ତି। ସେହିପରି ୫.୨% ବରିଷ୍ଠ ନାଗରିକ ନିରନ୍ତର ଅବହେଳାର ଶିକାର ହୋଇଥାନ୍ତି। ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଘରୋଇ ନିର୍ଯାତନା ବୃଦ୍ଧି ପାଇବା ଉଦ୍‍ବେଗଜନକ ବିଷୟ। ବିଭିନ୍ନ କାରଣରୁ ଏ ପ୍ରକାର ସମସ୍ୟା ସୃଷ୍ଟି ହେଉଥିବା ଦେଖାଯାଉଛି। ଏକାନ୍ନବର୍ତ୍ତୀ ପରିବାର କ୍ରମଶଃ ଭାଙ୍ଗିଯାଇ ଏକକ ପରିବାର ସଂଖ୍ୟାରେ ବୃଦ୍ଧି ଘଟୁଛି। ପୁଅ-ବୋହୂ ଚାକିରିକୁ ଚାଲିଯିବା ପରେ ଘରେ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବାକୁ କେହି ରହିନଥାନ୍ତି। ଏକାକୀ ଜୀବନ ବିତାଇବାକୁ ପଡ଼ିଥାଏ। କାର୍ଯ୍ୟାଳୟରୁ ଚାପଗ୍ରସ୍ତ ଅବସ୍ଥାରେ ଫେରିବା ପରେ ସନ୍ତାନଙ୍କ ନିକଟରେ ପିତା-ମାତାଙ୍କ ସମସ୍ୟା ବୁଝିବାରେ ସମୟ ନଥାଏ। ଏ ପ୍ରକାର ଏକ ପରିସ୍ଥିତିରୁ ସୃଷ୍ଟି ହୋଇଥାଏ ବୟସ୍କଙ୍କ ପ୍ରତି ଅଲୋଡ଼ା ଭାବ। ସମୟକ୍ରମେ ଏହି ଅଲୋଡ଼ା ଭାବର ବିଭିନ୍ନ କୁରୂପ ପ୍ରକାଶ ପାଇଥାଏ। ବୟସ୍କଙ୍କ ଯତ୍ନ ସର୍ବଦା ଏକ ସମ୍ବେଦନଶୀଳ ବିଷୟ। ଏକାନ୍ନବର୍ତ୍ତୀ ପରିବାରରେ ବୟସ୍କଙ୍କ ଭାବନା ଓ ସମସ୍ୟା ବହୁ ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ହୋଇଯାଉଥିବାରୁ ସେଠାରେ ସମସ୍ୟା ଏତେଟା ରହେ ନାହିଁ, ଯାହା ଏକକ ପରିବାରରେ ସମ୍ଭବ ହୋଇପାରିନଥାଏ।

ଏଭଳି ସ୍ଥିତିରେ ପିତାମାତାଙ୍କୁ ନେଇ ଜରାନିବାସରେ ଛାଡ଼ି ଆସିବାକୁ ସନ୍ତାନସନ୍ତତି ପଦକ୍ଷେପ ନେଉଥିବା ଦେଖାଯାଉଛି। କେତେକ କ୍ଷେତ୍ରରେ ଘରେ ଅସମ୍ମାନିତ ଅବସ୍ଥାରେ ରହିବା ତୁଳନାରେ ପିତାମାତା ଗୃହ ପରିତ୍ୟାଗ କରୁଥିବା ଦେଖାଯାଉଛି। ସନ୍ତାନମାନେ ବାପା ମା’ଙ୍କୁ ପାଳି କରି ଖାଇବା ପାଇଁ ଦେଉଛନ୍ତି। ଘରେ ଖାଦ୍ୟ ଅଭାବ ନଥାଇ ଓ ସନ୍ତାନ ରୋଜଗାରକ୍ଷମ ଥିବା ସ‌େ‌ତ୍ତ୍ବ ପିତାମାତାଙ୍କୁ ବାଣ୍ଟ କରିବା ଭାରତୀୟ ଦର୍ଶନର ପରିପନ୍ଥୀ। ହେଲ୍ପଏଜ ଇଣ୍ଡିଆର ଏକ ସର୍ବେକ୍ଷଣ ଅନୁଯାୟୀ ୩୬% ବୟସ୍କ ସଂପର୍କୀୟଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହେଉଥିବାବେଳେ ୩୫% ପୁତ୍ର ଓ ୨୧% ବୋହୂ ଦ୍ୱାରା ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏକଦା ମା’ଙ୍କୁ ଦେଇଥିବା ବଚନ ରକ୍ଷା କରିବାକୁ ଯାଇ ଯୋଗୀ ଶଙ୍କରାଚାର୍ଯ୍ୟ ତ ମା’ଙ୍କ ଶେଷ ଶଯ୍ୟା ନିକଟରେ ଉପସ୍ଥିତ ହୋଇଥିଲେ। ମାତୃ ଋଣ ପରିଶୋଧ ପାଇଁ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତବ୍ୟ କଣ ବର୍ତ୍ତମାନ ସମାଜ ପାଇଁ ଗ୍ରହଣୀୟ ହୋଇପାରିବ ନାହିଁ ?

ଟାଟା ଟ୍ରଷ୍ଟ, ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଓ ସ୍ୱେଚ୍ଛାସେବୀ ସଂସ୍ଥା ‘ସମର୍ଥ’ର ମିଳିତ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଦେଶରେ ଏବେ ହାରାହାରି ୧୧୫୦ଟି ଜରା ନିବାସ କାର୍ଯ୍ୟକ୍ଷମ ରହିଛି ଏବଂ ଏଥିରେ ପାଖାପାଖି ୯୭,୦୦୦ ବୟସ୍କ ବ୍ୟକ୍ତି ରହୁଛନ୍ତି; କିନ୍ତୁ ଏହି ଜରାନିବାସଗୁଡ଼ିକରେ ଆବଶ୍ୟକ ସୁବିଧାସୁଯୋଗ ନଥିବା ଜଣାପଡ଼ିଛି। ଜରାନିବାସରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ତାଲିମପ୍ରାପ୍ତ କର୍ମଚାରୀ ବା ସେବିକା ନାହାନ୍ତି। ବାର୍ଦ୍ଧକ୍ୟଜନିତ ସ୍ୱତନ୍ତ୍ର ଯତ୍ନର କୌଣସି ବନ୍ଦୋବସ୍ତ ନାହିଁ। ବଡ଼ ସହରରେ କିଛି ଦେୟଯୁକ୍ତ ଜରାନିବାସ ରହିଛି। ସେଠାରେ ମଧ୍ୟ ସୁବିଧାସୁଯୋଗ ପର୍ଯ୍ୟାପ୍ତ ନୁହେଁ। ଯେଉଁ ଦେୟମୁକ୍ତ ଜରାନିବାସ କିଛି ସ୍ୱେଚ୍ଛାସେବା ମନୋଭାବ ମଧ୍ୟରେ ଚାଲିଛି ସେଗୁଡ଼ିକର ଅବସ୍ଥା ଅତି ଦୟନୀୟ। ବେଳେବେଳେ ମାଗିଯାଚି ଜରାଶ୍ରମ ଚଳାଇବାକୁ ପଡ଼ିଥାଏ। ଓଡ଼ିଶାରେ ଏ ପ୍ରକାର ଅନେକ ଜରାଶ୍ରମ ରହିଛି ଯେଉଁଠି ସେବିକା ବା କର୍ମଚାରୀ କେବଳ ଗଣ୍ଡେ ଖାଇ ବିନା ପାରିଶ୍ରମିକରେ କାର୍ଯ୍ୟ କରିଥାନ୍ତି। ଏସବୁ ଅନୁଷ୍ଠାନକୁ ସରକାରୀ ସହାୟତା ମଧ୍ୟ ନଗଣ୍ୟ। ସରକାରଙ୍କ କଲ୍ୟାଣକାରୀ ଯୋଜନାରେ ଦେଶରେ ସ୍ୱତନ୍ତ୍ର ଜରାନିବାସ ଯୋଜନା ହାତକୁ ନିଆଯିବା ଆବଶ୍ୟକ। ଏସବୁ ଜରାନିବାସ ଗୋଟିଏ ଗୋଟିଏ ମନ୍ଦିର ଯେପରି ହୋଇପାରିବ ସେଥିପାଇଁ ସମସ୍ତ ସୁବିଧାସୁଯୋଗ ସୃଷ୍ଟି ଉପଲବ୍‍ଧ କରାଯିବା ଆବଶ୍ୟକ।

ବୃଦ୍ଧ ପିତାମାତାଙ୍କ ପ୍ରତି ସନ୍ତାନଙ୍କ ନକାରାତ୍ମକ ମାନସିକତା କ୍ରମଶଃ ବୃଦ୍ଧି ପାଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଆଇନ ପ୍ରଣୟନ ମଧ୍ୟ କରିଛନ୍ତି; କିନ୍ତୁ ଆଇନ ନିକଟକୁ ଆସିବା ପାଇଁ ବୟସ୍କ ପିତାମାତାଙ୍କ ଶରୀରରେ ଆଉ ଶକ୍ତି ନାହିଁ। ତେଣୁ ଆଇନ ସେତେଟା ଫଳପ୍ରଦ ହୋଇପାରୁ ନାହିଁ। ସାମାଜିକ ସ୍ତରରେ ଏହି ସମସ୍ୟାର ସମାଧାନ ଅଧିକ ଫଳପ୍ରଦ ହୋଇପାରିବା ମନେହୁଏ। ଏଥିପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଆମକୁ ବୁଝିବାକୁ ଓ ବୁଝାଇବାକୁ ପଡ଼ିବ ‘ମା’ ପରି କିଏ ହୋଇବ, ମା’ ପରି କିଏ ସହିବ’? ଏହା ଫଳରେ ପରଲୋକରେ ଥାଇ ମଧ୍ୟ ସେମାନଙ୍କ ଶୁଭ ଦୃଷ୍ଟି ଆମ ପ୍ରତି ରହିପାରିବ।

kalyan agarbati

Comments are closed.